Spread the love

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ବର, ୨୭ ଜୁଲାଇ ୨୦୨୬: ଦର୍ଶନ ସମୀକ୍ଷା
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି) ର ୱାର୍ଡେନମାନଙ୍କ ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଯାଇଛି । ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ( ନିପା), ନୂଆଦିଲ୍ଲୀ ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଓଡ଼ିଶା ର ମିଳିତ ସହ‌ଯୋଗରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE) ଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅନୁଶାସନ ସଚିବ ଶ୍ରୀ ରାମ ନିବାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୱାର୍ଡେନମାନଙ୍କୁ ଦକ୍ଷ, ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଇଥିଲେ ।

ସେହିପରି ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଅମିତା ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାଏ, ପ୍ରତିଷ୍ଠାନର ଅଧ୍ୟକ୍ଷ ମାନସୀ ଗୋସ୍ବାମୀ, ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ରାଉତ, ଓସେପାର ରାଜ୍ୟ ଜେଣ୍ଡର କୋର୍ଡିନେଟର ଲହରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସମାବେଶୀ, ସ୍ନେହପୂର୍ଣ୍ଣ ଓ ଶିକ୍ଷାନୁକୂଳ ଆବାସିକ ପରିବେଶ ସୃଷ୍ଟି କରିବା ହେଉଛି ୱାର୍ଡେନମାନଙ୍କ କର୍ତ୍ତବ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଏକ ନିରାପଦ, ଶୃଙ୍ଖଳିତ, ଛାତ୍ରୀ-ଅନୁକୂଳ ଓ ଉଚ୍ଚମାନର ଆବାସିକ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ୱାର୍ଡେନମାନଙ୍କୁ ସକ୍ଷମ କରିବା ଏହି କର୍ମଶାଳାର ମୁଖ୍ୟ ଆଭିମୁଖ୍ୟ ବୋଲି ସୂଚନା ଦେଇଛନ୍ତି ।

ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ରାଉତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । NIEPA ର କୁଳପତି ପ୍ରଫେସର୍ ଶଶିକଳା ୱାଞ୍ଜରି ଏବଂ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଶ୍ରୀମତୀ ଅର୍ଚ୍ଚନା ଅବସ୍ତି, ଡକ୍ଟର ଇର୍ମା କେରକେଟା, ସନ୍ଧ୍ୟା ବେଦ୍ ପ୍ରମୁଖ ଆଭାସୀ ଜରିଆରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡାଏଟର ଶିକ୍ଷକ ପ୍ରଶିକ୍ଷକ ଏବଂ ଜିଲ୍ଲା ଜେଣ୍ଡର କୋର୍ଡିନେଟରମାନେ ଯୋଗଦେଇଥିଲେ । କର୍ମଶାଳାରେ ରାଜ୍ୟର ୫ଟି ଜିଲ୍ଲା ଜିଲ୍ଲାରୁ ୭୦ରୁ ଉର୍ଦ୍ଧ୍ବ ୱାର୍ଡେନ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *