ମାଲକାନଗିରିରେ ଉତ୍ସାହର ସହ ପାଳିତ ହେଲା ପୋଷଣ ପଖୱାଡା
ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ପ୍ରକଳ୍ପ ସ୍ତରୀୟ ପୋଷଣ ପଖୱାଡା ଆଜି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ମା ଓ ଶିଶୁଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟାଭ୍ୟାସର ପ୍ରସାର, ପୋଷଣ ସଚେତନତା ସୃଷ୍ଟି କରିବା ଏବଂ ଅପୃଷ୍ଟି ନିବାରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସବ୍-ଡିଭିଜନ ପ୍ରୋଗ୍ରାମ ଅଫିସର, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଆସ୍ପିରେସନାଲ ଡିଷ୍ଟ୍ରିକ୍ଟ ପ୍ରୋଗ୍ରାମ ତରଫରୁ ରାଜାରାମ ଶତପଥି ପ୍ରମୁଖ ଯୋଗ ଦେଇଥିଲେ। ମାଲକାନଗିରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରେଖା ଶୁଭା ସୁନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ଅଧୀନସ୍ଥ ସମସ୍ତ ମଣ୍ଡଳ ପରିଦର୍ଶିକା, ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକାମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।
ଏହି ଅବସରରେ ଅଙ୍ଗନବାଡି କର୍ମୀମାନେ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ସଠିକ୍ ଖାଦ୍ୟପେୟ ଓ ପୋଷଣ ବିଷୟରେ ପରାମର୍ଶ ଦେଇଥିଲେ। ଶିଶୁମାନଙ୍କ ପାଇଁ ସନ୍ତୁଳିତ ଆହାର, ବିଶେଷ କରି ସ୍ଥାନୀୟ ଖାଦ୍ୟ ପଦାର୍ଥ ଓ ମିଲେଟ୍ର ଉପକାରିତା ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା। ପୋଷଣ ପଖୱାଡା ପାଳନ ଅବସରରେ ଏକ ବିଶାଳ ରାଲି, ପୋଷ୍ଟର ପ୍ରଦର୍ଶନୀ ଏବଂ ସୁସ୍ଥ ରନ୍ଧନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିସହିତ ସ୍ୱଚ୍ଛତା, ପରିଷ୍କାର ପରିବେଶ ଏବଂ ନିୟମିତ ହାତ ଧୋଇବା ଭଳି ସ୍ୱାସ୍ଥ୍ୟକର ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅପୃଷ୍ଟି ମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଏହି ସଭାରେ ସଂକଳ୍ପ ନିଆଯାଇଛି।
ମାଲକାନଗିରିରେ ପ୍ରଧାନ ଶିକ୍ଷକ ସମ୍ମିଳନୀ
ଶିକ୍ଷା ଗୁଣବତ୍ତା ଓ ପରୀକ୍ଷା ଫଳ ଉନ୍ନତି ଉପରେ ଜୋର
ମାଲକାନଗିରି

ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଏକଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ମୁଖ୍ୟ ଆତିଥ୍ୟରେ ଆୟୋଜିତ ଏହି ସଭାରେ ଶିକ୍ଷାର ମାନଦଣ୍ଡ ବୃଦ୍ଧି ଏବଂ ଆଗାମୀ ବୋର୍ଡ ପରୀକ୍ଷାରେ କିଭଳି ଉନ୍ନତ ଫଳାଫଳ ମିଳିପାରିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, ପ୍ରଧାନ ଶିକ୍ଷକମାନେ ହେଉଛନ୍ତି ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ତାଙ୍କରି ନେତୃତ୍ୱରେ ହିଁ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇପାରିବ। ଶିକ୍ଷକମାନଙ୍କର ସମସ୍ୟା ସମାଧାନ ପାଇଁ ପ୍ରଶାସନ ସବୁବେଳେ ସହଯୋଗ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ଏହି ସମ୍ମିଳନୀରେ ବିଜ୍ଞାନ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେବା, ମାତୃଭାଷା ଭିତ୍ତିକ ଶିକ୍ଷାର ପ୍ରସାର, ଛାତ୍ରଛାତ୍ରୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ, ଛାତ୍ରାବାସ ସମସ୍ୟାର ସମାଧାନ ଏବଂ ବିଦ୍ୟାଳୟ ରେକର୍ଡଗୁଡ଼ିକର ସଠିକ୍ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସିଡିଏମଓ ଡା. ଡୋଳାମଣି ପ୍ରଧାନ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ହଳଧର ଶବର ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର ୭ଟି ବ୍ଲକରୁ ପ୍ରାୟ ୧୫୦ ଜଣ ପ୍ରଧାନ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ପ୍ରଗତି ପ୍ରତି ମାସରେ ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି।












Leave a Reply