Spread the love

ରାଜ୍ୟ ସଂଗ୍ରହାଳୟରେ ଇଣ୍ଟର୍ନସିପ୍ କରୁଛନ୍ତି ୨୦୦ ଛାତ୍ରଛାତ୍ରୀ

ଐତିହ୍ୟ ସଂରକ୍ଷଣ ଓ ଗବେଷଣା ଦିଗରେ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର
୨୪ ମେ’ ୨୦୨୫ (ଦର୍ଶନ ସମୀକ୍ଷା)

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ। ରାଜ୍ୟ ସଂଗ୍ରହାଳୟରେ ରହିଥିବା ବିଭିନ୍ନ ଗ୍ୟାଲେରୀ ଗୁଡ଼ିକ ବୁଲି ଦେଖିବା ସହ ସଂଗ୍ରହାଳୟରେ ଇଣ୍ଟର୍ନସିପ୍ କରୁଥିବା ଛାତ୍ରଛାତ୍ରୀମାନଙ୍କ ସହ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ଓ ପ୍ରସାର ସମ୍ବନ୍ଧରେ ଆଲୋଚନା କରିଥିଲେ।

ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଇଣ୍ଟର୍ନସିପ୍‌ରେ ନିୟୋଜିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାୟ ୨୦୦ଜଣ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରାଯାଇଛି।

ଛାତ୍ରଛାତ୍ରୀମାନେ ପ୍ରତ୍ନତତ୍ତ୍ୱ, ପ୍ରାଚୀନ ମୁଦ୍ରା, ପୋଥି, କଳା ଓ କାରୁକାର୍ଯ୍ୟ ବିଭାଗରେ ଇଣ୍ଟର୍ନସିପ୍ କରୁଛନ୍ତି। ଆମ ରାଜ୍ୟର ସମୃଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ସହ ଏହି ଦିଗରେ ଯେପରି ଉଚ୍ଚ କୋଟୀର ଗବେଷଣା କରାଯାଇପାରିବ ସେ ସମ୍ବନ୍ଧରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।

ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଆମ କଳା, ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟ ହେଉଛି ଆମ ଗୌରବ। ଏହା ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିଛି। ଏହି ଦିଗରେ ଉଚ୍ଚତର ଗବେଷଣା କରିବା, ଏହାର ସଂରକ୍ଷଣ କରିବା ଏବଂ ଏହାକୁ ବିଶ୍ୱବିଦିତ କରିବା ଦିଗରେ ଯୁବପିଢ଼ିଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଇଣ୍ଟର୍ନସିପ୍‌ରେ ନିୟୋଜିତ ସମସ୍ତ ଛାତ୍ରଛାତ୍ରୀମାନେ ସଂଗ୍ରହାଳୟରେ ସ୍ଥାନିତ ହୋଇଥିବା ପ୍ରତ୍ନତତ୍ତ୍ୱ କୀର୍ତ୍ତିରାଜି, ପ୍ରାଚୀନ ମୁଦ୍ରା ଓ ତାଳପତ୍ର ପୋଥି, ଲିପିତତ୍ତ୍ୱ, ଚାରୁ ଓ କାରୁକଳା, ଅନୁଭବ ଐତିହ୍ୟ ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି। ଇଣ୍ଟର୍ନସିପ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ନିଜକୁ ସୀମିତ ନ ରଖି ପାଠ୍ୟକ୍ରମର ପ୍ରୟୋଗାତ୍ମକ ଦିଗ ଉପରେ କାର୍ଯ୍ୟ କରୁଛନ୍ତି। ଏହା ନିଶ୍ଚିତ ଭାବେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ କରିବା ସହ ଇତିହାସ ଓ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବ, ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନେ ସଂସ୍କୃତି ମନ୍ତ୍ରୀଙ୍କ ସହ ଇଣ୍ଟର୍ନସିପ୍‌ର ଅଭିଜ୍ଞତା ବାଣ୍ଟିବା ସହ ନିଜର ଖୁସିବ୍ୟକ୍ତ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ଼. ଭାରତୀ ପାଲଙ୍କ ସମେତ ରାଜ୍ୟ ସଂଗ୍ରହାଳୟର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଅମ୍ଳାନ ଦାସ
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *