Spread the love

ସାରଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣା

ଗ୍ରାମରେ ପହଞ୍ଚି ତନତନ କରି ତଦନ୍ତ କଲେ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ, ସଂଗ୍ରହ କଲେ ନମୁନା

ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ ଉଦ୍ୟମ ଜାରୀ ରଖିଛି ପୋଲିସ

ମାଲକାନଗିରି ମନୋଜ ଦେବ ପାଙ୍ଗି ( ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ସାରଦାଗୁଡା ଗ୍ରାମରେ ଗତକାଲି ଶନିବାର ଏକ ଅଭାବନୀୟ ଘଟଣା ଘଟିଥିବା ଦେଖବାକୁ ମିଳିଛି। ମିଳିଥିବା ସୂଚନା ମିତାବକ ସାରଦାଗୁଡା ଗ୍ରାମରେ ରହୁଥିବା ସ୍ବର୍ଗତ ସହଦେଵ ନାୟକ ଙ୍କ ସ୍ତ୍ରୀ ପଦ୍ମା ନାୟକ-(୫୦)ଙ୍କୁ ଉକ୍ତ ଗ୍ରାମର ଦୁଇଜଣ ବ୍ୟକ୍ତି ପଦ୍ମାଙ୍କୁ ଗୁଣିଗାରେଡି ସନ୍ଦେହରେ ଗାଁ ଦାଣ୍ଡରେ ଗ୍ରାମବାସୀଙ୍କ ଉପସ୍ଥିତିରେ ପିଟିପିଟି ହତ୍ୟା କରିଥିବା ନେଇ ମୃତ ମହିଳା ପଦ୍ମାଙ୍କପୁଅ ଗଣେଷ ନାୟକ ଓର୍କେଲ ଥାନାରେ ଶନିବାର ପହଁଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ ଏନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୧୫୭/୨୦୨୬ ରେ ଏକ ମାମଲା ରୁଜୁ କରିବା ସହିତ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ, ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଉକ୍ତ ଗ୍ରାମରେ ପହଁଞ୍ଚି ପଦ୍ମାଙ୍କ ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ପୋଲିସ ଜାରି ରଖିଥିଲେ । ତେବେ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଉକ୍ତ ଗ୍ରାମରେ କିଛି ଦିନ ପୂର୍ବେ ୨ ଜଣ ବ୍ୟକ୍ତିଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଗ୍ରାମର କୌଣସି ଏକ ବ୍ୟକ୍ତି ସେମାନଙ୍କୁ ଗୁଣି ଗାରେଡି କରି ମାରିଦେଇଛନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଥିଲେ। ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଗ୍ରାମବାସୀ ଗତକାଲି ଶନିବାର କୋଟପାଡ଼ ଅଞ୍ଚଳର ଜଣେ ଗୁଣିଆକୁ ଗାଁକୁ ଡାକିଥିଲେ। ଉକ୍ତ ଗୁଣିଆ ଗାଁରେ ପହଁଞ୍ଚିବା ପରେ ଗ୍ରାମରେ ସମସ୍ତ ଗ୍ରାମବାସୀଙ୍କୁ ନେଇ ଉକ୍ତ ଗୁଣିଆ ଏକ ମିଟିଙ୍ଗ କରିବା ସହିତ ସମସ୍ତଙ୍କୁ ପ୍ରସାଦ ଖୁଆଇବା ପରେ ପଦ୍ମାଙ୍କ ନାମ ପ୍ରକାଶ କରିଥିଲା। ଏହା ପରେ ପୂର୍ବରୁ ଉକ୍ତ ଗ୍ରାମରେ ମୃତ୍ୟୁ ବରଣ କରିଥିବା ଦୁଇ ବ୍ୟକ୍ତିଙ୍କ ପୁଅମାନେ ଗ୍ରାମବାସୀଙ୍କ ସମ୍ମୁଖରେ ପଦ୍ମାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଗୁରୁତର ଆହତ ଅବସ୍ଥାରେ ଗାଁ ଦାଣ୍ଡରେ ପଡ଼ିଥିବା ପଦ୍ମାଙ୍କ ପୁଅ ତାଙ୍କ ମାଆଙ୍କୁ ଗାଁ ଦାଣ୍ଡରୁ ଉଦ୍ଧାର କରି ନିଜ ଘରକୁ ନେବା ସମୟରେ ପଦ୍ମାଙ୍କର ମୃତ୍ୟୁ ହୋଇଯାଇଥିଲା। ଗ୍ରାମରେ ପୋଲିସ ଫୋର୍ସ ମୁତ୍ତୟନ କରାଯାଇଛି।ପୋଲିସ ପକ୍ଷରୁ ଶନିବାର ସକାଳୁ କୋରାପୁଟରୁ ଏକ ସ୍ୱତନ୍ତ୍ର ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ଟିମ ଆସି ସାରଦା ଗୁଡା ଗ୍ରାମରେ ପହଞ୍ଚିବା ପରେ ପୋଲିସ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ଉକ୍ତ ଗ୍ରାମରେ ଗତକାଲି ଶନିବାର ହୋଇଥିବା ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତନତନ କରି ଯାଞ୍ଚ କରିବା ସହିତ ସେଠାରୁ କିଛି ରକ୍ତ ନମୁନା ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଥିଲେ।ମାଜିଷ୍ଟ୍ରେଟ ଭାବେ ଗୁମ୍ମା ତହସିଲଦାର କୃଷ୍ଣ ଚନ୍ଦ୍ର ଦାସଙ୍କ ଉପସ୍ଥିତରେ ସାରଦାଗୁଡା ଗ୍ରାମରେ ମୃତ ମହିଳା ପଦ୍ମାଙ୍କ ମୃତଶରୀରର ପଞ୍ଚନାମା କରାଯାଇଥିଲା।ଏହା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପଦ୍ମାଙ୍କ ମୃତ ଦେହକୁ ଶବ ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ସେଠାରେ ଶବ ବ୍ୟବଚ୍ଛେଦ କରିବା ସହିତ ଏକ ସ୍ୱତନ୍ତ୍ର ଡାକ୍ତରିଟିମଙ୍କ ଦ୍ଵାରା ଏଫଏମଟି କରାଯିବ ଯଦି କୌଣସି କାରଣରୁ ସେଠାରେ ନହୁଏ ତେବେ କୋରାପୁଟ ମେଡିକାଲ କଲେଜକୁ ଏଫଏମଟି ନିମନ୍ତେ ପଠାଯାଇପାରେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।ଏହି ହତ୍ୟାକାଣ୍ଡରେ ସମ୍ପୁକ୍ତ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଜୋରସୋର ପୁଙ୍ଖାନୁପୁଙ୍ଖ ଭାବେ ଗ୍ରାମବାସୀଙ୍କୁ ଡାକି ପଚରାଉଚୁରା ।କରିବା ସହିତ ତଦନ୍ତ ଜାରି ରହିଛି। ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *