Spread the love

ଭୁବନେଶ୍ୱର : 15/2/ (ଦର୍ଶନ ସମୀକ୍ଷା) ନିମାପଡ଼ା ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତଃ ଜଗବନ୍ଧୁ ସିଂହଙ୍କ ୧୪୯ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ଜଗବନ୍ଧୁ ସିଂହ : ବ୍ୟକ୍ତି ଓ ଅଭିବ୍ୟକ୍ତି ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ୱାଧୀନତା ସଂଗ୍ରାମରେ ଜଗବନ୍ଧୁ ସିଂହଙ୍କ ଭୂମିକା, ସ୍ଵ-ରଚିତ ଅମ୍ଳାନ ଗ୍ରନ୍ଥ ‘ପ୍ରାଚୀନ ଉତ୍କଳ’ ଏବଂ ‘ଭାରତ ଚରିତାମୃତ’ ସମ୍ବନ୍ଧୀୟ ଆଲୋକପାତ କରାଯାଇ ଥିଲା। ଅତିଥି ମାନଙ୍କ ମଧ୍ୟରେ ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର, ଡ଼ଃ କୁଞ୍ଜବିହାରୀ ମହାନ୍ତି, ବସନ୍ତ କୁମାର ପଣ୍ଡା, ଭାରତ ସରକାରଙ୍କ ସଂସ୍କୃତି ବିଭାଗର ବରିଷ୍ଠ ଗବେଷିକା ଡ଼ଃ ପ୍ରମୋଦିନୀ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ମହାନ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆନ୍ତଜାର୍ତିକ ଶ୍ରୀଜଗନ୍ନାଥ ପ୍ରତିଷ୍ଠାନ ତଥା ରାୟ ରାମାନନ୍ଦ ସ୍ମୃତି ପରିଷଦର ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ଜଗବନ୍ଧୁ ସିଂହ ସମାଜସେବା ସମ୍ମାନ, ବରିଷ୍ଠ ପ୍ରାବନ୍ଧିକ, ଗବେଷକ ଡ଼ଃ ବାବାଜୀ ଚରଣ ପଟ୍ଟନାୟକଙ୍କୁ ଜଗବନ୍ଧୁ ସିଂହ ପ୍ରବନ୍ଧ ସମ୍ମାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ନାଟ୍ୟକାର ବିଜୟ କୁମାର ମହାନ୍ତିଙ୍କୁ ଜଗବନ୍ଧୁ ସିଂହ ନାଟକ ସମ୍ମାନ ଏବଂ ବରିଷ୍ଠ ସାମ୍ବାଦିକ ବିଚିତ୍ରାନନ୍ଦ ସାହୁଙ୍କୁ ଜଗବନ୍ଧୁ ସିଂହ ସାମ୍ବାଦିକ ସମ୍ମାନ ପ୍ରଦାନ କରାଯାଇଥିଲା। ନିମାପଡ଼ା ସାହିତ୍ୟ ସଂସଦ ସଭାପତି ଶୁଭେନ୍ଦୁ କୁମାର ରାଉତରାୟ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସଂପାଦକ ହାଡିବନ୍ଧୁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

Leave a Reply

Your email address will not be published. Required fields are marked *

You Missed