ବାଲିମେଳା //ସ୍ୱାସ୍ଥ୍ୟକେନ୍ଦ୍ରଡାକ୍ତର ଅଙ୍କିତଙ୍କ ବଦଳି ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ନଥି ପତ୍ରର ତଦନ୍ତ ପାଇଁ ଜିଲ୍ଲାପାଳ ଏବଂ ସିଡ଼ିଏମ୍ଓ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କଲେ ଉପାଦକ୍ଷା ଓ କାଉନସିଲର ବୃନ୍ଦ-ମନୋଜ ଦେବ ପାଙ୍ଗି. ଦର୍ଶନ ସମୀକ୍ଷା.ମାଲକାନଗିରି

Spread the love

ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ର
ଡାକ୍ତର ଅଙ୍କିତଙ୍କ ବଦଳି ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ନଥି ପତ୍ରର ତଦନ୍ତ ପାଇଁ ଜିଲ୍ଲାପାଳ ଏବଂ ସିଡ଼ିଏମ୍ଓ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କଲେ ଉପାଦକ୍ଷା ଓ କାଉନସିଲର ବୃନ୍ଦ

ମାଲକାନଗିରି(ମନୋଜ ଦେଵ ପାଙ୍ଗି)ଦର୍ଶନ ସମୀକ୍ଷା
ମାଲକାନଗିରି ଜିଲ୍ଲା ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସୁଧୁରିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଜଣ ଡାକ୍ତର ରହିଥିବା ବେଳେ ଅଧିକାଂଶ ସମୟରେ ଓପିଡିରେ ଅନୁପସ୍ଥିତ ରହୁଥିବା, ଗୁରୁତର ଓ ସାଧାରଣ ରୋଗୀ ଙ୍କୁ ଜିଲ୍ଲା ଚିକିତ୍ସାଳୟ ଏବଂ ଅନ୍ୟ ଅଞ୍ଚଳରେ ରହିଥିବା ଡାକ୍ତରଖାନାକୁ ପଠାଉଥିବା ଯୋଗୁ ରୋଗୀ ମାନେ ବହୁ ଖର୍ଚ୍ଚାନ୍ତ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଓପିଡ଼ିରେ ଡାକ୍ତରଙ୍କ ଦ୍ଵାରା ଲେଖା ଯାଉଥିବା ପ୍ରେସ୍କିପସନ ଗୁଡ଼ିକରେ ହୋଇଥିବା ହାତ ଲେଖା ଓ ଦସ୍ତଖତ କେଉଁ ଡାକ୍ତରଙ୍କ ତାହା ଯାଞ୍ଚ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଦାବି କରାଯାଇଥିଲା। ଏଥିସହ ରୋଗୀମାନଙ୍କ ସହ ଅସଦାଚରଣ କରୁଥିବା ୨ ଜଣ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରିବା ନିମନ୍ତେ ଦାଵୀ କରାଯାଇଥିଲା। ଏଥି ସହ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ସମ୍ପର୍କରେ ଗତ ମେ ମାସ ୧୭ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଡିଏମ୍ଓ ଡାକ୍ତର ଅଭିଦ ହୁସେନଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର କ୍ଷୀରୋଦ ଚନ୍ଦ୍ର ମହନ୍ତ, ଡିଲିଙ୍ଗ ଆସିଷ୍ଟାଣ୍ଟ ରାଜେନ୍ଦ୍ର କୁମାର ଦାସ, କୋରୁକୋଣ୍ଡା ମେଡିକାଲ ଇନଚାର୍ଜ ବିପୁଲ ବୈଭବ ପ୍ରମୁଖ ଗତ ମେ ମାସ ୨୦ ତାରିଖ ମଙ୍ଗଳବାର ଦିନ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ଗୁଡିକର ସମ୍ପୂର୍ଣ ତଦନ୍ତ ଆରମ୍ଭ କରିଥିଲେ। ଏହାର ସତ୍ୟତା ଜାଣିବା ପାଇଁ ତଦନ୍ତ ଅଧିକାରୀ ମାନେ ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଉପାଧ୍ୟକ୍ଷା ରଶ୍ମିତା ବାଙ୍କା, କାଉନ୍ସିଲର କୃଷ୍ଣ ବାଘ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଜ୍ୟୋତିରାଣୀ ପଣ୍ଡା, ପୁଷ୍ପାଞ୍ଜଳି ଚାଲାଣ, କଂଗ୍ରେସ ନଗର ସଭାପତି ସୁରେଶ ଖୋସଲା, ପୂର୍ବତନ କାଉନ ସିଲର ରବି ହରିଜନ,ଗଣମାଧ୍ୟମ ପ୍ରତିନିଧି ଏବଂ ଅଞ୍ଚଳର କିଛି ବୁଦ୍ଧିଜୀବୀ ମାନଙ୍କୁ ଡାକି ଏନେଇ ସବିଶେଷ ଆଲୋଚନା ହୋଇଥିଲା। ମେଡ଼ିକାଲ ଅଫିସର ଡାକ୍ତର ହୁସେନ ଖାନ ଏବଂ ଅନ୍ୟ ଜଣେ ଡାକ୍ତର ବିଶ୍ୱ ଅଙ୍କିତ ସାହୁଙ୍କୁ ତୁରନ୍ତ ଏଠାରୁ ଅନ୍ୟତ୍ର ବଦଳି କରିବାକୁ ଜନ ପ୍ରତିନିଧିଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ। ଏଥିସହ ଓପିଡ଼ିରେ ଡାକ୍ତରଙ୍କ ଦ୍ଵାରା ଲେଖା ଯାଇଥିବା ପ୍ରେସ୍କିପସନ ଗୁଡିକରେ ହୋଇଥିବା ହାତଲେଖା ଏବଂ ଦସ୍ତଖତ କେଉଁ ଡାକ୍ତରଙ୍କର ତାହାର ପୁଙ୍ଖାନୁ ପୁଙ୍ଖ ଭାବେ ଯାଞ୍ଚ କରିବା ନିମନ୍ତେ ମଧ୍ୟ ଦାଵୀ କରାଯାଇଥିଲା। ମେଡିକାଲରେ ସମସ୍ତ ପ୍ରକାର ଔଷଧ ମହଜୁଦ ଥିଲେ ମଧ୍ୟ ବାହାର ଦୋକାନକୁ ଏକ ନିର୍ଦ୍ଧିଷ୍ଟ କମ୍ପାନୀର ଔଷଧ କିଣବାକୁ ପଠା ଯାଉଛି। ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କୁ ପ୍ରାଇଭେଟ ପାଥୋଲୋଜି କୁ ପଠା ଯାଉଛି।ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ସରିବା ପରେ ସ୍ଥାନୀୟ ଲୋକଙ୍କ ଦାବୀ ଗୁଡିକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ଅଫିସର ଡାକ୍ତର ହୁସେନଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ସଙ୍ଗେ ସଙ୍ଗେ ଦୁଇଜଣ ନୂତନ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି।କିନ୍ତୁ ତଦନ୍ତ ସରିବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଡାକ୍ତର ଅଙ୍କିତଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟତ୍ର ବଦଳି କରାଯାଇନାହିଁ। ସ୍ଥାନୀୟ ଲୋକଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଅଭିଯୋଗ ଗୁଡିକର ଆଦୌ ତଦନ୍ତ ଆରମ୍ଭ କରାଯାଉନାହିଁ।ଯାହା ଫଳରେ ଏହାକୁ ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଆଜି ଏନେଇ ବାଲିମେଳା ଏନଏସିର ଉପାଧ୍ୟକ୍ଷା ରଶ୍ମିତା ବାଙ୍କାଙ୍କ ନେତୃତ୍ୱରେ କାଉନ୍ସିଲର ମନୋଜ ଦେବ ପାଙ୍ଗି, ଜ୍ୟୋତିରାଣୀ ପଣ୍ଡା, ପୁଷ୍ପାଞ୍ଜଳି ଚାଲାଣ, ଦେବେନ୍ଦ୍ର କୁମାର ଦାସ ଏବଂ ଅନ୍ୟ କିଛି ସହରବାସୀ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ସାକ୍ଷାତ କରି ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏହାପରେ ସମସ୍ତେ ସିଡ଼ିଏମ୍ଓ ବ୍ରଜ ବନ୍ଧୁ ଦାସଙ୍କ କାର୍ଯ୍ୟାଳୟରେ ଦ୍ୱାରସ୍ଥ ହୋଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଓ ସିଡ଼ିଏମ୍ଓ କହିଛନ୍ତି ବୋଲି ବାଲିମେଳା ଏନଏସି ଉପାଧକ୍ଷା ରଶ୍ମିତା ବାଙ୍କା ଓ କାଉନସିଲର
ବୃନ୍ଦ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *