ଗଜପତି ଜିଲ୍ଲାର ସୌରା, ସାନ୍ତାଳୀ ଭାଷାର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଷ୍ଟିଫାନଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ ପାରଳାଖେମୁଣ୍ଡି, 8/6 (ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ଗଜପତି ଜିଲ୍ଲାର ସୌରା, ସାନ୍ତାଳୀ ଭାଷାର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଷ୍ଟିଫାନଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି. ଏହି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ବାଇଝାଲ ଗ୍ରାମରେ ଜନ୍ମିତ ପ୍ରଖ୍ୟାତ କଣ୍ଠଶିଳ୍ପୀ ଷ୍ଟିଫେନ ରଇତଙ୍କ 46 ବର୍ଷ ବୟସରେ ଆଜି ସୋମବାର ବିୟୋଗ ଘଟିଛି. ଷ୍ଟିଫେନ ଓଡ଼ିଆ, ଆସାମୀ,ସୌରା, ସାନ୍ତାଳୀ, ହିନ୍ଦୀ ଭାଷାରେ ଗୀତଗାଈ ସାରା ଗଜପତି ଜିଲ୍ଲାରେ ସୁପରିଚିତ ଥିଲେ.

ସେ କିଛିଦିନ ହେବ ଅସୁସ୍ଥ ଥିଲେ. ଗତକାଲି ରବିବାର ଅଧିକା ଅସୁସ୍ଥ ହୋଇଥିବାରୁ ଆଜି ସକାଳେ ତାଙ୍କୁ ପଡ଼ଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଏକ ବଡ଼ ଧରଣର ଘରୋଇ ଡାକ୍ତରଖାନାକୁ ନେବା ସମୟରେ ଅଧା ରାସ୍ତାରେ ହିଁ ମୃତୁ ହୋଇଥିବା ଖବର ମିଳିଛି. ତାଙ୍କ ମୃତ୍ୟୁ ଖବର ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପାଇ ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ସାମ୍ବାଦିକ ତାରିଣୀ ପ୍ରସାଦ ପଣ୍ଡା, ଗରୁଡ ଧ୍ଵଜ ଚୌଧୁରୀ, ରଶ୍ମି ରଞ୍ଜନ ମିଶ୍ର, ସନ୍ତୋଷ ପଟ୍ଟନାୟକ, କୃଷ୍ଣ କୁମାର ବେହେରା , ଗଣେଶ କୁମାର ରାଜୁ, ଶିଶିର କୁମାର ଗୌଡ଼, ସରୋଜ ବୀର, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି.
ବ୍ୟାପକ ଅବ୍ୟବସ୍ଥା ଘେରରେ ମହେନ୍ଦ୍ରମେଳା, 50 ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ସମାଗମ
ପାଦଚଲାରେ 7 କିମି ପାହାଡିଆ ରାସ୍ତା ଅତିକ୍ରମ କରି ଶ୍ରଦ୍ଧାଳୁ ହନ୍ତସନ୍ତ
ପାରଳାଖେମୁଣ୍ଡି, 8/6(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲାର ପବିତ୍ର ପର୍ଶୁରାମ କ୍ଷେତ୍ର ମହେନ୍ଦ୍ରଗିରିରେ ନଅ ଦିନ ଧରି ଚାଲିଥିବା ‘ମହେନ୍ଦ୍ର ମେଳା’ରେ ଗତକାଲି ମେଳାର ସପ୍ତମ ଦିନ ତଥା ରବିବାର ଓ ଆଜି ସୋମବାର ଦିନ ଅସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଆନୁମାନିକ ୫୦ ହଜାରରୁ ଅଧିକ ଭକ୍ତ ଓ ପର୍ଯ୍ୟଟକ ମହେନ୍ଦ୍ରଗିରିରେ ପହଞ୍ଚିଥିବା ବେଳେ ସମଗ୍ର ପାହାଡ଼ ଅଞ୍ଚଳ ଜନସମୁଦ୍ରରେ ପରିଣତ ହୋଇଥିଲା।

ତେବେ ଏତେ ବିପୁଳ ଜନସମାଗମ ଅନୁପାତରେ ପ୍ରଶାସନ ଓ ପୋଲିସ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ନଥିବାରୁ ଶ୍ରଦ୍ଧାଳୁମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ ମହେନ୍ଦ୍ରଗିରିକୁ ଯାଉଥିବା ରାସ୍ତାରେ ବୁରୁଖତ ଠାରୁ ଉଭୟ ଗଞ୍ଜାମ ଓ ଗଜପତି ପାର୍ଶ୍ୱ ରେ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଧାଡ଼ି ଲାଗି ରହିଥିଲା। ଶହ ଶହ ଚାରିଚକିଆ ଓ ଦୁଇଚକିଆ ଯାନ ଘଣ୍ଟା ଘଣ୍ଟା ଧରି ଘଟି ରାସ୍ତାରେ ଟ୍ରାଫିକ ଜାମରେ ଅଟକି ରହିଥିଲା। ବସ ଗୁଡିକରେ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଅସହ୍ୟ ଖରା ଓ ଗୁଳୁଗୁଳି ମଧ୍ୟରେ ପାନୀୟ ଜଳ, ବିଶ୍ରାମ ସ୍ଥଳୀ ଓ ଛାୟା ବ୍ୟବସ୍ଥାର ଅଭାବ ଯୋଗୁଁ ଶ୍ରଦ୍ଧାଳୁମାନେ ହନ୍ତସନ୍ତ ହୋଇପଡ଼ିଥିଲେ। ବୃଦ୍ଧ, ମହିଳା ଓ ଶିଶୁମାନେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଯାଇଥିଲା।
ଅନେକ ସ୍ଥାନରେ ପାଣି ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ବୁରୁଖତ ଠାରୁ ମହେନ୍ଦ୍ର ଶିଖରକୁ ପ୍ରାୟ ୭ କିଲୋମିଟର ରାସ୍ତା ଚାଲି ଯିବାକୁ ଥିବା ବେଳେ ବୁରୁଖତ ଠାରୁ ମହେନ୍ଦ୍ର ଶିଖର ଯାଏ ବ୍ୟାଟେରୀ ଗାଡିର ବ୍ୟବସ୍ଥା ଘୋଷଣାର ସୂଚନା ପାଇ ବହୁ ଶ୍ରଦ୍ଧାଳୁ ଗସ୍ତ କରିଥିବା ବେଳେ ଅନେକ ବୃଦ୍ଧବୃଦ୍ଧା ବ୍ୟାଟେରୀ ଗାଡିର ନ ଥିବାରୁ କୌଣସି ମତେ କଷ୍ଟରେ ପାହାଡ଼ ଉପରକୁ ଚାଲି ଚାଲି ଯାଇ ଆଉ ଫେରିବା ବେଳେ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ବିପୁଳ ଜନସମାଗମ ଆଗରେ ସେହି ବ୍ୟବସ୍ଥା ଅପର୍ଯ୍ୟାପ୍ତ ସାବ୍ୟସ୍ତ ହୋଇଥିଲା। ବହୁ ସ୍ଥାନରେ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ଦୁର୍ବଳ ଥିବାରୁ ଶୃଙ୍ଖଳା ବଜାୟ ରଖିବା କଷ୍ଟକର ହୋଇପଡ଼ିଥିଲା। କୌଣସି ସ୍ଥାନରେ ବି ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ଗାଡି ପାର୍କିଂ ସମସ୍ୟାକୁ ଦ୍ଵିଗୁଣିତ କରିଥିଲା।
ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ମତରେ ମହେନ୍ଦ୍ର ମେଳାରେ ବିପୁଳ ସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ବିନା ଆୟୋଜନ ଫଳରେ ଶ୍ରଦ୍ଧାଳୁମାନଙ୍କୁ ଏଭଳି ସମସ୍ଯା ଭୋଗିବାକୁ ପଡ଼ୁଛି। ମେଳା ରେ ବଡ ବଡ଼ିଆ ଙ୍କ ସକାଶେ ରହିବା, ଖାଇବା ଓ ପାନୀୟ ଜଳର ବ୍ୟବସ୍ଥା ଥିବା ବେଳେ ସାଧାରଣ ଶ୍ରଦ୍ଧାଳୁ ଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା ନ ଥିବା ଶ୍ରଦ୍ଧାଳୁ ମାନେ ଅଭିଯୋଗ କରିଛନ୍ତି। ମହେନ୍ଦ୍ର ଶିଖର ରେ ପ୍ରତିଦିନ ବର୍ଷା ହେଉଛି. ହେଲେ ବର୍ଷା ରୁ ରକ୍ଷା ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନି, ଯାହା ଦ୍ଵାରା ବର୍ଷା ହେଲେ ଲୋକେ ବର୍ଷା ରେ ଭିଜି ଭିଜି ରହୁଥିବା ଦେଖିବାକୁ ମିଳିଛି। ଏପରି ଅନେକ ସମସ୍ୟା ଥିବା ବେଳେ ମେଳା ଆୟୋଜକ ମାନେ ସମସ୍ୟା ଗୁଡିକୁ ସୁଧାରିବା ପାଇଁ ଚେଷ୍ଟା କରୁନଥିବା ଶ୍ରଦ୍ଧାଳୁ ମାନେ ଅଭିଯୋଗ କରିଛନ୍ତି।
ଗୋଟିଏ ପଟେ ମହେନ୍ଦ୍ର ମେଳାରେ ବହୁ ଜନସମାଗମ ଧାର୍ମିକ ଆସ୍ଥାର ପ୍ରତିଫଳନ ହୋଇଥିବା ବେଳେ ଅନ୍ୟପଟେ ପ୍ରଶାସନିକ ପ୍ରସ୍ତୁତି ଓ ଭିଡ଼ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ମହେନ୍ଦ୍ରମେଳାରୁ ଫେରିବା ବେଳେ ପୁଣି ଅଘଟଣ, ଜଣେ ମୃତ, 30 ରୁ ଉର୍ଦ୍ଧ ଆହତ
ପାରଳାଖେମୁଣ୍ଡି, 8/6(ତାରିଣୀ ପ୍ରସାଦ ପଣ୍ଡା):
ମହେନ୍ଦ୍ରଗିରିରୁ ମହେନ୍ଦ୍ରମେଳା ଦର୍ଶନ କରି ପିକ୍ଅପ୍ ଭ୍ୟାନ୍ ଯୋଗେ ଫେରୁଥିବା ବେଳେ ମହେନ୍ଦ୍ରଗିରି ପାଦଦେଶରେ ଜରଡ଼ା ଥାନା ବୁରାତାଲ ପଞ୍ଚାୟତର ଅଣ୍ଡଅଣ୍ଡା ନିକଟରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ପ୍ରତାପ ସେଠୀ, ଲକ୍ଷ୍ମୀ ଗୌଡ଼, ରେଣୁ ଗୌଡ଼, କାଳିଆ ବେହେରା, ଶିବରାମ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ସାହୁ ଓ ସୁବାସିନୀ ବେହେରା ପ୍ରମୁଖ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି. ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ. ଘଟଣାରୁ ପ୍ରକାଶଯେ, ଗଞ୍ଜାମ ଜିଲ୍ଲାର ନୂଆସାହିରୁ 31 ଜଣରୁ ଅଧିକ ଶ୍ରଦ୍ଧାଳୁ ଏକ ପିକ୍ଭ୍ୟାନ୍ ଯୋଗେ ମହେନ୍ଦ୍ରଗିରିରୁ ମହେନ୍ଦ୍ରମେଳା ଦେଖିସାରି ଗତକାଲି ରାତି ପ୍ରାୟ ୯ଟା ୩୦ ସମୟରେ ଫେରୁଥିବା ବେଳେ ଅଣ୍ଡଅଣ୍ଡା ଗ୍ରାମ ନିକଟରେ ମହେନ୍ଦ୍ରଗିରି ପାହାଡ଼ର ପାଦଦେଶର ରାସ୍ତାରେ ପିକଅପ ଭ୍ୟାନ ବ୍ରେକ୍ ଫେଲ୍ ହେବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ି ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ପାତ୍ରପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ. ଘଟଣା ନେଇ ଜରଡ଼ା ପୁଲିସ ପହଞ୍ଚି ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
[ଗଜପତି ଜଙ୍ଗଲରୁ ବାଘ ଶିକାର କରି ରାଜ୍ୟ ବାହାରକୁ ଚୋରାଚାଲାଣ ଉଦ୍ୟମ ବେଳେ ବ୍ରହ୍ମପୁର ପୋଲିସ ଦ୍ୱାରା 2 କଲରାପତରିଆ ଚମଡା ଜବତ, 2 ଗିରଫ
ପାରଳାଖେମୁଣ୍ଡି, 8/6(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାର କୌଣସି ଏକ ଜଙ୍ଗଲରୁ କଲରାପତରିଆ ବାଘ ଶିକାର କରି ବ୍ରହ୍ମପୁର ସହର ଦେଇ ରାଜ୍ୟ ବାହାରକୁ ଚାଲାଣ ପାଇଁ ଉଦ୍ୟମ କରିଥିବା ବେଳେ ପୋଲିସ ଦ୍ୱାରା ଧରା ପଡିଥିବା ସୂଚନା ମିଳିଛି. ସେମାନଙ୍କ ଠାରୁ 2 ଗୋଟି କଲରାପତରିଆ ବାଘର ଚମଡା ସହ ହାତ ତିଆରି 2 ଗୋଟି ବୋମା ଓ ଗୋଟିଏ କାତି ଜବତ ହୋଇଛି.

ଏହି ଘଟଣାରେ ପୋଲିସ ଗଜପତି ଜିଲ୍ଲାର ରାମଗିରି ଥାନା ପରିସରରେ ଥିବା ବଡ଼ ଗାଁର କେଶବ ଜମାଦାର (35) ଏବଂ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳର ଗୁରତାଲ ଗ୍ରାମର ବୀର ଜମାଦାର (45)ଙ୍କୁ ପୋଲିସ ଗିରଫ କରିଛନ୍ତି. ଘଟଣାରୁ ପ୍ରକାଶ ଯେ, ଏହି 2 ଜଣ ଗତକାଲି ଗଞ୍ଜାମ ଜିଲ୍ଲାର ଗୁରୁତାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ଦେଇ ବାଘ ଚମଡା ଚୋରାଚାଲାଣ କରୁଥିବା ନେଇ ପ୍ରାପ୍ତ ସୂଚନାରୁ ବ୍ରହ୍ମପୁର ପୋଲିସ ପୂର୍ବରୁ ପ୍ରସ୍ତୁତ ରହି ଏହି 2 ଜଣଙ୍କୁ କୌଶଳକ୍ରମେ ଗିରଫ କରିବାରେ ସଫଳ ହୋଇଥିଲେ.
ମହାମହିମ ରାଜ୍ୟପାଳଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ
ମହେନ୍ଦ୍ର ମେଳାରେ ଯୋଗଦେଲେ ମହାମହିମ ରାଜ୍ୟପାଳ
ଜିରାଙ୍ଗ ସ୍ଥିତ ପଦ୍ମସମ୍ଭବ ମହାବିହାରଦର୍ଶନ
ପାରଳାଖେମୁଣ୍ଡି,୮.୦୬(ତାରିଣୀ ପ୍ରସାଦ ପଣ୍ଡା):
ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼.ହରିବାବୁ କମ୍ଭମପତି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରିଠାରେ ଆୟୋଜିତ ମହେନ୍ଦ୍ର ମେଳାରେ ଯୋଗଦେଇଥିଲେ। ମହାଯଜ୍ଞର ଅଷ୍ଟମ ଦିବସରେ ସେ ମୁଖ୍ୟ ଯଜ୍ଞକୁଣ୍ଡରେ ପୂଜାର୍ଚ୍ଚନାରେ ସାମିଲ ହେବା ସହିତ ମାତା କୁନ୍ତୀ ମନ୍ଦିର ଓ ଗୋକର୍ଣ୍ଣେଶ୍ୱର ପୀଠରେ ଦର୍ଶନ ଓ ପୂଜା କରିଥିଲେ। ପରବର୍ତ୍ତୀ ସମୟରେ ଆୟୋଜିତ କାର୍ଯ୍ଯକ୍ରମରେ ରାଜ୍ୟପାଳ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ମହେନ୍ଦ୍ର ମେଳାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ। ଉକ୍ତ ମେଳାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହୟ ମୀନା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି କେ.ନାଗାରାଜୁଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ପରେ ମହାମହିମ ରାଜ୍ୟପାଳ ଜିରାଙ୍ଗ ସ୍ଥିତ ପଦ୍ମସମ୍ଭବ ମହାବିହାର ଦର୍ଶନ କରି ମନ୍ଦିରର ପୂଜକମାନଙ୍କ ସହ ଆଲୋଚନା କରିଥିଲେ ଏବଂ ବୌଦ୍ଧ ଧର୍ମ ଓ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଅବଗତ ହୋଇଥିଲେ।












Leave a Reply