ଅହିରାବନ୍ଧ ରଥଖଳାରେ ଅଖ ଚକ ପୂଜା ସଂପନ୍ନ
ରାଉରକେଲା : (ଦର୍ଶନ ସମୀକ୍ଷା)
ଇସ୍ପାତ ସହର ରାଉରକେଲାର ସର୍ବପ୍ରାଚୀନ ଦେବ ପୀଠ ଅହିରାବନ୍ଧ। ଏହି ଠାରେ ସ୍ଥାପିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମା ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ବଳଭଦ୍ର ଙ୍କ ମନ୍ଦିର ରେ ରଥଯାତ୍ରା ଖୁବ୍ ଧୁମଧାମରେ ପାଳିତ ହୋଇ ଆସୁଛି। ତିନୋଟି ରଥରେ ମହାପ୍ରଭୁ ବିରାଜମାନ ହୋଇ ଆମ୍ବାଗାନ ସ୍ଥିତ ମାଉସୀ ମା ଗୁଣ୍ଡିଚା ମନ୍ଦିର କୁ ଯାଇଥାନ୍ତି।ରଥ ରିଙ୍ଗ ରୋଡ ଦେଇ ଯିବା ବେଳେ ହଜାର ହଜାର ସଂଖ୍ୟକ ଭକ୍ତ ମହାପ୍ରଭୁ ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥାନ୍ତି। ଏହି ଦୃଶ୍ୟ ପୁରୀ ବଡ଼ଦାଣ୍ଡ ଭଳି ପ୍ରତିୟମାନ ହୋଇଥାଏ।ଅହିରାବନ୍ଧ ଜଗନ୍ନାଥ ମନ୍ଦିର ର ସବୁ ନୀତିକାନ୍ତି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କୁ ପ୍ରାୟ ଅନୁସରଣ କରି ସମାପନ କରାଯାଇଥାଏ।

ରଥଯାତ୍ରା ଆଉ ଏକ ମାସ ୧୦ ଦିନ ରହିଯାଇଥିବା ବେଳେ ସେକ୍ଟର ୩ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଜି ପୂର୍ବାହ୍ନ ରେ ଅଖ ଚକ ପୂଜା ସଂପନ୍ନ ହୋଇଛି। ଏଥିରେ ମୁଖ୍ୟ ପୂଜକ ଭାବେ ଜଗନ୍ନାଥ ମନ୍ଦିର ର ବଡ଼ପଣ୍ଡା ତ୍ରିନାଥ ପାଢ଼ୀ ଓ ପ୍ରଶାନ୍ତ ଦାସ ପୂଜାର୍ଚ୍ଚନା କରିଥିବା ବେଳେ ମୁଖ୍ୟ ରଥ କାରିଗର ଭୀକାରୀ ମହାରଣା, ଡମ୍ବରୁ ମହାରଣା ସମେତ ଅନ୍ୟାନ୍ୟ ବଢ଼େଇ ଉପସ୍ଥିତ ଥିଲେ। ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ର ସଭାପତି ଗିରିଜା ଶଙ୍କର ଦ୍ବିବେଦୀ ଏହି ପୂଜା ଅବସରରେ ମହାରଣା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କୀର୍ତ୍ତନ ମଣ୍ଡଳୀ ଓ ମନ୍ଦିର ସେବାୟତ କାର୍ଯ୍ୟକ୍ରମ ସମ୍ପାଦନା ରେ ସହଯୋଗ କରିଥିଲେ।












Leave a Reply