ପ୍ରେସ ବିଜ୍ଞପ୍ତି
ସ୍ୱାଭିମାନ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ‘ବିକାଶ ସମ୍ମିଳନୀ’ ଆୟୋଜିତ
ପୁରୀ, ୬ ଜୁଲାଇ: ରଜତ କୁମାର ମହାପାତ୍ର (ଦର୍ଶନ ସମୀକ୍ଷା) ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ସର୍ବାଙ୍ଗୀନ ବିକାଶକୁ ଏକ ଜନଆନ୍ଦୋଳନରେ ପରିଣତ କରିବାର ଲକ୍ଷ୍ୟ ନେଇ ସ୍ୱାଭିମାନ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଗତ ୫ ଜୁଲାଇ ୨୦୨୬ ତାରିଖରେ ଶ୍ରୀକ୍ଷେତ୍ର ପୁରୀସ୍ଥିତ ହୋଟେଲ ବ୍ଲୁ ବିଚ୍ ରିସର୍ଟ ପରିସରରେ ଏକ ରାଜ୍ୟସ୍ତରୀୟ ‘ବିକାଶ ସମ୍ମିଳନୀ’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

“ସ୍ୱାଭିମାନରୁ ସମୃଦ୍ଧି : ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ଜନଆନ୍ଦୋଳନ” ଶୀର୍ଷକ ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ, ଯୁବ ପ୍ରତିନିଧି, ବୃତ୍ତିଜୀବୀ ଏବଂ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ଓଡ଼ିଶାର ବିକାଶର ଦିଗ ଓ ଦୃଷ୍ଟିଭଙ୍ଗୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଐତିହ୍ୟ, ବର୍ତ୍ତମାନର ବିକାଶମୂଳକ ଚ୍ୟାଲେଞ୍ଜ ଏବଂ ୨୦୩୬ ସୁଦ୍ଧା ଏକ ସ୍ୱାଭିମାନୀ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ରୋଡମ୍ୟାପ ଉପରେ ବିସ୍ତୃତ ମତବିନିମୟ ହୋଇଥିଲା।

ଫାଉଣ୍ଡେସନର ସଭାପତି ଅମ୍ବିକା ପ୍ରସାଦ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶାର ବିକାଶ କେବଳ ସରକାରୀ ପ୍ରୟାସ ଉପରେ ନିର୍ଭରଶୀଳ ନ ହୋଇ ଜନସହଭାଗିତା ଆଧାରିତ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ। ସେ କହିଥିଲେ ଯେ, ସ୍ୱାଭିମାନ ଓଡ଼ିଶା ଫାଉଣ୍ଡେସନ ରାଜ୍ୟର ସାଂସ୍କୃତିକ ପୁନର୍ଜାଗରଣ, ଯୁବ ସଶକ୍ତିକରଣ, ନାଗରିକ ଦାୟିତ୍ୱବୋଧ ଏବଂ ବିକାଶମୂଳକ ଚିନ୍ତାଧାରାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବ।
ଫାଉଣ୍ଡେସନର ସାଧାରଣ ସମ୍ପାଦକ ବରୁଣ କୁମାର ସଂଗଠନର କାର୍ଯ୍ୟଯୋଜନା, ସାଙ୍ଗଠନିକ ଢାଞ୍ଚା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ‘ଜିଲ୍ଲା ବିକାଶ ସମ୍ମିଳନୀ’ ଆୟୋଜନ କରାଯିବ। ଏହି ସମ୍ମିଳନୀଗୁଡ଼ିକରେ ଜିଲ୍ଲାର ବିକାଶ ସମ୍ଭାବନା, ପ୍ରମୁଖ ସମସ୍ୟା, କୃଷି, ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଉଦ୍ୟୋଗ, ଯୁବଶକ୍ତି ଓ ସୁଶାସନ ଭଳି ବିଭିନ୍ନ ବିଷୟ ଉପରେ ଗଭୀର ଆଲୋଚନା କରାଯିବ।
ଫାଉଣ୍ଡେସନର ଉପସଭାପତି, ବିଶିଷ୍ଟ ଲେଖିକା ଓ ସମାଜସେବୀ ଡା. ସୁନୀତି ମୁଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ସହଭାଗିତା ଆବଶ୍ୟକ। ବିକାଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ସଚେତନ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସେ ଆହ୍ୱାନ ଦେଇଥିଲେ।
ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ସୁନାମଧନ୍ୟ ଲେଖିକା ସୁଜାତା ନନ୍ଦ, ସମାଜସେବୀ ପ୍ରଶାନ୍ତ କର, ମାନିନୀ ଦେବୀ ଏବଂ ମନୋଜ ରଥ ସ୍ୱାଭିମାନ, ସାମାଜିକ ଚେତନା ଓ ବିକାଶକୁ ନେଇ ନିଜର ମତାମତ ରଖିଥିଲେ।
ସମ୍ମିଳନୀରେ ଏହା ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଥିଲା ଯେ, ପ୍ରତ୍ୟେକ ଜିଲ୍ଲା ନିଜସ୍ୱ ବିକାଶ ଭିଜନ ପ୍ରସ୍ତୁତ କରିବ ଏବଂ ଜନସହଭାଗିତା ଆଧାରିତ ଜିଲ୍ଲା ବିକାଶ ରୋଡମ୍ୟାପ ପ୍ରସ୍ତୁତ କରାଯିବ। ଏଥିସହ ଯୁବ କନେକ୍ଟ, ନାଗରିକ ଶିକ୍ଷା ଅଭିଯାନ, ସ୍ୱେଚ୍ଛାସେବକ ନେଟୱାର୍କ ଏବଂ ସଦସ୍ୟତା ଅଭିଯାନକୁ ରାଜ୍ୟବ୍ୟାପୀ ଭାବେ ବିସ୍ତାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ସମ୍ମିଳନୀ ଶେଷରେ ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା, ଯେଉଁଥିରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାଂସ୍କୃତିକ ଐତିହ୍ୟର ସୁରକ୍ଷା, ଯୁବଶକ୍ତିର ସଶକ୍ତିକରଣ ଏବଂ ଜନଭାଗିଦାରୀ ଆଧାରିତ ବିକାଶ ମଡେଲ ଗଠନ ପାଇଁ ସମସ୍ତ ସଦସ୍ୟ ସଂକଳ୍ପ ଗ୍ରହଣ କରିଥିଲେ।
ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ଏହି ରାଜ୍ୟସ୍ତରୀୟ ଓରିଏଣ୍ଟେସନ ସମ୍ମିଳନୀ ମାଧ୍ୟମରେ ରାଜ୍ୟବ୍ୟାପୀ ବିକାଶ ସଂଳାପର ଶୁଭାରମ୍ଭ ହୋଇଛି। ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଜନସହଭାଗିତା ଭିତ୍ତିକ ବିକାଶ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରାଯିବ।
ମୁଖ୍ୟ ବାର୍ତ୍ତା:
“ସ୍ୱାଭିମାନରୁ ସମୃଦ୍ଧି — ସଶକ୍ତ ଜନତା, ସମୃଦ୍ଧ ଓଡ଼ିଶା।”












Leave a Reply