ରଥଯାତ୍ରାମହୋତ୍ସବ
ନୀଳାଦ୍ରିବିଜେ ରସଗୋଲାଭୋଗ
ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରିସିଦ୍ଧ ରଥଯାତ୍ରାର ଅନ୍ତିମପର୍ବ ହେଉଛି “ନୀଳାଦ୍ରିବିଜେ” । ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଯାତ୍ରା ସାରି ବାହୁଡା ଦଶମୀ ଦିନ ଠାକୁର ମାନେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରନ୍ତି ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ପରିଶେଷରେ ଠାକୁର ମାନେ ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି, ଏଣୁ ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିବିଜେ’ କୁହାଯାଏ।
ଏହିଦିନ ପ୍ରଥମେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ପରେ ଚକ୍ରରାଜ ସୁଦର୍ଶନ ତା’ପରେ ବଡଠାକୁର ଏବଂ ମା ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ଶ୍ରୀ ମନ୍ଦିରକୁ ନିଆଯାଇଥାଏ ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରୁ ରତ୍ନସିଂହାସନକୁ ବିଜେ କଲାବେଳେ ଅନ୍ୟ ଏକ ମହାନାଟକ ଅଭିନୀତ ହୁଏ।
ଲକ୍ଷ୍ମୀଦେବୀ ଦାସଦାସୀଙ୍କ ଗହଣରେ ଆସି ସିଂହଦ୍ୱାରର ଦକ୍ଷିଣରେ ଅବସ୍ଥିତ ଚାହାଣି ମଣ୍ଡପରୁ ନନ୍ଦିଘୋଷ ରଥର ଚାରମାଳ ଉପରେ ଥିବା ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି ସେଠାରେ ମହାଲକ୍ଷ୍ମୀଙ୍କ ତରଫରୁ ଭିତରଛ୍ଛୁ ମହାପାତ୍ରେଙ୍କ ଦ୍ୱାରା ଜଗନ୍ନାଥଙ୍କୁ ବନ୍ଦାପନା ଘଷାଜଳ ଲାଗି ହୋଇଥାଏ ଏବଂ ଏପଟେ ମହାପ୍ରଭୁଙ୍କ ତରଫରୁ ପତି ମହାପାତ୍ରେଙ୍କ ଦ୍ୱାରା ବନ୍ଦାପନା ହୋଇଥାଏ ।
ଏହି ଅବସରରେ ମହାଲକ୍ଷ୍ମୀ ଅଭିମାନରେ ଶ୍ରୀମନ୍ଦିର ସିଂହଦ୍ୱାର ବନ୍ଦ କରିଦେବା ପାଇଁ ନିଜର ସେବିକା ମାନଙ୍କୁ ନିର୍ଦ୍ଧେଶ ଦିଅନ୍ତି। ମହାପ୍ରଭୁ କାକୁସ୍ଥ ହୋଇ ବଡଦାଣ୍ଡ ଉପରେ ଠିଆହୋଇ ରୁହନ୍ତି ମହାପ୍ରଭୁଙ୍କୁ ଶାସ୍ତି ଦେବାପାଇଁ ଇନ୍ଦ୍ରଙ୍କୁ ପ୍ରାର୍ଥନା କରି ଦେବୀ ବର୍ଷା କରାନ୍ତି।
ବର୍ଷାରେ ଭିଜିଭିଜି ଶ୍ରୀ ଜଗନ୍ନାଥ ବହୁ କାକୁତି ମିନତି କରିବା ପରେ ସିଂହଦ୍ୱାର ଖୋଲେ, ହେଲେ ଅଭିମାନିନୀ ଲକ୍ଷ୍ମୀଙ୍କର ଅଭିମାନ ସରିନଥାଏ ମହାପ୍ରଭୁ ସାତପାହାଚ ଦେଇ ଭିତରକୁ ପ୍ରବେଶ କଲାପରେ ପୁନଶ୍ଚ ସେବକମାନଙ୍କ ଦ୍ୱାରା ଜୟବିଜୟ ଦ୍ୱାର ବନ୍ଦକରିଦିଅନ୍ତି ସେ।
ଆରମ୍ଭ ହୁଏ “ଲକ୍ଷ୍ମୀ ନାରାୟଣ କଳି” ଦେବଦାସୀ ମାନେ ମହାଲକ୍ଷ୍ମୀଙ୍କ ପ୍ରତିନିଧିତ୍ୱ କରିଥିବା ବେଳେ ଶ୍ରୀଜଗନ୍ନାଥ ଙ୍କ ପାଇଁ ଦଇତାପତି ମାନେ ପକ୍ଷ ବାଢିଥାନ୍ତି ଦୁହିଁଙ୍କ ମଧ୍ୟରେ ବଚନିକା ଆରମ୍ଭ ହୁଏ।
ଆଷାଢ ଶୁକ୍ଳ ଦଶମୀର ଦିନ ରଥୁଁ ବିଜେ ଚକ୍ରପାଣି
ଦେଉଳେ ପଶିଣ ଶ୍ରୀମୁଖେ ଡାକନ୍ତି-
‘କବାଟୁ ହିଟା କିଳଣି ଗୋ ସଖୀ’
ସିନ୍ଧୁର ଦୁଳଣୀ ତ୍ରିଲୋକ ମୋହିନୀ ଦାସିଙ୍କୀ କହନ୍ତି ବାଣୀ-
‘କଳମୁଖ ପ୍ରାୟ ତୁଣ୍ଡ ତ ଶୁଭୁଛି କବାଟ ଦିଅ କିଳଣି ଲୋ ଦାସୀ।
ତାଙ୍କୁ ଭିତରେ ନଦିଅ ପଶିଲୋ ଦାସୀ,
ଘେନିଯା’ନ୍ତୁ ଭଉଣୀ ନିବେଶୀ ଲୋ ଦାସୀ’
ମହାପ୍ରଭୁ ବାହାରେ ରହି ଡାକଛାଡନ୍ତି:
କୋମଳ କରିଣ କମଳ ନୟନ ଭାଷନ୍ତି –
“ରେ ପ୍ରାଣପ୍ରିୟା କବାଟ ଫିଟାଅ,
ମୋ ଦୁଃଖ ତୁଟାଅ, ଦେଖାଅ ବଦନ ଇନ୍ଦୁ।”
ସେହି ଡାକରାକୁ ମହାଲକ୍ଷ୍ମୀ କର୍ଣ୍ଣପାତ ନକରି କହନ୍ତି:
“ଯାଅ ଯାଅ ଫେରି ନୀଳାଦ୍ରି ବିହାରୀ,
ଭଉଣୀଙ୍କି ସଙ୍ଗେ ନିଅ;
ଛାଡିକରିଗଲେ ଦୁଃଖ କରିବଟି ନନ୍ଦ ରାଜାଙ୍କର ଝିଅ।”
“ସ୍ତୀରି ଜନ୍ମ ହୋଇ ଟିକିଏ ତାହାର ମୁଖରେ ନଥାଇ ଲାଜ,
ତୁମ୍ଭେ ନ ଯାଉ ସେ ରଥରେ ଚଢିଣ, ଆଗେ ହୋଇଥାଏ ସଜ”।
“ଭାଇ ଯେମନ୍ତକୁ ଭଉଣୀ ତେମନ୍ତ କେ କାହାକୁ ନୁହେଁ ଉଣା
,ଗୋପପୁରେ ରହି ଶିଖିଛ ଗୋସାଇଁ ଗଉଡିଆ ବୁଝାମଣା”।
“ତୁମ୍ଭ ଶ୍ରୀମୁଖକୁ ନିତ୍ୟ ଆସିଥାନ୍ତି ଦରଶନ କରିବାକୁ,
ଆପଣେ ଗୁଣ୍ଡିଚା ବାଡି ଯାଇଥିଲେ; କେଉଁ ଦିଅଁ ଦେଖିବାକୁ”।
ଏହାପରେ ଦୁହିଁଙ୍କ ଭିତରେ ଦାମ୍ପତ୍ୟ କଳି ବଢେ !
ବାହାରେ ବ୍ରହ୍ମାଣ୍ଡ ଠାକୁର ଯେତେ ସରାଗରେ ଗେହ୍ଲେଇ ହୋଇ କହିଲେ ସୁଦ୍ଧା ମହାଲକ୍ଷ୍ମୀଙ୍କ ମନ ତରଳେ ନାହିଁ, ସମସ୍ତ ଚାଟୁ ବଚନ ନିଷ୍ଫଳ ହୋଇଯାଏ, ଓଲଟି ମହାଲକ୍ଷ୍ମୀ ଭୀଷଣ ଭର୍ସନା କରନ୍ତି ମଣିମାଙ୍କୁ ।
ମହାପ୍ରଭୁ ବୁଝାନ୍ତି ବଡଭାଇ ସଙ୍ଗରେ ଥିବାବେଳେ ଭାଇବୋହୂ ସହଯାତ୍ରିଣୀ ହେବା କିପରି ସଂସ୍କୃତି ବିରୋଧୀ ଏବଂ ଅସୁନ୍ଦର କାର୍ଯ୍ୟ:
“ଜ୍ୟେଷ୍ଠ ସହୋଦର ତୋର ଦେଢଶୁର, ସେ ସଙ୍ଗତେ ଥିଲେ ଯେଣୁ,
ଏହିକଥା ଚିତ୍ତେ ବିଚାରିଣ ତତେ ସଙ୍ଗତେ ନ ନେଲି ତେଣୁ”।
ପୁଣି ନାନା ଆଭୂଷଣ ବସ୍ତ୍ର ଅଳଙ୍କାର ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ଉଦ୍ୟମ କରନ୍ତି।
“ଫେଡଫେଡ କମଳିନୀ ଫେଡ ଗୋ କବାଟ
ତୁମ ପାଇଁ ଆଣିଅଛି କଳାମେଘୀ ପାଟ”
ତଥାପି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତିନାହିଁ । ଉପହାର ସାମଗ୍ରୀମାନ ଫେରାଇ ନେଇ ଯାହାଙ୍କ ପାଖରେ ସାତଦିନ ବିତାଇଥିଲେ ତାଙ୍କୁ ଦେବାଲାଗି କହନ୍ତି ।
ପ୍ରଭୁ ଖୋଲିଦେଇଛନ୍ତି ତାଙ୍କର ଭାବର ପୁସ୍ତିକା ! କେବଳ ଭକ୍ତକୁ ପ୍ରାଧାନ୍ୟ ଦେବାପାଇଁ ହିଁ ମୋର ନବଦିନାତ୍ମକ ଯାତ୍ରା !
“ମୁଁ ଏ ସଂସାରେ ଅଛି ଛନ୍ଦି
ଭକତ ପାରେ ମୋତେ ବାନ୍ଧି”
ଏହାପରେ ବଡଠାକୁର ବଳଭଦ୍ର ହସ୍ତକ୍ଷେପ କରନ୍ତି । କୁଳବଧୂ ପ୍ରତି କଟୁକ୍ତି ଅନୁଚିତ କହିବା ସହ ମା ସାଆନ୍ତାଣୀଙ୍କୁ ଶାନ୍ତ ହେବା ନିମନ୍ତେ ଉପଦେଶ ଦିଅନ୍ତି । ଦେଢଶୁର ହଳପାଣିଙ୍କ କଥା ଅବା କିପରି କାଟିପାରନ୍ତେ ମା’ ଲକ୍ଷ୍ମୀ ସା’ନ୍ତାଣୀ ।
ଶେଷରେ ସରିଥାଏ ପତୀ ପତ୍ନୀଙ୍କର ଅଭିମାନପର୍ବ, ବାଜିଉଠେ ଘଣ୍ଟ ଘଣ୍ଟା, ମର୍ଦଳ, ଶଙ୍ଖ ହୁଳହୁଳି ହାସରୋଳ କରତାଳରେ କମ୍ପିଉଠେ ଚତୁର୍ଦିଗ, ମା ମହାଲକ୍ଷ୍ମୀ ନିଜର ଅଭିମାନ ଛାଡି ବନ୍ଦାପନା କରି ସ୍ୱାମୀଙ୍କୁ ବଡଦେଉଳକୁ ପାଛୋଟି ନିଅନ୍ତି, ଏବଂ ଶେଷରେ ମହାପ୍ରଭୁ ଆଣିଥିବା ରସଗୋଲା ଖାଇବାକୁ ଦେଇ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରନ୍ତି । ଯାହା ବନ୍ଧନ ଦର୍ଶନାତୁର ଏହା ହିଁ ହେଉଛି “ନୀଳାଦ୍ରିବିଜେ”।
ଜୟ ମା’ ମହାଲକ୍ଷ୍ମୀ
ଜୟ ଶ୍ରୀଜଗନ୍ନାଥ
Leave a Reply