ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର ପାଇଁ ଏସ ଏଫ୍ ରାଜ୍ୟ ସମ୍ମିଳନୀରେ ଆହ୍ୱାନ
ଭୁବନେଶ୍ୱର , ୦୨/୦୬ – ଦର୍ଶନ ସମୀକ୍ଷା
ଜାତୀୟ ଶିକ୍ଷାନୀତି ୨୦୨୦ ଦେଶର ଶିକ୍ଷା ବ୍ୟବସ୍ଥାର ବ୍ୟବସାୟୀକରଣ ଓ ଘରୋଇକରଣ ସହ ଦେଶର ସଙ୍ଘୀୟ ଢାଞ୍ଚା ଓ ସାଂସ୍କୃତିକ ବିବିଧତା ଦୁର୍ବଳ କରିବ
ବୋଲି ଏସ୍ ଏଫ୍ ଆଇ ର ସର୍ବଭାରତୀୟ ଯୁଗ୍ମ ସମ୍ପାଦିକା ଦିପସିତା ଧର ମତ ପ୍ରକାଶ କରିଛନ୍ତି ।
ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଭାରତର ଛାତ୍ର ଫେଡେରେସନ୍ ( ଏସ ଏଫ୍ ଆଇ) ର ରାଜ୍ୟ ସାଂଗଠନିକ ସମ୍ମିଳନୀକୁ ଉଦଘାଟନ କରି ଦିପସିତା ଧର କହିଲେ ଯେ ବ୍ରିଟିଶ ଉପନିବେଶବାଦ କବଳରୁ
ମୁକ୍ତ ହେବା ପରେ ଆମ ଦେଶର ଛାତ୍ର ଓ ଯୁବକ ମାନେ ସ୍ବପ୍ନ ଦେଖିଥିଲେ ଯେ ସେମାନଙ୍କୁ ଉତ୍ତମ ଶିକ୍ଷା ଓ ନିଯୁକ୍ତି ମିଳିବ । ଦେଶରେ ସରକାର ପରେ ସରକାର ବଦଳୁଛି କିନ୍ତୁ ଆଦିବାସୀ, ଦଳିତ ଓ ଗରିବ ମଣିଷର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ମହଂଗାରେ ପରିଣତ ହେବାରେ ଲାଗିଛି ଓ ଶିକ୍ଷିତ ଯୁବକ ବେକାର ଫାଶରେ ସଢ଼ୁଛନ୍ତି । ଅତୀତର ସମସ୍ତ ଶିକ୍ଷାନୀତି ଠାରୁ ଜାତୀୟ ଶିକ୍ଷାନୀତି ୨୦୨୦ ଅତ୍ୟନ୍ତ ଭୟଂକର । ଏହା ଦେଶର ସଙ୍ଘୀୟ ଢାଞ୍ଚାକୁ ଉଲଂଘନ କରି ଶିକ୍ଷାର ବ୍ୟବସାୟୀକରଣ ସହ ସାଂପ୍ରଦାୟିକ ପାଠ୍ୟକ୍ରମ ପ୍ରଚଳନ କରି ସମ୍ବିଧାନର ବୈଜ୍ଞାନିକ ଓ ଧର୍ମନିରପେକ୍ଷ ମୂଳଦୁଆ ଉପରେ ଆଘାତ କରିବ ବୋଲି ସେ କହିଥିଲେ ।

ଦେଶର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଭାରତୀୟ ସମାଜର ସାଂସ୍କୃତିକ ବିବିଧତା ସୁରକ୍ଷା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର ପାଇଁ ଛାତ୍ରୀ ନେତ୍ରୀ ଧର ଦାବୀ କରିଥିଲେ ।
ଓଡିଶାର ଶିକ୍ଷାର ସ୍ଥିତି ଓ ଜାତୀୟ ଶିକ୍ଷାନୀତି ୨୦୨୦” ପୁସ୍ତିକା ଉନ୍ମୋଚନ ପରେ ଏସ ଏଫ୍ ଆଇର ରାଜ୍ୟ ଉପଦେଷ୍ଟା ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ବକ୍ତବ୍ୟ ରଖି କହିଲେ ଯେ ଓଡ଼ିଶାରେ ସରକାରୀ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ିଗଲାଣି । ରାଜ୍ୟରେ ସବୁ ସରକାରୀ , ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜରେ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଇତି ମଧ୍ୟରେ ରାଜ୍ୟରେ ୭୦୦୦ ସ୍କୁଲରେ ଚାବି ପଡ଼ିଛି । ବିଜେଡି ଓ ବିଜେପି ମିଳିତ ସରକାର ଅମଳରେ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥା ଉଚ୍ଛେଦ କରି ଠିକା ଓ ଅସ୍ଥାୟୀ ନିଯୁକ୍ତି ଆରମ୍ଭ କରିଥିଲେ । ବିଜେପି ସରକାର ଅମଳରେ ଶିକ୍ଷାର କେବଳ ଘରୋଇକରଣ ହେବ ନାହିଁ ଉଭୟ ନିଯୁକ୍ତି ଓ ପାଠ୍ୟକ୍ରମର ସାଂପ୍ରଦାୟିକ ଓ ଦଳୀୟକରଣ ପ୍ରକ୍ରିୟା ଆରମ୍ଭ ହେଲାଣି । ସରକାରୀ ସାଧାରଣ ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କ ପାଖରେ ଉପଲବ୍ଧ କରିବା ପାଇଁ ଯେଉଁ ନୀତି ଲୋଡ଼ା ତାହା ନକରି ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ହାତରୁ ଖର୍ଚ୍ଚ କରି ପାଠ୍ୟକ୍ରମ ବହୁଳ ପ୍ରଚଳନ ହେଉଛି । ଶିକ୍ଷା ପାଇଁ ଛାତ୍ର ସମାଜ ସଂଗଠିତ ହେବା ସହ ରାଜ୍ୟକୁ ଉଭୟ କର୍ପୋରେଟ ଲୁଟ ଓ ସାଂପ୍ରଦାୟିକ ରାଜନୀତିରୁ ରକ୍ଷା ପାଇଁ ଓଡ଼ିଶାର ଛାତ୍ର ସମାଜ ଛାତ୍ର ସମାଜ ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ବିଦ୍ୟାର୍ଥୀ ପରିଷଦ ଭଳି ବିଭାଜନକାରୀ ଶକ୍ତିଙ୍କୁ ପରାସ୍ତ କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ।
ଏହି ସମ୍ମିଳନୀରେ ବେରୋଜଗାର, ଶିକ୍ଷାର ବ୍ୟବସାୟୀକରଣ ଓ ଛାତ୍ର ସଂସଦ ନିର୍ବାଚନ ଉପରେ ପ୍ରସ୍ତାବ ଗୃହୀତ ହୋଇଛି। ସ୍ମୃତି ସୂରଞ୍ଜନ ଜେନା ଓ ଇତିଶ୍ରୀ ସୂର୍ ସମ୍ମିଳନୀ ଲିଖନ ବିବରଣୀ କମିଟିରେ ସଭ୍ୟ ଥିଲେ ।
ଚନ୍ଦନ କାମିକା, ଚନ୍ଦନ ସାହୁ ଓ ରାକ୍ଷୀ ସ୍ୱାଇଁଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ଆରମ୍ଭ ହେବା ପରେ ରାଜ୍ୟ ଆବାହକ ଶୁଭ୍ରାଂଶୁ ଶେଖର ଉଦଗାତା ପହେଲଗାଁ ଆତଙ୍କବାଦୀ ଆକ୍ରମଣ ଓ ପାଲେଷ୍ଟାଇନ ଉପରେ ଇସ୍ରାଏଲର ବର୍ବର ଆକ୍ରମଣ ନିନ୍ଦା କରାଯିବା ସହ ମୃତକଙ୍କ ପ୍ରତି ଶୋକ ପ୍ରକାଶ କରାଯାଇଥିଲା
। ସଂଗଠନର ପ୍ରାକ୍ତନ ସର୍ବଭାରତୀୟ ସଭାପତି ବିଶିଷ୍ଟ ଜନ ନେତା ସିତାରାମ ୟେଚୁରି, ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ନେପାଳ ଦେବ ଭଟ୍ଟାଚାର୍ଯ୍ୟ, ଓଡିଶାର ବିଶିଷ୍ଟ କୃଷକ ନେତା ଜଗନ୍ନାଥ ମିଶ୍ରଙ୍କ ପ୍ରତି ସମ୍ମିଳନୀରେ ଗଭୀର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି।
ସଙ୍ଗଠନ ପକ୍ଷରୁ ଚନ୍ଦନ ସାହୁ ରାଜନୈତିକ ରିପୋର୍ଟ ଓ ଚନ୍ଦନ କାମିଲା ସାଂଗଠନିକ ରିପୋର୍ଟ ଆଗତ କଲାପରେ ପ୍ରତିନିଧି ମାନେ ଏହା ଉପରେ ଆଲୋଚନା କରିଥିଲେ। ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼ କଟକ, ନୟାଗଡ଼, ବାଲେଶ୍ଵର, ଗଞ୍ଜାମ , ଯାଜପୁର ଜିଲ୍ଲାରୁ ଶତାଧିକ ପ୍ରତିନିଧି ସମ୍ମିଳନୀରେ ଯୋଗ ଦେଇଥିଲେ।
ଏହି ସମ୍ମିଳନୀରେ ୧୩ ଜଣିଆ ରାଜ୍ୟ କମିଟି ନିର୍ବାଚିତ ହୋଇଛନ୍ତି । ଚନ୍ଦନ କାମିଲା ସଭାପତି , ନରେନ୍ଦ୍ର ହେମ୍ବ୍ରମ ଉପସଭାପତି, ଚନ୍ଦନ ସାହୁ ସମ୍ପାଦକ, ରାକ୍ଷୀ ସ୍ୱାଇଁ କୋଷାଧ୍ୟକ୍ଷ ଓ ଲିପୁ ବଳିଆର ସିଂହ ଯୁଗ୍ମ ସମ୍ପାଦକ, ଅଭିଳାଷ ମଲ୍ଲିକ, ମାନସ ରଞ୍ଜନ ଦଳବେହେରା, ପ୍ରୀତି ବାର୍ଲା ଓ ଅନିଲ କୁମାର ସାହୁ ସଭ୍ୟ ଥାଇ ଏକ ୧୩ ଜଣିଆ ରାଜ୍ୟ କମିଟି ନିର୍ବାଚିତ ହୋଇଛନ୍ତି । ଜୁନ ୨୭ ରୁ ୩୦ , ୨୦୨୫ରେ କେରଳ କୋଝିକୋଡ ଠାରେ ଆୟୋଜିତ ହେଉଥିବା ୧୮ ତ୍ତମ ସର୍ବଭାରତୀୟ ସମ୍ମିଳନୀ ଓଡ଼ିଶାର ତିନି ଜଣ ପ୍ରତିନିଧି ଓ ଜଣେ ଦର୍ଶକ ନିର୍ବାଚିତ ହୋଇଛନ୍ତି । ସମ୍ମିଳନୀ ପରେ ଏକ ଶୋଭାଯାତ୍ରା ବାହାରି ଥିଲା ।
Leave a Reply