Spread the love

ପାରଳାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି
ପାରଳାଖେମୁଣ୍ଡି, 2/7(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା ପରେଲଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ବହୁ ଭକ୍ତ ନିଜ ନିଜକୁ ଭିନ୍ନ ଭିନ୍ନ ଭାବେ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଏହି ଅବସରରେ ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହି ନିବାସୀ ଜୟନ୍ତୀମାଳା ମହାପାତ୍ର ତାଙ୍କର ସ୍ୱାମୀ ସ୍ବର୍ଗତ ରାମଚନ୍ଦ୍ର ମହାପାତ୍ରଙ୍କ ସ୍ମୃତି ଉଦେଶ୍ୟରେ 51,001 ଟଙ୍କା ନୂତନ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାଭାଗିତା ହୋଇପାରିଛନ୍ତି. ପାରଳା ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କମିଟିର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ ନିର୍ମାଣ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମନ୍ଦିର ନିର୍ମାଣରେ ସହାଭାଗିନୀ ହୋଇଥିବା ଉପରୋକ୍ତ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ ସାଧୁବାଦ ଜଣାଇଛନ୍ତି.
ଗଜପତିରେ ‘ବିକଶିତ ଭାରତ-ଗ୍ରାମୀଣ’ ମିଶନର ଆନୁଷ୍ଠାନିକ ଶୁଭାରମ୍ଭ
ପାରଳାଖେମୁଣ୍ଡି, 2/7(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆରଏସଇଟିଆଇ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଜନ ସମ୍ମେଳନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପାରମ୍ପରିକ ରୋଜଗାର ମଡେଲଠାରୁ ଭିନ୍ନ, ‘ବିକଶିତ ଭାରତ-ଗ୍ରାମୀଣ’ ସାମଗ୍ରିକ ମାନବ ବିକାଶକୁ ଲକ୍ଷ୍ୟ କରି ଚାରୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ଆଧାରିତ: ଆଧୁନିକ ଅର୍ଥନୈତିକ ସୁଯୋଗ ଖୋଜୁଥିବା ଯୁବପିଢ଼ି, ସୁରକ୍ଷିତ ସାମାଜିକ ବ୍ୟବସ୍ଥା ଆବଶ୍ୟକ କରୁଥିବା ଗରିବ, ଆର୍ଥିକ ଆତ୍ମନିର୍ଭରଶୀଳତା ପାଇଁ ପ୍ରୟାସ କରୁଥିବା ମହିଳା ଏବଂ ସ୍ଥାୟୀ କୃଷି ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଥିବା ଅନ୍ନଦାତା (ଚାଷୀ)। ଏହି ଚାରୋଟି ପ୍ରମୁଖ ବର୍ଗକୁ କେନ୍ଦ୍ର କରି ସମ୍ବଳ ପ୍ରଦାନ କରିବା ଦ୍ୱାରା, ଏହି ମିଶନ ଗ୍ରାମୀଣ ସମୁଦାୟରେ ଏକ ସମ୍ମାନଜନକ ଓ ସ୍ଥାୟୀ ଆର୍ଥିକ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି।
ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀବୃନ୍ଦ,ଅଞ୍ଚଳର ଜନପ୍ରତିନିଧି ଏବଂ ଜିଲ୍ଲାର ଜନସାଧାରଣ ସାମିଲ ହୋଇଥିଲେ । ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ କାମଦେବ ବଡ଼ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ, ଉଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ଓ ବ୍ରହ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଡି.ରାଜେଶ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀ ଦେବୀ ଅଧିକାରୀ କାର୍ଯ୍ୟକ୍ରମର ସଫଳ ପରିଚାଲନା ଦାୟିତ୍ୱ ନିର୍ବାହ କରିଥିଲେ । ଗଣପ୍ରତିନିଧିଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ ଶକ୍ତ ଆଇନଗତ ବ୍ୟବସ୍ଥା, ଅତ୍ୟାଧୁନିକ ବୈଷୟିକ ଭିତ୍ତିଭୂମି ଏବଂ ଗ୍ରାମୀଣ ନାଗରିକମାନଙ୍କକୁ ସଶକ୍ତ କରିବାର ଅବିରତ ପ୍ରୟାସ ସହିତ ‘ବିକଶିତ ଭାରତ-ଗ୍ରାମୀଣ ମିଶନ’ ଏକ ସମ୍ପୂର୍ଣ୍ଣ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନର ଜାତୀୟ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ।।
ବନ ବିଭାଗର ଚଢାଉ
୮ ଖଣ୍ଡ ଶାଗୁଆନ୍ କାଠ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, 2/7(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ବନ ଉପଖଣ୍ଡର ଦେବଗିରି ରେଞ୍ଜ ଅଧୀନ ଜଙ୍ଗଲରେ ବେଆଇନ ଭାବେ ମୂଲ୍ୟବାନ ଶାଗୁଆନ ଗଛ କଟାଯାଉଥିବା ଖବର ପାଇ ଗତକାଲି ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଚଢ଼ଉ କରାଯାଇଥିଲା ।

ପାରଳାଖେମୁଣ୍ଡି ଡ଼ିଏଫଓ କେ. ନାଗାରାଜୁଙ୍କ ନିର୍ଦେଶକ୍ରମେ ଏସିଏଏଫ ଅରୁଣ କୁମାର ସାହୁଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ତାଲାଝଙ୍ଗ ଆମ୍ବାଝରି ଗ୍ରାମର ଇଲିୟାଲ ରଇତ (୪୩)କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଖସି ପଳାଇବାରେ ସକ୍ଷମ ହୋଇଛି | ଚଢ଼ଉ ବେଳେ ଦୁଇଟି ସଦ୍ୟ କଟାଯାଇଥିବା ଶାଗୁଆନ ଗଛ ଠାବ କରାଯାଇଥିଲା। ବନ କର୍ମଚାରୀଙ୍କୁ ଦେଖି ଦୁଇଜଣ ଜଙ୍ଗଲ ଭିତରକୁ
ପଳାଇବାକୁ ଉଦ୍ୟମ କରିଥିଲେ। ତେବେ, ପିଛା କରି ଇଲିୟାଲକୁ ଧରାଯାଇଥିବା ବେଳେ ଅନ୍ୟ ଜଣକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତଲାସି ଜାରି ରହିଛି।
ଚତୁର୍ଦ୍ଦଶତମ ଗୋଷାଣି ପଞ୍ଚାୟତ ସମିତି ବୈଠକ

ପାରଳାଖେମୁଣ୍ଡି,2/7(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତିର ଚତୁର୍ଦ୍ଦଶତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଚତୁର୍ଦ୍ଦଶ ପଞ୍ଚାୟତ ସମିତି ବୈଠକରେ ମୁଖ୍ୟ କରି ଆଲୋଚ୍ୟ ବିଷୟ ମଧ୍ୟରେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ, କୃଷି ବିଭାଗ, ବିଦ୍ୟୁତ୍ ବିଭାଗ, ପଶୁ ପାଳନ, ମତ୍ସ୍ୟ ବିଭାଗ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା, ଉଦ୍ୟାନ, ଜଳ ବିଭାଜିକା, ମହିଳା ଓ ଶିଶୁ ବିଭାଗ, ଉନ୍ନୟନ, ଖାଉଟି ଯୋଗାଣ ବିଭାଗ, ରାଜସ୍ବ ବିଭାଗ ଭଳି 18 ଗୋଟି ବିଷୟ ରହିଥିଲା ।

ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ, ଉପାଧ୍ୟକ୍ଷା ଏସ୍. ଅନୁସୂୟାଦେବୀ, ଜିଲ୍ଲାପରିଷଦ ସଭ୍ୟ ଏସ୍.ବାଲାରାଜୁ, ଜିଲ୍ଲାପରିଷଦ ସଭ୍ୟା ଏନ୍.ପାରିଗା, ଗୋଷାଣି ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସସ୍ମିତା ଜେନା ପ୍ରମୁଖଙ୍କ ସମେତ ସମସ୍ତ ସରପଞ୍ଚ ସମିତିମାନେ ଉପସ୍ଥିତ ରହି ବୈଠକରେ ବିଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା କରିଥିଲେ । ତେବେ ଗୋଷାଣି ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ କୁମାର ପାତ୍ରଙ୍କ ଚଳିତ ମାସ ଶେଷରେ ଅବସର ନେବା ପୂର୍ବରୁ ପୂର୍ବରୁ ପଞ୍ଚାୟତ ସମିତି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ମିଶ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଗଜପତି ବଂଶଧାରା ନଦୀ ହିଡ଼ବନ୍ଦ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗରେ ସ୍ଥିତି ଅନୁଧ୍ୟାନ କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, 2/7(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ହିଡ଼ବନ୍ଦ ନିର୍ମାଣ କାର୍ଯ୍ୟରେ ଅବହେଳା ଓ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ ପରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ନଦୀ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ସୁରକ୍ଷା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଚାଲିଥିବା ଏହି ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ଉଠିବା ପରେ ବିଧାୟକଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, କାଶୀନଗର ଏନଏସି ସମେତ କାଶୀନଗର ବ୍ଲକର ବହୁ ପଞ୍ଚାୟତର ଅନେକ ଗ୍ରାମ ବଂଶଧାରା ନଦୀ କୂଳରେ ଅବସ୍ଥିତ। ବର୍ଷା ଋତୁରେ ନଦୀରେ ବନ୍ୟା ଆସିବା ଯୋଗୁଁ ଅନେକ ସମୟରେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବା ସହ ଲୋକଙ୍କ ଜୀବନ ଓ ସମ୍ପତ୍ତି ପ୍ରଭାବିତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ନଦୀ କୂଳର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପଥର ଓ ମାଟି ବ୍ୟବହାର କରି ହିଡ଼ବନ୍ଦ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ପ୍ରାୟ ଦୁଇ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହା ସହ ନିର୍ମାଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ଠିକାଦାର ପକ୍ଷରୁ ମନମୁଖୀ ଭାବେ କାର୍ଯ୍ୟ କରାଯାଉଥିବା ଅଭିଯୋଗ ମଧ୍ୟ ଉଠିଛି। ସେହିପରି ଭାନ୍ନା ଗ୍ରାମ ନିକଟସ୍ଥ ନଦୀ କୂଳରେ ଚାଲିଥିବା ହିଡ଼ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ବୁଦୁରା ସମିତି ସଭ୍ୟଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରାଯାଇଥିଲା। ଉକ୍ତ ଅଭିଯୋଗକୁ ଆଧାର କରି ବିଧାୟକ ରୂପେଶ ପାଣିଗ୍ରାହୀ ନିର୍ମାଣ ସ୍ଥଳକୁ ଯାଇ କାର୍ଯ୍ୟର ମାନ ଯାଞ୍ଚ କରିଥିଲେ। ବିଧାୟକଙ୍କ ଗସ୍ତ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବି. ସାୟାମ୍ମା, ବୁଦୁରା ସମିତି ସଭ୍ୟ ବି. ବାବୁରାଓ, କେ. ଆପାରାଓଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ବିଧାୟକଙ୍କ ନିକଟରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ନେଇ ବିଭିନ୍ନ ଅଭିଯୋଗ ଉପସ୍ଥାପନ କରିଥିଲେ। କେତେକ ଲୋକ ଅଭିଯୋଗ କରିଥିଲେ ଯେ, କାମର ଗୁଣବତ୍ତା ସମ୍ପର୍କରେ ପ୍ରଶ୍ନ କଲେ ଠିକାଦାର ପକ୍ଷର କିଛି ବ୍ୟକ୍ତି ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ ମଧ୍ୟ ରହିଛି। କାଶୀନଗର ଠାରୁ ଭାନ୍ନା ଗ୍ରାମ ପର୍ଯ୍ୟନ୍ତ ଚାଲିଥିବା ପଥର ଜଡ଼ିତ ହିଡ଼ ନିର୍ମାଣ କାର୍ଯ୍ୟକୁ ବିଧାୟକ ନିଜେ ତଦାରଖ କରିଥିଲେ। ଏହା ପରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଲୋକଙ୍କ ଅଭିଯୋଗ ବିଷୟରେ ଅବଗତ କରାଇଥିଲେ।
ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଜନସାଧାରଣଙ୍କ ସୁରକ୍ଷା ସହ ଜଡ଼ିତ ଏହି କାର୍ଯ୍ୟ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ହେବା ଆବଶ୍ୟକ। କାମରେ କୌଣସି ପ୍ରକାର ଅନିୟମିତତା କିମ୍ବା ନିମ୍ନମାନର କାର୍ଯ୍ୟ ହୋଇଥିଲେ ତାହା ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *