ସେତେବେଳର ଉଦବେଳନ ଏବେ ନାହିଁ କାହିଁକି?ଏଠାରେ କେବଳ ଅପରାଧକୁ ନେଇ ନୁହେଁ; ପ୍ରଶ୍ନ ହେଉଛି ଆମର ସାମାଜିକ ଓ ଜାତୀୟ ପ୍ରତିକ୍ରିୟାକୁ ନେଇ- ତୁଷାର କାନ୍ତ ଶତପଥୀ ଭୁବନେଶ୍ୱର (ଦର୍ଶନ ସମୀକ୍ଷା)

Spread the love

“ସମୟ ସମୟର କଥା”..

  • ୨୦୧୨ ମସିହାରେ ଯେଉଁ ଘଟଣା ତାପରେ ଭାରତବର୍ଷରେ ଶାସନ ପରିବର୍ତ୍ତନର ଅନ୍ୟତମ କାରଣ ହୋଇଥିଲା, ୨୦୨୬ ମସିହାର ଠିକ ସେହିଭଳି ଘଟଣାଟିଏ ଗଣତନ୍ତ୍ରର ଚାରିଟି ଖୁଣ୍ଟରେ କୌଣସି ଉଲ୍ଲେଖନୀୟ ପ୍ରତିକ୍ରିୟା ସୃଷ୍ଟି ନ କରିପାରିବାର ବ୍ୟଥା;
    ଦିଲ୍ଲୀର “ନିର୍ଭୟା” (୧୬ ଡିସେମ୍ବର ୨୦୧୨) ଓ ବିହାରର “ବେଗୁସରାଇ” (୧୧ ଜୁନ ୨୦୨୬): ଦୁଇଟି ଅପରାଧ, କିନ୍ତୁ ଭାରତର ବିବେକ ପାଇଁ ଗୋଟିଏ ମାତ୍ର ପରୀକ୍ଷା।- ତା୧୬.୧୨.୨୦୧୨ରିଖରେ ଦିଲ୍ଲୀର ଜଣେ ଯୁବତୀ ଚଳନ୍ତା ବସ୍‌ ମଧ୍ୟରେ ନିର୍ମମ ଗଣଦୁଷ୍କର୍ମ ଓ ଅମାନବୀୟ ନିର୍ଯାତନାର ଶିକାର ହୋଇଥିଲେ। ତାଙ୍କ ଉପରେ ହୋଇଥିବା ବର୍ବରତା ସମଗ୍ର ଭାରତର ବିବେକକୁ ଝଟକା ଦେଇଥିଲା। ଏହି ଘଟଣା ପରେ “ଦେଶବ୍ୟାପୀ ଜନଆନ୍ଦୋଳନ, ବ୍ୟାପକ ଗଣମାଧ୍ୟମ ଚର୍ଚ୍ଚା, ସଂସଦୀୟ ବିତର୍କ, ନ୍ୟାୟିକ ପର୍ଯ୍ୟବେକ୍ଷଣ ଏବଂ ଶେଷରେ ମହିଳାଙ୍କ ବିରୁଦ୍ଧରେ ଯୌନ ଅପରାଧ ସମ୍ବନ୍ଧୀୟ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନର ପଥ ପ୍ରସ୍ତୁତ କରିଥିଲା।” ସେହି ପୀଡ଼ିତା “ନିର୍ଭୟା” ନାମରେ ପରିଚିତ ହୋଇଥିଲେ ଏବଂ ତାଙ୍କ ମାମଲା ନାରୀଙ୍କ ବିରୁଦ୍ଧରେ ହିଂସା ପ୍ରତି ଦେଶର ସଂଗ୍ରାମର ପ୍ରତୀକ ପାଲଟିଥିଲା।
    ଏହାର ପାଖାପାଖି ୧୪ ବର୍ଷ ପରେ,ତା୧୧.୦୬.୨୦୨୬ରିଖରେ ବିହାରର ବେଗୁସରାଇ ଜିଲ୍ଲାରୁ ଆସିଥିବା ଆଉ ଗୋଟିଏ ଠିକ ସେହିଭଳି ଘଟଣା ଘଟିଛି, ଯାହା ଚରମ ବର୍ବରତାର ପରିଚାୟକ। ପୀଡ଼ିତାଙ୍କ ବୟାନ ଅନୁଯାୟୀ, “ତାଙ୍କୁ ଅପହରଣ କରାଯାଇଥିଲା, ଗଣଦୁଷ୍କର୍ମ କରାଯାଇଥିଲା ଏବଂ ଭୟଙ୍କର ଶାରୀରିକ ନିର୍ଯାତନା ଦିଆଯାଇଥିଲା।”
    ପରବର୍ତ୍ତୀ ଚିକିତ୍ସା ପରୀକ୍ଷାରେ “ତାଙ୍କ ଶରୀରରୁ ଗୁଳିର ଖୋଳ ଭଳି ଗୋଟିଏ ପଦାର୍ଥ , ଖଣ୍ଡେ ପଥର ଏବଂ କାଠଖଣ୍ଡିଏ ଉଦ୍ଧାର ହୋଇଥିବା”ଜଣା ପଡିଛି, ଯାହା ଠିକ୍ ନିର୍ଭୟାଙ୍କ କ୍ଷେତ୍ରରେ ଘଟିଥିଲା।
    କିନ୍ତୁ, ସେତେବେଳର ଉଦବେଳନ ଏବେ ନାହିଁ କାହିଁକି?
    ଏଠାରେ କେବଳ ଅପରାଧକୁ ନେଇ ନୁହେଁ; ପ୍ରଶ୍ନ ହେଉଛି ଆମର ସାମାଜିକ ଓ ଜାତୀୟ ପ୍ରତିକ୍ରିୟାକୁ ନେଇ। ନିର୍ଭୟା ଘଟଣା ସପ୍ତାହ ସପ୍ତାହ ଧରି ସମ୍ବାଦ ଶିରୋନାମା, ଟେଲିଭିଜନ ଚର୍ଚ୍ଚା, ରାଜନୈତିକ ବିମର୍ଶ ଏବଂ ରାସ୍ତାଘାଟର ପ୍ରତିବାଦର କେନ୍ଦ୍ରବିନ୍ଦୁ ପାଲଟିଥିଲା। କିନ୍ତୁ ଅନେକଙ୍କର ମତ ହେଉଛି ଯେ “ଏହା ସେପରି ଦୀର୍ଘସ୍ଥାୟୀ ଜାତୀୟ ଧ୍ୟାନ, ଜନଆନ୍ଦୋଳନ କିମ୍ବା ରାଜନୈତିକ ତତ୍ପରତା ସୃଷ୍ଟି କରୁନାହିଁ।”
    ଏଇଠି ସ୍ୱତଃ ମନରେ ଯେଉଁ ଜିଜ୍ଞାସାଟି ଉଦ୍ରେକ ହେଉଛି, ତାହା ହେଉଛି, “ଶାସନରେ ପରିବର୍ତ୍ତନ ଆଣିବାକୁ, ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇନଥିବା ସେତେବେଳର ‘2G SPECTRUM ଘୋଟାଲା, କୋଇଲା ଦୁର୍ନୀତି, ଏସିଆନ ଖେଳ ହେରଫେର, ଆନା ହଜାରେଙ୍କ ‘ଦୂର୍ନୀତି ବିରୋଧୀ ଆନ୍ଦୋଳନ, ନିର୍ଭୟା ଘଟଣା ” ଗୁଡ଼ିକ ସୁଚିନ୍ତିତ ତଥା ସୁଦୂର ପ୍ରସାରୀ ଯୋଜନା ନଥିଲା ତ, “ଯେଉଁଥିରେ ସେତେବେଳେ ଗଣତାନ୍ତ୍ରିକ ଖୁଣ୍ଟଗୁଡିକର ମହାମହିମଗଣ ସକ୍ରିୟ ପ୍ରମୂଖ ଅବଦାନ ରଖିଥିବା ସ୍ଥଳେ ଏବର ଘଟଣା ସମୂହରେ ସରକାରଙ୍କ ସପକ୍ଷରେ ରହୁଛନ୍ତି।”
    ନ୍ୟାୟର ମାପକାଠି ଦିଲ୍ଲୀ ଓ ବିହାର ପାଇଁ ଅଲଗା ହୋଇଯାଇଛି। ଏମିତି ଦେଖିଲେ “ଯୌନ ବା ଯେ କୌଣସି ହିଂସା,ଅନ୍ୟାୟର ପ୍ରତ୍ୟେକ ପିଡିତ/ପୀଡ଼ିତା, ସମାନ ତଦନ୍ତ, ଜନଚିନ୍ତା ଏବଂ ଆଇନ ଆଗରେ ସମାନ ଦାୟିତ୍ୱବୋଧ”ର ଉପଭୋକ୍ତା ହେବା ଉଚିତ।
    କିନ୍ତୁ, ସ୍ଥାନ, କାଳ ଓ ପାତ୍ରମାନଙ୍କୁ ନେଇ ଶାସନ, ପ୍ରଶାସନ, ନ୍ୟାୟପାଳିକା ଓ ଗଣମାଧ୍ୟମ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି।
    ନିର୍ଭୟା ଆନ୍ଦୋଳନର ପ୍ରକୃତ ଶିକ୍ଷା “କେବଳ ଗୋଟିଏ ଜଘନ୍ୟ ଅପରାଧ ବିରୋଧରେ କ୍ଷୋଭ ନଥିଲା; ବରଂ ଏହି ବିଶ୍ୱାସ ଥିଲା ଯେ ପ୍ରତ୍ୟେକ ନାରୀଙ୍କ ଜୀବନ, ମର୍ଯ୍ୟାଦା ଓ ସୁରକ୍ଷା ସମାନ ଭାବରେ ମୂଲ୍ୟବାନ।” କିନ୍ତୁ,ବର୍ତ୍ତମାନର ମୁଖ୍ୟଧାରାର ଗଣମାଧ୍ୟମର ଏକ ବଡ଼ ଅଂଶ ରାଜନୈତିକ ପ୍ରଭାବ କିମ୍ବା ଚାପ ଅଧୀନରେ କାର୍ଯ୍ୟ କରୁଛି, ଯାହା ଫଳରେ ସରକାରଙ୍କ ସପକ୍ଷବାଦୀ ପ୍ରସଙ୍ଗଗୁଡିକୁ ଅତ୍ୟଧିକ/ମାତ୍ରାଧିକ ପ୍ରଚାର/ପ୍ରସାର ମିଳୁଥିବା ସ୍ଥଳେ, “ସରକାର ବଦନାମ ହେବାର ସମ୍ଭାବନା ରହିଥିବା ଘଟଣାଗୁଡ଼ିକୁ ସମ୍ପୂର୍ଣ୍ଣଋପେ ଚାପି ଦିଆଯାଉଛି, ଓଡ଼ିଆ ଲୋକକଥା ” ମୂଳୁ ମାଇଲେ ଯିବ ସରି,ଦେବଙ୍କ ସଙ୍ଗେ କିମ୍ପା କଳି” ଆଧାରରେ।
    ଏଭଳି ଗଣମାଧ୍ୟମ ବାବଦରେ ,ଲର୍ଡ ନର୍ଥକ୍ଲିଫ୍ (Lord Northcliffe())ଙ୍କର ଏକ ପ୍ରସିଦ୍ଧ ବ୍ୟଙ୍ଗାତ୍ମକ ଉକ୍ତି ହେଉଛି:- “News is what somebody somewhere wants to suppress; all the rest is advertising- ଖବର ହିଁ ସେଇଟା, ଯାହାକୁ କେହି କେଉଁଠି ଚାପି ଦେବାକୁ କିମ୍ବା ଲୁଚାଇବାକୁ ଚାହାନ୍ତି ; ବାକି ସବୁ କେବଳ ବିଜ୍ଞାପନ।” (– ଲର୍ଡ ନର୍ଥକ୍ଲିଫ୍ (Lord Northcliffe-ଜନ୍ମିତନାମ- ଆଲଫ୍ରେଡ୍ ହାର୍ମସୱର୍ଥ-୧୮୬୫–୧୯୨୨- ବ୍ରିଟିଶ ସମ୍ବାଦପତ୍ର ଜଗତର ଜଣେ ମହାନାୟକ ଏବଂ ବିଂଶ ଶତାବ୍ଦୀର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ।
    ତାଙ୍କୁ ୧୯୦୫ ମସିହାରେ ‘ବାରନ ନର୍ଥକ୍ଲିଫ୍’ ଏବଂ ପରେ ୧୯୧୭ ମସିହାରେ ଆମେରିକାରେ ବ୍ରିଟିଶ ଯୁଦ୍ଧ ମିଶନ ପାଇଁ ତାଙ୍କର ସେବା ପାଇଁ ‘ଭାଇକାଉଣ୍ଟ ନର୍ଥକ୍ଲିଫ୍’ ଉପାଧିରେ ସମ୍ମାନିତ କରାଯାଇଥିଲା।
    ସେ ପ୍ରଥମ ଆଧୁନିକ “ପ୍ରେସ୍ ବାରନ୍” (Press Baron) ଭାବରେ ସ୍ମରଣୀୟ ହୋଇ ରହିଛନ୍ତି। ତାଙ୍କର ପ୍ରଭାବ ଏତେ ଅଧିକ ଥିଲା ଯେ ଲର୍ଡ ବିଭରବ୍ରୁକ୍ ତାଙ୍କୁ “ଫ୍ଲିଟ୍ ଷ୍ଟ୍ରିଟ୍‌ରେ ଚାଲିଥିବା ସବୁଠାରୁ ମହାନ ବ୍ୟକ୍ତିତ୍ୱ” ବୋଲି କହିଥିଲେ।୧୯୨୨ ମସିହାରେ ହୃଦୟ ଜନିତ ସଂକ୍ରମଣ (bacterial endocarditis) ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ନିଜର ଶେଷ ସମୟରେ ସେ ଏକ ଉଦାରତା ଦେଖାଇ ତାଙ୍କର ୬,୦୦୦ କର୍ମଚାରୀଙ୍କ ପାଇଁ ତିନି ମାସର ଦରମା ଉପହାର ସ୍ୱରୂପ ଛାଡ଼ି ଯାଇଥିଲେ।)
    “ଉପରେଥିବା ତାଙ୍କ ଉକ୍ତିର ମର୍ମ ହେଉଛି” :-
    (କ)”ପ୍ରକୃତ ସାମ୍ବାଦିକତା ସେତିକିବେଳେ ପ୍ରମାଣିତ ହୁଏ ଯେତେବେଳେ ଜଣେ ସାମ୍ବାଦିକ ଏପରି କିଛି ତଥ୍ୟ ଲୋକଲୋଚନକୁ ଆଣନ୍ତି, ଯାହାକୁ କୌଣସି ଶକ୍ତିଶାଳୀ ବ୍ୟକ୍ତି ବା ସଂସ୍ଥା (ଯେପରିକି ସରକାର, କର୍ପୋରେଟ୍ ହାଉସ୍ ବା ପ୍ରଭାବଶାଳୀ ନେତା) ଲୁଚାଇ ରଖିବାକୁ ଚାହୁଁଛନ୍ତି।”
    (ଖ)”ଯଦି ଗଣମାଧ୍ୟମ କେବଳ ସେହି କଥାଗୁଡ଼ିକୁ ପ୍ରସାରଣ କରୁଛି ଯେଉଁଥିରେ ସତ୍ତାଧାରୀ ବ୍ୟକ୍ତିଙ୍କର ପ୍ରଶଂସା ହେଉଛି କିମ୍ବା ଯାହା ସେମାନେ ଶୁଣିବାକୁ ଚାହୁଁଛନ୍ତି”, ତେବେ ତାହା “ଖବରନୁହେଁ, ବରଂ ଏକ ପ୍ରକାର ‘ବିଜ୍ଞାପନ’ ବା ‘ପ୍ରଚାର’ (Propaganda)।”
    (ଗ)ଏପରି କୁହାଯିବାର ମୁଖ୍ୟ କାରଣ:-
    ସତ୍ୟର ଉନ୍ମୋଚନ:- ଶକ୍ତିଶାଳୀ ଲୋକମାନେ ନିଜର ଭୁଲ୍ କାମ କିମ୍ବା ଦୁର୍ନୀତିକୁ ସାଧାରଣ ଜନତାଙ୍କଠାରୁ ଗୁପ୍ତ ରଖିବାକୁ ଚେଷ୍ଟା କରନ୍ତି। ସେହି ଗୁପ୍ତ ସତ୍ୟକୁ ବାହାର କରିବା ହିଁ ଗଣମାଧ୍ୟମର ପ୍ରକୃତ ଧର୍ମ।
    (ଘ)ଲୋକସମ୍ପର୍କ ବନାମ ସାମ୍ବାଦିକତା:- ଯେତେବେଳେ ଜଣେ ବ୍ୟକ୍ତି ନିଜ ବିଷୟରେ ଭଲ କଥା କୁହନ୍ତି, ସେଇଟା ସେ ନିଜର ପ୍ରଚାର ପାଇଁ କରନ୍ତି। ଏହା ସମାଜର କୌଣସି ପରିବର୍ତ୍ତନ ଆଣେ ନାହିଁ।
    (ଙ)ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ:- ଗଣମାଧ୍ୟମକୁ ‘ଗଣତନ୍ତ୍ରର ପ୍ରହରୀ’ କୁହାଯାଏ। ପ୍ରହରୀର କାମ ହେଉଛି ଅନ୍ଧକାରରେ ଲୁଚି ରହିଥିବା ବିପଦ ବା ସତ୍ୟକୁ ଟର୍ଚ୍ଚ ପକାଇ ଦେଖାଇବା। ଯଦି ସେ କେବଳ ସବୁ କିଛି ‘ଠିକ୍ ଅଛି’ ବୋଲି କୁହେ, ତେବେ ସେ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇଛି।
    (ଚ)ସତ୍ତାଧାରୀଙ୍କ ଉପରେ ଅଙ୍କୁଶ:- “ଯେଉଁ ଖବର କାହାକୁ ଅସହଜ (Uncomfortable) କରେ ନାହିଁ, ସେହି ଖବରର କୌଣସି ଶକ୍ତି ନଥାଏ। ଖବର ସେଇଟା ଯାହା କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ ପଚାରେ।”
    ତେବେ, ଗଣମାଧ୍ୟମ ସମ୍ପର୍କରେ ଯାହାର ଯେଉଁ ମତ ଥାଉ ନା କାହିଁକି, ମୂଳ ଅସମାହିତ ପ୍ରଶ୍ନଟି ହେଉଛି “ଜଣେ ପୀଡ଼ିତାଙ୍କ ମର୍ଯ୍ୟାଦା, ତାଙ୍କ ଯନ୍ତ୍ରଣା ଏବଂ ନ୍ୟାୟ ପାଇଁ ସଂଗ୍ରାମ , ତାଙ୍କର ଭୌଗୋଳିକ ଅବସ୍ଥାନ, ରାଜନୈତିକ ପରିସ୍ଥିତି କିମ୍ବା ଗଣମାଧ୍ୟମର ଆଗ୍ରହର ତୀବ୍ରତା ଉପରେ ନିର୍ଭର କରିବା ଉଚିତ କି? ଗତକାଲି ଯେଉଁ ପ୍ରସଙ୍ଗମାନ ଉଠାଇବା ‘ପ୍ରଚଣ୍ଡ ଦେଶଭକ୍ତି’ର ପରିସରରେ ଆସୁଥିଲା, ଏବେ ଠିକ ସେହିପରି ପ୍ରସଙ୍ଗମାନ ଉଠେଇବା ‘କଟ୍ଟର ଦେଶବିରୋଧି ପଦକ୍ଷେପ’ ହୋଇଯାଉଛି କିପରି?
    ନିର୍ଭୟା ଘଟଣା ଆମକୁ ଶିଖାଇଥିଲା ଯେ “ପ୍ରତ୍ୟେକ ନାରୀଙ୍କ ଜୀବନ ସମାନ ଭାବରେ ମୂଲ୍ୟବାନ। ସେହି ନୀତିର ଯଦି ପ୍ରକୃତ ଅର୍ଥ ରହିଥାଏ, ତେବେ ତାହା ଦିଲ୍ଲୀରେ ଯେପରି ପ୍ରଯୁଜ୍ୟ ଥିଲା, ବେଗୁସରାଇରେ ମଧ୍ୟ ସେହିପରି ପ୍ରଯୁଜ୍ୟ ହେବା ଆବଶ୍ୟକ।”
    କିନ୍ତୁ, ଦୁଃଖ, କ୍ଷୋଭର ବିଷୟ ଏହି କି ଯେ, ” ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ସେଭଳି ହେଉନାହିଁ।”
    ” ‘ଶାସନତନ୍ତ୍ରକୁ ଡରୁଥିବା ବିରୋଧୀ’, ‘ବିକ୍ରିହୋଇଥିବା ସାମ୍ବାଦିକ’, ‘ଧ’ କହିଲେ ‘ମାଟି ବସୁଥିବା’ ଏକାନ୍ତ ଅନୁଗତ ‘ବାବୁତନ୍ତ୍ର (Bureaucracy) + ନ୍ୟାୟପାଳିକା (Judiciary)’ ତଥା ‘ନିର୍ଲିପ୍ତ (ଶୋଇଥିବା) ଜନତା ଯେଉଁ ଦେଶରେ ଥାଆନ୍ତି’, ସେ ଦେଶ ଦୁର୍ବଳ ହୋଇଯାଏ”
    “ଶାସକବର୍ଗ ଲୋକମାନଙ୍କର ମୌଳିକ ସମସ୍ୟାର ସମାଧାନ କରିନପାରିଲେ, ଏହିମାନଙ୍କୁ ହାତବାରିସି କରି ‘ଧର୍ମ ଓ ଭଗବାନଙ୍କ ଦ୍ରାହି ଦେଇ ବିଭିନ୍ନ କେଳେଙ୍କାରୀ କରିଥାନ୍ତି’, ଯାହା ଯୁଗର ଧାରା। ‘ଧର୍ମଭୀରୁ, ଅଳ୍ପ ସମୟର ସ୍ମରଣଶକ୍ତିଧାରୀ ତଥା ଭଗବାନଙ୍କୁ ଭୟ କରୁଥିବା ଜନସାଧାରଣ’ ସେହି ମାୟାରେ ଫଶିଯାଇ ନିଜର ଦୁଃଖଦୁର୍ଦ୍ଦଶା କଥା ଭୁଲି ଯାଆନ୍ତି।” –
    (ଏଥିସହିତଥିବା ଫଟୋଟିକୁ ଛୁଇଁଦେଇ ଓ ବଡକରି ସେଥିରେଥିବା ଇଗ୍ଲିଶଭାଷାର ଲେଖାଗୁଡ଼ିକୁ ପଢ଼ିବାକୁ ଅନୁରୋଧ।)

Leave a Reply

Your email address will not be published. Required fields are marked *