: ଗଜପତି ପ୍ରଶାସନର ବାରଣ ସତ୍ତ୍ୱେ…. ଓଡ଼ିଶାର ଛଅ ଗୋଟି ଗ୍ରାମରୁ ୧୮୫ ଜଣ ଓଡ଼ିଆ ଭୋଟର୍ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଲେ।
ପାରଳାଖେମୁଣ୍ଡି, ତା.୨୭/୧୧/୨୦୨୬( ତାରିଣୀ ପ୍ରସାଦ ପଣ୍ଡା)
ଗଜପତି ଜିଲ୍ଲା ପ୍ରଶାସନର ବ୍ୟାପକ ସଚେତତା, ସଜାଗ ଓ ବାରଣ ସତ୍ତ୍ୱେ ଓଡ଼ିଶାର ଗଜପତି ଜିଲ୍ଲାର ଛଅ ଗୋଟି ଗ୍ରାମରୁ ୧୮୫ ଜଣ ଓଡ଼ିଆ ଭୋଟର୍ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେଇଥିବା ସୂଚନା ମିଳିଛି। ଗତକାଲି ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ମନ୍ଦୁସା ମଣ୍ଡଳରେ ସରପଞ୍ଚ ଓ ୱାର୍ଡ ମେମ୍ବର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଓଡ଼ିଶାର ଗଜପତି ଜିଲ୍ଲାରୁ ତିନିଜଣ ଆନ୍ଧ୍ରର ୱାର୍ଡ ମେମ୍ବର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ।
ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଏହି ଆନ୍ଧ୍ର ନିର୍ବାଚନରେ ଓଡ଼ିଶା ତଥା ଗଣପତି ଜିଲ୍ଲାର କୌଣସି ଭୋଟର୍ ଭୋଟ ନ ଦେବା ପାଇଁ ସଚେତନ କରାଯାଇ ବାରଣ କରାଯାଇ ଥିଲା। ଏଥିସହ ଗଜପତି ପ୍ରଶାସନ ତରଫରୁ ରାୟଗଡ଼ା ବିଡ଼ିଓ ତହସିଲଦାରଙ୍କ ସମେତ ଗଜପତି ପୋଲିସ ଆନ୍ଧ୍ର ସୀମାନ୍ତର ଗଙ୍ଗବାଡ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମରେ ସଜାଗ ରହିଥିଲେ ସୁଧା ଓଡିଶା ଗଜପତିର ଛଅ ଗୋଟି ଗ୍ରାମରୁ ୧୮୫ ଜଣ ଭୋଟର୍ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ୱାର୍ଡ ମେମ୍ୱର ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲାର ମାଣିକପାଟଣା, ଗୁଡ଼ିଖୁଡି, ମଧ୍ୟାଖୋଲ, ବୁରୁସିଂ, ଆତଡା, ଅମାରଙ୍ଗି ଆଦି ଛଅ ଗୋଟି ଗ୍ରାମରୁ ୧୮୫ ଜଣ ଭୋଟର ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଛନ୍ତି। ଓଡିଶାର ଏହି ଭୋଟର୍ ମାନଙ୍କୁ ଗତ ୨୫ ତାରିଖ ଅପରାହ୍ନରୁ ଆନ୍ଧ୍ରର ଭୋଟ କେନ୍ଦ୍ରକୁ ନିଆଯାଇ ୨୬ ତାରିଖ ରେ ଅନୁଷ୍ଠିତ ସରପଞ୍ଚ ଓ ୱାର୍ଡ ମେମ୍ବର ନିର୍ବାଚନରେ ଭୋଟ ଦେବା ପାଇଁ ପୂର୍ବ ଯୋଜନା ଅନୁଯାୟୀ ସୁରକ୍ଷିତ ଭାବେ ରଖା ଯାଇଥିଲା। ଗଜପତି ପ୍ରଶାସନ ତରଫରୁ ରାୟଗଡ଼ା ବିଡ଼ିଓ, ତହସିଲଦାରଙ୍କ ଏବଂ ଓଡିଶାର ପୋଲିସ ଦଳ ଗତକାଲି ୨୬ ତାରିଖ ସକାଳ ୮ ଘଣ୍ଟ ବେଳେ ପହଞ୍ଚି ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଓଡିଶାର ଗଙ୍ଗାବାଡ ପଞ୍ଚାୟତର ସମସ୍ତ ଗ୍ରାମରେ ସଜାଗ ଥିଲେ ହେଲେ ପୂର୍ବ ଦିନରୁ ଗଜପତି ଜିଲ୍ଲା ଛାଡ଼ି ଆନ୍ଧ୍ରରେ ଲୁଚି ରହିଥିବା ଓଡିଶାର ୬ ଗୋଟି ଗ୍ରାମର ଭୋଟର୍ ଆନ୍ଧ୍ରରେ ଭୋଟ ଦେଇ ଗଜପତିକୁ ଫେରିଥିଲେ। ଏହି ନିର୍ବାଚନର ଫଳାଫଳ ଗତକାଲି ସନ୍ଧ୍ୟା ୫ଟା ସମୟରେ ଘୋଷିତ ହୋଇଥିଲା। ଏଠାରେ ଉଲ୍ଲେଖ୍ୟ ଯୋଗ୍ୟଯେ ଗଜପତି ଜିଲ୍ଲାର ଗଙ୍ଗବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମର ଗୁରୁନାଥ ଶବର ଓ ବିପ୍ର ଶବର ଆନ୍ଧ୍ରର ସାବାକୋଟା ଗ୍ରାମର ୱାର୍ଡ ମେମ୍ବର ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଥିସହ ଗଜପତି ଜିଲ୍ଲାର ଗୁଡୁଖୁଡ଼ି ଗ୍ରାମର ଶଙ୍କର ଶବର ମଧ୍ଯ ଆନ୍ଧ୍ରର ବୁଢ଼ାରସିଂ ଗ୍ରାମର ୱାର୍ଡ ମେମ୍ବର ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ହେଲେ ଏହି ୩ ଜଣ ଓଡିଶାର ପ୍ରତିଦ୍ବନ୍ଦି ଆନ୍ଧ୍ରର ନି୍ବାଚନରେ ହରି ଯାଇଥିବା ଜଣା ପଡ଼ିଛି। ବର୍ତ୍ତମାନ୍ ଗଜପତି ଜିଲ୍ଲା ପ୍ରଶାସନ ଏହି ନିର୍ବାଚନରେ ଓଡ଼ିଶାର ଗଜପତି ଜିଲ୍ଲାର କେଉଁ ଗ୍ରାମରୁ କେତେ ଜଣ ଭୋଟ ଦେଇଛନ୍ତି ତାହାର ସମ୍ପୂର୍ଣ୍ଣ ସମୀକ୍ଷାରେ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି। ଏଥରେ ସ୍ମରଣ ଯୋଗ୍ୟ ଯେ ବର୍ତ୍ତମାନ୍ ଆନ୍ଧ୍ର ଭୋଟରେ ଭାଗ ନେଇ ଥିବା ସମସ୍ତ ୧୮୫ ଭୋଟର ଓଡିଶାର ମୂଳ ବାସିନ୍ଦା ଅଟନ୍ତି ଏବଂ ଏମାନଙ୍କ ଠାରେ ଓଡିଶାର ଆଧାର କାର୍ଡ ରହିଛି। ସେମାନେ ସମସ୍ତେ ଓଡ଼ିଶା ସରକାରଙ୍କ ସବୁ ଯୋଜନାରୁ ସୁବିଧା ଓ ସୁଫଳ ପାଇ ଆସୁଛନ୍ତି ଏପରିକି ଗତ ଅର୍ଣ୍ଣବ ବାତ୍ୟା ରିଲିଫ୍ ରେ ଗଙ୍ଗାବାଡ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମବାସୀ ୫୦ କିଲୋ ଚାଉଳ ଓ ଡାଲି ୨୫୦୦ ଟଙ୍କା କ୍ଷତପୂରଣ ମଧ୍ୟ ପାଇଛନ୍ତି। ତଥାପି ସେମାନେ ଆନ୍ଧ୍ର ଭୋଟରେ ଭାଗ ନେଇଛନ୍ତି। ଆଗାମୀ ଦିନରେ ସମ୍ପୃକ୍ତ ଘଟଣା ନେଇ ଗଜପତି ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରିବେ ତାହାକୁ ଅପେକ୍ଷା କରାଯାଇଛି।
ଗଜପତି ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି, ତା. ୨୭.୧୧.୨୦୨୬(ତାରିଣୀ ପ୍ରସାଦ ପଣ୍ଡା)
ଗଜପତି ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ୍ ସମ୍ମିଳନୀ କକ୍ଷ ଠାରେ ଡେପୁଟି କଲେକ୍ଟର ଶ୍ରୀ ବିନାୟକ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଆଧାର ପଞ୍ଜୀକରଣ ଓ ଆଧାର କାର୍ଡ ଅପଡେଟ୍ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ବ୍ୟକ୍ତି ୧୦ ବର୍ଷରେ ଆଧାର କାର୍ଡରେ ଥିବା ବ୍ୟକ୍ତିଗତ ଓ ଠିକଣା ସମ୍ବନ୍ଧୀୟ ତଥ୍ୟ ଅପଡେଟ୍ କରିବା ଆବଶ୍ୟକ। ଏଥିପାଇଁ ଜିଲ୍ଲାରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ମଧ୍ୟ ଆଲୋଚନା କରାଯାଇଛି ।

ସେହିପରି ବ୍ୟାଙ୍କ ଖାତା ଖୋଲିବା, ରାସନ କାର୍ଡ, ଛାତ୍ରବୃତ୍ତି ଏବଂ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇବା କ୍ଷେତ୍ରରେ ଆଧାର କାର୍ଡର ଗୁରୁତ୍ୱ ରହିଛି। ଏଥିସହ ରାସନ କାର୍ଡ ବ୍ୟବସ୍ଥା, ବ୍ୟାଙ୍କ ଋଣ ଆବେଦନ ଓ ଆୟକର ରିଟର୍ଣ୍ଣ ଦାଖଲ ଆଦି କ୍ଷେତ୍ରରେ ମଧ୍ୟ ଆଧାରର ଆବଶ୍ୟକତା ରହିଛି। ତେଣୁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ କରିବା ସହ ଆବଶ୍ୟକୀୟ ତଥ୍ୟ ଅପଡେଟ୍ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା ।
ଆଧାର କାର୍ଡ ଅପଡେଟ୍ ପାଇଁ ଜନସାଧାରଣ http://myaadhaar.uidai.gov.in ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ରେ ଆବେଦନ କରିପାରିବେ। ଏଥିସହ ଜିଲ୍ଲାର ବିଭିନ୍ନ ଜନସେବା କେନ୍ଦ୍ର ସମେତ ଡାକଘର, ବିଭିନ୍ନ ବ୍ୟାଙ୍କ, ବ୍ଲକ କାର୍ଯ୍ୟାଳୟ, ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଆଧାର ସମ୍ବନ୍ଧୀୟ ସେବା ଉପଲବ୍ଧ ରହିଛି।
ଜିଲ୍ଲାର ୦ରୁ ୫ ବର୍ଷ ବୟସର ଶିଶୁମାନଙ୍କ ଆଧାର ପଞ୍ଜୀକରଣ ହାର ବୃଦ୍ଧି କରିବା ସହ ୫ ବର୍ଷ ଓ ୧୫ ବର୍ଷ ବୟସରେ ଆବଶ୍ୟକୀୟ ବାୟୋମେଟ୍ରିକ୍ ଅପଡେଟ୍ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆଧାର ପଞ୍ଜୀକରଣ ଓ ଅପଡେଟ୍ ପ୍ରକ୍ରିୟାକୁ ସହଜ କରିବା ପାଇଁ ପ୍ରତ୍ୟେକ ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ୱତନ୍ତ୍ର ଶିବିର ଆୟୋଜନ କରିବାକୁ ସ୍ଥିର କରାଯାଇଥିଲା। ଏଥିସହ ମୋବାଇଲ ନମ୍ବର ସଂଯୋଗ, ବାୟୋମେଟ୍ରିକ୍ ଓ ଆବଶ୍ୟକୀୟ ଦସ୍ତାବିଜ ଅପଡେଟ୍ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଡିଏସପି ଶ୍ରୀ ଠାକୁରଦାସ ମୁର୍ମୁ , ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଅଭିଷେକ ମିଶ୍ର,ଜିଲ୍ଲା ଜିଲ୍ଲା ସାମାଜିକ ସୁରକ୍ଷା ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ଭୁଁୟା, ଶ୍ରୀ ଚିରଞ୍ଜୀବୀ ଦୋରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଆଧାର କେନ୍ଦ୍ରର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଗଜପତିରେ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଅନ୍ତର୍ଗତ ସାମୂହିକ ଶପଥ ପାଠ
ପାରଳାଖେମୁଣ୍ଡି,ତା. ୨୭.୧୧.୨୦୨୬(ତାରିଣୀ ପ୍ରସାଦ ପଣ୍ଡା)
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଅନ୍ତର୍ଗତ ଏକ ସାମୂହିକ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନନାଗାଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ବାଲ୍ୟ ବିବାହର ନିରାକରଣ ଏବଂ ସମାଜରୁ ଏହି କୁପ୍ରଥାକୁ ସମ୍ପୂର୍ଣ୍ଣ ଦୂର କରିବା ନିମନ୍ତେ ସାମୂହିକ ଶପଥ ଗ୍ରହଣ କରିଥିଲେ।
ଏଥିସହିତ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ରେ ମଧ୍ୟ ଶପଥ ଗ୍ରହଣ କରାଯାଇ ପ୍ରମାଣପତ୍ର ସୃଷ୍ଟି କରାଯାଇଥିଲା। ଅଭିଯାନ ସମ୍ପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ସଚେତନତା ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା।
ଏହି ଅଭିଯାନକୁ ଜିଲ୍ଲାବ୍ୟାପୀ ସଫଳ କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ରେ ମଧ୍ୟ ଶପଥ ପାଠ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ନିରାକରଣ ପାଇଁ ଜନସାଧାରଣ, ଅଭିଭାବକ ଓ ସମସ୍ତ ବର୍ଗର ଲୋକଙ୍କ ସକ୍ରିୟ ସହଯୋଗ ଏବଂ ସଚେତନତା ଅତ୍ୟନ୍ତ ଜରୁରୀ।
ଏହି ସଚେତନତା ଶପଥ ପାଠ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀ ବିନାୟକ ରାଉଲ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରୀପାଠୀ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଗଜପତିରେ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା ଓ ମାନବ ଚାଲାଣ ନିରାକରଣ ସମ୍ପର୍କରେ ଆଇନ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, ତା.୨୭/୧୧/୨୦୨୬(ତାରିଣୀ ପ୍ରସାଦ ପଣ୍ଡା)
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆଜି ଗୁମ୍ମା ବ୍ଲକ ଅନ୍ତର୍ଗତ ବାଇଜଲ ଗ୍ରାମ ପଞ୍ଚାୟତର ଅବାଡ଼ା ଗ୍ରାମଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପାଠପଢ଼ା ଅଧାରୁ ଛାଡ଼ି ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମ ଲେଖାଇ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ସମ୍ପର୍କରେ ସଚେତନ କରାଯିବା ସହ ମାନବ ଚାଲାଣ ଓ ବାଣିଜ୍ୟିକ ଯୌନ ଶୋଷଣର ପୀଡ଼ିତାମାନଙ୍କ ପାଇଁ ଉଦ୍ଦିଷ୍ଟ ନାଲ୍ସା ଯୋଜନା ସମ୍ପର୍କରେ ବିସ୍ତ୍ରୁତ ଆଇନଗତ ସଚେତନ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ପୀଡ଼ିତାମାନଙ୍କୁ ମିଳୁଥିବା ଆଇନଗତ ସହାୟତା, ସୁରକ୍ଷା ଓ ପୁନର୍ବାସ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡା ଓ ମଳୟ କୁମାର ସେଠୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ମମତା ଦେବୀ, ସେରଙ୍ଗ ଥାନା ଏଏସ୍ଆଇ ସୁରେନ୍ଦ୍ର ସେଠୀ, ଗୁମ୍ମା ବ୍ଲକ ଆଇସିଡିଏସ୍ ସୁପରଭାଇଜର ଧରିତ୍ରୀ ପାତ୍ର, ଅବାଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଟଙ୍କଧର ମାଝୀ, ସମାଜସେବୀ ଦୟା ପାଲକା ଓ ପାରା ଲିଗାଲ ସ୍ବେଚ୍ଛାସେବୀ ଶଶୀରେଖା ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ଶିକ୍ଷାର ଅଧିକାର, ଶିଶୁ ସୁରକ୍ଷା, ମାନବ ଚାଲାଣ ନିରାକରଣ ଏବଂ ଆଇନ ସେବାର ଉପଲବ୍ଧତା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ।











