ଓଁ ଶ୍ରୀଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
କ୍ଷେତ୍ର ପରିକ୍ରମା ଅବସରରେ,”କୋକଲ ଗଡ଼ରେ ଶ୍ରୀବିଗ୍ରହମାନଙ୍କ ସାମୟିକ ରହଣି।“
ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିସ୍ଥ ଅଲାରନାଥ ପୀଠ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ କୋକଲ ଗଡ଼ ଅବସ୍ଥିତ। କେତେକ ଏହି ସ୍ଥାନକୁ କୋକଲ ଗଡ଼ ନାମରେ ସମ୍ବୋଧନ କରିଥାନ୍ତି। ଏହି କ୍ଷେତ୍ରର ଦକ୍ଷିଣ ପାର୍ଶ୍ୱରେ ଭାର୍ଗବୀ ନଦୀ ଓ ଉତ୍ତର ପାର୍ଶ୍ୱରେ ଲୁଣା ନଦୀ ପ୍ରବାହିତ। ପଶ୍ଚିମ ଦିଗରେ ଚିଲିକାର ଶୋଭା ପରିଦୃଶ୍ୟ ମାନ।କୋକଲ ଶବ୍ଦର ଅର୍ଥ ହେଉଛି, ଭଗବାନ ବିଷ୍ଣୁଙ୍କର କ୍ରୀଡ଼ା ଭୂମି। ଖୋର୍ଦ୍ଧା ରାଜବଂଶର ପ୍ରତିଷ୍ଠାତା ଗଜପତି ରାମଚନ୍ଦ୍ର ଦେବ ପ୍ରଥମ ଙ୍କ ଦ୍ଵାରା ଏହି ଚାରୋଟି ଗଡ଼ ମଧ୍ୟରେ କୋକଲ ଗଡ଼ ଅନ୍ୟତମ। ଗଡ଼ର ଇଷ୍ଟଦେବୀ ମା ଭଗବତୀ ଓ ଇଷ୍ଟଦେବ ନୀଳକଣ୍ଠେଶ୍ଵର ମହାଦେବ। ଭଗବତୀଙ୍କ ପ୍ରତିଷ୍ଠା ପ୍ରାୟତଃ ବ୍ରହ୍ମଗିରି ଖାଣ୍ଡବ ବନର ପଞ୍ଚ ପାଣ୍ଡବଙ୍କ ଆବିର୍ଭାବ ସମକାଳୀନ।
ମହାପ୍ରତାପୀ ଲକ୍ଷ୍ମୀଧର ପାତ୍ର କୋକଲ ଗଡ଼କୁ ଏକ ସ୍ବତନ୍ତ୍ର ଉନ୍ନତ ଓ ଅଭେଦ୍ୟ ଦୁର୍ଗରେ ଗଢ଼ି ତୋଳିଥିଲେ।୧୫୩୦ ଖ୍ରୀଷ୍ଟାବ୍ଦରେ ସ୍ବପ୍ନାଦେଶ ପାଇ ମହାଦେବଙ୍କ ମନ୍ଦିର ନିର୍ମାଣ କରିବା ସହିତ ଗଡ଼ର ଉତ୍ତର ପାର୍ଶ୍ୱରେ ଖଣ୍ଡାଧୁଆ ପୁଷ୍କରିଣୀ ଖନନ କରିଥିଲେ। ନୀଳକଣ୍ଠେଶ୍ଵର ମହାଦେବଙ୍କ ସେବାପୂଜା ନିମନ୍ତେ ବହୁ ଭୂସମ୍ପତ୍ତି ପ୍ରଦାନ କରିଥିଲେ। ଅତୀତରେ ବିଧର୍ମୀ ମାନଙ୍କ ଦ୍ଵାରା ଶ୍ରୀମନ୍ଦିର ଆକ୍ରମଣ ସମୟରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଭାର୍ଗବୀ ନଦୀ ମଧ୍ୟଦେଇ ଅନେକ ଥର କୋକଲ ଗଡ଼ ବାଟେ ଚିଲିକାର ବିଭିନ୍ନ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଇ ଥିଲା। ସେହିପରି ବାହୁଡା଼ ବିଜେ ସମୟରେ ମଧ୍ୟ କୋକଲଗଡ ଦେଇ ଅଣାଯାଉଥିଲା। ଏଠାରେ ଚାପରେ ବିଜେ କରିବା ସମୟରେ ଗଡ଼ର ମୁଖ୍ୟ ସମସ୍ତ ଖର୍ଚ୍ଚ ବହନ କରିଥାନ୍ତି। ଏତଦ ବ୍ୟତୀତ ମହାପ୍ରଭୁ ମାନଙ୍କ ସୁରକ୍ଷା ନିମନ୍ତେ ସଶସ୍ତ୍ର ପାଇକ, ଚାପ ଦଳେଇ ଓ ଧୀବରମାନଙ୍କୁ ନିୟୋଜିତ କରିଥାନ୍ତି। ମହାପ୍ରଭୁ ଏହି ଘାଟ ଦେଇ ବିଜେ କରୁଥିବାରୁ ଏହାକୁ ଲୋକେ ବ୍ରହ୍ମ ଘାଟ ବୋଲି କହିଥାନ୍ତି।















