ଅଣସର ନୀତି: ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ l ଏହି କାଳକୁ ଅଣସର ବା ଅନବସର କୁହାଯାଏ l ସ୍ନାନ ଯାତ୍ରା ପରେ ପରମ୍ପରା ଅନୁସାରେ ଅନବସର ନୀତି ହୋଇଥାଏ l ଏହି ପ୍ରସିଦ୍ଧ ପାର୍ବଣ ର ଯେତେ ବିଧି ବିଧାନ ଅଛି ତାକୁ ୬ ଭାଗ ରେ ବିଭକ୍ତ କରାଯାଇଛି l ପ୍ରଥମ ହେଲା ସ୍ନାନ ଯାତ୍ରା , ଦ୍ବତୀୟ ଅନବସର , ତୃତୀୟ ଶ୍ରୀ ଗୁଣ୍ଡିଚା , ଚତୁର୍ଥ ଆଡ଼ପ , ପଞ୍ଚମ ବାହୁଡ଼ା , ଷଷ୍ଟ ନୀଳାଦ୍ରୀବିଜେ ଆକୁ ଶଡାଙ୍ଗ ସଂସ୍କାର କୁହାଯାଏ l
ଆମ ଶରୀର ଭିତରେ ୬ ଟି ଭଲ ଜିନିଷ ଅଛି ଯଥା ସୌନ୍ଦର୍ୟ୍ଯ , ବିର୍ଯ୍ୟ ,ଓଦାର୍ଯ୍ୟ , ଗାମ୍ପୀର୍ଯ୍ୟ , ମାଧୁର୍ଯ୍ୟ , ଐସୁର୍ଯ୍ୟ ଆଉ ୬ ଟି ଖରାପ ଜିନିଷ ଭି ଅଛି କାମ, କ୍ରୋଧ, ଲୋଭ , ମୋହ , ମଦ , ମାସଚୁର୍ଯ୍ୟ l ଏ ସବୁ ୬ ର ସମାହାର ମଣିଷର ଯେତେବେଳ ଜୀବନ ସରିଯିବ ଜୀବନ ବ୍ୟାପି ସାଧନା ସରିଯାଏ ୬ ଖଣ୍ଡି କାଠରେ ତାକୁ ନିଆଯିବ ୫ ହେବନି କି ୭ ହେବନି ୬ଖଣ୍ଡି କାଠରେ ତାକୁ ନିଆଯାଏ l
ଶଡାଙ୍ଗ ବିଧି ଭିତରେ ପାଳିତ ହୁଏ ଅଣସର ନୀତି l ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜୀଉ ମାନେ ସ୍ନାନ ବେଦୀରୁ ଗଲା ପରେ ଅଣସର ପିଣ୍ଡିରେ ଦଇତା ମାନେ ତାଙ୍କ ଶ୍ରୀମୁଖରେ ଲାଗିହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର ମେକାପ ଙ୍କୁ ହସ୍ତାନ୍ତର କରିଥାନ୍ତି l ତତ୍ପରେ କୋଠ ସୁଆଁସିଆ ମାନେ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ବେଢ଼ି ଦିଅନ୍ତି ଏବଂ ଧୁକୁଡି ଦ୍ୱାର ବାଟେ ଏକ ଚୋରା କବାଟ ରଖିଥାନ୍ତି l ଜଗମୋହନ ଏହି ବାଉଁଶ ତାଟି ରେ ୨ ଭାଗ ରେ ବିଭକ୍ତ ହୋଇ ଯାଇଥାଏ l ଭିତର ପଟ ଭାଗରେ ଦାରୁ ବିଗ୍ରହ ରୁହନ୍ତି ଓ ବାହାର ଭାଗ ରେ ଏକ ଖଟ ରଖା ଯାଇଥାଏ l ଏହାପୂର୍ବରୁ ଚିତ୍ରକାର ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ରଖିଥାନ୍ତି l
ll ପଟିଦିଅଁ ll :-
ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ l ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ୱରୀ l ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇବେ l ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ l କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହେଇ ପଦ୍ମାସନରେ ବସିଥାଆନ୍ତି l ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହେଇଥାଏ l ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ l ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଉର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ l କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି l ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ l ଚିତ୍ର ପାଇଁ ଧଳାରଙ୍ଗ ଶଙ୍କରୁ ପ୍ରସ୍ତୁତ ହେଉଥିବା ବେଳେ l କଳାରଙ୍ଗ ନିମନ୍ତେ ପୋଲାଙ୍ଗ ଦୀପର କଳା l ହିଙ୍ଗୁଳରୁ ନାଲି l ହରିତାଳରୁ ହଳଦିଆ ଓ ଖଣ୍ଡନୀଳରୁ ନୀଳ ରଙ୍ଗ ପ୍ରସ୍ତୁତ କରାଯାଇଥାଏ l
ସ୍ନାନ ପୂର୍ଣ୍ଣିମା ଦିନ ଗଭୀର ରାତିରେ, ବାଇଦ ବାଜଣା ସହ ଚିତ୍ରକାରମାନେ ଅଣସର ପଟ୍ଟିଗୁଡ଼ିକୁ ମନ୍ଦିରକୁ ଆଣନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପି ଏହି ପଟି ଦେବତାଙ୍କ ଆଗରେ ଭୋଗ ବଢ଼ାଯାଏ l ଅଣସର ଘରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନଭୋଗ କରାଯାଇଥାଏ l ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ଘରୁ ସେବାୟତମାନେ ସାତଗୋଟି ଚଳନ୍ତି ପ୍ରତିମା ଆଣି ଅଣସର ଘର ବାହାରପଟେ ପକାଯାଇଥିବା ଗୋଟିଏ ଖଟ ଉପରେ ରଖନ୍ତି l ବଳଭଦ୍ରଙ୍କ ଆସ୍ଥାନ ସମୀପରେ ରାମ, ନୃସିଂହ ଓ ଦୋଳଗୋବିନ୍ଦଙ୍କ ବିଗ୍ରହ ରହେ, ସୁଭଦ୍ରାଙ୍କ ସମୀପରେ ରହେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପିତୁଳା ଦ୍ୱୟ ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରହେ ମଦନମୋହନ ଓ କୃଷ୍ଣଙ୍କ ପ୍ରତିମୂର୍ତ୍ତି l ଏହାପରେ ଦିଅଁମାନଙ୍କ ପୂଜାପଣ୍ଡା ସାମନ୍ତ ପଞ୍ଚାମୃତ ସ୍ନାନ ବଢ଼ାଇଥାନ୍ତି l ଏହି ଠାକୁରଙ୍କୁ ବଲ୍ଲଭ ସର୍ପା ମଣୋହି କରାଯାଇଥାଏ l ସମସ୍ତ ଦୈନିକ ନୀତି ଓ ଭୋଗ ହୋଇଥାଏ l ଏହି ସମୟରେ ଅନ୍ୟଦିନ ପରି ଧୂପ ରେ ମଇଲମ ହୋଇନଥାଏ l ପଟି ଦିଅଁ ଏବଂ ସେଠାରେ ଥିବା ଚଳନ୍ତି ବିଗ୍ରହଙ୍କ ରାତ୍ର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ରେ ଥିବା ଦାରୁଦିଅଁ ଙ୍କ ପାଖେ ଚକଟା ଭୋଗ ହୋଇଥାଏ l
ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି l ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ l ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି l ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ l ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ l କେବଳ ଦଇତା ଓ ପତି ମହାପାତ୍ର ସେବକ ଅଣସର ଗୃହକୁ ଗୁପ୍ତ ନୀତି ନିମନ୍ତେ ପ୍ରବେଶ କରିଥାନ୍ତି l
ll ଅଣସର ନୀତି ଶ୍ରୀଅଙ୍ଗ ଫିଟା ll :-
ସ୍ନାନମଣ୍ଡପରେ ସ୍ନାନଦ୍ୱାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ l ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ l ଏହି ସମୟରେ ଦାରୁ ରୂପକୁ କରାଳ ରୂପ କରାଯାଏ l ଶ୍ରୀଅଙ୍ଗ ଫିଟା ଓ କରାଲ ହେଉଛି ଶ୍ରୀଅଙ୍ଗ ନିରାପତ୍ତା ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା l ଆଷାଢ଼ କୃଷ୍ଣ ପ୍ରତିପଦରୁ ଚତୁର୍ଥୀ ବିଗ୍ରହ ଗୁଡିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ l ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ, ଓ ଚନ୍ଦନ ଲେପକୁ ଅଲଗା କରାଯାଏ l ଅଲଗା ହୋଇଥିବା ପଦାର୍ଥମାନଙ୍କୁ “କରାଳ” କୁହାଯାଏ l ଏହି ସମୟରେ ଜଗନ୍ନାଥଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥ ଙ୍କୁ ବିଷ୍ଣୁରୂପରେ ଦର୍ଶନ କରିଥାନ୍ତି l
ll ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କରିବାର କିମ୍ବଦନ୍ତି ll :-
ପରମ ତାନ୍ତ୍ରିକ ବାବା ଅଲବନ୍ଦାଚାର୍ଯ୍ୟ ନାମକ ଜଣେ ତନ୍ତ୍ର ସାଧକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିଥିବା ସମୟରେ ଅଣସର ହେତୁ ଦର୍ଶନ ପାଇ ପାରି ନ ଥିଲେ l ନିଜର ତନ୍ତ୍ର ସାଧନା ପ୍ରୟୋଗ କରି ସେ ଏକ ଭ୍ରମର ରୂପରେ ଅଣସର ଗୃହକୁ ପ୍ରବେଶ କରିଥିଲେ l ଅଣସର ଗୃହରେ ଏକ ଅଷ୍ଟଦଳ ପଦ୍ମ ଦେଖି ଅଲ୍ବନ୍ଦା ପଦ୍ମ ଉପରେ ବସିବାକୁ ଉଦ୍ୟମ କରିବା ବେଳେ ପଦ୍ମର ପାଖୁଡ଼ା ଗୁଡିକ ଜଣେ ଜଣେ ସୁନ୍ଦରୀ ନାରୀରେ ପରିଣତ ହୋଇ ଭ୍ରମରକୁ ଉପହାସ କରିଥିଲେ l ଫଳରେ ଅଲ୍ବନ୍ଦାଚାର୍ଯ୍ୟ ଅପମାନ ପୂର୍ବକ ଜଗନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇ ସମୁଦ୍ରରେ ପ୍ରାଣ ବିସର୍ଜନ ନିମନ୍ତେ ଉଦ୍ୟମ ହୁଅନ୍ତେ ହଠାତ୍ ଏକ ବିରାଟକାୟ ମର୍କଟ ତାଙ୍କ ସମ୍ମୁଖରେ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିଥିଲା l ଏହା ଭଗବାନଙ୍କ ନିର୍ଦ୍ଦେଶ ଭାବି ସେ ଦକ୍ଷିଣାଭିମୁଖୀ ଦିଗରେ ଯାତ୍ରା କରି ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠରେ ପହଞ୍ଚି ସେଠାରେ ଶିଳାରୂପୀ ବିଷ୍ଣୁ ବିଗ୍ରହଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ l ସେବେଠାରୁ ଅଲ୍ ବିନ୍ଦାଙ୍କ ପ୍ରଭୁ ବା ନାଥ ଅଲ୍ ବିନ୍ଦାନାଥ ଓ ପରେ ଅପଭ୍ରଂଶ ହୋଇ ଅଲାରନାଥ ନାମରେ ନାମିତ ହୋଇଛନ୍ତି l
ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରୁହେ l ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି l ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି l କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା l
Leave a Reply