ପ୍ରେରଣା
ରାତାରାତି ସଫଳତା ପାଇଯିବାର କାହାଣୀ ଏବଂ ବ୍ୟାପକ ଲୋକପ୍ରିୟତାର ସମ୍ବେଦନଶୀଳତାରେ ଆକ୍ରାନ୍ତ ଏହି ବିଶ୍ୱରେ, ଶାନ୍ତ ଏବଂ ଅସାଧାରଣ ଶକ୍ତିକୁ ଅଣଦେଖା କରିବାଟା ଅତି ସହଜ କିନ୍ତୁ ଯାହା ପ୍ରକୃତରେ ଅସଲି ଲୋକପ୍ରିୟତା ଗଠନ କରେ, ଦକ୍ଷତା ହାସଲ କରେ ଏବଂ ଜୀବନକୁ ପରିବର୍ତ୍ତନ କରେ, ତାହା ପ୍ରକୃତରେ ହେଉଛି, ନିରନ୍ତରତା ବା ପ୍ରତିବଦ୍ଧତା (Consistency)।
ଆମେ ପ୍ରାୟତଃ ଏକ ନୂତନ ପ୍ରୟାସ ଆରମ୍ଭ କରୁ – ଏକ ଫିଟନେସ୍ ରୁଟିନ୍ ବା ବ୍ୟାୟାମ ଯୋଜନା, ଏକ ନୂତନ ଭାଷା ଶିଖିବା, କିମ୍ବା ଏକ ବ୍ୟକ୍ତିଗତ ପ୍ରକଳ୍ପ – ପ୍ରାରମ୍ଭିକ ଉତ୍ସାହର ବିସ୍ଫୋରଣ ସହିତ, କେବଳ ଯେତେବେଳେ ଏହାର ତୁରନ୍ତ ଫଳାଫଳ ଦେଖାଯାଏ ନାହିଁ, ସେତେବେଳେ ସେହି ଶକ୍ତି ବା ଉତ୍ସାହ କ୍ଷୀଣ ହୋଇଯାଏ।
ସତରେ କହିବାକୁ ଗଲେ, ଆଶୀର୍ବାଦର କୃପା ରେଣୁ, କ୍ୱଚିତ୍ ଅବା କବା ଏକ ବିଶେଷ ମୁହୂର୍ତ୍ତରେ ଆସେ, ଏବଂ ତାହାହିଁ ହେଉଛି ନିରନ୍ତର ଭାବେ ଜୀବନ ଶୈଳୀରେ ସଦାଚାର ମନୋବୃତି ପ୍ରୟୋଗ କରିବାର ଏକ ସ୍ୱାଭାବିକ ପରିଣାମ।
ସ୍ଥିରତା, ନିରନ୍ତରତା, ପ୍ରତିବଦ୍ଧତା ବା ନିରବିଛ୍ଛିନ୍ନତା କୌଣସି ଏକ ମହାନ, କ୍ରାନ୍ତିକାରୀ ପସନ୍ଦ ବିଷୟରେ ନୁହେଁ; ବରଂ ସମୟ ଦେଇ ବାରମ୍ବାର ନିରନ୍ତର ଭାବରେ କରାଯାଇଥିବା ଛୋଟ ଛୋଟ, ସୁନ୍ଦର ପ୍ରୟାସ ଆମକୁ ମହାନ କରାଇଥାଏ। ପ୍ରତିଦିନ ଏକ ପୁସ୍ତକରୁ କେବଳ ପାଞ୍ଚ ପୃଷ୍ଠା ପଢିବା ସହଜ, ଏପରିକି ନ ପଢିବା ମଧ୍ୟ ସହଜ। କିନ୍ତୁ ଯେଉଁ ବ୍ୟକ୍ତି ଏକ ଦଶନ୍ଧି ଧରି ନିରନ୍ତର ପଢିଆସିଛନ୍ତି, ସେ ଅଗଣିତ ପୁସ୍ତକରୁ ନିଶ୍ଚିତ ଭାବେ ଜ୍ଞାନ ଏବଂ ଅନୁଭବ ଗ୍ରହଣ କରିଥିବେ, ମାତ୍ର ଅପରପକ୍ଷରେ ଦୈନିକ କିଛି ପୃଷ୍ଠା ପଢିବା ଅଭ୍ୟାସକୁ ଛାଡି ଦେଇଥିବା ବ୍ୟକ୍ତି ଆଉ ଆଗକୁ ବଢିପାରନ୍ତି ନାହିଁ। ଏହାହିଁ ହେଉଛି ନିରନ୍ତର ଅଭ୍ୟାସର ଚକ୍ରବୃଦ୍ଧି ସୁଧଶକ୍ତି – ପ୍ରତ୍ୟେକ କାର୍ଯ୍ୟରେ ନିରନ୍ତରତା ଦିନେ ନା ଦିନେ ଏକ ବହୁତ ବଡ଼ ସଫଳତା ଆଣିଦେବାର ଏକ ପ୍ରକ୍ରିୟା ଯାହା କେବଳ ସମୟ ସହିତ ଦୃଶ୍ୟମାନ ହୁଏ।
ଏହି ପ୍ରକାରେ ଲଭ୍ୟ ଆତ୍ମସନ୍ତୋଷ, ଆମର ବାହ୍ୟ ସଫଳତା ଅପେକ୍ଷା ଅନେକାଂଶରେ ଯଥେଷ୍ଟ ବିସ୍ତାରିତ ଓ ସନ୍ତୋଷଜନକ। କାର୍ଯ୍ୟରେ ନିରନ୍ତରତା, ଏକ ଅନୁପମ ଗତି ସୃଷ୍ଟି କରେ, ଯାହା ଆପଣଙ୍କ ମନକୁ ଶୃଙ୍ଖଳିତ ଏବଂ ନିରନ୍ତରତା ଦିଗରେ ତାଲିମ ଦିଏ, ଯେତେବେଳେ କି ଆମେ ବାହ୍ୟ ପ୍ରେରଣାର ହ୍ରାସ ଅନୁଭବ କରିଥାଉ। ଏହା ଆପଣଙ୍କୁ ଅଭ୍ୟାସ ବିକଶିତ କରିବାରେ ସାହାଯ୍ୟ କରେ, କଷ୍ଟକର କାର୍ଯ୍ୟଗୁଡ଼ିକୁ ଅଦ୍ୱିତୀୟ ସୁପରିଣାମରେ ପରିଣତ କରେ, ଯେପରିକି ଦାନ୍ତ ଘଷିବା।
ହୁଏତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିରବିଛ୍ଛିନ ନିରନ୍ତରତା ଆପଣଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରେ। ବାରମ୍ବାର ନିଜ ପାଇଁ ସ୍ଵ ଉପଲବ୍ଧି ପାଇ, ଆପଣ ଏକ ଦୃଢ଼, ବିଶ୍ୱସନୀୟ ଆତ୍ମ-ପ୍ରତିଛବି ନିର୍ମାଣ କରନ୍ତି, ନିଜକୁ ପ୍ରମାଣ କରନ୍ତି ଯେ ଆପଣ ସକ୍ଷମ ଏବଂ ପ୍ରତିବଦ୍ଧ। ସମ୍ଭାବନା ଗୁଡ଼ିକ ଅପରିବର୍ତ୍ତିତ ରହିଥାଏ, ନିରନ୍ତରତା ବା ପ୍ରତିବଦ୍ଧତା ସହାୟତାରେ ସେଗୁଡିକ ହାସଲ କରିହୁଏ। ଯେପରି ଡେନଜେଲ ୱାଶିଂଟନ ଥରେ କହିଥିଲେ, “ପ୍ରତିବଦ୍ଧତା ବିନା, ଆପଣ କେବେ କୌଣସି କାର୍ଯ୍ୟ ଆରମ୍ଭ କରିପାରିବେ ନାହିଁ, କିନ୍ତୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିରନ୍ତରତା ବିନା, ଆପଣ କେବେ କୌଣସି କାର୍ଯ୍ୟ ସମାପ୍ତ ମଧ୍ୟ କରିପାରିବେ ନାହିଁ”। ଛୋଟରୁ ଆରମ୍ଭ କରନ୍ତୁ, ପ୍ରତିବଦ୍ଧ ରୁହନ୍ତୁ ଏବଂ ପ୍ରକ୍ରିୟା ଉପରେ ବିଶ୍ୱାସ କରନ୍ତୁ। ଆପଣ ଯେଉଁଠାରେ ପାଣି ଦିଅନ୍ତି ସେଠାରେ ଘାସ ମଧ୍ୟ ସବୁଜ ହୋଇଥାଏ।
ଆଶୁତୋଷ ମିଶ୍ରଙ୍କ ଦ୍ଵାରା ଅନୁବାଦିତ
୨୩ /୧୨/୨୫
















Leave a Reply