Spread the love

ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଷଷ୍ଠ ସଂସ୍କରଣ
ପ୍ରଶିକ୍ଷଣ ନେବେ ରାଜନୀତି ବିଜ୍ଞାନର ପିଜିଟି

ଭୁବନେଶ୍ୱର, ୨୭ ଜୁଲାଇ ୨୦୨୬: ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି । ଶିରିପୁରସ୍ଥିତି ଇମେଜ୍ ଠାରେ ରାଜନୀତି ବିଜ୍ଞାନ, ସଂସ୍କୃତ ଓ ଅର୍ଥଶାସ୍ତ୍ରର ୧୨୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଉଦଘାଟନୀ ଅଧିବେଶନରେ ୟୁନିସେଫ୍ ର ରାଜ୍ୟ ଶିକ୍ଷା ବିଶେଷଜ୍ଞ ଶ୍ରୀମତୀ ଲଳିତା ପଟ୍ଟନାୟକ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି, ଉପନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍. ବିଜୟଲକ୍ଷ୍ମୀ, ୟୁନିସେଫ୍ ର ରାଜ୍ୟ ଶିକ୍ଷା ପରାମର୍ଶଦାତା ଶ୍ରୀମତୀ ଜୟାଜ୍ୟୋତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Oplus_131072

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଲଳିତା ପଟ୍ଟନାୟକ ଶିକ୍ଷା ପ୍ରଦାନ ନିମନ୍ତେ ଶିକ୍ଷା ଗ୍ରହଣର ଆବଶ୍ୟକତା ରହିଥିବା କହିଛନ୍ତି । କର୍ମଶାଳା ପିଜିଟିମାନଙ୍କ କାର୍ଯ୍ୟଶୈଳୀ ବୁଝିବାରେ ସାହାଯ୍ୟ କରିଥାଏ । ଜାତୀୟ ଶିକ୍ଷା ନୀତି ୨୦୨୦ ଛାତ୍ରକୈନ୍ଦ୍ରୀକ ଶିକ୍ଷା ଉପରେ ଧ୍ୟାନ ଦେଇଆସିଛି ତେଣୁ କର୍ମଶାଳାରେ ଅଂଶଗ୍ରହଣ କରି ଏହାର ଲାଭ ଉଠାଇବାକୁ ଶ୍ରୀମତୀ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି । ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ କର୍ମଶାଳାଟି ସମସ୍ତଙ୍କ ଆବଶ୍ୟକତାକୁ ନେଇ ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦିଗଦର୍ଶନ କର୍ମଶାଳା ମାଧ୍ୟମରେ ଶିକ୍ଷକମାନେ ଯାହା ଶିଖିକି ଯାଇଥାନ୍ତି, ତାହା ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ କରିବାରେ ସହାୟକ ହୋଇଥାଏ । ଏଥିସହ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ମାଳି ସ୍ବାଗତ ଅଭିଭାଷଣ ରଖି କର୍ମଶାଳାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଉପନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍ ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ୟୁନିସେଫ୍ ରାଜ୍ୟ ଶିକ୍ଷା ପରାମର୍ଶଦାତା ଶ୍ରୀମତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ, ପିଜିଟି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଆୟୋଜିତ ଦିଗଦର୍ଶନ କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୪ ରେ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ କର୍ମଶାଳା ଜୁଲାଇ ୨୭ ରୁ ଜୁଲାଇ ୩୧ ତାରିଖ ଯାଏଁ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଅର୍ଥଶାସ୍ତ୍ର ଓ ସଂସ୍କୃତର ୧୨୦ ଜଣ ପିଜିଟି ଯୋଗ ଦେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ରାଜନୀତି ବିଜ୍ଞାନ ଏବଂ କିଛି ଅର୍ଥଶାସ୍ତ୍ର ଓ ସଂସ୍କୃତର ଆଉ ୧୨୦ ଜଣ ପିଜିଟି ଯୋଗ ଦେଇଛନ୍ତି । ଏହି କର୍ମଶାଳାରେ ଜାତୀୟ ଶିକ୍ଷା ନୀତି ୨୦୨୦ ର ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ଆଇସିଟିର ବ୍ୟବହାର, ଓଡିଶା ଏଜୁକେସନ୍ ରୁଲ୍, ସାମ୍ସ ଓ ଶିକ୍ଷାଜ୍ୟୋତି ପୋର୍ଟାଲର ବ୍ୟବହାର, ପୋଶ୍ ଆକ୍ଟ, ଛାତ୍ରବୃତ୍ତି, ପ୍ରଶାସନିକ ଭୂମିକା, ପରୀକ୍ଷା ଏବଂ ମୂଲ୍ୟାଙ୍କନ ଯୋଜନା, କ୍ୟାରିଅର ମାର୍ଗଦର୍ଶନ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ।

ରୋଜାଲିନ୍ ସାହୁ
ଲୋକସମ୍ପର୍କ ଅଧିକାରୀ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

Leave a Reply

Your email address will not be published. Required fields are marked *