ଜିଲ୍ଲା ସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଦୈନିକ ‘ସମାଜ’ ଓ ଅବଦୁଲ କଲାମ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପ୍ରଶଂସା
ଖଲିକୋଟ : (ଦର୍ଶନ ସମୀକ୍ଷା)
ଶିକ୍ଷା ହିଁ ପ୍ରଗତିର ମୂଳଭିତ୍ତି । ଉପଯୁକ୍ତ ଶିକ୍ଷା ବ୍ୟତୀତ ଆମ ସମାଜ ରାଷ୍ଟ୍ର ସର୍ବୋପରି ବିଶ୍ୱର କଲ୍ୟାଣ ଅସମ୍ଭବ ଯେମିତି । ଆନୁଷ୍ଠାନିକ ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନେ ଯେଉଁ ଅଭୂତପୂର୍ବ ସଫଳତା ହାସଲ କରିଆସୁଛନ୍ତି, ତାହା କେବଳ ନିଜ ପରିବାର ବ୍ୟକ୍ତିଗତ ସ୍ତରରେ ସୀମିତ ନୁହେଁ, ଶିକ୍ଷାର ପରିସର ପରିବ୍ୟାପ୍ତ । ସଂସ୍କାରମୂଳକ ଶିକ୍ଷା ଛାତ୍ର ଛାତ୍ରୀଙ୍କୁ ପ୍ରତିଷ୍ଠିତ କରିଥାଏ । ସମାଜ ପରିନିର୍ମାଣ ଦିଗରେ ଆଜିର କୃତି ଛାତ୍ରଛାତ୍ରୀ ଆଗାମୀ କାଲିର ଉଜ୍ଜଳ ଭବିଷ୍ୟତ ଗଠନରେ ବ୍ରତୀ ହେଲେ ହିଁ ଅସଲ ସୁଫଳ ଉପଲବ୍ଧ ହେବ ।

ଏହି ପରିପ୍ରେକ୍ଷୀରେ ଲବ୍ଧ ପ୍ରତିଷ୍ଠିତ ଓଡ଼ିଆ ଖବରକାଗଜ ଦୈନିକ ‘ସମାଜ’ ଏବଂ ଡକ୍ଟର ଏ ପି ଜେ ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ , ଖଲ୍ଲିକୋଟ ସମ୍ମିଳିତ ସହଯୋଗରେ ସମ୍ପ୍ରତି ଶିକ୍ଷାର ମହତ୍ ଉଦ୍ଦେଶ୍ୟ ନେଇ ଜିଲ୍ଲା ସ୍ତରୀୟ ଆଦର୍ଶ ବିଦ୍ୟାଳୟ କୃତି ଛାତ୍ରଛାତ୍ରୀଙ୍କ ସକାଶେ ଏକ ସମ୍ବର୍ଦ୍ଧନା ଉତ୍ସବ ଛତ୍ରପୁର ସ୍ଥିତ ଡି. ଆର୍. ଡି. ଏ. ସମ୍ମିଳନୀ କକ୍ଷରେ ଗତ ଶନିବାର ଅପରାହ୍ନରେ ଆୟୋଜିତ ହୋଇଯାଇଛି ।
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣ କମଳରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ନିମନ୍ତ୍ରିତ ଅତିଥିମାନେ । ବନ୍ଦେ ଉତ୍କଳ ଜନନୀ ସମବେତ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅବଦୁଲ କଲାମ ଚାରିଟେବଲ ଟ୍ରଷ୍ଟର ସଭାପତି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ଉତ୍ସବରେ ଅଧ୍ୟକ୍ଷତା କରି ବର୍ଷ ସାରା ଟ୍ରଷ୍ଟ କରୁଥିବା କାର୍ଯ୍ୟକ୍ରମ, ଶିକ୍ଷାର୍ଥୀଙ୍କ ପାଇଁ ଅନୁଷ୍ଠିତ ହେଉଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ କୃତିତ୍ୱକୁ ନେଇ ସମ୍ବର୍ଦ୍ଧନା ବାସ୍ତବିକ ପ୍ରୋତ୍ସାହିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବରେ ଛତ୍ରପୁରର ମାନ୍ୟବର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଦୈନିକ ‘ସମାଜ’ଖବରକାଗଜର ପ୍ରକାଶକ, ମୂଦ୍ରାକର ତଥା ସମାଜସେବୀ ରାଜେନ୍ଦ୍ର କୁମାର ଜେନା ମୁଖ୍ୟ ବକ୍ତା, ଛତ୍ରପୁରର ପ୍ରାକ୍ତନ ଲୋକପ୍ରିୟ ବିଧାୟକ ଅଶୋକ କୁମାର ଚୌଧୁରୀ ସ୍ୱତନ୍ତ୍ର ଅତିଥି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚିକିଟିର ଅଧ୍ୟକ୍ଷ ସି. ଏଚ୍. ହେମନ୍ତ କୁମାର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଉତ୍ତମ ଶିକ୍ଷାର୍ଥୀଙ୍କ ଉଦ୍ୟମ, ନିଷ୍ଠା ବଳରେ ବହୁ ଅସାଧ୍ୟ କାର୍ଯ୍ୟ ସାଧିତ ହେବା, ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ସମ୍ପୃକ୍ତି ରାଷ୍ଟ୍ର ନିର୍ମାଣରେ ସହାୟକ ହେବା, ସାଧାରଣ ଜନତାର ସେବାରେ ଆପଣାକୁ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ଉତ୍ସର୍ଗୀକୃତ କରିବା, ବିପଦ ଆପଦ ବେଳେ ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇବା ଆଦି ବହୁବିଧ ଦିଗ ସମ୍ପର୍କରେ ବକ୍ତାମାନେ ସାରଗର୍ଭକ ମତ ମନ୍ତବ୍ୟ ପ୍ରଦାନ କରିଥିଲେ । ଇତ୍ୟବସରରେ ଗଂଜାମ ଜିଲ୍ଲାସ୍ଥ ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୪୩ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର, ମାନପତ୍ର ସହିତ ଚାରା ଗଛ ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏତଦବ୍ୟତୀତ ପରିବେଶ ସୁରକ୍ଷାରେ ଗଛଲତାର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ‘ଛାତ୍ର ଛାତ୍ରୀଙ୍କ ପାଇଁ ଗଛଟିଏ’ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଚଳିତ ବର୍ଷ ହୋଇଥିବା ମାଟ୍ରିକ ପରୀକ୍ଷାରେ ସମଗ୍ର ଗଂଜାମ ଜିଲ୍ଲାସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭିତରେ ସବୁଠାରୁ ଅଧିକ ମାର୍କ ରଖିଥିବା ଅଂଶୁମାନ ପଣ୍ଡା, ଖୁସଲ କୁମାର ବେହେରାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରୀ ଶୁଭଲକ୍ଷ୍ମୀ ଦାସ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲା ବେଳେ କଳା ମହାବିଦ୍ୟାଳୟ, ଖଲ୍ଲିକୋଟର ଅବସରପ୍ରାପ୍ତ ଅଧ୍ୟାପକ ପଞ୍ଚାନନ ସୁର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଯୁବ ସାହିତ୍ୟିକ ଡକ୍ଟର ଦ୍ୱାରିକାନାଥ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ସାହିତ୍ୟିକା ଅଞ୍ଜନା ବେହେରା ମାନପତ୍ର ପଠନ କରିଥିବା ସମୟରେ ଟ୍ରଷ୍ଟର ଉପଦେଷ୍ଟା ତଥା ବିଶିଷ୍ଟ ସାହିତ୍ୟିକ ବଂଶୀଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । କଳା ମହାବିଦ୍ୟାଳୟ ଅଧ୍ୟାପିକା ସମୀରା ନାୟକ, ଆଶାରାଣୀ ପଣ୍ଡା , ବବିତା ଦାଶ, ତରୁଣ କୁମାର ନାୟକ, ନର୍ମଦା ଗୈ।ଡ, ଜିତୁ ପଟ୍ଟନାୟକ, ଦିଲ୍ଲୀପ କୁମାର ସାହୁ, ଇନ୍ଦ୍ରାଣୀ ଆଚାର୍ଯ୍ୟ, ସୁଶାନ୍ତ କୁମାର ଗୌଡ଼ଙ୍କ ସମେତ ବହୁ ଶିକ୍ଷାବିତ୍, ବୁଦ୍ଧିଜୀବୀ, ଅଭିଭାବକ, ଅଭିଭାବିକା, ଅଞ୍ଚଳବାସୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ବିଭିନ୍ନ ମହଲରେ ଏଭଳି କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।












Leave a Reply