Spread the love

ଖଲ୍ଲିକୋଟ ରେ ବାହୁଡ଼ା ଯାତ୍ରା ଆନୁଷ୍ଠାନିକ ରୀତିରେ ଅନୁଷ୍ଠିତ

ଖଲିକୋଟ : ନିଲୁ ପଣ୍ଡା (ଦର୍ଶନ ସମୀକ୍ଷା)

ଓଡ଼ିଶାର ଦ୍ୱିତୀୟ ସର୍ବବୃହତ ଶ୍ରୀ ଜଗନ୍ନାଥ ମନ୍ଦିର ବିବେଚିତ ହେଉଥିବା ଖଲ୍ଲିକୋଟ ଠାରେ ଆଜି ଆନୁଷ୍ଠାନିକ ରୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତା ବଳଭଦ୍ର, ଭଗ୍ନୀ ସୁଭଦ୍ରା, ସୁଦର୍ଶନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା ଆୟୋଜିତ ହୋଇଯାଇଛି ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳାଖେଳାର ଅନ୍ତିମ ପର୍ଯ୍ୟାୟ, ଯେଉଁଥିରେ ପ୍ରଭୁ ଜନ୍ମବେଦୀ (ଗୁଣ୍ଡିଚା ମନ୍ଦିର)ରୁ ଆଡ଼ପ ମଣ୍ଡପ ଛାଡ଼ି ପୁନର୍ବାର ରତ୍ନବେଦୀ (ଶ୍ରୀମନ୍ଦିର)କୁ ବାହୁଡ଼ି ଆସନ୍ତି । ଆଷାଢ଼ ଶୁକ୍ଳପକ୍ଷ ନବମୀ ତିଥିରେ ଏହି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହି ଯାତ୍ରା
ଦେଖିବାକୁ ଅଗଣିତ ଦର୍ଶକ ଶ୍ରଦ୍ଧାଳୁ ଭକ୍ତ ବହୁ ସଂଖ୍ୟାରେ ପହଞ୍ଚିଥିଲେ ।

Oplus_131072

ପ୍ରାତଃ ସମୟରେ ମଙ୍ଗଳ ଆଳତି, ମୈଲମ ଓ ତଡ଼ପଲାଗିନୀତି ସମ୍ପନ୍ନ ହୋଇଥିଲା । ଏହା ପରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି, ସୂର୍ଯ୍ୟପୂଜା ଏବଂ ଦ୍ୱାରପାଳ ପୂଜା ଯଥାରୀତି କରାଯାଇଥିଲା ।
​ପ୍ରଭୁଙ୍କୁ ଗୋପାଳବଲ୍ଲଭ ଏବଂ ଆଡ଼ପ ମଣ୍ଡପର ଶେଷ ଭୋଗ (ସକାଳ ଧୂପ) ଲାଗି କରାଯିବା ପରେ ସେନାପଟା ଲାଗି କରାଯାଇଥିଲା । ବାହୁଡ଼ା ପହଣ୍ଡି ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁରକ୍ଷିତ ଭାବେ ରଥକୁ ଆଣିବା ପାଇଁ ଶ୍ରୀଅଙ୍ଗରେ ‘ସେନାପଟା’ (ସୁରକ୍ଷା କବଚ) ଲାଗି କରାଯାଇଥିଲା ।
​ଧାଡ଼ି ପହଣ୍ଡି କ୍ରମରେ ପ୍ରଥମେ ଶ୍ରୀସୁଦର୍ଶନ, ତା’ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ହଲାଇ ଗୁଣ୍ଡିଚା ମନ୍ଦିରରୁ ବାହାରି ରଥାରୂଢ଼ ହୋଇଥିଲେ ।
​ଚତୁର୍ଦ୍ଧାମୂର୍ତ୍ତି ରଥରେ ବିରାଜିତ ହେବା ପରେ ମଦନମୋହନ, ରାମ ଓ କୃଷ୍ଣ ବିଗ୍ରହଙ୍କୁ ସଂପୃକ୍ତ ରଥରେ ବିଜେ କରାଯାଇଥିଲା । ରଥ ଉପରେ ଶ୍ରୀଜୀଉମାନଙ୍କୁ ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା ।
ଖଲ୍ଲିକୋଟ ରାଜାଙ୍କ ପ୍ରତିନିଧି ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ରଥ ଉପରକୁ ଆସି ପୂଜାର୍ଚ୍ଚନା କରିବା ସହ ସୁବର୍ଣ୍ଣ ଖଡ଼ିକାରେ ତିନୋଟିଯାକ ରଥ ଉପରେ ‘ଛେରା ପହଁରା’ ସେବା ସମ୍ପାଦନ କରିଥିଲେ । ​ଛେରା ପହଁରା ପରେ ରଥରୁ ଚାରମାଳ ଖୋଲାଯାଇ, ରଥରେ ଘୋଡ଼ା ଯୋଖିବା ପରେ ସାରଥି ଆରୋହଣ କରିଥିଲେ ।
​ତାହା ପରେ ଭକ୍ତମାନେ ଆନନ୍ଦ ମନରେ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟାଣିବା ଆରମ୍ଭ କରିଥିଲେ ।
​ବାହୁଡ଼ା ବାଟରେ ନନ୍ଦିଘୋଷ ରଥ ମାଉସୀମା (ଅର୍ଦ୍ଧାଶିନୀ) ମନ୍ଦିର ପାଖରେ ଅଟକିଥିଲେ । ସେଠାରେ ମହାପ୍ରଭୁଙ୍କୁ ମାଉସୀମାଙ୍କ ପକ୍ଷରୁ ସୁସ୍ୱାଦୁ ପୋଡ଼ପିଠା ଭୋଗ ଲାଗି କରାଯାଇଥିଲା । ଆନୁଷ୍ଠାନିକ ଭାବେ ‘ଲକ୍ଷ୍ମୀ-ନାରାୟଣ ଭେଟ’ ହୋଇଥିଲା । ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଗନ୍ନାଥଙ୍କ ରଥରୁ ତାହାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ସନ୍ଧ୍ୟା ସୁଦ୍ଧା ତିନି ରଥ ଆସି ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପହଞ୍ଚିଥିଲେ । ଖଲ୍ଲିକୋଟ ବାହୁଡ଼ା ଯାତ୍ରାରେ ତିରିଶି ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା । ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ । ସ୍ଥାନୀୟ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *