Spread the love

୪୨ ତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ – ୨୦୨୫ ଅନୁଷ୍ଠିତ । ଢ଼େଙ୍କାନାଳ, ତା. ୨୪.୧୨. ୨୦୨୫- ଦର୍ଶନ ସମୀକ୍ଷା

ଆଜି ସ୍ଥାନୀୟ ଲକ୍ଷ୍ମୀଧର ମୁନିସପାଲ ହାଇ ସ୍କୁଲ ଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ,ଢେଙ୍କାନାଳ ପକ୍ଷରୁ ୪୨ ତମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଅଛି । ଶ୍ରୀରାମ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ଦଳେଇ ଯୋଗଦେଇ, ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ଓଷ୍ଟାର ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି । ଶିକ୍ଷା ଅମୂଲ୍ୟ ସମ୍ପଦ । ଶିକ୍ଷା ସହିତ ଶିଶୁମାନଙ୍କ ମଧ୍ୟରେ ଥିବା ଗୁଣାବଳୀର ବିକାଶ, ଗୁରୁମାନଙ୍କ ଉଦ୍ୟମ ଓ ଆଶିର୍ବାଦ ଯୋଗୁଁ ସମ୍ଭବ ହୋଇ ଥାଏ ବୋଲି ସେ ପ୍ରକାଶ କରିଛନ୍ତି । ଉତ୍ସବରେ ମୁଖ୍ୟ ବକ୍ତାଭାବେ ଟି.ସି.ଏସ. ର ଇଂଜିନିୟର ଶ୍ରୀ ପ୍ରତାପ କୁମାର ବେହେରା ଯୋଗ ଦେଇ, ଶିକ୍ଷା ହିଁ ବିକାଶର ଏକମାତ୍ର ମାଧ୍ୟମ, ଶିକ୍ଷା ସାମଗ୍ରିକ ବିକାଶର ମେରୁଦଣ୍ଡ ବୋଲି ପ୍ରକାଶ କରିଛନ୍ତି । ପ୍ରତିଯୋଗତା ମାଧ୍ୟମରେ ବିକଶିତ ହୋଇ ଆମେ ଶୀର୍ଷ ସ୍ଥାନରେ ପହଞ୍ଚିପାରିବା ବୋଲି ସେ ମତବ୍ୟକ୍ତ କରିଛନ୍ତି । ଗୁରୁଙ୍କ ସାନ୍ନିଧ୍ୟରେ ଅନ୍ତର୍ନିହିତ ଶକ୍ତିର ବିକାଶ ତ୍ୱରାନ୍ୱିତ ହୋଇଥାଏ ଓ ସମାଜରେ ପ୍ରତିଷ୍ଠା ମିଳିଥାଏ, ଏଣୁ ଗୁରୁଙ୍କ ଠାରୁ ସମସ୍ତ ପ୍ରକାରର ଶିକ୍ଷା ପ୍ରାପ୍ତ ହେବା ଉଚ଼ିତ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ସମରେନ୍ଦ୍ର ଶତପଥୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଇତିଶ କୁମାର ବରାଳ, ଓଷ୍ଟାର ସଂପାଦକ ଶ୍ରୀ ଶଶିକାନ୍ତ ଦାସ, ଉପଦେଷ୍ଟା ତଥା ପ୍ରାକ୍ତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ଧଳ, ସମାଜସେବୀ ଶ୍ରୀ ସତ୍ୟବାନ ପାତ୍ର, ପ୍ରାକ୍ତନ ସଂପାଦକ ଶ୍ରୀ ବିଭୂତି ଭୂଷଣ ସାମଲ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କ ଶିକ୍ଷା ଓ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଦିଗରେ ଓଷ୍ଟାର ଗୁରୁତ୍ଵପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋକପାତ କରିିଥିଲେ । ଶେଷରେ ଜିଲ୍ଲା ଓଷ୍ଟା ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ସନ୍ତୋଷ କୁମାର ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବ୍ଳକ ସ୍ତରରୁ ଉର୍ତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଜି ତର୍କ, କଣ୍ଠ ସଂଗୀତ, ଚିତ୍ରାଙ୍କନ,ଆବୃତ୍ତି,ଗଳ୍ପ ଲିଖନ, କବିତା ରଚ଼ନା,ଏକକ ଅଭିନୟ, ଏକକ ନୃତ୍ୟ, ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଆସନ୍ତା ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *