ଗଜପତି ପୋଲିସର ସଫଳତା….. ଚାକିରୀର ପ୍ରଲୋଭନରେ ହାଇଦ୍ରାବାଦ୍ ଚାଲାଣ କରିଥିବା ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ଯୁବତୀଙ୍କୁ ଉଦ୍ଧାର
ପାରଳାଖେମୁଣ୍ଡି, ୭/୭ (ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗ୍ରାମାଞ୍ଚଳରୁ ଆର୍ଥିକ ଅନଟନରେ ପୀଡିତଙ୍କ ଫାଇଦା ଉଠାଇ ଗଜପତିରୁ ଯୁବତୀ ଚାଲାଣ ନିୟମିତ ଚାଲିଥିବା ବେଳେ ସଦ୍ଯ ୭ ଜଣ ଯୁବତୀଙ୍କୁ ସୁଦୂର ହାଇଦ୍ରାବାଦ୍ ରୁ ଉଦ୍ଧାର କରିଛି ଗଜପତି ପୁଲିସ୍ । ଏହି ୭ ଜଣ ଙ୍କ ମଧ୍ଯରୁ ୬ଜଣ ନାବାଳିକା । ଏହା ଗଜପତି ପୁଲିସ୍ ପାଇଁ ଏକ ବଡ଼ ସଫଳତା । ତେବେ ଏହି ଘଟଣାର ତଦନ୍ତ ଦିନକୁ ଦିନ ନେଉଛି ନୂଆ ମୋଡ଼ । ସୂଚନା ଯେ ଚାକିରିର ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ହାଇଦ୍ରାବାଦକୁ ପଠାଇଥିବା ଘଟଣାରେ କେବଳ ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରେ ସୀମିତ ରହିନି । ଏହା ପଛରେ ଏକ ବଡ଼ ଆନ୍ତଃରାଜ୍ୟ ମାନବ ଚାଲାଣ ରାକେଟ୍ ସକ୍ରିୟ ରହିଛି । ସେହି ଦିଗକୁ ପୋଲିସ ଗୁରୁତ୍ୱର ସହ ତଦନ୍ତ ଜାରି ରଖିଛି । ଏପର୍ଯ୍ୟନ୍ତ ପୋଲିସ ୭ ଜଣ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଦ୍ଧାର ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ନାବାଳିକା ହୋଇଥିବା ସହିତ ସମସ୍ତେ ଆଦିବାସୀ ଏବଂ ଆର୍ଥିକ ଭାବେ ପଛୁଆ ପରିବାରରୁ ଆସିଥିବା ସୂଚନା ମିଳିଛି । ଏହି ତଥ୍ୟ ତଦନ୍ତକାରୀ ଦଳର ସନ୍ଦେହକୁ ଆହୁରି ଗଭୀର କରିଛି । ଗ୍ରାମାଞ୍ଚଳର ଦରିଦ୍ର, ଅସହାୟ ଓ ସଚେତନତାର ଅଭାବ ଥିବା ପରିବାରକୁ ଟାର୍ଗେଟ କରି ଏକ ସଂଗଠିତ ମାନବ ଚାଲାଣ ଦଳ କାର୍ଯ୍ୟ କରୁଥିବା ଆଶଙ୍କା ପ୍ରକାଶ ପାଉଛି । ତଦନ୍ତରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଯୁବତୀମାନଙ୍କୁ ଘରୁ ବାହାରକୁ ନେଇଯାଇ ପ୍ରତି ଜଣଙ୍କ ବଦଳରେ ପ୍ରାୟ ୭୦ ହଜାର ଟଙ୍କାରେ କାରବାର ହେଉଥିବା ବେଳେ ସେଥିରୁ ମାତ୍ର ୩୦ରୁ ୩୫ ହଜାର ଟଙ୍କା ଦଲାଲ ମାନଙ୍କ ହାତକୁ ଆସୁଥିବା ସୂଚନା ସମସ୍ତଙ୍କୁ ଚକିତ କରିଛି । ଏହା ପଛରେ ଆହୁରି ବଡ଼ ଏକ ନେଟୱର୍କ କାର୍ଯ୍ୟ କରୁଥିବା ସନ୍ଦେହକରି ପୁଲିସ୍ ମାମଲାର ସମସ୍ତ ଦିଗକୁ ଖୋଳତାଡ କରୁଛି । ମୋବାଇଲ କଲ୍ ରେକର୍ଡ, ବ୍ୟାଙ୍କ କାରବାର, ଯାତାୟାତର ସୂଚନା ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ସନ୍ଧାନ ଚାଲିଛି । ହାଇଦ୍ରାବାଦ ସମେତ ଅନ୍ୟ ରାଜ୍ୟରେ ଏହି ଦଳ ଲିଙ୍କ୍ ରହିଛି କି ନାହିଁ ସେନେଇ ମଧ୍ୟ ତଦନ୍ତ ଜାରି ରହିଛି । ଘଟଣା ପୁଣିଥରେ ଗ୍ରାମାଞ୍ଚଳରେ ଚାକିରିର ପ୍ରଲୋଭନ ଦେଇ ହେଉଥିବା ମାନବ ଚାଲାଣ ର ଭୟଙ୍କର ଚିତ୍ରକୁ ସାମ୍ନାକୁ ଆଣିଛି । ମୁଖ୍ଯତଃ ସଚେତନତାର ଅଭାବ ଓ ଦାରିଦ୍ର୍ୟର ସୁଯୋଗ ନେଇ ଦଲାଲମାନେ ନିରୀହ ଯୁବତୀଙ୍କୁ ଫାନ୍ଦରେ ପକାଉଥିବାରୁ ପରିବାରଗୁଡ଼ିକୁ ସତର୍କ ରହିବାକୁ ପୋଲିସ ପରାମର୍ଶ ଦେଇଛି । କୌଣସି ଅଜଣା ବ୍ୟକ୍ତିଙ୍କ ଚାକିରି ପ୍ରସ୍ତାବରେ ବିଶ୍ୱାସ କରିବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବା ଏବଂ ସନ୍ଦେହଜନକ ଘଟଣା ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି ।
ବର୍ତ୍ତମାନ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଉପରେ ରହିଛି । ଏହି ଘଟଣାରେ ଆହୁରି କେତେ ଜଣ ସମ୍ପୃକ୍ତ ଅଛନ୍ତି, କେତେଦିନ ଧରି ଏହି ଚକ୍ର କାର୍ଯ୍ୟ କରୁଥିଲା ଏବଂ ଏହାର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ତାହା ଆଗାମୀ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି.
ଗଜପତିରେ ୭୭ ତମ ଜିଲ୍ଲାସ୍ତରୀୟ ବନମହୋତ୍ସବର ସମାରୋହ
ପାରଳାଖେମୁଣ୍ଡି, ୭/୭ (ତାରିଣୀ ପ୍ରସାଦ ପଣ୍ଡା) :
ପରିବେଶ ସୁରକ୍ଷା ପାଇଁ ସାମୂହିକ ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରି ଜିଲ୍ଲାର ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଓ ଦେବିତି ଗ୍ରାମ ସ୍ଥିତ ଓଏସ୍ଏପି ତୃତୀୟ ବାଟାଲିୟନ ପରିସରରେ ୭୭ ତମ ବନମହୋତ୍ସବ – ୨୦୨୬ ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ବହୁ ଉତ୍ସାହ ଓ ଆଡମ୍ବରର ସହିତ ପାଳିତ ହୋଇଛି । ଗତ ସପ୍ତାହବ୍ୟାପୀ ବୃକ୍ଷରୋପଣ ଅଭିଯାନ ର ଏହି ସପ୍ତମ ତଥା ଶେଷ ଦିନରେ ଆୟୋଜିତ କାର୍ଯ୍ୟକ୍ରମ ରେ ପରିବେଶ ସୁରକ୍ଷା, ବନ ସଂରକ୍ଷଣ ଓ ସାମୂହିକ ବୃକ୍ଷରୋପଣ ର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ, ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ, ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାଇ ମୀଣା, ପାରଳା ବନଖଣ୍ଡ ଅଧିକାରୀ କେ. ନାଗରାଜୁ, ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝି ଓ ଓଏସ୍ଏପି ତୃତୀୟ ବାଟାଲିୟନର ସହକାରୀ କମାଣ୍ଡାଣ୍ଟ ଅଶୋକ କୁମାର ମହାନ୍ତି, ସହାୟକ ବନ ସଂରକ୍ଷକ ଅରୁଣ କୁମାର ସାହୁ ଏବଂ ସହାୟକ ବନ ସଂରକ୍ଷକ ଶାଇନୀଶ୍ରୀ ଦାସ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବହୁ ସଂଖ୍ଯାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ବହୁ ସଂଖ୍ୟକ ସ୍ଥାନୀୟ ଲୋକଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଏବଂ ବନ ବିଭାଗର ରେଞ୍ଜ ଅଧିକାରୀ, ବନ କର୍ମଚାରୀ, ବନ ସୁରକ୍ଷା ସମିତି (ଭିଏସ୍ଏସ୍)ର ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ଆୟୋଜିତ ସଚେତନତା ସଭାରେ ବକ୍ତାମାନେ ପରିବେଶ ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ, ବନ ସମ୍ପଦର ସଂରକ୍ଷଣ ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଦ୍ୱାରା ସବୁଜ ପରିବେଶ ଗଠନର ଆବଶ୍ୟକତା ଉପରେ ବିଶେଷ ଆଲୋକପାତ କରିଥିଲେ । ପ୍ରତ୍ୟେକ ନାଗରିକ ବର୍ଷକୁ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରାଯାଇଥିଲା । ଏହି ଅବସରରେ ବନ ସୁରକ୍ଷା ଓ ବନୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ “ଗୋଠେଇ ବନ ସୁରକ୍ଷା ସମିତି”କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ସମିତି ଭାବେ ସମ୍ମାନିତ କରାଯାଇ ୫୦ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ଥାନୀୟ ସମୁଦାୟଙ୍କ ବନ ସଂରକ୍ଷଣ ପ୍ରତି ନିଷ୍ଠା ଓ ସକ୍ରିୟ ଭୂମିକାର ଏହା ଏକ ସ୍ୱୀକୃତି ବୋଲି ଅତିଥିମାନେ କହିଥିଲେ । ପରେ ଅତିଥିମାନେ ଜିଲ୍ଲାବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଚାରା ବିତରଣ ପାଇଁ ଏକ ଯାନ ସବୁଜରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଯାନ ମାଧ୍ୟମରେ ବିଭିନ୍ନ ଅଞ୍ଚଳକୁ ଚାରା ଗଛ ପହଞ୍ଚାଇ ବୃହତ୍ ଆକାରରେ ବୃକ୍ଷରୋପଣ କାର୍ଯ୍ୟ ଆଗକୁ ବଢ଼ାଯିବ ବୋଲି ବିଭାଗ କହିଛି । ପରେ ଏକ ପେଡ଼ ମା କେ ନାମ ୩.୦ ଅଭିଯାନ ଅନ୍ତର୍ଗତ ସମସ୍ତ ଅତିଥି, ବନ କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ମିଳି ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ । ଏଠାରେ ସୂଚନା ଯେ ୭୭ତମ ବନ ମହୋତ୍ସବର ସପ୍ତମ ତଥା ଶେଷ ଦିନର କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡର ସମସ୍ତ ସାତଟି ରେଞ୍ଜରେ ଏକକାଳୀନ ଭାବେ ପାଳନ କରାଯାଇ ବ୍ୟାପକ ବୃକ୍ଷ ରୋପଣ ଓ ଜନସଚେତନତା ଏବଂ ଜନଭାଗିଦାରୀ ମାଧ୍ୟମରେ ଜିଲ୍ଲାର ସବୁଜ ପରିବେଶକୁ ଆହୁରି ସମୃଦ୍ଧ କରିବା ଦିଗରେ ବନ ବିଭାଗର ଦୃଢ଼ ସଂକଳ୍ପ ନିଆଯାଇ ଏହି କାର୍ଯ୍ୟକ୍ରମକୁ ପ୍ରତିଫଳିତ କରାଯାଇଛି ।












Leave a Reply