“ସାଧାରଣ ଲୋକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥର ସୁରକ୍ଷା ହେବା ଉଚିତ୍।” ନୂଆ ୟୁପିଆଇ ନିୟମକୁ ନେଇ ନବୀନଙ୍କ ବଡ଼ ବୟାନ

Spread the love

UPI ପ୍ରସଙ୍ଗରେ ନବୀନଙ୍କ ବଡ଼ ବୟାନ: ‘ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର’

ଭୁବନେଶ୍ୱର: ନୂଆ ୟୁପିଆଇ ନିୟମକୁ ନେଇ ନବୀନଙ୍କ ବଡ଼ ବୟାନ । ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଦରକାର । ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୧୦ ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ନୂଆ ୟୁପିଆଇ (UPI) କାରବାର ଶୁଳ୍କକୁ ନେଇ ସେ ଉଦବେଗ ପ୍ରକାଶ କରିବା ସହ ସାଧାରଣ ନାଗରିକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି।

ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ସାଧାରଣ ଲୋକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥର ସୁରକ୍ଷା ହେବା ଉଚିତ୍।” ଛୋଟ ଦୋକାନୀ ଏବଂ ଉଠାଦୋକାନୀମାନଙ୍କ ଆର୍ଥିକ ନିରାପତ୍ତାକୁ ପ୍ରାଥମିକତା ଦେବା ପାଇଁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ୟୁପିଆଇ ଫି ବା ଶୁଳ୍କ ସମ୍ବନ୍ଧରେ ସରକାର ଏବଂ ବ୍ୟାଙ୍କିଙ୍ଗ୍ ନିୟମରେ କିଛି ନୂଆ ପରିବର୍ତ୍ତନ ଅଣାଯାଇଛି। ନୂତନ ଗାଇଡଲାଇନ ଅନୁଯାୟୀ ମର୍ଚ୍ଚାଣ୍ଟମାନଙ୍କ ପାଇଁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ସମ୍ପୂର୍ଣ୍ଣ ମାଗଣା ରହିଛି।

ବଡ଼ ବ୍ୟବସାୟୀଙ୍କ କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଅଧିକ କାରବାର ଉପରେ ୦.୪% ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ ହେବ, ଯାହାର ସର୍ବାଧିକ ସୀମା ୩୦୦ ଟଙ୍କା ରଖାଯାଇଛି। ସେହିପରି ରେଳବାଇ, ଇନ୍ଧନ, ବୀମା ଏବଂ ଟେଲିକମ୍ କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ କାରବାର ପାଇଁ ଫ୍ଲାଟ୍ ୫ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ ମାସିକ ୧ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ତଥା P2P ବର୍ଗରେ ଆସୁଥିବା ଛୋଟ ଦୋକାନୀ ଓ ଉଠାଦୋକାନୀମାନଙ୍କୁ ଏହି ନୂଆ ଶୁଳ୍କରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ବନ୍ଧୁ ଓ ସମ୍ପର୍କୀୟଙ୍କ ମଧ୍ୟରେ ବ୍ୟକ୍ତିଗତ ଟଙ୍କା ନେଣଦେଣ (P2P) ପୂର୍ବଭଳି ସମ୍ପୂର୍ଣ୍ଣ ମାଗଣା ରହିବ।

ନୂଆ ଗାଇଡଲାଇନ ଅନୁଯାୟୀ, ଗ୍ରାହକଙ୍କଠାରୁ ବ୍ୟବସାୟୀମାନେ ଏହି MDR ଶୁଳ୍କ ଆଦାୟ କରିପାରିବେ ନାହିଁ ଏବଂ ୟୁପିଆଇ ଆପ୍ ଗୁଡ଼ିକୁ କୌଣସି ପ୍ରକାରର ଲୁକ୍କାୟିତ ପ୍ଲାଟଫର୍ମ ଫି ନେବା ଉପରେ କଡ଼ା କଟକଣା ଲଗାଯାଇଛି।