Spread the love


‘ମୁଁ ଭଲ ବାପା ନୁହେଁ’


​‘ମୋ ପୁଅ ଭଲ। ମୋ ବୋହୂ ଭଲ; ହେଲେ ମୁଁ ଜାଣେ ଭଲ ବାପା ନୁହେଁ।’ ଏହା କୌଣସି ନାଟକର ସଂଳାପ ନୁହେଁ କି କେଉଁ କାହାଣୀ ବା କିମ୍ବଦନ୍ତୀର ଉଦ୍ଧୃତାଂଶ ନୁହେଁ। ଏହା ଗୋଟିଏ ଅସହାୟ ବାପାଙ୍କ ଦରଦୀ ହୃଦୟର କୋହଭରା କଥା କେଇ ପଦ। ସେଦିନ ସାମାଜିକ ଗଣମାଧ୍ୟମରେ ଦେଖୁଲି ଜଣେ ବାପାଙ୍କୁ ସାମ୍ବାଦିକ ବନ୍ଧୁମାନେ ପଚାରୁଛନ୍ତି ଏକ ଜରାଶ୍ରମରେ। ଆପଣ ତ ଭଲ ଲୋକ । ସମସ୍ତେ ଜାଣନ୍ତି ଆପଣଙ୍କ ପୁଅକୁ ପାଠ ପଢ଼ାଇ ଚାକିରି କରାଇବା ପାଇଁ ନିଜର ସବୁ ସମୟ ଦେଇଛନ୍ତି; ହେଲେ ଏମିତି କି ପରିସ୍ଥିତି ହେଲା ଯେ ଜୀବନର ଶେଷ ଅବସ୍ଥାରେ ଆପଣଙ୍କୁ ଜରାଶ୍ରମକୁ ଆସିବାକୁ ପଡ଼ିଲା। ବାପା କିଛି ଉତ୍ତର ନ ଦେଇ କେବଳ ଏତିକି କହିଲେ – ‘ମୋ ପୁଅ ଭଲ .. ମୋ ବୋହୂ ଭଲ…ହେଲେ ମୁଁ ଭଲ ବାପା ହୋଇ ପାରିଲିନି।

​କଥାଟା ଏଇୟା ଥିଲା ଯେ ଗୋଟେ ପରିବାରରେ ଥିଲେ ବାପାମାଆ ଓ ପୁଅଟିଏ। ପୁଅଟି ଛୋଟ ଥିଲାବେଳେ ମା’ ଆରପାରିକୁ ଚାଲିଯାଇ ଥିଲେ। ପୁଅକୁ ମଣିଷ କରିବାକୁ ଯାଇ ପୁଅର ସବୁ ସ୍ବପ୍ନକୁ ସାକାର କରି ଜୀବନକୁ ଆଗକୁ ଆଗକୁ ନେଇଥିଲେ ବାପା। ପରିବାର ଭିତରେ ନିଜକୁ ସମର୍ପି ଦେଇଥିଲେ ବାପା ନିଜର ଅସ୍ତିତ୍ବକୁ ଭୁଲିଯାଇ। ପୁଅ ପାଠ ପଢ଼ି ଚାକିରି କଲା। ବାପା ଭାବିଲେ ପୁଅକୁ ଏଥର ବାହା କରାଇଦେଲେ ଏ ବାପା ଜୀବନଟା ଟିକିଏ ଆଶ୍ୱାସନା ପାଇବ। ସତକୁ ସତ ପୁଅ ବାହାହେଲା। ବୋହୂ ଘରକୁ ଆସିଲା। ସମୟର ବିବର୍ତ୍ତନରେ ବାପାଙ୍କ ଭାଗ୍ୟ କଡ ଲେଉଟାଇଲା। ବାପାଙ୍କ ସହିତ ପୁଅବୋହୂଙ୍କର କଥାବାର୍ତ୍ତା କମିଗଲା। ଖାଇବା କଥା ପଚାରିଲେନି। ଦିନେ ବାପା ଅତୀତକୁ ଫେରିଯାଇ ନିଜ ମୁରବିପଣିଆକୁ ମନେ ପକାଇଦେଲେ। ସେହିଦିନ ଠାରୁ ଆରମ୍ଭ ହୋଇଗଲା ମାଡ଼। ପୁଅ ବୋହୂଙ୍କର ଏମିତି ବ୍ୟବହାର ବାପାଙ୍କୁ ବହୁତ କଷ୍ଟ ଦେଲା। ଦିନେ ବାପା ନିଜ ପୁଅ ସହ ଏକୁଟିଆ କଥା ହେବାକୁ ଚେଷ୍ଟା କଲେ; ହେଲେ ବୋହୂ ତାହା କରାଇ ଦେଲାନି। ବୋହୂର ବ୍ୟବହାର ଆଉ ପୁଅର ବୋହୂକୁ ସମର୍ଥନ କଥା ଭାବି ଭାବି ବାପାଙ୍କ ରକ୍ତଚାପ ବଢ଼ିଗଲା। ରାତିରେ ଶୋଇଛନ୍ତି ହଠାତ୍‌ ଖଟ ଉପରୁ ପଡ଼ିଗଲେ । ଗୋଟିଏ ପାର୍ଶ୍ଵ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ। ପରିବାର ପାଇଁ ବହୁତ ବଡ଼ ବୋଝ ହୋଇଗଲେ। ବୋହୂ ସଫା ସଫା କହିଦେଲେ ମୁଁ ତୁମ ବାପାଙ୍କର କୌଣସି କାମ କରି ପାରିବିନି ।’ ଏପରି କି ରୋଷେଇ ମଧ୍ଯ ବନ୍ଦ କରିଦେଲା। ଦୁହେଁ ନିଷ୍ପଭି ନେଲେ ସକାଳୁ ସକାଳୁ ବୁଢ଼ା ବାପାଙ୍କୁ ଜରାଶ୍ରମରେ ଛାଡ଼ିଦେଇ ଆସିବେ। ପୁଅବୋହୂଙ୍କ କ‌ଥାକୁ ବାପା ଶୁଣିଥିଲେ। ଭାବିଲେ ନିଜ ହାତ ତିଆରି ଘରେ ରହିବାର ଅଧିକାର ତାଙ୍କର ଆଉ ନାହିଁ। ବିବଶ ଡୋଳାରୁ ନିଗିଡ଼ି ପଡ଼ିଲା ତଳ ମୁହାଁ ଲୁହ ଆଉ ନିଃଶ୍ବାସ। ‘ମୁଁ ବୋଧେ ଭଲ ବାପା ନୁହେଁ, ଖଣ୍ଡ ବିଖଣ୍ଡିତ ଆଜି ମୋ ବିଶ୍ଵାସ।’

​ବାପାଙ୍କ ସ୍ବପ୍ନ ଆଜି ନିସ୍ତେଜ – ଭାବନା ଆଜି ନିର୍ବାକ୍। ପୁଅର ବିକୃତ ବ୍ୟବହାରରେ ଲିଭି ଯାଇଛି ବାପାଙ୍କ ଆଶାର ଆରତି। ସକାଳ ହେଲେ ପୁଅ ବୋହୂ ନେଇଯିବେ ଜରାଶ୍ରମକୁ। ସେଦିନ ରାତିରେ ଲଟେଇ ଚାଲିଲା ବାପାଙ୍କ ଭରସା ଶୂନ୍ୟ ଭାବନା। ଉଛୁଳି ଆସୁଥିଲା ଉଚ୍ଛାସ – ଭାଙ୍ଗି ଯାଉଥିଲା ଚାରି ଯୁଗର ବିଶ୍ବାସ। ସଂକଳ୍ପ ପାଇଁ ସଂଘର୍ଷ କରି – ସଂକଳ୍ପ ଓ ସମର୍ପଣର ଦାୟିତ୍ବର ଦୀକ୍ଷା ନେଇ ସହଯୋଗ ଓ ସଦ୍‌ଭାବନାର ସେତୁ ଠିଆ କରିଛନ୍ତି ବାପା ଗାଁର ଏମୁଣ୍ଡରୁ ସେମୁଣ୍ଡ, ମନ୍ଦିରରୁ ମଶାଣି ଯାଏ। ସମୟର ପରସ୍ତ ପରସ୍ତ ଶିଳା ତଳେ ବାପାଙ୍କ ଭୋକର ପ୍ରତ୍ନତତ୍ତ୍ୱକୁ କେମିତି ଭୁଲିଗଲା ପୁଅ- ଏ କଥା ରାତିଯାକ ଭାବୁଛନ୍ତି ବାପା। କେହି ଦେଉକି ନ ଦେଉ ସମର୍ଥନ – କେହି ଦେଉ ଅବା ଅପମାନ – ବାପା କିନ୍ତୁ ନିରବ ନିଶ୍ଚଳ ନିଜ ପିଲା ପାଇଁ ସେ ସବୁବେଳେ ସାବଧାନ। ଏ କଥା ପସୋରି ଦେଇଥିଲା ପୁଅ ତା’ ସ୍ତ୍ରୀ କଥାରେ। ଏମିତି ଅନେକ ବାପା ଅଛନ୍ତି ଯାହାଙ୍କ ଦୁଃଖ କଥା ଶୁଣିବାକୁ ଏ ଛାତି ପାଖରେ ଆଉ ଧୈର୍ଯ୍ୟ ନାହିଁ।

​ଏବେ ଗୋଟେ କଥା ଶୁଣିବାକୁ ମିଳୁଛି ଯେ ପୁଅ ନାଁରେ ସବୁ ସମ୍ପତ୍ତି ବାପା କରିଦେବା ପରେ ପୁଅ ବାପାଙ୍କୁ ଜବରଦସ୍ତ କହୁଛି ମୋ ଘରୁ ବାହାର। ସେ ବାପା କାନ୍ଦି କାନ୍ଦି କହୁଛନ୍ତି ଯୋଉ ପୁଅକୁ ପିଲାବେଳେ ମୁଁ ଡାକ୍ତରଖାନାରେ ରକ୍ତ ବିକି ଖାଇବାକୁ ଦେଉଥ୍ଲି ସେ ମୋତେ ଆଜି ଘରୁ ବାହାର କରିଦେଉଛି। ସତରେ ଏ କଥା ଶୁଣିଲା ବେଳକୁ ଛାତି ଭିତରଟା କ’ଣ ହେଇଯାଉଛି। ଏ ବାପା ଶବ୍ଦର ସଂଜ୍ଞାଟା କ’ଣ ପୁଅ ବୁଝିନି ନା ବୁଝିବା ପରେ ବି ସ୍ତ୍ରୀର ହୁକୁମ ତଳେ ଲୁଚି ଯାଉଛି। ବାପା ସବୁବେଳେ ଏକ ଦିବ୍ୟ ଅନୁସନ୍ଧାନର ଉତ୍ସ। ଭଲ ଭାବରେ ବଞ୍ଚି ରହିବା କଷ୍ଟକର ହେଉ ପଛେ ବାପା ବିଚଳିତ ନ ହୋଇ ସବୁ ସହି ଯାଆନ୍ତି। ଅବଶ୍ୟ ମୁରବିପଣିଆରେ ଆନନ୍ଦ ଅଛି କଷ୍ଟ ବି ଅଛି- ପ୍ରାଣସତ୍ତା ଅଛି ପ୍ରାଣପୀଡ଼ା ବି ଅଛି ତଥାପି ବଞ୍ଚିବାର ପ୍ରେରଣା ଅଛି। ବାପାଙ୍କ ହାତ ତିଆରି ସମ୍ବିଧାନର ମୂଳମନ୍ତ୍ର ହେଲା ସମତା ଓ ଏକତା। ଯାହାକୁ ବଜାଇ ରଖୁବା ପାଇଁ ସେ ଚେଷ୍ଟା ଜାରି ରଖୋଲା ବେଳେ କେଉଁ ପରିବାରରେ ଫିଟି ଯାଉଛି ସମ୍ପର୍କର ଗଣ୍ଠି ତ କାହାର ମରି ଯାଉଛି ମାନବିକତା। ତଥାପି ଶତ ଝଡ଼ଝଞ୍ଜାରେ ଭାଙ୍ଗି ପଡ଼ନ୍ତିନି ବାପା। ଯଦିବା ତାଙ୍କ ମୁରବି ପଣିଆ ଆଜି ପାଣିଚିଆ I ତଥାପି ସେ ଅମୃତର ଉପାସକ, ସେ ସତ୍ୟର ସାଧକ।

​ବାପା କେତେବେଳେ ଗଣିତ ବହିର ମିଶାଣ, ଫେଡାଣ ତ କେତେବେଳେ ଜ୍ୟାମିତି ବହିର ସରଳ ଉପପାଦ୍ୟଟିଏ। ପାରିବାରିକ ସମସ୍ୟାର ସମାଧାନ କରିବାକୁ ଯାଇ ସେହି ଉପପାଦ୍ୟର ପ୍ରାମାଣ୍ୟ ଅଂଶକୁ ବାରମ୍ବାର ଦୋହରାଇବାକୁ ପଡ଼େ ବାପାଙ୍କୁ। ବାପା ନିଜ ପରିବାରର ଭାତହାଣ୍ଡି ପାଇଁ କେତେବେଳେ କ୍ଷେତ ମଝିରେ ପାଳଭୂତ ସାଜି ଠିଆ ହୁଅନ୍ତି ତ ଆଉ କେତେବେଳେ ଇଟା ଭାଟିରେ ନିଜେ ଇଟା ସହ ଜଳନ୍ତି। ଆଜି ପାରିବାରିକ ଜୀବନ ଯେପରି ଅସ୍ଥିର ଓ ଅସହାୟ ହୋଇ ଯାଇଛି ସେଥ‌ିପାଇଁ ବାପା ଦାୟୀ ବୋଲି କେହିକେହି କହନ୍ତି: ହେଲେ କେହି ବୁଝନ୍ତିନି ଗୋଟେ ଅସହାୟ ବାପାର ଦରଦୀ ହୃଦୟକୁ। କେହି ଦେଖନ୍ତିନି ସେଇ ବାପାଙ୍କ ଆଖୂର ଅଦେଖା ଲୁହକୁ। କେହି ପଚାରନ୍ତିନି ଜଣେ ବାପାର ମୁରବିପଣିଆ ଉପରେ ହୋଇଥିବା ଆଘାତର କଷ୍ଟକୁ। ସତରେ ଏବେ ବି ମୋ ଭଳି ଅନେକଙ୍କ କାନରେ କମ୍ପନ ସୃଷ୍ଟି କରୁଛି ସେହି କଥା କେଇ ପଦ… ମୋ ପୁଅ ଭଲ.. ମୋ ବୋହୂ … ହେଲେ ମୁଁ ଭଲ ବାପା ନୁହେଁ। ଗାଁର ସେହି ଅଙ୍କାବଙ୍କା ରାସ୍ତାଟା ନିଜ ବଳକା ଆୟୁଷ ନେଇ ଏବେ ବି ଅନାଇ ରହିଛି ସେହି ଜରାଶ୍ରମକୁ ଫେରି ଆସନ୍ତେ କି ବାପା। ଦୁହେଁ ମିଶି ଚାଲନ୍ତେ ଆଗକୁ ଆଗକୁ ତେଲ ଲୁଣ ସଂସାରର କଥା ଗପି ଗପି।
ଜୟ ଶ୍ରୀକୃଷ୍ଣ ହ୍ଵାଟ୍ସଆପ୍ ଗୃପ୍,ଭୋଳାସିଙ୍ଗି

Leave a Reply

Your email address will not be published. Required fields are marked *