ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ନୂଆ ଯୋଜନା ରେ ମିଳିବ ଶସ୍ତା ଅଟା ଚାଉଳ ଭାରତ ଅଟା ଓ ଭାରତ ଚାଉଳ ଯୋଜନା ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି.ଏହା ଅନ୍ତର୍ଗତ ଭାରତ ଅଟା କିଲୋଗ୍ରାମ୍ ପିଛା ୩୦ ଟଙ୍କା ଏବଂ ଭାରତ ଚାଉଳ କିଲୋଗ୍ରାମ ପିଛା ୩୪ଟଙ୍କାରେ ବିକ୍ରି ହେବ। କେନ୍ଦ୍ର ଗ୍ରାହକ ବ୍ୟାପାର, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୋବାଇଲ୍ ଭ୍ୟାନ୍ର ଶୁଭାରମ୍ଭ କରି ସବସିଡିଯୁକ୍ତ ଭାରତ ଅଟା ଏବଂ ଭାରତ ଚାଉଳର ଖୁଚୁରା ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି।
ଏହି ମୋବାଇଲ୍ ଭ୍ୟାନ୍ ନ୍ୟାସନାଲ୍ କୋଅପରେଟିଭ୍ ଗ୍ରାହକ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନସିସିଏଫ୍), ନ୍ୟାସନାଲ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ନାଫେଡ୍) ଏବଂ କେନ୍ଦ୍ରିୟ ଭଣ୍ଡାରର ଅଟେ।
ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମନ୍ତ୍ରୀ ଯୋଶୀ କହିଛନ୍ତି ଯେ ଗ୍ରାହକଙ୍କୁ ରିହାତି ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧ ନିଶ୍ଚିତ କରିବା ହେଉଛି ସରକାରଙ୍କ ଉଦ୍ଦେଶ୍ୟ। ଭାରତ ବ୍ରାଣ୍ଡ ଅନ୍ତର୍ଗତ ଚାଉଳ, ଅଟା ଏବଂ ଡାଲିର ଖୁଚୁରା ବିକ୍ରି ଦରଦାମ୍ ବୃଦ୍ଧି ନିୟନ୍ତ୍ରଣ କରିବ। ଦ୍ୱିତୀୟ ପର୍ଯ୍ୟାୟରେ ‘ଭାରତ’ ବ୍ରାଣ୍ଡ ଅଟା ଏବଂ ଚାଉଳ ୫ କିଲୋଗ୍ରାମ ଏବଂ ୧୦ କିଲୋଗ୍ରାମ ବ୍ୟାଗରେ ବିକ୍ରି ହେବ। ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରେ ଖୁଚୁରା ବିକ୍ରୟ ପାଇଁ ୩.୬୯ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଏବଂ ୨.୯୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉପଲବ୍ଧ ଲୋକଙ୍କୁ ଯୋଗାଇ ଦିଆଯିବ।