ଭୁବନେଶ୍ୱର// କଵି ପ୍ରହରାଜ ସତ୍ୟ ନାରାୟଣ ନନ୍ଦ ବହୁମୁଖୀ ସାରସ୍ୱତ ବ୍ୟକ୍ତିତ୍ୱ ଭାବରେ ସ୍ମରଣୀୟ ରହିବେ,ସ୍ମୃତିସଭାରେ ଅତିଥିମାନେ ତାଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |

Spread the love

“ପ୍ରଣାମ ପ୍ରହରାଜ ” କାର୍ଯ୍ୟକ୍ରମ

କଵି ପ୍ରହରାଜ ସତ୍ୟ ନାରାୟଣ ନନ୍ଦ ବହୁମୁଖୀ ସାରସ୍ୱତ ବ୍ୟକ୍ତିତ୍ୱ ଭାବରେ ସ୍ମରଣୀୟ ରହିବେ

ଭୁବନେଶ୍ୱର 28.02। (ଦର୍ଶନ ସମୀକ୍ଷା)
ପ୍ରହରାଜ ସତ୍ୟ ନାରାୟଣ ନନ୍ଦ ଏକାଧାରରେ କଵି, ଅନୁବାଦକ, ଆଲୋଚକ ଓ ସମ୍ପାଦକ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲେ | ତାଙ୍କ ସର୍ଜନା ସମ୍ପର୍କରେ ଯଥାର୍ଥ ଆକଳନ ହୋଇନାହିଁ |ସେ ପ୍ରକୃତି ଓ ଭାରତୀୟ ସଂସ୍କୃତିକୁ ତାଙ୍କ ସୃଜନ କଳାଉତ୍ସ ଭାବରେ ଗ୍ରହଣ କରିଥିଲେ | ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଓ ପବ୍ଲିକେସନରର
ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ମୃତିସଭାରେ ଅତିଥିମାନେ ତାଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |
ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଵି ଓ ଅନୁବାଦକ ଅମରେଶ ପଟ୍ଟନାୟକ ପୌରୋହିତ୍ୟ କରି କଵି ଶ୍ରୀ ନନ୍ଦଙ୍କ
ସହିତ ତାଙ୍କ ବ୍ୟକ୍ତିଗତ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ | ଅଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ର କହିଲେ ଯେ ଜୀବନନୁଭବର ନିଛକ ପ୍ରତିଫଳନ ନନ୍ଦଙ୍କ କବିତାର ଆତ୍ମା | ବିଶିଷ୍ଟ ବିଦ୍ୱାନ ଅଧ୍ୟାପକ ଡ଼. ବିଭୁତି ମହାପାତ୍ର କହିଲେ ଯେ ପ୍ରହରାଜଙ୍କ
କବିତାର ପରିପାଟୀ ଓ ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ଶାସ୍ତ୍ରୀୟ | କେନ୍ଦ୍ର ସାହିତ୍ୟ ଏକାଡେମୀର ପୂର୍ବତନ ସହ -ସଚିବ ପ୍ରାବନ୍ଧିକ ଡ଼. ମିହିର କୁମାର ସାହୁ ପ୍ରହରାଜ କାବ୍ୟ ସାଧନାରେ ନିରପେକ୍ଷ ରହିଥିଲେ ବୋଲି କହିଥିଲେ | କଵି କେଦାର ମିଶ୍ର ତାଙ୍କୁ ଜଣେ ଏକ -ପ୍ରାଣ କଵି ଭାବରେ ଅଭିହିତ କରିଥିଲେ |
ପ୍ରାରମ୍ଭରେ କଵି ସ୍ବର୍ଗତ ନନ୍ଦଙ୍କ
ଫଟୋଚିତ୍ରରେ ଅତିଥିମାନେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ପରେ କବିଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ଏକ ସ୍ମରଣିକା ଲୋକାର୍ପିତ ହୋଇଥିଲା ଏବଂ କଵି ତଥା ବର୍ଷା ପବ୍ଲିକେସନର ପ୍ରକାଶକ ବାଦଲ ମହାନ୍ତି ବକ୍ତବ୍ୟ ରଖିଥିଲେ |
କବିଙ୍କ ସାନଭାଇ ପ୍ରହରାଜ ଜୟ ନାରାୟଣ ନନ୍ଦ ବିଭିନ୍ନ ଘଟଣାର ଉପସ୍ଥାପନ ପୂର୍ବକ ସ୍ମୃତିଚାରଣ କରିଥିବାବେଳେ ଭୁବନେଶ୍ୱର
ସାହିତ୍ୟ ସମାଜ ଟ୍ରଷ୍ଟର ସଭାପତି କଵି ସୂର୍ଯ୍ୟ ମିଶ୍ର ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ | ଶେଷରେ ଅନୁଷ୍ଠାନର ଉପସଭାପତି
ମିନତି ଦାଶ (ମାନୀ ) ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଡ଼. ଜୀବନକୃଷ୍ଣ ମିଶ୍ର ବେଦପାଠ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କଥାକାର ଅଜୟ ସ୍ୱାଇଁ, ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ, ବିଶିଷ୍ଟ ଆଲୋଚକ ପ୍ର. କ୍ଷୀରୋଦ ବେହେରା, ଶୈଳେନ୍ଦ୍ର ଜେନା, ପବିତ୍ର ମୋହନ କର, ଡ଼. ପ୍ରଦୀପ୍ତ ବାରିକ, ମହେନ୍ଦ୍ର ମଲ୍ଲିକ, ଉପସଭାପତି ବିଭୁତି ପାଣିଗ୍ରାହୀ, କଥାକାର ଆଭାସ ବରାଳ ତଥା ପ୍ରହରାଜ ପରିବାରର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *