Spread the love

ଉତ୍କଳ ହସ୍ପିଟାଲର ଉଦୀୟମାନ ଡାକ୍ତର ପଲକ ନନ୍ଦଙ୍କ ଅକାଳ ବିୟୋଗ

ଭୁବନେଶ୍ୱର, ତାରିଖ: ୨୯.୧୦.୨୦୨୬ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ଭୁବନେଶ୍ୱରର ନୀଳାଦ୍ରିବିହାରସ୍ଥିତ ରାଜ୍ୟର ଅଗ୍ରଣୀ ସୁପର ସ୍ପେସିଆଲିଟି ହସ୍ପିଟାଲ ଉତ୍କଳ ହସ୍ପିଟାଲର ଉଦୀୟମାନ ଡାକ୍ତର ପଲକ ନନ୍ଦଙ୍କର ମାତ୍ର ୩୨ ବର୍ଷ ବୟସରେ ୨୮ ଅକ୍ଟୋବର ୨୦୨୬ରେ ଅକାଳ ବିୟୋଗ ଘଟିଛି। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଉତ୍କଳ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ଡାକ୍ତର ପଲକ ନନ୍ଦ ଉତ୍କଳ ହସ୍ପିଟାଲର ପାଥୋଲୋଜି ବିଭାଗରେ ଜୁନିୟର କନସଲଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ଦକ୍ଷ, ନିଷ୍ଠାପର ଓ ଉତ୍ସର୍ଗୀକୃତ ଡାକ୍ତର ଥିଲେ। ରୋଗୀ, ସହକର୍ମୀ ଡାକ୍ତର ଓ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କ ପ୍ରତି ତାଙ୍କର ଉତ୍ତମ ବ୍ୟବହାର ଓ ଆନ୍ତରିକତା ତାଙ୍କୁ ସମସ୍ତଙ୍କର ପ୍ରିୟଭାଜନ କରିପାରିଥିଲା। ତାଙ୍କର ଅକାଳ ବିୟୋଗ ହସ୍ପିଟାଲ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି।

ତାଙ୍କର ଅନ୍ତିମ ସମୟରେ ସ୍ୱାମୀ ଡାକ୍ତର ମନୋଜ କୁମାର ନାୟକ, ଶାଶୁ-ଶ୍ୱଶୁର, ମାତା ଶ୍ରୀମତୀ ଦୀପ୍ତିମୟୀ ନନ୍ଦ, ସାନ ଭଉଣୀ ଏବଂ ମାମୁଁ ଉତ୍କଳ ହସ୍ପିଟାଲରେ ତାଙ୍କ ନିକଟରେ ଉପସ୍ଥିତ ଥିଲେ।

ଡାକ୍ତର ପଲକ ନନ୍ଦଙ୍କ ସ୍ମୃତିଚାରଣ ଓ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରି ଆଜି ଉତ୍କଳ ହସ୍ପିଟାଲ ପରିସରରେ ଏକ ଶୋକସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ତାଙ୍କ ଆତ୍ମାର ଶାନ୍ତି ଓ ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଶୋକସଭାରେ ଉତ୍କଳ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର ଡାକ୍ତର ପ୍ରଜ୍ଞାନ ରଞ୍ଜନ ଘଡ଼େଇ, ଡିନ୍‌-କମ୍‌-ଡାଇରେକ୍ଟର ଏକାଡେମିକ୍ସ ପ୍ରଫେସର ଡାକ୍ତର ପ୍ରଫୁଲ୍ଲ କୁମାର ଦାସ, ଡାଇରେକ୍ଟର ମେଡିକାଲ ସର୍ଭିସେସ୍‌ ଡାକ୍ତର ରଞ୍ଜନ କୁମାର ମହାପାତ୍ର, ସିଇଓ ଶ୍ରୀ ବି. କେ. ସୁବୋଧ ସିଂହ, ଲାବୋରେଟୋରି ଡାଇରେକ୍ଟର ଡାକ୍ତର ନିହାରିକା ପଟ୍ଟନାୟକଙ୍କ ସମେତ ହସ୍ପିଟାଲର ବହୁ ଡାକ୍ତର ଓ କର୍ମଚାରୀ ଯୋଗଦେଇ ଦିବଂଗତ ଡାକ୍ତରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମଗ୍ର ପରିବେଶ ଶୋକାକୁଳ ହୋଇଉଠିଥିଲା।

ଡାକ୍ତର ପଲକ ନନ୍ଦଙ୍କ ଅକାଳ ବିୟୋଗରେ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ ଡାକ୍ତର ଅଦିତ୍ୟ କୁମାର ସାମଲ, ଫାଉଣ୍ଡିଂ ଡାଇରେକ୍ଟର ଡାକ୍ତର କଲ୍ୟାଣ ରଥ, ଡାକ୍ତର ଅରୁଣ ମହାନ୍ତି ଏବଂ ଡାଇରେକ୍ଟର ଶ୍ରୀ ସୁବ୍ରତ ଦାସ ଓ ଶ୍ରୀ ଶୈଳେନ୍ଦ୍ର ନାରାୟଣ ପଣ୍ଡା ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏଥିସହିତ, ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ହସ୍ପିଟାଲ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବାକୁ ସେମାନେ ଆଶ୍ୱାସନା ଦେଇଛନ୍ତି।

ଉତ୍କଳ ହସ୍ପିଟାଲ ପରିବାର ଦିବଂଗତ ଡାକ୍ତର ପଲକ ନନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଭଗବାନ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି।