ବଡ଼ବିଲ ଇତିହାସ ଉପରେ ଆଧାରିତ ପୁସ୍ତକ ‘କାରୋ-କଳିଙ୍ଗ ସମ୍ବାଦ’ ଉନ୍ମୋଚିତ । ବଡ଼ବିଲର ଶତାଧିକ ବର୍ଷର ଇତିହାସ ଏବେ ମଲାଟ ବନ୍ଧା ଦସ୍ତାବିଜ୍ରେ ।
ତା -26/11/2026
ଦର୍ଶନ ସମୀକ୍ଷା, ବଡ଼ବିଲ
ବଡ଼ବିଲ ଅଞ୍ଚଳର ବିଶିଷ୍ଟ ଲେଖକ ରାଜକିଶୋର ଦାଶଙ୍କ ରଚିତ ଗବେଷଣାତ୍ମକ ପୁସ୍ତକ, ବଡ଼ବିଲର ଇତିହାସ ସମ୍ପର୍କରେ ଆଧାରିତ ‘କାରୋ-କଳିଙ୍ଗ ସମ୍ବାଦ’ ଭବ୍ୟ ପରିବେଶ ମଧ୍ୟରେ ଉନ୍ମୋଚିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବରେ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ । କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, ଶିକ୍ଷାବିତ୍ ତଥା ସହରର ମାନ୍ୟଗଣ୍ୟ ବ୍ୟକ୍ତିଗଣ ଉପସ୍ଥିତ ରହି ପୁସ୍ତକଟିକୁ ଲୋକାର୍ପିତ କରିଥିଲେ ।
ବଡ଼ବିଲ ସହରର ଆରମ୍ଭରୁ ଅଦ୍ୟାବଧି ଘଟଣାଚକ୍ରକୁ ନେଇ ପ୍ରସ୍ତୁତ ଏହି ପୁସ୍ତକଟିରେ ଶତାଧିକ ବର୍ଷର ଐତିହାସିକ ଘଟଣାବଳୀ ସ୍ଥାନ ପାଇଛି । ଏହାକୁ ବଡ଼ବିଲର ଅତୀତ ଓ ବର୍ତ୍ତମାନର ଏକ କ୍ଷୁଦ୍ର ତଥା ପ୍ରାମାଣିକ ଦସ୍ତାବିଜ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଲେଖକ ଶ୍ରୀଯୁକ୍ତ ଦାଶ ନିଜେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ସହ, ସ୍ଥାନୀୟ ଜନସାଧାରଣ ଓ ପ୍ରଶାସନର ସାମୂହିକ ସାକ୍ଷାତକାର ନେଇଛନ୍ତି । ବିଶେଷକରି ସହରର ପୁରୋଧା ବୟସ୍କ ବ୍ୟକ୍ତିଙ୍କଠାରୁ ସେମାନଙ୍କ ଅଭିଜ୍ଞତା ସାଉଁଟିବା ସହିତ ବହୁ ଦୁର୍ଲଭ ପୁରୁଣା ଫଟୋଚିତ୍ର ସଂଗ୍ରହ କରି ପୁସ୍ତକଟିକୁ ପରିପୁଷ୍ଟ କରିଛନ୍ତି ।
୨୦୧୭ ମସିହାରେ ରାଜକିଶୋର ଦାଶଙ୍କ ପ୍ରଥମ ପୁସ୍ତକ ‘ବନ୍ଧନ’ ପ୍ରକାଶିତ ହୋଇ ବିପୁଳ ପାଠକୀୟ ଆଦୃତି ଲାଭ କରିଥିଲା । ଅଦ୍ୟାବଧି ତାଙ୍କର ସାତଟି ପୁସ୍ତକ ପ୍ରକାଶିତ ହୋଇ ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଛି । ତାଙ୍କର ଏହି ନୂତନ ସୃଷ୍ଟି ‘କାରୋ-କଳିଙ୍ଗ ସମ୍ବାଦ’ ଗବେଷକ, ଜିଜ୍ଞାସୁ ତଥା ସାହିତ୍ୟପ୍ରେମୀ ପାଠକ-ପାଠିକାଙ୍କ ପାଇଁ ବେଶ୍ ଉପାଦେୟ ଓ ପ୍ରିୟଭାଜନ ହୋଇପାରିବ ବୋଲି ଉପସ୍ଥିତ ଅତିଥିମାନେ ଆଶାବ୍ୟକ୍ତ କରିଛନ୍ତି ।











