ନିର୍ବାଣ
“””””ତିନୋଟି ଅଣୁ ଗଳ୍ପ”””””
ଶ୍ରମଣ ସାରିପୁତ। ବୌଦ୍ଧଧର୍ମର ଆଦର୍ଶ ଉଲଙ୍ଘନ କରି ବାରମ୍ବାର ଜଣେ ତରୁଣୀଙ୍କ ହାତରୁ ଭିକ୍ଷା ଗ୍ରହଣ କରିବାର ମାନସିକତା କଣ ତାଙ୍କ ସାଧନା ପଥରେ ନିର୍ବାଣ ଲାଭ କରିବାରେ ସହାୟକ ହୋଇ ପାରିବ? ତେବେ କେଉଁ ଲକ୍ଷ୍ୟ ହାସଲ କରିବା ତାଙ୍କର ଆଭ୍ୟନ୍ତରୀଣ ଉଦ୍ଦେଶ୍ୟ ଥିଲା?ଧର୍ମ ଧାରଣାରେ ନିର୍ବାଣର ଭୂମିକା ଯେବେ ଶୀର୍ଷ ଅଭିପ୍ସାର କେନ୍ଦ୍ରବିନ୍ଦୁ ପାଲଟିଥାଏ ତେବେ ଜୀବନର ସଜ୍ଞା କଣ ହୋଇପାରେ?
ଏହି ନିର୍ବାଣ ଜୀବନର କଣ ପ୍ରଶ୍ନାତୀତ ଜିଜ୍ଞାସା ନୁହେଁକି? ଯେଉଁଥିରେ ଶ୍ରମଣମାନଙ୍କୁ ଆଦର୍ଶଗତ ଉଦ୍ବୋଧନ ପାଇଁ ନିରବୀ ଯାଉଥିଲେ ବୌଦ୍ଧ ଧର୍ମର ପ୍ରତିଷ୍ଠାତା।
ସେହି ଆକସ୍ମିକ ମୃତ୍ୟୁର ସମାଧିତଳେ ବିଳପିତ ଆତ୍ମାକୁ ଶାନ୍ତି ଦେବାରେ ସାରିପୁତ ଭୁଲିଯାଇଥିଲେ ନିଜର ଅତୀତର ସମସ୍ତ ସାଧନା, ନିଷ୍ଠା ଓ ପ୍ରତିଷ୍ଠା।ତରୁଣୀର ତାରୁଣ୍ୟତାକୁ ଉପଲବ୍ଧିର ବହ୍ନିରେ ଜଳିଯିବାର ନିଷ୍ପତ୍ତି ଥିଲା ତାଙ୍କପାଇଁ ମହା ନିର୍ବାଣ।
ଦୁଇ
“”””””””””””””
ଏକ ବିତର୍କିତ ଶୀତ ସନ୍ଧ୍ୟାରେ ଭଗବାନ ରଜନୀଶଙ୍କ ନିକଟରେ ଯେଉଁ ଧର୍ମଯାଜକ ମାନେ ଠୁଳ ହୋଇଥିଲେ ସମସ୍ତେ ପ୍ରାୟ କେତୋଟି ମୁହୂର୍ତ୍ତ ନିରବ ରହିବା ପରେ ଜଣେ ଜ୍ଞାନୋଦୀପ୍ତ ସନ୍ୟାସୀ ନିରବତା ଭଙ୍ଗକରି ପ୍ରଶ୍ନ କରିଥିଲେ, ତେବେ ଆପଣ ଜୀବନର ଅର୍ଥ କଣ ବୁଝନ୍ତି? ଆନନ୍ଦ ଉତ୍ସାହ ଭିତରେ ଜଣଙ୍କର ଉପଭୋଗ କଣ ଆତ୍ମାର ନିର୍ବାଣ ପାଇଁ ଯଥେଷ୍ଟ ହୋଇ ପାରିବ?
ସେଦିନ ସାଗର ବେଳାଭୂମିରେ ସଂଗଠିତ ହୋଇଥିବା ସମସ୍ତ ଚେତନାଶୀଳ ଭକ୍ତବୃନ୍ଦଙ୍କ ମଧ୍ୟରେ ନାରୀ ପୁରୁଷଙ୍କ ମଧ୍ୟରେ ନଥିଲା କୌଣସି ବାଛ ବିଚାର, ଭେଦାଭେଦ ବା ବୟସର ତାରତମ୍ୟ। ସମସ୍ତେ ଏକପ୍ରକାର ଦିଗମ୍ବର ଚେତନାର ଅଂଶ ବିଶେଷ ଥିଲେ ଭଗବାନ ରଜନୀଶଙ୍କ ଆଦର୍ଶବୋଧରେ ଅନୁପ୍ରାଣିତ।
“ନିର୍ବାଣ, ମୋକ୍ଷ ବା ମୁକ୍ତି ଧାର୍ମିକ ଚେତନାର ଅଂଶ ବିଶେଷ ହୋଇଥିବା ସମୟରେ କାମନା ଏକ ସମାନ୍ତର ସରଳରେଖାରେ ଗତି କରୁଥିବା ଜୀବନାଦର୍ଶ ହୋଇପାରେ।ତେବେ କଣ ନିର୍ବାଣର ଅର୍ଥ ବୁଝିବାକୁ ହେବ ଏହି କାମନାର ଉତ୍ସକୁ ଧ୍ଵଂସ କରିବାର ଶକ୍ତି ସୃଷ୍ଟି କରିବାରେ ଜୀବନକୁ ଶ୍ମଶାନର ଜୁଇରେ ପୂର୍ଣ୍ଣାହୁତି ଦେବା”
ଉପରୋକ୍ତ ଉତ୍ତର ହୁଏତଃ ଯଥେଷ୍ଟ ଥିଲା ସେହି ସମ୍ମିଳିତ ଭକ୍ତବୃନ୍ଦଙ୍କ ପାଇଁ। ପୁନର୍ବାର କିଛି ସମୟ ପାଇଁ ନିରବତା ବିରାଜମାନ କରିଥିଲା ସେହି ଭକ୍ତ ସମ୍ମିଳନୀରେ।ସ୍ମିତ ହାସ୍ୟ ବଦନରେ ଚାହିଁ ରହିଥିଲେ ଭଗବାନ ରଜନୀଶ ଭକ୍ତବୃନ୍ଦଙ୍କୁ।
ତିନି
“””””””””””””
ବୁଦ୍ଧତ୍ଵ ପ୍ରାପ୍ତିର କିଛିଦିନ ପରେ ଭଗବାନ ବୁଦ୍ଧ ଭକ୍ତ ସାରିପୁତ ଏବଂ ଅନ୍ୟ ଶ୍ରମଣ ମାନଙ୍କ ସହିତ ଦୂରବର୍ତ୍ତୀ ଏକ ଜନ ବସତିରେ ଅବସ୍ଥାନ କରିଥାନ୍ତି। ଭଗବାନଙ୍କୁ ଦର୍ଶନକରି ନିଜର ଅଭିଷ୍ଠ ପୁରଣ କରିବା ପାଇଁ ଜନବସତିର ଦୂରଦୂରାନ୍ତରୁ ଆସୁଥିବା ଜନ ସମୁଦ୍ରକୁ ଉଦ୍ବୋଧନ ଦେଇ କାମନାର ବିନାଶରେ ଦୁଃଖର ବିନାଶ ସତ୍ୟର ତର୍ଜମା କରି ବୁଝାଇବାରେ ବୁଦ୍ଧଦେବ ଅନେକ ଉଦାହରଣର ଅବତାରଣା କରୁଥାନ୍ତି।ସନ୍ଧ୍ୟା ଆଗତ ହେବାରେ ସେହି ଆୟୋଜନ ସ୍ଥଗିତ ରହୁଥାଏ।
ଏପରି କିଛିଦିନ ବିତିଯିବା ପରେ ସେହି ସ୍ଥାନ ପରିତ୍ୟାଗ କରିବାର ଅବ୍ୟବହିତ ପୂର୍ବରୁ ଭଗବାନ ବୁଦ୍ଧଙ୍କୁ ସାରିପୁତ ପ୍ରଶ୍ନ କଲେ, ପ୍ରଭୁ ଏଠି ଅବସ୍ଥାନ କରିବା ଭିତରେ ଯେଉଁ ଉତ୍ସାହୀ ଭକ୍ତବୃନ୍ଦ ଆସି ଆପଣଙ୍କ ସାନିଧ୍ୟ ଲାଭ କଲେ ସେମାନେ ବାସ୍ତବରେ ଜୀବନର ଚରମ ଲକ୍ଷ୍ୟ ନିର୍ବାଣ ଲାଭ କରିବାର କୌଣସି ମାର୍ଗରେ ଉପନିତ ହେଲେକି?
ବୁଦ୍ଧଦେବ, ତାଙ୍କର ପ୍ରିୟ ଶିଷ୍ୟ ସାରିପୁତଙ୍କର ଭ୍ରମ ଦୂର କରିବା ପାଇଁ କହିଲେ, ସାରିପୁତ ! ତୁମେ ଆସନ୍ତା କାଲି ଉପସ୍ଥିତ ଭକ୍ତବୃନ୍ଦଙ୍କର ଜୀବନରେ କେଉଁ ଆବଶ୍ୟକତା ରହିଛି ତାହା ଏକ ତାଲିକା ପ୍ରସ୍ତୁତ କରି ଆଣ। ସେମାନଙ୍କର ଆବଶ୍ୟକତା ପୁରଣ କରିବାରେ ଏହି ଧର୍ମ କେତେଦୂର ସକ୍ଷମ ତାହା ନିଜେ ବୁଝି ପାରିବ।
ବୁଦ୍ଧଦେବଙ୍କର ଆଦେଶ କ୍ରମେ ସାରିପୁତ ପ୍ରତ୍ୟେକ ଉପସ୍ଥିତ ଜନତାଙ୍କର ଧାର୍ମିକ ଆବଶ୍ୟକତାର ଏକ ତାଲିକା ପ୍ରସ୍ତୁତ କରି ନେଇ ଭଗବାନ ବୁଦ୍ଧଙ୍କ ନିକଟରେ ଉପସ୍ଥାପିତ କଲେ।
ସମସ୍ତ ଉପସ୍ଥିତ ଜନତାଙ୍କର ଯେତେ ଗୁଡିଏ ଧାର୍ମିକ ଲକ୍ଷ୍ୟ ଓ ଆବଶ୍ୟକତା ଥିଲା ସେଥିରେ କେହି ଜଣେହେଲେ ନିଜର ନିର୍ବାଣ କାମନା କରି ନଥିଲେ। ଭଗବାନ ବୁଦ୍ଧ, ସାରିପୁତଙ୍କୁ ତାହା ବୁଝାଇବାକୁ ଯାଇ କୌଣସି ଜଣେ ହେଲେ ଯେତେବେଳେ ନିର୍ବାଣ ପାଇଁ ଆଗ୍ରହୀ ନୁହଁନ୍ତି ସେତେବେଳେ ସେମାନଙ୍କୁ ନିର୍ବାଣ କିପରି ମିଳିବ ବୋଲି ଓଲଟା ପ୍ରଶ୍ନ କରିଥିଲେ।
🌄 ସଞ୍ଜୟ ରଥ ଭୁବନେଶ୍ୱର✍️
ନିର୍ବାଣ // ଯେତେବେଳେ ନିର୍ବାଣ ପାଇଁ କେହି ଆଗ୍ରହୀ ନୁହଁନ୍ତି ସେତେବେଳେ ସେମାନଙ୍କୁ ନିର୍ବାଣ କିପରି ମିଳିବ , ବୌଦ୍ଧଧର୍ମର ଆଦର୍ଶ ଉଲଙ୍ଘନ କରି ବାରମ୍ବାର ଜଣେ ତରୁଣୀଙ୍କ ହାତରୁ ଭିକ୍ଷା ଗ୍ରହଣ କରିବାର ମାନସିକତା କଣ ତାଙ୍କ ସାଧନା ପଥରେ ନିର୍ବାଣ ଲାଭ କରିବାରେ ସହାୟକ ହୋଇ ପାରିବ? -ସଞ୍ଜୟ ରଥ ଭୁବନେଶ୍ୱର
















Leave a Reply