ମୁମ୍ବାଇଠାରେ ଜାତୀୟ କଳା ପ୍ରଦର୍ଶନୀ “ଇଥେରିଆଲ ଭିଜନ” ଉଦଘାଟିତ
*ଦର୍ଶକଙ୍କ ମନ ମୋହିଲା ଓଡ଼ିଆ ଶିଳ୍ପୀଙ୍କ ଆଧୁନିକ ଚିତ୍ରକଳା ଓ ଭାସ୍କର୍ଯ୍ୟ
*କଳାକୃତିରେ ଓଡ଼ିଶାର ପାରମ୍ପରିକ ବିଷୟ ବସ୍ତୁକୁ ସମସାମୟିକ ଢଙ୍ଗରେ ପ୍ରଦର୍ଶନ କଲେ ୫ ଚିତ୍ରଶିଳ୍ପୀ
ଭୁବନେଶ୍ୱର,୨୭/୦୫/୨୦୨୬ – (ଦର୍ଶନ ସମୀକ୍ଷା)
ମୁମ୍ବାଇର ନେହେରୁ ଆର୍ଟ ସେଣ୍ଟରରେ ଉଦଘାଟିତ ହୋଇଯାଇଛି ଜାତୀୟ କଳା ପ୍ରଦର୍ଶନୀ “ଇଥେରିଆଲ ଭିଜନ୍”। ପ୍ରଦର୍ଶନୀକୁ ମୁମ୍ବାଇର ପ୍ରଖ୍ୟାତ ବାସ୍ତୁଶିଳ୍ପୀ ନୀନା ପୁରୀ ଉଦ୍ଘାଟନ କରି ଶିଳ୍ପୀଙ୍କ ସ୍ଵତନ୍ତ୍ର ସୃଜନଶୀଳ ଚିତ୍ର ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।ପ୍ରଦର୍ଶନୀରେ ଭାରତର ବିଭିନ୍ନ ପ୍ରଦେଶରୁ ଖ୍ୟାତନାମା ବରିଷ୍ଠ ଓ ଯୁବ ଶିଳ୍ପୀମାନେ ଅଂଶଗ୍ରହଣ କରିବା ସ୍ଥଳେ ଓଡ଼ିଶାରୁ ପାଞ୍ଚଜଣ ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି।ସେମାନେ ହେଲେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ,ଜାତୀୟ ପୁରସ୍କାର ପ୍ରାପ୍ତ ଭାସ୍କର୍ଯ୍ୟ ଶିଳ୍ପୀ ଚନ୍ଦନ କୁମାର ସାମଲ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ନରୋତ୍ତମ ଦାସ,ଭାସ୍କର୍ଯ୍ୟ ଶିଳ୍ପୀ ହିମାଂଶୁ ମହାନ୍ତ ଏବଂ ଚିତ୍ରଶିଳ୍ପୀ ସୋଫିୟା ୟାସ୍ମିନ୍ ।
ପ୍ରଦର୍ଶନୀରେ ପଞ୍ଚାନନ ସାମଲଙ୍କ ସମସାମୟିକ ବିଷୟବସ୍ତୁ ଉପରେ ଆଧାରିତ ୪ଟି ନୈରୂପ୍ୟ ବାଦୀ ଚିତ୍ରକଳା ଏବଂ ୯ଟି ସୃଜନଶୀଳ ଭୁଦୃଶ୍ୟ ଗୁଡ଼ିକ ଦର୍ଶକଙ୍କ ମନ ଜିଣିବା ସହିତ ଚନ୍ଦନ ସାମଲଙ୍କ “ପ୍ରକୃତି” ଓ “ହ୍ୟୁମାନ ଥିଙ୍କିଂ “ଶୀର୍ଷକ ୪ଟି ସମସାମୟିକ ପ୍ରସ୍ତର ଭାସ୍କର୍ଯ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ନରୋତ୍ତମ ଦାସ ତାଙ୍କ ସେରାମିକ ଭାସ୍କର୍ଯ୍ୟ “ମେଡିଟେସନ” ରେ ପୌରାଣିକ ବିଷୟବସ୍ତୁ ଶିବ ଓ ଶକ୍ତିକୁ ନେଇ ଆଧୁନିକ ଶୈଳୀରେ ଭାସ୍କର୍ଯ୍ୟ ରୁପ ସହ ଐରାବତ ହସ୍ତିକୁ ରଥର ଆକାର,ଶୃଙ୍ଗାର ବିଷୟ ବସ୍ତୁ ଓ ଖୀର ବିକାଳିର ଗାଡ଼ି ଆଦି ୪ଟି ଭାସ୍କର୍ଯ୍ୟ ପାରମ୍ପରିକ ଓ ଆଧୁନିକତାର ଅପୂର୍ବ ସମନ୍ବୟ ଥିଲା।ହିମାଂଶୁ ମହାନ୍ତଙ୍କ ଭାସ୍କର୍ଯ୍ୟରେ ଓଡ଼ିଶାର ମହାନ ଲେଖକ ମାନଙ୍କ କାଳଜୟୀ ପୁସ୍ତକ ଗୁଡ଼ିକୁ ମୁଗୁନି ପ୍ରସ୍ତରରେ ଖୋଦିତ ହେବାସହ ଏହି ପ୍ରାଚୀନ ଜ୍ଞାନ କିପରି ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ତାହାର ବାସ୍ତବ ରୂପ ପ୍ରଦର୍ଶନ କରିଛନ୍ତି। ସୋଫିୟାଙ୍କ ୩ଟି ଚିତ୍ରରେ ପାରିପାର୍ଶିକ ଦୁଃଖ ଓ ଯନ୍ତ୍ରଣା ମଧ୍ୟରେ ଖୁସିର ସନ୍ଧାନ ଯାହାକି ପରିତ୍ୟକ୍ତ ବସ୍ତୁ ଗୁଡ଼ିକ ମଧ୍ୟରେ ନିଜକୁ ଖୋଜିବା ଯାହାକୁ ସେ ଲଣ୍ଠନ ମାଧ୍ୟମରେ ଦର୍ଶାଇଥିବା ବେଶ୍ ମନମୁଗ୍ଧକର ହୋଇଥିଲା।ଏହି ପ୍ରଦର୍ଶନୀରେ ଚଣ୍ଡିଗଡରୁ ରାମ ପ୍ରତାପ ବର୍ମାଙ୍କ “ଆଜ କାଲ” ଓ “ଲେୟର୍ସ ଅଫ ଟାଇମ”ଶୀର୍ଷକ ଆଧୁନିକ ଚିତ୍ରକଳା,ନୂଆଦିଲ୍ଲୀରୁ ଇତି ଜେନଙ୍କ ହରିଜନ ଓ ବସନ୍ତ ଶୀର୍ଷକ ଚିତ୍ରକଳା,କଲିକତାରୁ ନିଳକଣ୍ଠ ମଣ୍ଡଳଙ୍କ “ଅସ୍ପିରେସନ” ଶୀର୍ଷକ ୪ଟି ଚିତ୍ରକଳା ଏବଂ ଦେବାଶିଷ ମାଇତିଙ୍କ ୫ ଟି ଭୁଦୃଷ୍ୟ ଚିତ୍ର ,ମୁମ୍ବାଇରୁ ବିଶ୍ଵ ସାହାଣୀ ଙ୍କ “ରିହେବିଟେସନ”ର ଚିତ୍ର, ସୋନୁ ଗୁପ୍ତାଙ୍କ “ଅନଟାଇଟଲ” ଶୀର୍ଷକ ୪ଟି ଚିତ୍ର,ପୂର୍ଣ୍ଣିମା ଦିକ୍ସିତ୍ ଙ୍କ “ଡ୍ରଇଂ ୱିଥ ମାଇ ଓନ୍ ସୋଲ” ଶୀର୍ଷକ ୪ଟି ଚିତ୍ର ଏବଂ ରାଜସ୍ଥାନରୁ ଶିଳ୍ପୀ ନରେନ୍ଦ୍ର କୁମାୱାଟ ଙ୍କ ସମସାମୟିକ ଚିତ୍ରକଳା ଦର୍ଶକଙ୍କୁ ଆକୁଷ୍ଟ କରୁଥିଲା।ପ୍ରଦର୍ଶନୀରେ ମୁମ୍ବାଇର ବହୁ ବରିଷ୍ଠ ଚିତ୍ର ଶିଳ୍ପୀ, ବାସ୍ତୁ ଶିଳ୍ପୀ ଓ କଳାକାର ପ୍ରମୁଖ ଯୋଗ ଦେଇ ପ୍ରଦର୍ଶିତ ଚିତ୍ର ଓ ଭାସ୍କର୍ଯ୍ୟ ଗୁଡ଼ିକୁ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ।












Leave a Reply