Spread the love

ବିଜେପିର ଚାପରେ ଗେରୁଆ ହୋଇଗଲା ଭାରତୀୟ ହକିର ଜର୍ସି। ନବୀନ କଲେ କଡ଼ା ସମାଲୋଚନା
ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା ଭୁବନେଶ୍ୱର

ଭାରତୀୟ ହକି ଟିମ୍‌ର ଆଇକନିକ୍‌ ଜର୍ସି ରଙ୍ଗକୁ ଗେରୁଆ ରଙ୍ଗରେ ପରିବର୍ତ୍ତନ କରାଯାଇଥିବା ଜାଣି ମୁଁ ଗଭୀର ଭାବେ ମର୍ମାହତ। ଭାରତୀୟ ହକି ଟିମ୍‌ର ଏହି ନୀଳ ରଙ୍ଗ କେବଳ ଗୋଟିଏ ରଙ୍ଗ ନୁହେଁ। ଏହା ଦେଶର କ୍ରୀଡ଼ା ଐତିହ୍ୟ ସହ ଯୋଡ଼ିହୋଇ ରହିଥିବା ଏକ ଆବେଗ।

ଦଶନ୍ଧି ଦଶନ୍ଧି ଧରି ଏହି ରଙ୍ଗ ଆମକୁ ଆଶା, ବିଜୟ, ପରାଜୟ ଏବଂ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟରେ ଏକାଠି ବାନ୍ଧି ରଖିଛି। ‘ଟିମ୍ ଇନ୍ ବ୍ଲୁ’ର ପୁରୁଷ ଓ ମହିଳା ଖେଳାଳିମାନଙ୍କ ସହ ଆମେ କାନ୍ଦିଛୁ, ହସିଛୁ, ଉତ୍ସବ ପାଳନ କରିଛୁ ଏବଂ ଗର୍ବର ସହ ଛିଡ଼ା ହୋଇଛୁ। ଏହି ନୀଳ ଜର୍ସି ପିନ୍ଧି ଆମ ଟିମ୍ ଅଲିମ୍ପିକ୍ସ ପଦକ ଜିତିଛି ଏବଂ ବିଶ୍ୱ ମଞ୍ଚରେ ଆମ ଜାତୀୟ ସଙ୍ଗୀତ ଗୁଞ୍ଜରିତ ହୋଇଛି। ନୀଳ ରଙ୍ଗ ଆମ ଜାତୀୟ ପତାକାର ଅଶୋକ ଚକ୍ରରୁ ଅଣାଯାଇଛି। ଏହା ଆମ ଜାତୀୟ ଗୌରବ ଓ ପରିଚୟର ପ୍ରତୀକ। ନୀଳ ରଙ୍ଗ ପ୍ରତ୍ୟେକ ଭାରତୀୟଙ୍କର ଅଟେ।

ଯେତେବେଳେ ଜାତୀୟ ହକି ଟିମ୍ ପ୍ରାୟୋଜକ ପାଇଁ ସଂଘର୍ଷ କରୁଥିଲା, ସେତେବେଳେ ଆମ ଜାତୀୟ ଦଳ ଏବଂ ପ୍ରିୟ ଖେଳକୁ ସହଯୋଗ କରିବାରେ #ଓଡ଼ିଶା ପ୍ରଥମ ଏବଂ ଏକମାତ୍ର ରାଜ୍ୟ ଭାବେ ଇତିହାସ ରଚିଥିଲା। ଜାତୀୟ ହକି ପ୍ରତି ରାଜ୍ୟର ଏହି ସହଯୋଗ ପାଇଁ ସାରା ବିଶ୍ୱରେ ଥିବା ପ୍ରତ୍ୟେକ ଓଡ଼ିଆ ଗର୍ବିତ ଥିଲେ। ୪୧ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଆମ ପୁରୁଷ ଦଳ ଅଲିମ୍ପିକ୍ସ ପଦକ ଜିତିଥିଲା। କେବଳ ଓଡ଼ିଶାରେ ସରକାର ବଦଳିଯାଇଛି ବୋଲି ଆମ ଜାତୀୟ ଦଳର ରଙ୍ଗ ବଦଳାଯିବା ଉଚିତ୍ ନୁହେଁ। ଏହା ସବୁଠାରୁ ନିମ୍ନମାନର ସଂକୀର୍ଣ୍ଣ ରାଜନୀତି।

ଆମ ନୀଳ ଜର୍ସି ଆମ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ, ଯେତିକି ଆର୍ଜେଣ୍ଟିନାର ଆଇକନିକ୍ ଷ୍ଟ୍ରାଇପ୍ସ (ଗାର) ଏବଂ ବ୍ରାଜିଲ୍‌ର ହଳଦିଆ ଜର୍ସି। ଏହା ଆମ ସାମୂହିକ ସ୍ମୃତିରେ ସଦାସର୍ବଦା ଲିପିବଦ୍ଧ ହୋଇରହିଛି। ଏହି ରଙ୍ଗରେ କୌଣସି ବି ପରିବର୍ତ୍ତନ, ଆମ ଅମୂଲ୍ୟ କ୍ରୀଡ଼ା ଐତିହ୍ୟକୁ ପୋଛିଦେବାର ଏକ ଅତ୍ୟନ୍ତ ନିନ୍ଦନୀୟ ପ୍ରଚେଷ୍ଟା। ଜାତୀୟ ପ୍ରତୀକଗୁଡ଼ିକ ଆମକୁ ଯୋଡ଼ିବା ପାଇଁ ଉଦ୍ଦିଷ୍ଟ, ଭାଗ ଭାଗ କରିବା ପାଇଁ ନୁହେଁ।

ମୁଁ ଜାଣିବାକୁ ପାଇଛି ଯେ ଓଡ଼ିଶାର ବିଜେପି ସରକାରଙ୍କ ଚାପରେ ଏହି ପଦକ୍ଷେପ ନିଆଯାଇଛି। କ୍ଷମତାରେ ଥିବା ବ୍ୟକ୍ତିମାନେ ଏହାକୁ ଅସ୍ୱୀକାର କରିପାରନ୍ତି, କିନ୍ତୁ ଗତ ଦୁଇ ବର୍ଷ ହେବ ଓଡ଼ିଶାରେ ସରକାରଙ୍କର ବିଲ୍ଡିଂ, ବସ୍‌ ଏବଂ ପୋଲଗୁଡ଼ିକର ରଙ୍ଗ ବଦଳାଇବାର ନିଶାକୁ ସମସ୍ତେ ଦେଖିଛନ୍ତି। ଆଜି ଓଡ଼ିଶାରେ କେବଳ ଏହି ଗୋଟିଏ କାମ ହିଁ ହେଉଛି। କିନ୍ତୁ ଏବେ ସେହି ସରକାର ଆମ ଜାତୀୟ ଦଳର ରଙ୍ଗକୁ ମଧ୍ୟ ବଦଳାଇ ଦେଇଛନ୍ତି। ହକି ଭଳି ଏକ ଜାତୀୟ ଖେଳକୁ ରାଜନୀତିକରଣ କରିବାକୁ ବିଜେପି ଓଡ଼ିଶାର ଏହି ପ୍ରଚେଷ୍ଟାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଏହା ସାରା ଦେଶର ଲକ୍ଷ ଲକ୍ଷ କ୍ରୀଡ଼ାପ୍ରେମୀଙ୍କ ଭାବନା ଏବଂ ଜାତୀୟ ହକିକୁ ଓଡ଼ିଶା ଯେଉଁ ଗର୍ବର ସହ ସହଯୋଗ କରିଆସିଛି, ତାହାକୁ ଗଭୀର ଆଘାତ ପହଞ୍ଚାଇଛି।

Leave a Reply

Your email address will not be published. Required fields are marked *