ମାଥିଲିରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟ ବିବାହ ବିରୋଧୀ ସଚେତନତା ରଥ ପରିକ୍ରମା
ମାଲକାନଗିରି: ମନୋଜ ଦେବ ପାଙ୍ଗି,ଦର୍ଶନ ସମୀକ୍ଷା
ମାଥିଲି ବ୍ଲକରେ ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟ ବିବାହର ସମ୍ପୂର୍ଣ୍ଣ ନିରାକରଣ ଏବଂ ଶିଶୁ ସୁରକ୍ଷା ଅଧିକାରକୁ ନେଇ ଏକ ବ୍ୟାପକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ , ମାଥିଲିର ମିଳିତ ଆନୁକୂଲ୍ୟରେ ବାଲ୍ୟ ବିବାହ ମୁକ୍ତ ଓ ସୁରକ୍ଷିତ ଶିଶୁ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରାଯାଇଥିଲା।
ବାହୁଡ଼ା ଯାତ୍ରା ସମୟରେ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଓ ସାଧାରଣ ଜନତାଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହି ଅଭିଯାନର ପରିକଳ୍ପନା କରାଯାଇଥିଲା। ଗ୍ରାମୀଣ ଅଞ୍ଚଳରେ ବ୍ୟାପକ ଭାବେ କାୟା ମେଲାଇଥିବା ବାଲ୍ୟ ବିବାହ ଭଳି କୁପ୍ରଥାକୁ ରୋକିବା ଏବଂ ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ସମ୍ବନ୍ଧରେ ସାଧାରଣରେ ଜାଗରଣ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଚାର ରଥ ମାଧ୍ୟମରେ ବାଲ୍ୟ ବିବାହର ସାମାଜିକ ତଥା ସ୍ୱାସ୍ଥ୍ୟଗତ କୁପ୍ରଭାବ ଏବଂ ଏହାର ଆଇନଗତ ପରିଣାମ ବିଷୟରେ ମାଇକ୍ ଯୋଗେ ସର୍ବସାଧାରଣଙ୍କୁ ଅବଗତ କରାଯାଇଥିଲା। ଏଥିସହ ଯାତ୍ରା ସ୍ଥଳରେ ଲୋକଙ୍କୁ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ପୋଷ୍ଟର, ଲିଫଲେଟ୍ ବଣ୍ଟନ କରାଯିବା ସହ ଜରୁରୀକାଳୀନ ସହାୟତା ନମ୍ବର ୧୦୯୮ (ଚାଇଲ୍ଡଲାଇନ୍), ୧୧୨ ଏବଂ ୧୧୮ ବିଷୟରେ ବ୍ୟାପକ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଓ ସାଧାରଣ ନାଗରିକ ବାଲ୍ୟ ବିବାହ କରିବୁ ନାହିଁ, କିମ୍ବା ହେବାକୁ ଦେବୁ ନାହିଁ ବୋଲି ସମୂହ ଶପଥ ଗ୍ରହଣ କରିଥିଲେ। ଯାତ୍ରା ପରିସରରେ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ ତଥା ତୁରନ୍ତ ଆଇନଗତ ସହାୟତା ଯୋଗାଇଦେବା ପାଇଁ ଏକ ସ୍ୱତନ୍ତ୍ର ହେଲ୍ପ ଡେସ୍କ ମଧ୍ୟ ସ୍ଥାପନ କରାଯାଇଥିଲା। ଧର୍ମ ଓ ସଂସ୍କୃତି ସହିତ ଆମ ପିଲାମାନଙ୍କର ଭବିଷ୍ୟତ ସୁରକ୍ଷିତ ରହିବା ଜରୁରୀ, ଏହି ପ୍ରଚାର ରଥ ମାଧ୍ୟମରେ ଘର ଘରେ ଏହି ବାର୍ତ୍ତା ପହଞ୍ଚିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
ଏହି ସମଗ୍ର ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତଥା ଜିଲ୍ଲା ପ୍ରୋଟେକଶନ ଅଫିସର ଟି. ଜୟ ଲକ୍ଷ୍ମୀ ସଫଳତାର ସହ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜିକା ମୀନାକ୍ଷୀ ପ୍ରଧାନ, ଜେଣ୍ଡର ସ୍ପେଶ୍ଯାଲିସ୍ଟ ମିଶେଲ ରାଜୁ, ବୁଲୁ ଖୋସ୍ଲା, ଚାଇଲ୍ଡ ଲାଇନର ପ୍ରତିନିଧି ଅଭି ପେଦା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ସୌମ୍ୟ ରଞ୍ଜନ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ଏହି ସାମାଜିକ ଅଭିଯାନକୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ। ଏହି ସଚେତନତା ଅଭିଯାନ ମାଧ୍ୟମରେ ଶିଶୁ ବିବାହ ନୁହେଁ, ଶିଶୁର ପଢ଼ା ହେଉ ଏବଂ ସୁରକ୍ଷିତ ଶିଶୁ, ସୁନ୍ଦର ଭବିଷ୍ୟତ ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବାକୁ ପ୍ରଶାସନ ପକ୍ଷରୁ ସଂକଳ୍ପ ନିଆଯାଇଛି। ଅନୁରୂପ ଭାବେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ସଚେତନତା ରଥ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି।












Leave a Reply