ସ୍ବପ୍ନାଦେଶ ପରେ ଜଗନ୍ନାଥଙ୍କୁ ନିଜ ବାସଗୃହ ଦାନ କଲେ ଧର୍ମପରାୟଣ ମହିଳା
ପାରଳାଖେମୁଣ୍ଡି, 24/2(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷାକୁ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଜଣେ ଧର୍ମପରାୟଣ ମହିଳାଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ହୋଇଥିଲା. ଏଥିରେ ମହିଳା ଜଣକ ଶ୍ରୀଜଗନ୍ନାଥଙ୍କୁ ନିଜ ଵାସଗୃହକୁ ଦାନ କରିଛନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ସୁନାରି ସାହି ବାସିନ୍ଦା କନକ ପ୍ରଭା ପାତ୍ର ନିଜ ବାସଗୃହକୁ ଜଗନ୍ନାଥ ମନ୍ଦିର ନିର୍ମାଣ କମିଟିକୁ ଦାନ କରି ଦେଇଛନ୍ତି। ସୂଚନା ପ୍ରକାରେ ଶ୍ରୀମତୀ ପାତ୍ରଙ୍କ ସ୍ବାମୀ ସ୍ବର୍ଗତ ସତ୍ୟ ନାରାୟଣ ପାତ୍ର ପିଲାଟି ଦିନରୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ଅଟନ୍ତି. ସେ ପାରଳାଖେମୁଣ୍ଡି ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଥିଲେ। ସେ ଜୀବିତ ଥିବା ବେଳେ ସବୁ ବେଳେ ଜଗନ୍ନାଥଙ୍କ ନିର୍ମାଣଧିନ ମନ୍ଦିର ପାଇଁ ନିଜର ବହୁ ସମୟ ଦେଇ ଆସୁଥିଲେ। ତାଙ୍କର କୌଣସି ସନ୍ତାନ ନଥିବା ବେଳେ ସେ ଜଗନ୍ନାଥଙ୍କୁ ନିଜର ବାସଗୃହ ଦାନ କରିବା ନେଇ ସଙ୍କଳ୍ପ କରିଥିଲେ। ସେ ଗତ ବର୍ଷ ସ୍ଵର୍ଗବାସ କରିବା ପରେ ତାଙ୍କ ସ୍ତ୍ରୀ ଏକା ହୋଇ ଯାଇଥିଲେ। ହେଲେ ତାଙ୍କୁ ସବୁ ବେଳେ ଜଗନ୍ନାଥଙ୍କ ସ୍ବପ୍ନ ଦେଖା ଯାଉଥିବା ବେଳେ ନିଜ ସ୍ଵାମୀଙ୍କ ସଙ୍କଳ୍ପ ବିଷୟରେ ଶ୍ରୀଜଗନ୍ନାଥଙ୍କ ସ୍ବପ୍ନାଦେଶ ହେଉଥିଲା। ଶ୍ରୀଜଗନ୍ନାଥ ଏହି ଧର୍ମପରାୟଣ ମହିଳା କନକପ୍ରଭାଙ୍କୁ ସ୍ୱପ୍ନାଦେଶରେ କହିଥିଲେ ମୋ ଭକ୍ତ ତଥା ତୁମ ସ୍ୱାମୀଙ୍କ ସଂକଳ୍ପ ଅନୁଯାୟୀ ତୁମ ଘରକୁ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିନିଯୋଗ କର. ଶ୍ରୀଜଗନ୍ନାଥଙ୍କ ଠାରୁ ଏହି ସ୍ୱପ୍ନାଦେଶ ପାଇବା ପରେ କନକପ୍ରଭା ପାତ୍ର ଗତକାଲି ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରରେ ପହଞ୍ଚି ସମସ୍ତ ଭକ୍ତଙ୍କ ଉପସ୍ଥିତିରେ ପାରଳାଖେମୁଣ୍ଡି ସହରର ସୁନାରି ସାହି ସ୍ଥିତ ନିଜ ବାସଗୃହଟିକୁ ଶ୍ରୀଜଗନ୍ନାଥଙ୍କୁ ନିଜର ପୁଅ କରି ଦାନ କରିଛନ୍ତି. ଘଟଣା ନେଇ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ସମେତ ଉପସ୍ଥିତ ସମସ୍ତ କମିଟି ସଦସ୍ୟ ଓ ଜଗନ୍ନାଥଙ୍କ ଭକ୍ତମାନେ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିନିଯୋଗ ପାଇଁ କନକପ୍ରଭା ଏଭଳି ମହତ ଦାନ କରିଥିବାରୁ ତାଙ୍କୁ ସାଧୁବାଦ ଜଣାଇଛନ୍ତି.
ଗଜପତି ସୁଭଦ୍ରା ମେଳାରେ ଶ୍ରୀଜଗନ୍ନାଥଙ୍କ ଭଜନକୁ ଅପମାନିତ କରି ଫ୍ୟାସନ ସୋ ପରିବେଷଣ କରିବା ବିରୁଦ୍ଧରେ ବିକ୍ଷୋଭ ଓ କାର୍ଯାନୁଷ୍ଠାନ ପାଇଁ ଦାବିପତ୍ର ପାରଳାଖେମୁଣ୍ଡି, 24/2(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାରେ ଆୟୋଜିତ ସୁଭଦ୍ରା ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରେ ଶ୍ରୀଜଗନ୍ନାଥଙ୍କ ଆହେ ନୀଳ ଶୈଳ ଭଜନ ପରିବେଷଣ କରାଯାଇଥିଲା. ହେଲେ ଶ୍ରୀଜଗନ୍ନାଥଙ୍କ ଭଜନକୁ ଅପମାନିତ କରି ଫ୍ୟାସନ ସୋରେ ପରିଣତ କରିଥିବା ଯୋଗୁଁ ଏହା ବିରୁଦ୍ଧରେ ବିକ୍ଷୋଭ ପ୍ରଦଶନ କରାଯାଇ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି . ଏଠାରେ ଉଲ୍ଲେଖଯୋଗ୍ୟଯେ, ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମରେ ଗତ 18 ତାରିଖ ଠାରୁ ଆରମ୍ଭ ହୋଇ ଚାଲିଥିବା ୭ ଦିନିଆ ସୁଭଦ୍ରା ଶକ୍ତି ମେଳାର ପଞ୍ଚମ ଦିନ ସନ୍ଧ୍ୟାରେ କେତେକ ଅନୁଷ୍ଠାନ ତରଫରୁ ଜଗନ୍ନାଥ ଜଣାଣ ପରିବେଷଣ ବେଳେ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରି ଫ୍ୟାସନ୍ ସୋ’ କରାଯାଇଥିଲା. ଶ୍ରୀଜଗନ୍ନାଥଙ୍କ ଜଣାଣ ପରିବେଷଣରେ ରାମ୍ପରେ ଆଧୁନିକ ଷ୍ଟାଇଲରେ ଚାଲିବା ନେଇ ଷ୍ଟାଡିୟମରେ ତୀବ୍ର ଉଦବେଗ ପ୍ରକାଶ ପାଇଥିଲା. ଗତକାଲି ସୋମବାର ଅପରାହ୍ନରେ ଏ ନେଇ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ହିନ୍ଦୁ ଜାଗରଣ ମଞ୍ଚର ଶତାଧିକ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଠାରେ ଏଭଳି ଘଟଣାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।
ବଜରଙ୍ଗ ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲୋକନାଥ ମିଶ୍ର, ନଗର ସମ୍ପାଦକ ଜି.କୁମାର ରେଡି, ଧର୍ମ ଜାଗରଣ ସାମ୍ମୁଖର ଜିଲ୍ଲା ସଂଯୋଜକ କୈଳାସ ପଟ୍ଟନାୟକ, ସଭାପତି ସ୍ଵାମୀ ନୃସିଂହ ଚରଣ ଦାସଜୀ, ହିନ୍ଦୁ ପ୍ରଚାରକଙ୍କ ସହିତ ଲକ୍ଷ୍ମୀକାନ୍ତ ପାଢୀ, ଗଣେଶ ଦାସ, ଜି.ରମେଶ, କୈଳାସ ବିଶ୍ଵାଳ ପ୍ରମୁଖଙ୍କ ନେତୃତ୍ୱରେ ବହୁ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।
ଗଜପତି ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଆଇସିୟୁ ପ୍ରତିଷ୍ଠା ପାଇଁ ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଦାବି ରଖିଲେ ପାରଳା ବିଧାୟକ ପାରଳାଖେମୁଣ୍ଡି, 24/2(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଆଇସିୟୁ ପ୍ରତିଷ୍ଠା ପାଇଁ ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଦାବି ରଖିଲେ ପାରଳା ବିଧାୟକ. ଆଜି ଭୁବନେଶ୍ଵର ବିଧାନସଭା ସ୍ଵତନ୍ତ୍ର ସଭାଗୃହ ଠାରେ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ବିଭୂତି ଭୂଷଣ ପ୍ରଧାନଙ୍କ ନେତୃତ୍ଵରେ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଟିତ ହୋଇଯାଇଛି. ଗତ କିଛିଦିନ ତଳେ ଆଇସିୟୁ ଅଭାବରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ଗ୍ରାମର ଜଣେ ମହିଳା ମୃତ୍ୟୁ ହୋଇଥିବା ଖବର ବିଧାୟକ ରୁପେଶ ପାଣିଗ୍ରାହୀ ଶୁଣି ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ଏକ ଆଇସିୟୁ ନିର୍ମାଣ କରିବାପାଇଁ ଆଜି ବିଧାସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଦାବି ରଖି ଜଣାଇଛନ୍ତିଯେ ଜିଲ୍ଲାସ୍ତରୀୟ ଡାକ୍ତରଖାନା ପାରଳାଖେମୁଣ୍ଡି ଠାରେ ଥିଲେ ସୁଦ୍ଧା ଆଇସିୟୁ ନ ଥିବା ଯୋଗୁଁ ଜରୁରୀକାଳୀନ ଚିକିତ୍ସା ବେଳେ ବହୁ ରୋଗୀଙ୍କ ମୃତ୍ୟୁ ଘଟିଛି. ତେଣୁ ଯଥାଶୀଘ୍ର ଆଇସିୟୁ ପ୍ରତିଷ୍ଠା କରାଯାଉ ବୋଲି ପାରଳା ବିଧାୟକ ଷ୍ଟାଣ୍ଡି କମିଟି ଠାରେ ଦାବି ଉପସ୍ଥାପନା କରିଛନ୍ତି.
ଗଜପତିରେ ‘ସୌରା’ ଭାଷାରେ ଅଙ୍ଗନୱାଡ଼ିରେ ଶିଶୁମାନଙ୍କୁ ପରମ୍ବିକ ଶିକ୍ଷା ପ୍ରଦାନ ପାଇଁ ଏକଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା
ପାରଳାଖେମୁଣ୍ଡି,୨୪.୦୨(ତାରିଣୀ ପ୍ରସାଦ ପଣ୍ଡା ):

ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ରାଜ୍ୟର ପ୍ରମୁଖ ପ୍ରାରମ୍ଭିକ ଶିକ୍ଷା ପଦକ୍ଷେପ ‘ଆମେ ପଢିବୁ ଆମ ଭାଷାରେ’ କାର୍ଯ୍ୟକ୍ରମକୁ ଆଜି ଜିଲ୍ଲା ସ୍ତରରେ ଶୁଭାରମ୍ଭ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ମାତୃଭାଷା ଆଧାରିତ ଶିକ୍ଷାକୁ ଶକ୍ତିଶାଳୀ କରିବା ଓ ଜନଜାତୀୟ ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷାରେ ସମାନ ସୁଯୋଗ ନିଶ୍ଚିତ କରିବାକୁ ଉଦ୍ଦିଷ୍ଟ। ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ପିରାମଲ ଫାଉଣ୍ଡସନ ସହଯୋଗ କରୁଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ ଏକଦିନିଆ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମନ ରାଇକା ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଗିରିଧର,ଉପଖଣ୍ଡ ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ଭୂୟାଁ,ପେଡାଗୋଜି କୋଡିନେଟର ଶ୍ରୀ ସନ୍ତୋଷ କୁମାର ଆଚାର୍ଯ୍ୟ ଓ , ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଦେବବ୍ରତ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସିନ ରହି “ଆମେ ପଢିବୁ ଆମୋ ଭାଷାରେ” ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲା ପ୍ରଶାସନ,ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅଙ୍ଗନୱାଡି କର୍ମୀ ଓ ପଞ୍ଚାୟତିରାଜ ବିଭାଗର ସହଯୋଗୀମାନେ ଅଂଶଗ୍ରହଣକରି କାର୍ଯ୍ୟ ଖସଡା ତିଆରି କରିଥିଲେ।
ଉକ୍ତ କର୍ମଶାଳାରେ ଜିଲ୍ଲାର ଛୋଟ ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ କଥୋପକଥନ, ଶିକ୍ଷାଦାନ,”ସୌରା “ଭାଷାର ପ୍ରାରମ୍ଭିକ ଶିକ୍ଷା ପାଠ୍ୟକ୍ରମକୁ ପିଲାଙ୍କ ସାମାଜିକ ଓ ସାଂସ୍କୃତିକ ପରିବେଶ ଅନୁଯାୟୀ ପୁନଃରୂପାୟନ,ଅଙ୍ଗନବାଡି କର୍ମୀଙ୍କ ଏହି ଶିକ୍ଷାଦାନ ଉପରେ ତାଲିମ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ନିଜ ଭାଷାରେ ଶିଶୁମାନେ ଖେଳ,କାହାଣୀ,ଗୀତ ଓ କଥୋପକଥନ ମାଧ୍ୟମରେ ଶିକ୍ଷା ର ପ୍ରଥମ ସୋପାନ ରେ ଅନ୍ତର୍ଭୁକ୍ତ ହେବେ ! ଏହି ଅବସରରେ ପାଇଲଟ୍ ପଦକ୍ଷେପ ସ୍ୱରୂପ ଗଜପତି ଜିଲ୍ଲାର ରାୟଗଡ଼ ଓ ଗୁମ୍ମା ବ୍ଲକ ୩୦ ଟି ଅଙ୍ଗନବାଡି କେନ୍ଦ୍ର ରେ ସୌରା ଭାଷାରେ ୩ ରୁ ୬ ବର୍ଷ ବୟସ ଶିଶୁମାନଙ୍କୁ ମାତୃଭାଷା ଆଧାରିତ ପ୍ରାକ ଶିକ୍ଷା ପ୍ରଦାନ କରାଯିବ ।
ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ଶିଶୁମାନେ ଘରେ ଯେଉଁ ଭାଷା କହନ୍ତି, ସେଇ ଭାଷାରେ ପାଠ ପଢିଲେ ସେମାନେ ସହଜରେ ପିଲାମାନେ ବିଷୟବସ୍ତୁକୁ ବୁଝିପାରନ୍ତି। ଭାଷା କେବଳ ସଂଯୋଗର ମାଧ୍ୟମ ନୁହେଁ, ଏହା ଆତ୍ମପରିଚୟ ଓ ଆତ୍ମବିଶ୍ୱାସର ଆଧାର । ମାତୃଭାଷା ଆଧାରିତ ଶିକ୍ଷା କେବଳ ଅନୁବାଦ ନୁହେଁ, ବରଂ ଶିକ୍ଷା ପ୍ରକ୍ରିୟାକୁ ଶିଶୁଙ୍କ ସଂସ୍କୃତି ଓ ଭାଷା ସହ ଅନୁକୂଳ କରିବା। ସ୍ଥାନୀୟ କାହାଣୀ, ଲୋକଗୀତ ଓ ଖେଳାଧାରିତ ଶିକ୍ଷାକୁ ଅନୁସୂଚିତ କରିବାରେ ଅଙ୍ଗନୱାଡି କର୍ମୀମାନଙ୍କୁ ନିରନ୍ତର ମାର୍ଗଦର୍ଶନ ଆବଶ୍ୟକ । ଉକ୍ତ କର୍ମଶାଳାରେ ସିଡିପିଓ ରାୟଗଡା ଶ୍ରୀମତୀ ବି କୋମଲାଙ୍ଗୀ ସମେତ ସମସ୍ତ ବ୍ଲୋକର ସିଡିପିଓ , ଗଙ୍ଗାବାଡ଼ ସରପଞ୍ଚ ଶ୍ରୀ ହରିବନ୍ଧୁ ଖାର୍ଜୀ ଉପସ୍ଥିତ ଥିବା ବେଳେ ପ୍ରୋଗ୍ରାମ ଅଫିସର ଆଇସିଡିଏସ୍ କେ.ସୁନୀତା ଧନ୍ୟବାଦ ଅର୍ପଣ କରିଥିଲେ ।
ଗଜପତିରେ ଜାତୀୟ ଭୂତଳ ଜଳସ୍ତର ମାନଚିତ୍ରଣ ଏବଂ ପରିଚାଳନା କର୍ମଶାଳା
ପାରଳାଖେମୁଣ୍ଡି,୨୪.୦୨.(ତାରିଣୀ ପ୍ରସାଦ ପଣ୍ଡା ):

ଆଜି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ବରିଷ୍ଠ ଗବେଷକ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ, ଭୁବନେଶ୍ୱର ଶ୍ରୀ ରାଜକିଶୋର ମହାନ୍ତି ଓ ଶ୍ରୀମତୀ ଚିରାଶ୍ରୀ ମହାନ୍ତି, କନିଷ୍ଠ ଗବେଷକ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ,ଭୁବନେଶ୍ୱର ସୁଶ୍ରୀ ଆଦିତି ଭଗତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଓ ଅଧିକ୍ଷଣ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ ଗଜପତି ଶ୍ରୀ ଶିମାଞ୍ଚଳ ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କର୍ମଶାଳାରେ ଜାତୀୟ ଭୂତଳ ଜଳସ୍ତର ମାନଚିତ୍ରଣ ଏଵଂ ପରିଚାଳନା କାର୍ଯ୍ୟକ୍ରମର ଜିଲ୍ଲାରେ ବିଭିନ୍ନ ଜଳଭଣ୍ଡାର ର ମ୍ୟାପିଂ ତଥା ଭୂତଳ ଜଳଭଣ୍ଡାର ବିଭିନ ବିଷୟ ତଥା ପଥର, ବାଲି, କିମ୍ବା କାଦୁଅର ଏକ ଭୂତଳ, ଜଳବାହକ ଭୂଗର୍ଭ ଗଠନ ଭୂତଳ ଜଳକୁ ଧରି ରଖେ ଏବଂ ପରିବହନ କରେ। ପ୍ରାକୃତିକ ସଂରକ୍ଷଣ ଜଳଭଣ୍ଡାର ଭାବରେ କାର୍ଯ୍ୟ କରି, ଏଗୁଡ଼ିକ ପାନୀୟ ଜଳ ଏବଂ କୃଷି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ପ୍ରାୟତଃ ବର୍ଷା ଦ୍ୱାରା ରିଚାର୍ଜ ହୋଇଥାଏ।
ସେହିପରି ଜଳଭଣ୍ଡାରରେ ଭୂତଳ ଜଳର ପରିମାଣ, ଗୁଣବତ୍ତା ଏବଂ ସ୍ଥାୟୀତାକୁ ବର୍ଣ୍ଣିତ କରିବା ପାଇଁ ଭୂଭୌତିକ, ଜଳ ବିଜ୍ଞାନ ଏବଂ ରାସାୟନିକ କ୍ଷେତ୍ର ଏବଂ ପରୀକ୍ଷାଗାର ବିଶ୍ଳେଷଣର ମିଶ୍ରଣ ପ୍ରୟୋଗ କରାଯାଇ ଜଳକୁ ରଖାଯାଇଥାଏ। ଜଳଭଣ୍ଡାର ମ୍ୟାପିଂ ଜଳଭଣ୍ଡାରର ଭୂତାତ୍ତ୍ୱିକ ଢାଞ୍ଚା, ଜଳ ବିଜ୍ଞାନ ଗୁଣବତ୍ତା, ଜଳଭଣ୍ଡାରରେ ଜଳସ୍ତର ଏବଂ ସମୟ ସହିତ ସେଗୁଡ଼ିକ କିପରି ପରିବର୍ତ୍ତନ ହୁଏ, ଏବଂ ଭୂତଳ ଜଳର ପାନୀୟକୁ ପ୍ରଭାବିତ କରୁଥିବା ପ୍ରାକୃତିକ ଏବଂ ମାନବଜାତ ପ୍ରଦୂଷକଙ୍କ ଘଟଣା ବିଷୟରେ ଆମର ବୁଦ୍ଧିକୁ ଉନ୍ନତ କରାଯାଇପାରିବ ।
ସେହିପରି ଜଳଭଣ୍ଡାର ମ୍ୟାପିଂ ଆମର ମୂଲ୍ୟବାନ ଭୂତଳ ଜଳ ସମ୍ପଦର ଦୀର୍ଘକାଳୀନ ସ୍ଥାୟୀତ୍ୱ ପାଇଁ ଲକ୍ଷ୍ୟ ରଖାଯାଇଥିବା ବିଭିନ୍ନ ପରିଚାଳନା ହସ୍ତକ୍ଷେପର ପ୍ରଭାବ ପ୍ରସ୍ତୁତ, କାର୍ଯ୍ୟକାରୀ ଏବଂ ନିରୀକ୍ଷଣ କରିବା ଦିଗରେ ଆଲୋଚନା କରାଯାଇଥିଲା। ପାନୀୟ ଜଳ ସୁରକ୍ଷା, ଉନ୍ନତ ଜଳସେଚନ ସୁବିଧା ଏବଂ ଜଳ ସମ୍ପଦର ନିରନ୍ତରତା ହାସଲ କରିବାରେ ସାହାଯ୍ୟ କରିବା ସହିତ ସାମଗ୍ର ଦେଶରେ ବିକାଶ। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଚାଲୁଥିବା କାର୍ଯ୍ୟକଳାପ, ଯେପରିକି ଭୂତଳ ଜଳ ନିରୀକ୍ଷଣ, ଭୂତଳ ଜଳ ସମ୍ପଦ ମୂଲ୍ୟାଙ୍କନ, କୃତ୍ରିମ ପୁନଃଚାର୍ଜ ଏବଂ ଭୂତଳ ଜଳ ମରୁଡ଼ି, ଜଳ ଅଭାବ ଏବଂ ଦୁର୍ବଳ ଅଞ୍ଚଳରେ ଅନୁସନ୍ଧାନ ମଧ୍ୟ ଜଳଭଣ୍ଡାର ମ୍ୟାପିଂ ପ୍ରକଳ୍ପରେ ସମନ୍ୱିତ କରାଯାଇପାରିବ ବୋଲି କର୍ମଶାଳାରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଉକ୍ତ କର୍ମଶାଳାରେ ପ୍ରକଳ୍ପ ନିର୍ଦ୍ଧେଶକ ଜଳବିଭାଜିକା ଶ୍ରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷୀ ଅଧିକାରୀ ଶ୍ରୀ ଏମ. ପ୍ରକାଶ ରାଓ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।












Leave a Reply