ବାତ୍ୟା ସହାୟତାକୁ ନେଇ ପାରଳା ସମୁଟିଆ ସାହି ବାସିନ୍ଦାଙ୍କ ଅସନ୍ତୋଷ….
ପୌର ପରିଷଦ ଘେରାଉ ଚେତାବନୀ
ପାରଳାଖେମୁଣ୍ଡି, 6/11(ତାରିଣୀ ପ୍ରସାଦ ପଣ୍ଡା): ବାତ୍ୟା କ୍ଷୟକ୍ଷତି ସହାୟତାକୁ ନେଇ ପାରଳାଖେମୁଣ୍ଡି ପୌରାଞ୍ଚଳର ସମୁଟିଆ ସାହି ବସ୍ତିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାତ୍ୟା ସମୟରେ ସହାୟତା ପାଇଁ ସ୍ଥିର ହୋଇଥିବା ବେଳେ ଏବେ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ହେବା ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ କ୍ଷୁବ୍ଧ ବସ୍ତିବାସୀ ପୌର ପରିଷଦ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ବାତ୍ୟା ସମୟରେ ମନ୍ତ୍ରୀ ଆସିବେ ବୋଲି କହି ସମୁଟିଆ ସାହିର ବସ୍ତିବାସୀଙ୍କୁ ଏକତ୍ରିତ ହେବାକୁ ଡକାଯାଇଥିଲା। ମନ୍ତ୍ରୀଙ୍କ ଆଗମନ ପାଇଁ ଏହି ସାହି ବାସିନ୍ଦାମାନେ ଲୋକ ଅପେକ୍ଷା କରିଥିଲେ ମଧ୍ୟ ଶେଷରେ ମନ୍ତ୍ରୀ ଆସିନଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ସେତେବେଳେ ମଧ୍ୟ ବସ୍ତିବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।
ଏବେ ବାତ୍ୟା କ୍ଷୟକ୍ଷତି ସହାୟତା ବଣ୍ଟନକୁ ନେଇ ଆଉ ଏକ ବିବାଦ ସାମ୍ନାକୁ ଆସିଛି। କେବଳ ସେହି ସମୟରେ ଉପସ୍ଥିତ ଥିବା ଲୋକଙ୍କୁ ସହାୟତା ମିଳିବ ବୋଲି କୁହାଯାଉଥିବା ଅଭିଯୋଗ ଉଠିଛି। ଫଳରେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅନେକ ପରିବାର ସହାୟତାରୁ ବଞ୍ଚିତ ହେବା ଆଶଙ୍କାରେ ରହିଛନ୍ତି।
ବସ୍ତିବାସୀଙ୍କ ଅଭିଯୋଗ ଅନୁଯାୟୀ, ବାତ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟସଙ୍ଗତ ଭାବେ ସହାୟତା ଦିଆଯିବା ଆବଶ୍ୟକ। ଉପସ୍ଥିତିକୁ ଆଧାର କରି ସହାୟତା ବଣ୍ଟନ କରାଯିବା ଦ୍ୱାରା ପ୍ରକୃତ କ୍ଷତିଗ୍ରସ୍ତ ଲୋକ ଅନ୍ୟାୟର ଶିକାର ହୋଇପାରନ୍ତି ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ପରିସ୍ଥିତିରେ ସମୁଟିଆ ସାହି ବସ୍ତିବାସୀ ନିଜ ଦାବି ଉପସ୍ଥାପନ କରିବା ସହ ପୌର ପରିଷଦ ନିକଟରେ ନ୍ୟାୟ ଦାବି କରିଛନ୍ତି। ଯଦି ସମସ୍ୟାର ସମାଧାନ ନହୁଏ ଏବଂ ବାତ୍ୟା କ୍ଷୟକ୍ଷତି ସହାୟତାରୁ ବଞ୍ଚିତ ପରିବାରଙ୍କୁ ନ୍ୟାୟ ନ ମିଳେ, ତେବେ ପୌର ପରିଷଦ ଘେରାଉ କରାଯିବ ବୋଲି ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି ।
ଗଜପତିରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଓ ଶ୍ରୀଅନ୍ନ ଅଭିଯାନ ପାଳିତ*
ପାରଳାଖେମୁଣ୍ଡି, ୬.୧୧(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ‘ଶ୍ରୀ ଅନ୍ନ ଅଭିଯାନ’ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ପାଳିତ ହୋଇଯାଇଛି। ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ରାଜ୍ୟସ୍ତରୀୟ ଶ୍ରୀଅନ୍ନ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ସହିତ ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବ ବିବିଧତା ସମ୍ପର୍କିତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ଆଡେକ୍, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀ ନିରୋଦ ଚନ୍ଦ୍ର ନାୟକ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ ଦୁଷ୍ମନ୍ତ କୁମାର ମହୋଦୟ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ସଂଗ୍ରାମ ପରମଗୁରୁ, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ମଙ୍ଗରାଜ ଓ ଉପ-ଆରକ୍ଷୀ ଅଧୀକ୍ଷକ ଶ୍ରୀ ନିରଞ୍ଜନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଆଡେକ୍ ସ୍ୱାଗତ ଭାଷଣ ପ୍ରଦାନ କରି ମାଣ୍ଡିଆ ଚାଷର ଗୁରୁତ୍ୱ ଓ ଏହାର ପୁଷ୍ଟିକର ଗୁଣ ସମ୍ପର୍କରେ ଆଲୋକପାତ କରିଥିଲେ। ମାଣ୍ଡିଆରେ ପ୍ରଚୁର ପରିମାଣର ପ୍ରୋଟିନ୍, ଖାଦ୍ୟ ଆହାର ତନ୍ତୁ ଓ ବିଭିନ୍ନ ପୁଷ୍ଟିକର ଉପାଦାନ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ସେ କହିଥିଲେ।
ପାରଳାଖେମୁଣ୍ଡି ବିଧାୟକଙ୍କ ନିଜ ଅଭିଭାଷଣରେ ଗଜପତି ଜିଲ୍ଲାରେ ମାଣ୍ଡିଆ ଚାଷର ବ୍ୟାପକ ପ୍ରସାର ଓ ଉନ୍ନତିକରଣ ଉପରେ ଗୁରୁତ୍ୱ ଦେଇଥିଲେ। ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ ହେବା ସହ ଚାଷୀଙ୍କ ପାଇଁ ଏକ ଲାଭଦାୟକ ଫସଲ। ତେଣୁ ଜିଲ୍ଲାର ସମସ୍ତ ବ୍ଲକର ଚାଷୀମାନେ ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କରି ନିଜର ଆୟ ବୃଦ୍ଧି କରିବା ସହ ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ୍ ଖୋଲାଯାଇ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ଓ ଉତ୍ପାଦ ପ୍ରଦର୍ଶନ କରାଯାଇଥିଲା। ଉତ୍କୃଷ୍ଟ ମାଣ୍ଡିଆ ଚାଷ କରିଥିବା ଜିଲ୍ଲାର ୧୦ ଜଣ ଅଗ୍ରଣୀ ଚାଷୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
କୃଷି ବିଭାଗ ପକ୍ଷରୁ ଗ୍ରାମପଞ୍ଚାୟତ ସ୍ତରରେ ମାଣ୍ଡିଆ ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରି ଅଧିକରୁ ଅଧିକ ଚାଷୀଙ୍କୁ ଏହି ଚାଷ ପ୍ରତି ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ କୃଷି ଅଧିକାରୀ ତଥା ମିଲେଟ୍ ମିଶନ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ପ୍ରଧାନ, ଶ୍ରୀମତୀ ଶୁଭଶ୍ରୀ ପ୍ରିୟଦର୍ଶିନୀ, ଶ୍ରୀ କେ. ସୁରଜ କୁମାର ପାତ୍ର, ଶ୍ରୀ ସୋମେସ୍ ମୈତ୍ରୀ ଓ ଶ୍ରୀ ଗଗନ ବିହାରୀ ପାଳ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ସାତଟି ବ୍ଲକରୁ ଚାଷୀ, କୃଷି ବିଶେଷଜ୍ଞ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ କୃଷି ବିଭାଗର କର୍ମଚାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଗଜପତିର କେତିଁଙ୍ଗି ଅଞ୍ଚଳରେ ହାତୀ ଆତଙ୍କ
ପାରଳାଖେମୁଣ୍ଡି, 6/11(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାର କାଶୀନଗର ବ୍ଲକ କେତିଙ୍ଗି ଗ୍ରାମ ଅଞ୍ଚଳରେ ହାତୀ ଆତଙ୍କ ଦେଖା ଦେଇଛି. ଲୋକେ ହାତୀମାନଙ୍କ ଭୟରେ ଆତଙ୍କିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି. ଗତକାଲି ରାତିରେ କେତିଁଙ୍ଗି ଅଞ୍ଚଳରେ ହାତୀର ଉପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଥିଲା.

ଏହି ଖବର ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଜାଣିବା ପରେ ଅନ୍ଧାର ରାତିରେ ସେଠାରେ ପହଞ୍ଚି ଥିଲେ. ପରେ ବନବିଭାଗ କର୍ମଚାରୀଙ୍କ ସହ ବିଧାୟକ ଜଙ୍ଗଲ ଭିତରକୁ ଯାଇ ହାତୀର ଗତିବିଧି, ତାହାର ଚଳପ୍ରଚଳ ଅଞ୍ଚଳ ଏବଂ ଜନସାଧାରଣଙ୍କ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ବିପଦ ସମୟରେ ଅଞ୍ଚଳବାସୀଙ୍କ ସୁରକ୍ଷା ଓ ସତର୍କତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ହାତୀ ଆତଙ୍କକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ସମ୍ଭାବ୍ୟ ବିପଦରୁ ସୁରକ୍ଷିତ ରଖିବା ପାଇଁ ବନବିଭାଗର ପଦକ୍ଷେପ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ରାତିର ଅନ୍ଧାରରେ ଜଙ୍ଗଲ ଭିତରକୁ ପ୍ରାୟ ୨ କିଲୋମିଟର ପଦଯାତ୍ରା କରି ବିଧାୟକଙ୍କ ଏହି ଅନୁଧ୍ୟାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ହାତୀ ଆତଙ୍କ ଭଳି ସମ୍ବେଦନଶୀଳ ସମସ୍ୟାରେ ଜନସାଧାରଣଙ୍କ ସୁରକ୍ଷା, ବନବିଭାଗର ସମନ୍ୱୟ ଓ ସତର୍କତା ରକ୍ଷା ଉପରେ ଏହି ଗସ୍ତ ଗୁରୁତ୍ୱ ଆରୋପ କରିଛି।
ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ
ପାରଳାଖେମୁଣ୍ଡି,୬.୧୧(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟ ମୀନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,

ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ. ଗିରିଧାରୀ, ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ରାମ ପ୍ରସାଦ , ଗୋସାଣୀ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଟି.କିଶୋର କୁମାର ଓ ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।
ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ନିଜ ବକ୍ତବ୍ୟରେ କହିଥିଲେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ଏକ ଉତ୍ତମ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଥିଲେ। କୌଣସି ସଙ୍କୋଚ କିମ୍ବା ଭୟ ନକରି ଆତ୍ମବିଶ୍ୱାସର ସହ ପ୍ରତିଯୋଗିତାରେ ଭାଗନେଇ ଆଗକୁ ବଢ଼ିବାକୁ ସେ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।
ଚଳିତ ବର୍ଷ ଜିଲ୍ଲାର ସାତଟି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଏହି ମହୋତ୍ସବରେ ଯୋଗଦେଇଥିଲେ। ଏଥିରେ ତର୍କ, ପ୍ରବନ୍ଧ, କୁଇଜ୍, ସୃଜନାତ୍ମକ ଲେଖନୀ, ଚିତ୍ରାଙ୍କନ, ସଙ୍ଗୀତ ଓ ସାଂସ୍କୃତିକ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।
ଦୀର୍ଘ 7 ମାସର ଦରମା ନପାଇ ଦୁର୍ଦ୍ଦିନରେ ଗଜପତିର ଶତାଧିକ 104 ଆଉଟସୋସିଂ କର୍ମଚାରୀ
ପାରଳାଖେମୁଣ୍ଡି, 7/11(ତାରିଣୀ ପ୍ରସାଦ ପଣ୍ଡା):
ଦୀର୍ଘ 7 ମାସ ଧରି ଦରମା ନ ପାଇ ଗଜପତି ଜିଲ୍ଲାର ଶତାଧିକ ଆଉଟସୋସିଂ କର୍ମଚାରୀ ପରିବାରଙ୍କ ସହ ବାହୁ ଦୁଃଖ କଷ୍ଟରେ ଜୀବନଜାପାନ କରୁଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ଆର.ଉଦୟଗିରି, ମୋହନା, ନୂଆଗଡ଼, ରାୟଗଡ଼ ଓ ଗୁମ୍ଫା ବ୍ଳକର ବିଭିନ୍ନ ପଞ୍ଚାୟତରେ ଆଉଟସୋସିଂ ଭାବେ କାର୍ଯ୍ୟ କରୁଥିବା ୧୦୪ଜଣ ଗ୍ରାମ ସଭା ମୋବିଲାଇଜରଙ୍କୁ ଦୀର୍ଘ ୬ ମାସର ଦରମା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି. ସେମାନେ ମାସିକ କେବଳ ୧୪୦୦ ପ୍ରୋତ୍ସାହନ ରାଶିରେ କାର୍ଯ୍ୟ କରୁଥିଲେ. ସେମାନଙ୍କ କାମ ହେଲା ଦୈନିକ ପାହାଡ଼ ଚଢି ଗ୍ରାମ ସଭାର ଆୟୋଜନ ଜଙ୍ଗଲ ଅଧିକାର ଆଇନ, ପେସା ଅଧିକାର, ମନରେଗା ସମେତ ଅନ୍ୟାନ୍ୟ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା. ନିୟମିତ ଭାବେ ହାଜିରା, ଟୁର ଡାଏରି ଏବଂ ଫିଲ୍ଡ ରିପୋର୍ଟ ଜିଲ୍ଲା ନୋଡାଲ ଅଫିସରଙ୍କୁ ଦାଖଲ କରୁଛନ୍ତି।

ନିରନ୍ତର କାମ କରୁଥିଲେ ମଧ୍ୟ ୨୦୨୬ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ସେମାନଙ୍କୁ ଦରମା ମିଳିନାହିଁ। ବୋଝ ଉପରେ ନଳିତା ବିଡ଼ା ଭଳି ନିଯୁକ୍ତି ଅବଧିକୁ ପୁନଃ ନବୀକରଣ ମଧ୍ୟ କରାଯାଇନାହିଁ । ଏହି କର୍ମଚାରୀମାନେ ସମସ୍ତ ବିଭାଗୀୟ ଅଫିସରଙ୍କୁ ଲିଖିତ ଗୁହାରି ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କରି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇଥିଲେ ମଧ୍ୟ ନଭେମ୍ବର 7 ତାରିଖ ସୁଦ୍ଧା ପ୍ରତିଶ୍ରୁତିର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସେମାନେ ଦରମା ପାଇ ନ ଥିବା ଅଭିଯୋଗ କରିଛନ୍ତି. ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି.
ରାଜ୍ୟ ମହିଳା ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଗଜପତି ଗସ୍ତ….
ଅଙ୍ଗନବାଡ଼ି କେନ୍ଦ୍ର ଜଣଙ୍କ ବାରଣ୍ଡାରେ ଚାଲୁଥିବା ଦେଖି ଉଦବେଗ
ପାରଳାଖେମୁଣ୍ଡି,7/11(ତାରିଣୀ ପ୍ରସାଦ ପଣ୍ଡା):
ରାଜ୍ୟ ମହିଳା ଓ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ବାତ୍ୟା ଅର୍ଣ୍ଣବ’ର ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ପ୍ରଭାବ ମହିଳା ଓ ଶିଶୁଙ୍କ ଜୀବନଜୀବିକା, ସୁରକ୍ଷା ଓ ଶିକ୍ଷା ଉପରେ କିପରି ପ୍ରଭାବ ପଡ଼ିଛି, ତା’ର ବାସ୍ତବ ସ୍ଥିତି ପରଖିବା ପାଇଁ ଗଜପତି ଜିଲ୍ଲାରେ ପହଞ୍ଚି ବିଭିନ୍ନ ଅଞ୍ଚଳ ଗସ୍ତ କରି ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି. ଏହି ଅନୁଧ୍ୟାନ ବେଳେ ଗଜପତି ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଚାଲୁ ରହିଥିବା ଦେଖି ଉଦବେଗ ପ୍ରକାଶ କରିଥିଲେ. ଗତକାଲି ସେ ମୋହନା ବ୍ଲକର ବିଭିନ୍ନ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଗ୍ରାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ତୃଣମୂଳସ୍ତରରେ ମହିଳା, ଶିଶୁଙ୍କୁ ମିଳୁଥିବା ସୁବିଧାର ତଦାରଖ କରିଥିଲେ |

ଏହି ବ୍ଲକର ପିଣ୍ଡିକି ଗ୍ରାମକୁ ଗସ୍ତ ସମୟରେ ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଦୟନୀୟ ସ୍ଥିତି ଦେଖି ଅଧ୍ଯକ୍ଷା ଅସନ୍ତୋଷ ପ୍ରକାଶ କରିଥିଲେ। କେନ୍ଦ୍ର ପାଇଁ ନିର୍ମାଣାଧୀନ ଗୃହ ଦୀର୍ଘଦିନ ଧରି ଅଧପନ୍ତରିଆ ହୋଇ ପଡ଼ିଥିବାରୁ ପିଲାମାନଙ୍କୁ ଗ୍ରାମର ଜଣକ ବାରଣ୍ଡାରେ ପାଠପଢ଼ା ଯାଉଥିବା ଦେଖିଥିଲେ। ଅଙ୍ଗନବାଡ଼ି ଭଳି ମୌଳିକ ଶିଶୁଯତ୍ନ ଓ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବ୍ୟବସ୍ଥାକୁ ସେ ଗୁରୁତ୍ବର ସହ ନେଇଥିଲେ | ଅର୍ଦ୍ଧନିର୍ମିତ କେନ୍ଦ୍ରକୁ ଏଯାଏଁ ସମ୍ପୂର୍ଣ୍ଣ କରାଯାଇ ନଥିବାର କାରଣ ଜାଣିବା ସହ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଡିଓଙ୍କୁ ତାଗିଦ୍ କରିଥିଲେ. ସେହିଭଳି, ବାଡ଼ିପଙ୍କା ଗ୍ରାମରେ ଥିବା ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ସ୍ଥିତି ଯାଞ୍ଚ କରିଥିଲେ । ଢେପାନାୟୁ ଗ୍ରାମରେ ବନ୍ୟା ବିପନ୍ନଙ୍କୁ ଭେଟି ବାତ୍ୟା ଓ ବନ୍ୟା ପରେ ସେମାନଙ୍କ ସମସ୍ୟା, କ୍ଷୟକ୍ଷତି ଓ ଆବଶ୍ୟକ ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ। ତଲାସିଂ ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟ ପରିଦର୍ଶନ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ. ବିଦ୍ୟାଳୟରେ ସେମାନଙ୍କ ରହଣି, ଖାଦ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ସ୍ଥିତି ପଚାରି ବୁଝିଥିଲେ। ତାଙ୍କ ଗସ୍ତ ସମୟରେ ମୋହନା ବିଡିଓ, ତହସିଲଦାର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।











