ଅହଙ୍କାର
ପ୍ରତ୍ୟେକ ମଣିଷ ଭିତରେ କିଛିନା କିଛି ଭାଵନା ମନରେ ସୃଷ୍ଟି ହୋଇଥାଏ।ମନର ଉର୍ବର ମୃତ୍ତିକାରେ ସେହି ଭାବନାର ବିକାଶ ସାଧନ ହୋଇଥାଏ।
କାମନା ଓ ବାସନା ଭାବନାର ଦୁଇଟି ଡେଣା ସଦୃଶ ଭାବନାକୁ ଉଡି ବୁଲିବାରେ ସହାୟତା କରେ। ଇଚ୍ଛା ଏହି ଡେଣା ଦୁଇଟିକୁ ଶକ୍ତି ଯୋଗାଇଥାଏ। ଇଚ୍ଛା ମନକୁ ସର୍ବଦା ଚଳଚଞ୍ଚଳ କରି ରଖେ। ସେହି ଇଚ୍ଛା, କାମନା ଓ ବାସନାର ଜନନୀ ସଦୃଶ ତାର ସନ୍ତାନକୁ ଜାଗ୍ରତ କରି ରଖେ। ଇଚ୍ଛା ନିଜର ଲାଳସାକୁ ଚରିତାର୍ଥ କରିବାରେ ତାର ସନ୍ତାନ ମାନଙ୍କୁ ବହୁମୁଖି ପ୍ରେରଣା ଯୋଗାଇଥାଏ।ତୁଳନା,କାମନା ଓ ବାସନାକୁ ତଉଲ କରି ତାର ମୂଲ୍ୟ ନିର୍ଦ୍ଧାରଣ କରେ।
ଇଚ୍ଛା ତାର ଯୋଜନାକୁ ଦୁଇ ଭାଗରେ ବିଭକ୍ତ କରେ। ଏକ ଗୁପ୍ତ ଇଚ୍ଛା ଏବଂ ଅନ୍ୟଟି ବାହ୍ୟ ଇଚ୍ଛା।ବାହ୍ୟ ଇଚ୍ଛାଠାରୁ ଗୁପ୍ତ ଇଚ୍ଛା ଅଧିକ ଶକ୍ତିଶାଳୀ ଏବଂ ତୀବ୍ର ହୋଇଥାଏ। ଇଚ୍ଛା ସେହି ଗୁପ୍ତ ଯୋଜନାକୁ ଏପରି ଭାବରେ ପରିଚାଳିତ କରେ ଯେ ତାର କିଛି ମାତ୍ର ସୁରାକ୍ ପାଇବାରେ ନିଜଠାରୁ ଉତ୍ପତ୍ତି ହୋଇଥିବା ବାହ୍ୟ ଇଚ୍ଛା ମଧ୍ୟ ତାର ସନ୍ଧାନ ପାଏ ନାହିଁ।
ଅହଙ୍କାର ସେହି ଗୁପ୍ତ ଇଚ୍ଛାର ଏକ ଅଂଶ ଯାହା ଗୁପ୍ତ ଯୋଜନା ଦ୍ବାରା ପ୍ରସ୍ତୁତ ହୋଇଥାଏ।ଅତି ସତର୍କତାର ସହିତ ସେହି ଉତ୍ପାଦନର ପରିଚାଳନା କରିବାରେ ଇଚ୍ଛା ପିଞ୍ଜରାବଦ୍ଧ ମନକୁ ସ୍ଵାଧିନତା ଦେଇ ପିଞ୍ଜରା ମୁକ୍ତ କରିଥାଏ।
ଅହଙ୍କାର ସର୍ବଦା ଭୌତିକ ଭୋଗବାଦର ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗିତ ହୋଇ ରହିଥାଏ। ଅହଙ୍କାରୀ ବ୍ୟକ୍ତି ନିମ୍ନ ଦୃଷ୍ଟି ସମ୍ପନ୍ନ ହୋଇ ନିଜଠାରୁ ନିମ୍ନରେ ଥିବା ବ୍ୟକ୍ତି ସହିତ ନିଜକୁ ତୁଳନା କରି ଆତ୍ମ ଗର୍ବ ଓ ଅହଙ୍କାର ରୂପକ ସୋପାନ ଅତିକ୍ରମ କରିବାକୁ ଚାହେଁ।ଏହା ଅହଙ୍କାରର ଆରୋହଣ ଗତି।
ଅହଙ୍କାରର ଅବରୋହଣ ଗତି ଅତ୍ୟନ୍ତ ଜଟୀଳ ଏବଂ ଜ୍ଞାନୋଦିପ୍ତ ପ୍ରଦୀପ ପରି ଉଷ୍ଣ ଓ ଉଜ୍ଜ୍ୱଳ।ତାହା ଦୀପତଳ ଅନ୍ଧାର ପରି ଅହଙ୍କାରକୁ ଜାଜୁଲ୍ୟମାନ ପ୍ରଜ୍ଜ୍ଵଳିତ ପ୍ରଦୀପର ତଳଭାଗରେ ଏକ ଅନ୍ଧାର କୋଠରୀ ମଧ୍ୟରେ ସୀମିତ କରି ବନ୍ଧନରେ ରଖିଥାଏ। ନିୟନ୍ତ୍ରଣ ବାହାରକୁ ଯିବାର ସ୍ଵାଧିନତା ନଥାଏ।
ଇଚ୍ଛା ରୂପକ ସଳିତା ପବିତ୍ର ଘୃତ ସଂସ୍ପର୍ଶରେ ଆସି ସମଗ୍ର ଜଗତକୁ ଆଲୋକିତ କରି ସ୍ଵଚ୍ଛତାର ପ୍ରତିଷ୍ଠା କରେ।ଇଚ୍ଛାର ଡେଣା ଦୁଇଟି ସେହି ପ୍ରଦୀପରେ ଜଳିଯାଏ।କାମନା ବାସନା ଓ ତୁଳନା ସମିଧ ରୂପରେ ଅଗ୍ନିରେ ଝାସ ଦିଅନ୍ତି। ସେଥିରୁ ଉତ୍ପତ୍ତି ହୁଏ ତ୍ୟାଗ ତିତିକ୍ଷାର ଆଧ୍ୟାତ୍ମିକ ଆଲୋକ ବଳୟ। ଯେଉଁଥିରେ ବ୍ୟକ୍ତିର ବ୍ୟକ୍ତିତ୍ଵ ଆଲୋକିତ ହୋଇ ଯଶଃ ଓ କୀର୍ତ୍ତିର ଦୁଇଟି ଡେଣା ସୃଷ୍ଟି ହୁଏ ଏବଂ ତାହା ଅନ୍ତରୀକ୍ଷ ସ୍ପର୍ଶ କରେ।
✍️ ସଞ୍ଜୟ ରଥ ଭୁବନେଶ୍ବର
















Leave a Reply