ବଡ ଠାକୁର// ଶ୍ରୀଜୀଉ ମାନଙ୍କୁ ଦର୍ଶନ ରେ ଯେଉଁ ଫଳ ପାଇଥାଏ , ସେହି ଫଳ ମହାବେଦୀ ବା ଗୁଣ୍ଡିଚା ମଣ୍ଡପ ରେ ଗୋଟିଏ ଦିନର ଦର୍ଶନ ରେ ମିଳିଥାଏ ।

Spread the love

ଆଡ଼ପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ

“ନୀଳାଦ୍ରୌ ଦଶବର୍ଷାଣି ଗୁଣ୍ଡିଚା ମଣ୍ଡପେଦିନେ।
ଦିବାବତବ୍ଦର୍ଶନଂ ପୂଣ୍ୟଂ ରାତ୍ରୌ ଦଶଗୁଣଂଭବେତ।।”

ଯାହାର ଅର୍ଥ ଶ୍ରୀମନ୍ଦିର ରେ ଦଶବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା ରେ ଭକ୍ତ ଶ୍ରୀଜୀଉ ମାନଙ୍କୁ ଦର୍ଶନ ରେ ଯେଉଁ ଫଳ ପାଇଥାଏ , ସେହି ଫଳ ମହାବେଦୀ ବା ଗୁଣ୍ଡିଚା ମଣ୍ଡପ ରେ ଗୋଟିଏ ଦିନର ଦର୍ଶନ ରେ ମିଳିଥାଏ ।
ବିଶେଷତଃ ଏହି ନବମୀ ଦିନର ସଂଧ୍ୟାକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ।

“ଗୁଣ୍ଡିଚାମଣ୍ଡପଂ ନାମ ଯତ୍ରାହମଜନଂ ପୁରା ,
ଅଶ୍ବମେଧସହସ୍ରସ୍ୟ ମହାବେଦୀ ତଦାଭବତ୍ ।

ତସ୍ୟାଃ ପୁଣ୍ୟତମଂ ସ୍ଥାନଂ ପୃଥିବ୍ୟାଂ ନେହ ବିଦ୍ୟତେ ।।” ପ୍ରତିବର୍ଷ ନଅଦିନର ରଥଯାତ୍ରାରେ ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଯିବା ଦିନ ଓ ଆସିବା ଦିନକୁ ବାଦ୍ ଦେଲେ, ମଝିରେ ସେମାନେ ସାତଦିନ ସେଠାରେ ରହନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ତିନି ଠାକୁର ବିଜେ କରନ୍ତି ତାକୁ ଆଡ଼ପମଣ୍ଡପ ବୋଲି କୁହାଯାଏ । ଏହାର ଅର୍ଥ ଆଡ଼ମ୍ବରପୂର୍ଣ୍ଣ ମଣ୍ଡପ, ଏହାକୁ ମହାବେଦୀ ବା ଯଜ୍ଞବେଦୀ ବୋଲି ମଧ୍ୟ କହାଯାଏ। ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଆଡ଼ପ ମଣ୍ଡପକୁ ଠାକୁରମାନଙ୍କର ପହଣ୍ଡି ବିଜେ ହୁଏ । ଗୁଣ୍ଡିଚା ମନ୍ଦିର ପ୍ରବେଶଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ପ୍ରସାଦ ହୁଏ, ତାକୁ ଆଡ଼ପ ଅବଢ଼ା କୁହାଯାଏ ।

” ଯତ୍ରାଜୁହୋଃ ପଞ୍ଚଶତ ବର୍ଷାଣି ପ୍ରୀତୟେ ମମ “

” ମମ ପ୍ରୀତିକରଂ ସ୍ଥାନଂ ତସ୍ମାନ୍ନାନ୍ୟଦ୍ଧରାଗତମ୍ ।
ଯଥାୟଂ ନୀଳଶିଖରୀ ପ୍ରାସାଦେନ ତବାଧୁନା ।। “

“ଚତୁର୍ମୁଖାନୁରୋଧେନ ମହତ୍ ପ୍ରୀତିକରୋ ମମ ।
ତତୋ ନୃସିଂହକ୍ଷେତ୍ରଞ୍ଚ ମହାବେଦୀ ତବ କ୍ରତୋଃ ।।”

” ମମୋତ୍ପତ୍ତେଶ୍ଚନିଳୟଂ ପ୍ରୀତିକୃନ୍ମମ ଶାଶ୍ବତମ୍ ।
ବହୁକାଳଂ ସ୍ଥିତଶ୍ଚାହଂ ତସ୍ୟାଂ ମେ ପ୍ରୀତିରୁତ୍ତମା ।। “

ବିଭିନ୍ନ ପୁରାଣ ଯଥା ସ୍କନ୍ଦ , ବ୍ରହ୍ମ , ପଦ୍ମ , ଯାତ୍ରାଭାଗବତ , ନିଳାଦ୍ରୀ ମହୋଦୟ , ବାମଦେବ ସଂହିତା ରେ ଏହି ମନ୍ଦିର କୁ ଯଜ୍ଞ ବେଦୀ , ମହାବେଦୀ , ଆଡପ ମଣ୍ଡପ , ଗୁଣ୍ଡିଚା ମଣ୍ଡପ , ରାସ ମଣ୍ଡପ , ଆଟୋପ ମଣ୍ଡପ ଆଦି ବର୍ଣ୍ଣନା ଅଛି। ଏହାକୁ ଗୁଣ୍ଡିଚା ଘର , ଗୁଣ୍ଡିଚା ବାଡ଼ି ମଧ୍ୟ କୁହା ଯାଇଥାଏ।
କିଂବଦନ୍ତି ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ଥିଲା ‘ଗୁଣ୍ଡିଚା’ । ତାଙ୍କ ଅନୁସାରେ ‘ଗୁଣ୍ଡିଚା ମନ୍ଦିର’ର ନାମକରଣ ହୋଇଛି । କିନ୍ତୁ ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ଅନୁସାରେ, ଏହି ନାମକରଣ ରାଜା ଚୋଡ଼ଗଙ୍ଗ ଦେବଙ୍କ ରାଣୀ ‘ଗୁଣ୍ଡି-ଚୋଡ଼ି’ଙ୍କ ନାମ ଅନୁସାରେ ହୋଇଛି । ପୁରାଣ ମତରେ ଇନ୍ଦ୍ରଦ୍ୟୁମ୍ନ ସତ୍ୟଯୁଗର ରାଜା । ଇତିହାସର ତଥ୍ୟ ଅନୁସାରେ ଚୋଡ଼ଗଙ୍ଗ ଦେବ ଏକାଦଶ-ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀ ରାଜା । ଏଣୁ କେଉଁ ରାଣୀଙ୍କ ନାମ ଅନୁସାରେ ଏହି ମନ୍ଦିରର ନାମକରଣ ହୋଇଛି ସେ ନେଇ ସନ୍ଦେହ ସୃଷ୍ଟି ହୁଏ । ‘ଦେଉଳତୋଳା’ କିଂବଦନ୍ତିକୁ ନେଇ ଯେଉଁସବୁ ପୋଥି ମିଳେ, ସେଥିରେ ‘ଗୁଣ୍ଡିଚା ରାଣୀ’ଙ୍କ କଥା ଅଛି । ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ । ‘ସ୍କନ୍ଦପୁରାଣ’ ଅନୁସାରେ, ଇନ୍ଦ୍ରଦ୍ୟୁମ୍ନ ଅବନ୍ତୀରୁ ଆସି ଓଡ଼୍ରଦେଶରେ ପହଞ୍ଚିବା ପରେ ଗୁଣ୍ଡିଚାମନ୍ଦିରଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ । ସେହି ଯଜ୍ଞ ଶେଷରେ ଭଗବାନ ବିଷ୍ଣୁ ତାଙ୍କୁ ସ୍ୱପ୍ନରେ ଦେଖାଦେଇ କହିଥିଲେ, ସମୁଦ୍ରରେ ଏକ ଦିବ୍ୟଦାରୁ ଆବିର୍ଭୂତ ହେବେ । ସେଥିରେ ଦାରୁବ୍ରହ୍ମ ନିର୍ମିତ ହେବେ । କିନ୍ତୁ କିଂବଦନ୍ତି ଅନୁସାରେ, ସେଥିରେ ଗୋପନରେ ଦାରୁମୂର୍ତ୍ତି ଗଢା ହେବାବେଳେ ଭିତରୁ କୌଣସି ଶବ୍ଦ ନ ଶୁଭିବାରୁ ରାଣୀ ଗୁଣ୍ଡିଚା ଙ୍କ କଥାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଦ୍ୱାର ଫିଟାଇଦେଲେ।

ଫଳରେ ବିଗ୍ରହମାନେ ଅଧାଗଢା ହୋଇ ରହିଗଲେ, ଏହି କିମ୍ବଦନ୍ତୀ ଅନୁସାରେ ରାଣୀ ଗୁଣ୍ଡିଚା ହିଁ ରଥଯାତ୍ରାର ଆରମ୍ଭ କରିଥିଲେ, ତେଣୁ ଏହାର ନାମ ଶ୍ରୀଗୁଣ୍ଡିଚା ଯାତ୍ରା ହେଲା ଓ ମନ୍ଦିରର ନାମ ମଧ୍ୟ ଗୁଣ୍ଡିଚା ମନ୍ଦିର ରଖାଗଲା।

“ଦିନାନି ନବ ଯାସ୍ୟାନି ତଥା ତସ୍ମାଦିହାଗତଃ ।
ତତ୍ରାସ୍ତି ତେ ମହାରାଜ ସର୍ବତୀର୍ଥମୟଂ ସରଃ ।।”

“ତତ୍ତୀରେ ସପ୍ତଦିବସାନ୍ ସ୍ଥାସ୍ୟାମ୍ୟନୁଜିଘୃକ୍ଷୟା ।
ତତ୍ରସ୍ଥିତଂ ମାଂ ପଶ୍ୟନ୍ତୋ ଯାନ୍ତି ମର୍ତ୍ୟା ମମାଳୟମ୍ ।।”

ମାଦଳା ପାଞ୍ଜି ରୁ ମିଳୁଥିବା ତଥ୍ୟ ଅନୁଯାୟୀ ଦ୍ୱାଦଶ ଶତାବ୍ଦୀ ରେ ଗୁଣ୍ଡିଚା ଘରଟି ଏକ କାଠ ମଣ୍ଡପ ଗୃହରେ ସୀମିତ ଥିଲା । ଏହାକୁ ଗଙ୍ଗବଂଶ ର ରାଜା ନରସିଂହ ଦେବ ୨ୟ ଏହାକୁ ପଥର ମଣ୍ଡପ କରିଥିଲେ। ଗଜପତି ରାମଚନ୍ଦ୍ର ଦେବ ଦ୍ଵିତୀୟ ୪ ଅଙ୍କରେ (୧୭୨୮-୨୯) ଗୁଣ୍ଡିଚା ମନ୍ଦିର ର ଜଗମୋହନ ନିର୍ମାଣ କରିଥିଲେ ଯାହାକି ତାଙ୍କ ପୂର୍ବ ଗଜପତି ଗୋପୀନାଥ ଦେବଙ୍କ ମନ୍ତ୍ରୀ ଆରମ୍ଭ କରିଥିଲେ। ଗଜପତି ଶାସନ ପରେ ବହୁଦିନ ଧରି ଗୁଣ୍ଡିଚା ମନ୍ଦିର ମରାମତି ଅଭାବରୁ ଜରାଜୀର୍ଣ୍ଣ ରହିଥିଲା। ୧୮୪୦ ମସିହା ରେ ବାଲେଶ୍ୱର ର ରାଜା ଶ୍ୟାମାନନ୍ଦ
ଦେ ୮୦ ହଜାର ଟଙ୍କା ବ୍ୟୟ ରେ ଗୁଣ୍ଡିଚା ମନ୍ଦିରର ମରାମତି ସମ୍ପାଦନ କରିଥିଲେ। ଏଠାରେ ଗୁଣ୍ଡିଚା ଓ ବାହୁଡ଼ାକୁ ଛାଡ଼ିଦେଲେ ଦିଅଁମାନେ ସର୍ବାଧିକ ସାତଦିନ ଅବସ୍ଥାନ କରନ୍ତି। ଏହି ମନ୍ଦିରର ରତ୍ନବେଦୀକୁ ଆଡ଼ପମଣ୍ଡପ କୁହାଯାଏ। ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ଦିନ ଏହି ଆଡ଼ପ ମଣ୍ଡପରେ ଦିଅଁଙ୍କୁ ଦର୍ଶନ କରି (ସନ୍ଧ୍ୟା ଦର୍ଶନ) ମହାପ୍ରସାଦ ସେବନ କଲେ ମହାପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ।

ଅବସ୍ଥିତି
ଏହା ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହ ଦ୍ୱାର ଠାରୁ ୩ କିମି ଦୂରରେ ବଡ଼ଦାଣ୍ଡ ର ଶେଷ ସୀମାରେ ଅବସ୍ଥିତ। ଏହା ପୂର୍ବ ଐଶାନ୍ୟ କୋଣରେ ଅବସ୍ଥିତ । ପୀଢ଼ ନିର୍ମାଣ ଶୈଳୀ ରେ ନିର୍ମିତ ଏହି ମନ୍ଦିର ପ୍ରାୟ ୭୫ଫୁଟ ଉଚ୍ଚତା ହେବ ।
ମନ୍ଦିର ମଧ୍ୟକୁ ଥିବା ମୁଖ୍ୟ ପ୍ରବେଶ ଦ୍ୱାର ହେଲା ସିଂହଦ୍ୱାର । ଏହି ଦ୍ୱାରର ଉପରିଭାବରେ ନବଗ୍ରହ ପାଟ ବିଦ୍ୟମାନ । ଦ୍ୱାରଦେଶରେ ୨ଟି ସିଂହ ମୂର୍ତ୍ତି ରହିଛି। ଶ୍ରୀଜୀଉମାନେ ଏହି ଦ୍ୱାର ଦେଇ ଆଡ଼ପ ବିଜେ କରିଥାନ୍ତି। ଆଉ ଏକ ମୁଖ୍ୟ ଦ୍ୱାର ହେଉଛି ନାକଚଣା ଦ୍ୱାର ଯାହା ପୂର୍ବ ପଟକୁ ରହିଛି ।
ଏହି ଦ୍ୱାର ନିର୍ମାଣ ସମ୍ପର୍କରେ ଏକ କିମ୍ବଦନ୍ତୀ ରହିଛି ଯାହା କି ଗଜପତି ଶ୍ରୀ କପିଳେନ୍ଦ୍ର ଦେବଙ୍କ ରାଣୀ ନିଜ ନାକଚଣା ବିନିମୟରେ ଏହି ଦ୍ୱାରଟି ଗଢ଼ିଥିଲେ। ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀଜୀଉଙ୍କୁ ଦର୍ଶନ କରି ଏହି ଦ୍ୱାର ବାଟ ଦେଇ ଫେରିଥାନ୍ତି। ବାହୁଡା ଦିନ ଶ୍ରୀ ଜୀଉମାନେ ଏହି ଦ୍ୱାର ଦେଇ ବାହୁଡ଼ା ପହଣ୍ଡି କରିଥାନ୍ତି। ଗୁଣ୍ଡିଚା ଘରେ ଥିବା ଜଗମୋହନ କୁ ଆସିବା ଲାଗି ୩ଟି ଦ୍ୱାର ରହିଛି। ଜଗମୋହନର ଉତ୍ତରପାର୍ଶ୍ୱସ୍ଥ କାନ୍ଥରେ ପୁତନା ବଧ , କାଳୀୟ ଦଲନ , ଜାମଳା ଭଞ୍ଜନ , ଅର୍ଘାସୁର ବଧ , ଖମ୍ବାସୁର ବଧ , ରାମ ରାବଣ ଯୁଦ୍ଧ , ରାମଭିଷେକ , ସୀତାବିବାହ , କେସୀ ଅସୁର , ଶକଟା ସୁର , ବକାସୁର ଏବଂ ଏହାଉପରକୁ ଗଣେଶ , ବଦ୍ରୀ ନାରାୟଣ , ବ୍ରହ୍ମା , ଶିବ ଆଦି ଚିତ୍ରିତ ହୋଇଛନ୍ତି।

ଏହାର ଦକ୍ଷିଣ ପାର୍ଶ୍ଵରେ ବାହାର କାନ୍ଥରେ ନନ୍ଦରାଜାଙ୍କ କୋଳରେ କୃଷ୍ଣ ଓ ବଳରାମ , ସୁଦାମା , ନାରଦ ମୁନି, ଇନ୍ଦ୍ର , ରାଧାକୃଷ୍ଣ ଯୁଗଳମୂର୍ତ୍ତି , ଗଙ୍ଗା , ଯମୁନା ଆଦି ଚିତ୍ରିତ ହୋଇଛନ୍ତି। ଗୁଣ୍ଡିଚା ମନ୍ଦିର ମଧ୍ୟରେ ଭୋଗମଣ୍ଡପ , ସୂର୍ଯ୍ୟପୂଜା ଆଦି ଭିତର ବେଢା଼ ରେ ଅବସ୍ଥିତ। ବାହାର ବେଢା଼ ରେ ରୋଷ ଘର ଏବଂ ଆନନ୍ଦ ବଜାର ଅବସ୍ଥିତ।

ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ବ୍ୟାପୀ ଅବସ୍ଥାନ କରନ୍ତି, ତାହାକୁ ଆଡ଼ପ ମଣ୍ଡପ କୁହାଯାଏ । କିନ୍ତୁ ପୁରାଣମାନଙ୍କରେ ଏହି ମଣ୍ଡପକୁ ଆଡ଼ପ ମଣ୍ଡପ ବୋଲି ବର୍ଣ୍ଣନା କରାନଯାଇ ଯଜ୍ଞବେଦୀ ଓ ମହାବେଦୀ ବୋଲି ଉଲ୍ଲେଖ କରାଯାଇଛି।

ଯଥା :

ଯଜ୍ଞ ବେଦୀରିୟମ୍ ବୋଷ୍ଣୋ ଜନ୍ମଭୂମିସ୍ତବ ପ୍ରଭୋ
ପୂର୍ବ ତ୍ୱୟା ଭଗବତା ସପ୍ତାହ ମଣ୍ଡପୋତ୍ତମେ
ତିଷ୍ଠେୟୁ ରିତ୍ୟାଜ୍ଞା ଦତ୍ତ ତତୋ ଯାହି ଜଗତ୍ପତେ,

(ନୀଳାଦ୍ରି ମହୋଦୟ, ପ୍ରଥମ ଅଧ୍ୟାୟ)

ତ୍ରୈଲୋକ୍ୟାଡ଼ମ୍ବର ଯିତ୍ର୍ ମାହାବିଦ୍ୟାଂ ମହାତ୍ରତୋଃ
ପ୍ରାଦୁର୍ଭାବୋ ମହେଶସ୍ୟ ଯତ୍ରାର୍ଭୁଦ୍ଦାରୁ ବର୍ଷ୍ମତାଃ ।
( ସ୍କନ୍ଧ, ବୈଷ୍ଣବ ଖଣ୍ଡ, ୩୩ ଅଧ୍ୟାୟ)

ପରବର୍ତ୍ତୀ କାଳରେ ଏହି ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସାଟୋପସ୍ଥିତି ଦେଖି ଏହି ମଣ୍ଡପକୁ ଆଡ଼ପ ମଣ୍ଡପ କୁହାଯାଇଛି ବୋଲି ପଣ୍ଡିତ ହରିହର ମହାପାତ୍ର ମତ ପ୍ରକାଶ କରିଛନ୍ତି। ଶ୍ରୀବିଗ୍ରହମାନଙ୍କର ଆଡ଼ପ ମଣ୍ଡପରେ ଅବସ୍ଥାନ ସମୟରେ ଦର୍ଶନାର୍ଥୀ ତଥା ହକ୍ତ ସମାଜ ସେଠାରେ ସ୍ମବେତ ହେବା ପୂର୍ବକ ବ୍ରତ ପାଳନ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ ଓ ତ୍ରିକାଳ ଦର୍ଶନର ପ୍ରଶସ୍ତି ଥିଲେ ମଧ୍ୟ ସନ୍ଧ୍ୟା ବା ରାତ୍ରିକାଳୀନ ଦର୍ଶନରେ ମହାପୂଣ୍ୟ ହୋଇଥାଏ ବୋଲି ପୁରାଣ ଓ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ରହିଅଛି। ଯଥା :

ଦିବାତଦ୍ ଦର୍ଶନଂ ପୁଣ୍ୟଂ ରାତ୍ରୌ ଦଶଗୁଣଂ ଭବେତ୍
ସପ୍ତାହଂ ଯୋ ନରୋନାରୀ ନ ସା ପ୍ରାକୃତ ମାନୁଷୀ ।
(ସ୍କନ୍ଧ/୩୪ ଅଧ୍ୟାୟ)

ଅତ୍ର ସ୍ଥଳେ ନକ୍ତକାଳେ ଯେ ପଶ୍ୟନ୍ତି ସୁପ୍ପୂଜିତାନ୍
ବୈକୁଣ୍ଠ ଭୂବନେ ନିତ୍ୟ୍ଂ ତେ ବସନ୍ତି ନ ସଂଶୟଃ ।
(ବାମଦେବ ସଂହିତା, ୧୭ ଅଧ୍ୟାୟ)

ବିଭିନ୍ନ ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ ଅଟେ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ସାବଧାନ ଭାବେ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ , ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ । ବିଶେଷତଃ ଏକ ଦିନର ରାତ୍ରିକାଳୀନ ଦର୍ଶନରେ ଉକ୍ତ ଫଳ ଦଶଗୁଣ ପରିବର୍ଦ୍ଧିତ ହୋଇଥାଏ। ସେହି ପରି ଜନସାଧାରଣରେ ବହୁ ପ୍ରଚାରିତ ନୀଳାଦ୍ରୌ ଶତବର୍ଷାଣି ଆଡ଼ପେ ମଣ୍ଡପେ ଦିନେ ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ , ଦୀପ ପ୍ରଜ୍ଜ୍ୱଳନ , ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଅପ୍ୟାୟିତ କରିଥିବା ଜଣାଯାଏ। ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡା଼ ପୂର୍ବ ଦିନର ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇ ଆସୁଅଛି। ଉକ୍ତ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି। ମୋଟ ଉପରେ ଏଠାରେ ସନ୍ଧ୍ୟା ଶବ୍ଦର ଅର୍ଥ ଅନ୍ତିମ ବୋଲି ବୁଝିବାକୁ ହେବ । ଉକ୍ତଦିନ ଠାକୁରମାନଙ୍କ ବଡ଼ ସିଂହାର ନୀତି ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହା ପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧା କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଦଇତାପତିମାନେ ଗୁପ୍ତ ନୀତି ପାଇଁ ପ୍ରସ୍ତୁତ ହୋଇଥାନ୍ତି।

ଜୟ ଶ୍ରୀ ଜଗନ୍ନାଥ🙏

Leave a Reply

Your email address will not be published. Required fields are marked *