ଜରୁରୀକାଳୀନ ପରିସ୍ଥିତି ସମୟରେ ନନ୍ଦିନୀ ଶତପଥୀଙ୍କୁ ଅତ୍ୟନ୍ତ ଅସମ୍ମାନଜନକ ଭାବରେ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା , ସେ ଜଣେ ଆତ୍ମସମ୍ମାନ ବୋଧସମ୍ପନ୍ନ ମହିଳା ଥିଲେ ସଞ୍ଜୟ ଗାନ୍ଧୀଙ୍କୁ ନିଜର ରାଜନୈତିକ ମାଲିକ ଭାବେ ଗ୍ରହଣ କରିବାକୁ ସେ ପ୍ରସ୍ତୁତ ନଥିଲେ

Spread the love

ସଞ୍ଜୟ ଗାନ୍ଧୀଙ୍କ ଆଚରଣ ମଧ୍ୟ ଏହି ସମୟରେ ଏକ ନୂଆ ଉଦ୍ବେଳନ ସୃଷ୍ଟି କରିଥିଲା। ସେ ନିଜେ କୌଣସି ସାମ୍ବିଧାନିକ ପଦରେ ନଥିଲେ। କିନ୍ତୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ତାଙ୍କୁ ରାଜାଙ୍କ ଭଳି ସ୍ୱାଗତ କରୁଥିଲେ। ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ହୋଇ ମଧ୍ୟ ସେମାନେ ନିଜର ମର୍ଯ୍ୟାଦା ଓ ଆତ୍ମସମ୍ମାନକୁ ବିସର୍ଜନ କରିବାକୁ ପଛାଉନଥିଲେ।

କିନ୍ତୁ ନନ୍ଦିନୀ ଶତପଥୀ ଜଣେ ଆତ୍ମସମ୍ମାନବୋଧସମ୍ପନ୍ନ ମହିଳା ଥିଲେ। ସଞ୍ଜୟ ଗାନ୍ଧୀଙ୍କୁ ନିଜର ରାଜନୈତିକ ମାଲିକ ଭାବେ ଗ୍ରହଣ କରିବାକୁ ସେ ପ୍ରସ୍ତୁତ ନଥିଲେ। ତାଙ୍କ ଆଗରେ ନିଜର ମର୍ଯ୍ୟାଦା ଓ ସ୍ୱାଭିମାନକୁ ସମର୍ପଣ କରିବାକୁ ସେ ରାଜି ହୋଇନଥିଲେ। ଏହି କାରଣରୁ ନନ୍ଦିନୀ ସଞ୍ଜୟ ଗାନ୍ଧୀଙ୍କ କ୍ରୋଧର ଶିକାର ହୋଇଥିଲେ ସେ। ଶେଷରେ ଜରୁରୀକାଳୀନ ପରିସ୍ଥିତି ସମୟରେ ନନ୍ଦିନୀ ଶତପଥୀଙ୍କୁ ଅତ୍ୟନ୍ତ ଅସମ୍ମାନଜନକ ଭାବରେ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ମଧ୍ୟ ଜରୁରୀକାଳୀନ ପରିସ୍ଥିତିର ସୁଯୋଗ ନେଇ ନିଜର ରାଜନୈତିକ ବିରୋଧୀମାନଙ୍କୁ ଗିରଫ କରାଇଥିଲେ। ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ, ପ୍ରତାପଚନ୍ଦ୍ର ମହାନ୍ତି, ପ୍ରହଲ୍ଲାଦ ମଲ୍ଲିକ, ସୁରେନ୍ଦ୍ରନାଥ ନାୟକ, ହରିଶ୍ଚନ୍ଦ୍ର ବକ୍ସିପାତ୍ର, ଭାଗବତ ବେହେରା ଓ ଅଇଣ୍ଠୁ ସାହୁଙ୍କ ପରି ନେତାମାନଙ୍କୁ ଗିରଫ କରାଯାଇ ବିଭିନ୍ନ ଜେଲ୍‌ର ଅସ୍ୱାସ୍ଥ୍ୟକର କୋଠରିରେ ରଖାଯାଇଥିଲା।କଂଗ୍ରେସର ଜଣେ ଅନୁଗତ ବିଧାୟକ ହୋଇଥିଲେ ମଧ୍ୟ ତ୍ରିଲୋଚନ କାନୁନଗୋ ଗିରଫ ହୋଇଥିଲେ। ତାଙ୍କ ସାନଭାଇ ପଞ୍ଚାନନ କାନୁନଗୋ, ଯିଏ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି ଥିଲେ, ତାଙ୍କୁ ମଧ୍ୟ ଜେଲ୍‌ରେ ରଖାଯାଇଥିଲା।

****ଏଣେ, ଜେଲ୍‌ରୁ ହିଁ ନୂତନ ଜାତୀୟ ରାଜନୈତିକ ଦଳ ଜନତା ପାର୍ଟିର ଜନ୍ମ ହୋଇଥିଲା। ଭାରତୀୟ ଲୋକଦଳ, କଂଗ୍ରେସ (ଓ), ଭାରତୀୟ ଜନସଂଘ ଓ ସୋସିଆଲିଷ୍ଟ ପାର୍ଟି ଏକାଠି ହୋଇ କଂଗ୍ରେସ ଓ ଇନ୍ଦିରା ଗାନ୍ଧୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଉଦ୍ୟମ କଲେ। ବିଜୁ ପଟ୍ଟନାୟକଙ୍କୁ ଗିରଫ କରାଯାଇ ତିହାର ଜେଲ୍‌ରେ ରଖାଯାଇଥିଲା।ପ୍ରଦ୍ୟୁମ୍ନ ବଳ, ରବି ଦାସ ଓ ପଞ୍ଚାନନ କାନୁନଗୋ ଜନତା ପାର୍ଟିରେ ଯୋଗ ଦେଇଥିଲେ। କିନ୍ତୁ ତ୍ରିଲୋଚନ କାନୁନଗୋ ଏହି ନୂଆ ଦଳରେ ଯୋଗ ଦେଇନଥିଲେ। ସମ୍ଭବତଃ ଜନତା ପାର୍ଟି ଗଠନର ପଦ୍ଧତିକୁ ସେ ପସନ୍ଦ କରିନଥିଲେ।“