ଖଲ୍ଲିକୋଟ ରେ ଉତ୍ସାହ ଉଦ୍ଦୀପନା ସହକାରେ ରଥଯାତ୍ରା ଅନୁଷ୍ଠିତ
ଖଲିକୋଟ : ନିଲୁ ପଣ୍ଡା (ଦର୍ଶନ ସମୀକ୍ଷା)
ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଗଂଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ଠାରେ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନଙ୍କ ପବିତ୍ର ଐତିହାସିକ ରଥଯାତ୍ରା ଆଜି ଆନୁଷ୍ଠାନିକ ରୀତିରେ ସମାହିତ ହୋଇଛି । ଆଜି ଭୋର୍ ସମୟରୁ ମଙ୍ଗଳ ଆଳତି ଅବକାଶ ନୀତି ପରେ ଯଥାରୀତି ଦୈନନ୍ଦିନ ନୀତିକାନ୍ତି ପୂର୍ବକ ସମସ୍ତ କାର୍ଯ୍ୟ ଶେଷ ହେବା ପରେ ସେବକମାନେ ଶ୍ରୀଅଙ୍ଗ ସୁରକ୍ଷା, ସେନାପଟା ଲାଗୁ କରିଥିଲେ । ଠାକୁରମାନଙ୍କ ମଙ୍ଗଳାର୍ପଣ ପରେ ଅପରାହ୍ନରେ ଧାଡ଼ି ପହଣ୍ଡି କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

ସର୍ବ ପ୍ରଥମେ ପ୍ରଭୁ ସୁଦର୍ଶନ ପରେ ଜ୍ୟେଷ୍ଠ ଭ୍ରାତା ବଳଭଦ୍ର, ଭଗ୍ନୀ ସୁଭଦ୍ରା, ପରିଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଘଣ୍ଟ, କାହାଳୀ, ଛତ୍ରି, ହରିବୋଲ ଧ୍ୱନିର ତାଳେ ତାଳେ ଶ୍ରୀଜୀଉମାନଙ୍କୁ ଦୋଳାଇ ଦୋଳାଇ ଭକ୍ତଙ୍କ ସମାବେଶରେ ତିନି ରଥରେ ପହଣ୍ଡି ମାଧ୍ୟମରେ ବିଜେ କରାଇଥିଲେ । ଠାକୁରମାନଙ୍କୁ ନାନାଦି ବସ୍ତ୍ର, ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା । ଖଲ୍ଲିକୋଟ ରାଜ ପରିବାର ପକ୍ଷରୁ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ତିନି ରଥରେ ଛେରାପହଁରା କାର୍ଯ୍ୟ କରିଥିଲେ । ରଥ ପଥ ଆଦି ସମସ୍ତ ପ୍ରସ୍ତୁତି ହେବା ପରେ ଶେଷରେ ଉତ୍ସାହ ଉଦ୍ଦୀପନା ସହକାରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କ ସୁସଜ୍ଜିତ ରଥ ଟାଣିବା ପାଇଁ ପ୍ରବଳ ଭକ୍ତି ନିଷ୍ଠା ସହକାରେ ବଡ଼ଦାଣ୍ଡରେ ଦଣ୍ଡାୟମାନ ହୋଇଥିଲେ । ତାଳଧ୍ୱଜ, ଦର୍ପଦଳନ, ନନ୍ଦିଘୋଷ ରଥ ସୁସଜ୍ଜିତ ହୋଇ ଶ୍ରୀମନ୍ଦିର ସମ୍ମୁଖରୁ ବାହାରି କ୍ରମାନ୍ୱୟରେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଥିଲା । ଖଲ୍ଲିକୋଟ ରଥଯାତ୍ରା ଦେଖିବା ପାଇଁ ତିରିଶି ହଜାରରୁ ଉର୍ଦ୍ଧ୍ବ ଭକ୍ତ ରଥ ଟାଣିଥିଲେ । ସବୁଠାରୁ ବିଶେଷ ଆକର୍ଷଣ ହେଉଛି ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ । ରଥଯାତ୍ରା ସୁପରିଚାଳନା ପାଇଁ ସ୍ଥାନୀୟ ତହସିଲଦାର ଡି. ମାଲେଶ୍ୱର ପାତ୍ର, ଖଲ୍ଲିକୋଟ ଥାନାଧିକାରୀ ରମେଶ କୁମାର ପ୍ରଧାନଙ୍କ ସମେତ ରାଜସ୍ୱ ନିରୀକ୍ଷକ, ଦେବୋତ୍ତର ବିଭାଗ କର୍ମଚାରୀ, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ପୋଲିସ ଫୋର୍ସ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ସହକାରେ ରଥଟଣା କାର୍ଯ୍ୟ ସମ୍ପାଦନା କରିଥିଲେ ।












Leave a Reply