“ଅଦୃଶ୍ୟ ହେବା ଓ ରାଜା ଲଙ୍ଗଳା’ଏଭଳି ଦୁଇଟି ଗପ କିନ୍ତୁ ଗୋଟିଏ ପ୍ରଶ୍ନ ଉପରେ ଆଧାରିତ।”
👇:-
ବହୁତ ବର୍ଷ ତଳର ଗୋଟିଏ ହିନ୍ଦୀ ସିନେମା (ନାମଟି ଏବେ ସଠିକ୍ ଭାବେ ମନେ ପଡ଼ୁନାହିଁ -ବୋଧେ ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା”ଏଲାନ”)ରେ ନାୟକ ଅଦୃଶ୍ୟ ହୋଇ ଖଳନାୟକଙ୍କୁ ବିଭିନ୍ନ ଉପାୟରେ ହଇରାଣ କରୁଥିଲେ। ଶେଷରେ ଖଳନାୟକ ମଧ୍ୟ ଅଦୃଶ୍ୟ ହେବାକୁ ଚେଷ୍ଟା କରି ସର୍ବସାଧାରଣଙ୍କ ସମ୍ମୁଖରେ ଲଙ୍ଗଳା ହୋଇ ହାସ୍ୟାସ୍ପଦ ପରିସ୍ଥିତିରେ ପଡ଼ିଥିଲେ।
ଆଜିର ବାସ୍ତବ ଜୀବନରେ ମଧ୍ୟ ବେଳେବେଳେ ଲାଗେ, କିଛି ଦାୟୀ ବ୍ୟକ୍ତି ପ୍ରଶ୍ନ ଉଠିଲେ ହଠାତ୍ “ଅଦୃଶ୍ୟ” ହୋଇଯାଆନ୍ତି; ପୁଣି ମଝିରେ ମଝିରେ ଦେଖାଦେଇ କିଛି କହି ପୁଣି ନିରବ ହୋଇଯାଆନ୍ତି। କିନ୍ତୁ ପ୍ରଶ୍ନଗୁଡ଼ିକ କେବେ ଅଦୃଶ୍ୟ ହୁଏନାହିଁ।
ଏହି ପ୍ରସଙ୍ଗରେ ମନେ ପଡ଼େ ଡେନମାର୍କର ପ୍ରସିଦ୍ଧ କଥାକାର ହାନ୍ସ କ୍ରିଷ୍ଟିଆନ୍ ଆଣ୍ଡରସନଙ୍କ ବିଶ୍ୱପ୍ରସିଦ୍ଧ କାହାଣୀ “The Emperor’s New Clothes”।
କାହାଣୀରେ ଦୁଇଜଣ ଠକ ନିଜକୁ ଅତି ବଡ଼ ବୁଣାକାର ବୋଲି ପରିଚୟ ଦେଇ ରାଜାଙ୍କୁ ବିଶ୍ୱାସ କରାଇଥିଲେ ଯେ “ସେମାନେ ଏମିତି ଏକ ଅଲୌକିକ ପୋଷାକ ବୁଣିବେ, ଯାହା କେବଳ ବୁଦ୍ଧିମାନ ଓ ଯୋଗ୍ୟ ବ୍ୟକ୍ତିମାନେ ଦେଖିପାରିବେ; ମୂର୍ଖ ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ତାହା ଦେଖାଯିବ ନାହିଁ। ବାସ୍ତବରେ କୌଣସି ପୋଷାକ ଥିଲା ନାହିଁ।”
କିନ୍ତୁ ନିଜକୁ ମୂର୍ଖ ପ୍ରମାଣିତ ହେବାର ଭୟରେ ରାଜା, ମନ୍ତ୍ରୀ, ଦରବାରୀ ଏବଂ ପ୍ରଜା,ସମସ୍ତେ ସେହି ଅଦୃଶ୍ୟ ପୋଷାକର ପ୍ରଶଂସା କରିଚାଲିଲେ। ଶେଷରେ ରାଜା ସେହି “ପୋଷାକ” ପିନ୍ଧି ନଗର ପରିକ୍ରମା କରୁଥିବାବେଳେ ଜଣେ ନିଷ୍ପାପ ପିଲା ହଠାତ୍ ଚିତ୍କାର କରି କହି ଉଠିଥିଲା ,”ହେଇଟି… ରାଜା ଲଙ୍ଗଳା!”
ସେହି ଗୋଟିଏ ବାକ୍ୟରେ ସବୁ ଭ୍ରମ ଭାଙ୍ଗିଯାଇଥିଲା। ସତ୍ୟକୁ ଆଉ ଲୁଚାଇ ରଖିହେଲା ନାହିଁ।
ବୋଧହୁଏ ପ୍ରତ୍ୟେକ ଯୁଗରେ ନୂଆ ଯାଦୁକରର ଆବଶ୍ୟକତା ନାହିଁ, ନାହିଁ ଅଦୃଶ୍ୟ ହେବାର କୌଶଳର।ଆବଶ୍ୟକତା କେବଳ ସେହି ପିଲାଟିଏର, ଯିଏ ନିର୍ଭୟରେ ସତ୍ୟ କହିପାରିବ।
କାରଣ ଇତିହାସ ସାକ୍ଷୀ,”ରାଜା ଲଙ୍ଗଳା” ବୋଲିବାକୁ ଜଣେ ହେଲେ ଯଥେଷ୍ଟ; ତା’ପରେ ଅଦୃଶ୍ୟ ଭ୍ରମ ବେଶି ସମୟ ରହିପାରେ ନାହିଁ।
କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ବେଳେବେଳେ ଲଙ୍ଗଳା ହୋଇଥିବା ରାଜା ମଧ୍ୟ କହିଚାଲନ୍ତି,”ମୁଁ ଲଙ୍ଗଳା ନୁହେଁ”; ଆଉ ଚାରିପାଖରେ ଥିବା ଅନେକ ଭକ୍ତ ସେହି କଥାରେ ହିଁ ତାଳି ମାରୁଥାନ୍ତି।
ଆଜିର କଥାଟି “ବାସ୍ ଏତିକି”।
ତୁଷାର କାନ୍ତ ଶତପଥୀ ଭୁବନେଶ୍ୱର












Leave a Reply