ଆମର ପରମ୍ପରା, ଆମରି ସଂସ୍କୃତି
ରଥଯାତ୍ରା ବିଶେଷ,
ମନୋରଥେ ଜଗନ୍ନାଥ
ଜଗନ୍ନାଥଙ୍କୁ ଦେଖିଲେ ସବୁ ନାଥ ଦେଖାଯିବେ । ଏହାର ଅର୍ଥ, ଜଗନ୍ନାଥ ହେଉଛନ୍ତି ସବୁରି ମନୋରଥର ନାଥ । ଜଗତ ହେଉଛି ରଥ, ସେ ରଥର ରଥୀ ଜଣେ ନାଥ, ଯେ ଜଗତକୁ ଚଳାଉଛନ୍ତି । ଜଗତ ହେଉଛି ଚଳନ୍ତିକା। ଗମ୍ ଧାତୁରୁ କ୍ୟପ ପ୍ରତ୍ୟୟ ଅର୍ଥାତ୍ ଯାହା ଗତିଶୀଳ । ସେହି ଗତିର ସ୍ଥିତି– ସ୍ଥାପକ ତତ୍ତ୍ଵରେ ଜଗନ୍ନାଥ କଳ୍ପିତ । ବେଦରେ ଜଗନ୍ନାଥଙ୍କ ଭାବମୂର୍ତ୍ତି ନିହିତ । “ ଅପାଣିପାଦ, ଜବନୋ ଗ୍ରହୀତା, ପଶ୍ୟତ୍ୟ ଚକ୍ଷୁଃ ସ ଶୁଣୋତ୍ୟ କର୍ଣଃ ସ ବେତ୍ତି ବେଦ୍ୟଂ ନ ଚ ତସ୍ୟାସ୍ତି ବେତ୍ତା, ତମାହୁରଗ୍ର୍ୟଂପୁରୁଷ୍ୟ ମହାନ୍ତଂ ’– ଇତ୍ୟାଦି ତାଙ୍କର ହସ୍ତ ପଦ ନାହିଁ କିନ୍ତୁ ସେ ସମସ୍ତ ଧରି ରଖୁଛନ୍ତି, ଗମନ କରୁଛନ୍ତି, ତାଙ୍କର ଚକ୍ଷୁ ନାହିଁ ଅଥଚ ସେ ସମଗ୍ର ବିଶ୍ଵ ନିରୀକ୍ଷଣ କରୁଛନ୍ତି, ତାଙ୍କର କଣ୍ଠ ନାହିଁ ତଥାପି ସମସ୍ତ ଶବ୍ଦକୁ ସେ ଗ୍ରହଣ କରୁଛନ୍ତି । ସେ ସମସ୍ତ ଜାଣୁଛନ୍ତି (ସର୍ବଜ୍ଞାତା) କିନ୍ତୁ ତାଙ୍କୁ କେହି ଜାଣି ପାରନ୍ତି ନାହିଁ । ଏହାହିଁ ତାଙ୍କର ପୁରୁଷୋତ୍ତମ ତତ୍ତ୍ଵ । ସର୍ବଶ୍ରେଷ୍ଠ, ଉତ୍କୃଷ୍ଟ, ସର୍ବୋତ୍ତମ, ତାଙ୍କପରେ ଆଉ କିଛି ନାହିଁ । ଅପରମ୍ପାର ପରାତ୍ପର | ଏପରି ବହୁ ଉପାଧ୍ଧରେ ସେ ଭୂଷିତ। ଭଗବାନଙ୍କ ବିଶ୍ଵ ରୂପକୁ ଗୀତାରେ ଯେପରି ବର୍ଣନା କରାଯାଇଛି, ତା’ର ଏକ ପ୍ରତୀକ ଜଗନ୍ନାଥ– ଯାହାକୁ ମାନମନ୍ଦିର (Planetorium) ବୋଲି କୁହାଯାଇପାରେ । ଯେଉଁଠି ଅନନ୍ତ ମହାକାଶର ଜ୍ୟୋତି ଓ ଶକ୍ତିର ଅପରୂପ ବିନ୍ୟାସ ଦେଖୁହେବ, କିନ୍ତୁ ଠଉରାଇ ହେବ ନାହିଁ ଯେ, ଯେଉଁ ଭଗବାନଙ୍କୁ ଆମେ ଏତେ ନାମ ରୂପ, ଗୁଣଦ୍ୱାରା ଚିହ୍ନ, ମୁଦ ମାରି ସହସ୍ର ବର୍ଷାବଧୂ ଉପାସନା କରି ଆସୁଛୁ ତାର ଏକ ସାର୍ଥକ ସଂକେତ ଯେମିତି ଏହି ମହାପୀଠ ଶ୍ରୀପୁରୁଷୋତ୍ତମ ଶ୍ରୀକ୍ଷେତ୍ର, ନୀଳାଚଳଧାମ, ଉତ୍କଳଭୂମିରେ ଆବିର୍ଭୂତ ହୋଇଛନ୍ତି – ଯାହାର ତିରୋଧାନ ନାହିଁ ଅଥଚ ନବୀକରଣ Renewal ଅଛି । ଏପରି ଏକ ଚମତ୍କାର ସଂଯୋଜନା ବାସ୍ତବିକ ଅପୂର୍ବ ।
ଜଗନ୍ନାଥ ଯେ କେବଳ ପୁରୀରେ ଥାନ୍ତି ଏପରି ଭାବିବା ଠିକ୍ ନୁହେଁ । ସେସବୁ ପୁରୀରେ ରହିଛନ୍ତି । ପ୍ରତ୍ୟେକ ଶରୀର ହେଉଛି ଶ୍ରୀକ୍ଷେତ୍ର । ହୃଦୟ ହେଉଛି ଶ୍ରୀମନ୍ଦିର ରତ୍ନ ସିଂହାସନ । ଏହାର ନାଥ ଅର୍ଥାତ୍ ଆତ୍ମା ହିଁ ଜଗନ୍ନାଥ । ଜଗନ୍ନାଥ ତେଣୁ ଆତ୍ମ- ସ୍ଵରୂପ, ଏକଥାଟି ବୁଝିଲେ ଯାଇ ପ୍ରକୃତ ଜଗନ୍ନାଥ ଦର୍ଶନ ହେବ । ବଳରାମ ଦାସଙ୍କ ବାଲିରଥର ଜଗନ୍ନାଥ ଯେମିତି ବ୍ରଡ଼ଦାଣ୍ଡର ସେଇ ସୁଶୋଭିତ ବିଶାଳ ରଥକୁ ଛାଡ଼ି ଭକ୍ତର ଡାକ ଶୁଣି ଚାଲିଆସିଥିଲେ, ଫଳରେ ସେ ରଥଚାଲି ପାରିଲା ନାହିଁ । ଏପରି ଯେଉଁ କାହାଣୀଟିଏ ଜଗନ୍ନାଥଙ୍କ ଭକ୍ତି ଭାବନାର ଓଜସ୍ଵିତାକୁ ଘୋଷଣା କରେ, ସେମିତି, ଆଜି ମଧ୍ୟ ଜଗନ୍ନାଥଙ୍କୁ ନଡ଼ିଆଗୋଟମା ଓ ଖଡ଼ିକା କାଠିର ରଥରେ ବସାଇ ଅପୋଗଣ୍ଡ ଶିଶୁ, କିଶୋରମାନେ ଗୋଟିଏ ଭକ୍ତି ଭାବରେ ସହଜ ସାବଲୀଳ ସ୍ରୋତଟିଏ ବୁହାଇ ଦିଅନ୍ତୁ । ଜଗନ୍ନାଥ ଯେ ଖାଲି ଷୋଡ଼ଷ ଉପଚାରରେ, ପଣ୍ଡା ପଣ୍ଡିତଙ୍କ ପୂଜା ଉପାସନାରେ, ଛପନ ପଉଟି ଭୋଗରାଗ ଖାଇବାପାଇଁ ଏତେବଡ଼ ମନ୍ଦିର ଭିତରେ, ଏତେ ହାଲୋଳ ବିଲୋଳ ଭିଡ଼ -ବାଡ଼ ଆଢୁଆଳରେ ଅଛନ୍ତି, ଏକଥା ଭାବିବା ଠିକ୍ ନୁହେଁ । ଜଗନ୍ନାଥେ ଚାହିଁଲାମାତ୍ରେ ଉଭା ହୋଇଯିବେ। ସବୁରି ଆଖିରେ ସେ ତ ଢଳଢଳ ଛଳଛଳ ହୋଇ ଦିଶୁଛନ୍ତି। କେବଳ ସେଇଭଳି ଭାବଟିଏ ଦରକାର, ତାଙ୍କୁ ଦେଖୁବା ଅର୍ଥ, ନିଜକୁ ନିଜ ଭିତରେ ଦେଖିବା ଯିଏ ହାତଗୋଡ଼କୁ ଚଳାଉଛନ୍ତି ସବୁ ଇନ୍ଦ୍ରିୟମାନଙ୍କୁ ତାଗିଦ୍ କରୁଛନ୍ତି, ୟାକର’ ତା’ କର୍’ ଏପରି ଯାହା ମନକୁ ତୃପ୍ତି ଦେବ, ପ୍ରାଣକୁ ପବିତ୍ର କରିବ, ଆନନ୍ଦରେ ଉବୁଟୁବୁ କରି ଦେବ ଜୀବନ ଯାତ୍ରାକୁ, ସେଇ ହେଉଛି ଜଗନ୍ନାଥ ଦର୍ଶନ, ଯେ ସବୁରି ମନୋରଥରେ ସବୁବେଳେ ବିରାଜିତ । “ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ ।’’
🍀🌻☘️🌻☘️🌻☘️🌻☘️
ସଂଗୃହିତ
Leave a Reply