ଓଡ଼ିଶାରେ କକ୍ରୋଚ୍ କ୍ରେଜ୍‌; ନିଜକୁ ଅସରପା କହିଲେ ମେଧାବୀନିଯୁକ୍ତି ନ ଦେଲେ ସରକାରଙ୍କୁ ଖାଇଯିବେ ବୋଲି ଚେତାବନୀ

Spread the love

ଓଡ଼ିଶାରେ କକ୍ରୋଚ୍ କ୍ରେଜ୍‌; ନିଜକୁ ଅସରପା କହିଲେ ମେଧାବୀ
ନିଯୁକ୍ତି ନ ଦେଲେ ସରକାରଙ୍କୁ ଖାଇଯିବେ ବୋଲି ଚେତାବନୀ

  • ଛାତ୍ରନେତା ବିଭୂତି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ
  • ଆସରପା ପରି ବିଧାନସଭା, ସଚିବାଳୟ ଓ ମୁଖ୍ୟମନ୍ତ୍ରୀ ନିବାସ କାନ୍ଥକୁ ଚଢ଼ିବେ
    ଭୁବନେଶ୍ୱର, ୨୨।୫(…): ଜାତୀୟ ରାଜନୀତିକୁ ହୁଲୁସ୍ତୁଲ କରୁଥିବା କକ୍ରୋଚ କ୍ରେଜ୍ ଓଡ଼ିଶାକୁ ବ୍ୟାପିଛି। ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ଏକତ୍ର ହୋଇ ନିଜକୁ କକ୍ରୋଚ କହିବା ସହ ନିଯୁକ୍ତି ନେଇ ସରକାରଙ୍କୁ ଘେରିଛନ୍ତି। ଛାତ୍ରନେତା ବିଭୂତି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ କରି ଚରମ ଚେତାବନୀ ଶୁଣାଇଛନ୍ତି। ଦୀର୍ଘ ଦିନରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ପରୀକ୍ଷା ନ କରିବା ଏବଂ ବହୁ ପ୍ରତିକ୍ଷିତ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଉ ନଥିବାରୁ କକ୍ରୋଚ (ଅସରପା) ପରି ସରକାରଙ୍କୁ ମଧ୍ୟ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀ ଖାଇଯିବେ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି।
  • ରାଜ୍ୟରେ ପୁଲିସ୍ ଏସ୍‌ଆଇ ନିଯୁକ୍ତି ପାଇଁ ପ୍ରାୟ ୨ ବର୍ଷ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚାକିରି ବିକ୍ରି ପାଇଁ ମସୁଧା ଚାଲିଥିବା ବେଳେ ଚାକିରି ବିକ୍ରି ଗ୍ୟାଙ୍ଗ ଧରାପଡ଼ିଥିଲା। ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପାଇଁ ତଦନ୍ତ ଶିଥିଳ ହୋଇ ପଡ଼ିଥିବାବେଳେ ପୁନଃ ପରୀକ୍ଷା କରିବା ପାଇଁ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଫଳରେ ପ୍ରାୟ ୧ଲକ୍ଷ ୫୬ ହଜାର ଆଶାୟୀ ଅନିଶ୍ଚିତତାରେ ରହିଛନ୍ତି। ସେହିପରି ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ନିଯୁକ୍ତି ପାଇଁ ସରକାର ପ୍ରାୟ ଦୁଇ ବର୍ଷ ତଳେ ଆହ୍ୱାନ କରିଥିଲେ। ରାଜ୍ୟର ପ୍ରାୟ ୨ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ଏଥିପାଇଁ ଆବେଦନ କରିଥିଲେ। ମାତ୍ର ଏଯାଏଁ ଏହାର ନିଯୁକ୍ତି ନେଇ କୌଣସି ଖବର ନାହିଁ। ଆବେଦନ କରିବା ପରେ ଆଶାୟୀମାନେ ପ୍ରସ୍ତୁତି ଜାରି ରଖିଥିଲେ ମଧ୍ୟ ସରକାର ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରୁନାହାନ୍ତି। ଅନୁରୂପ ଭାବେ ଏସ୍‌ଏସ୍‌ବି ଅଧ୍ୟାପକ ପଦ ପାଇଁ ପ୍ରାୟ ୮୦ ହଜାର ଆଶାୟୀ ଆବେଦନବ କରି ପରୀକ୍ଷା ଅପେକ୍ଷାରେ ରହିଛନ୍ତି। ମାତ୍ର ଏହି ନିଯୁକ୍ତି ମାମଲା ହାଇକୋର୍ଟରେ ବିଚାରଧୀନ ଥିବା ଦର୍ଶାଇ ସରକାର ପରୀକ୍ଷା କରିବାକୁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏପରିକି ଆଡଭୋକେଟ୍ ଜେନେରାଲ୍ ସରକାରଙ୍କ ପକ୍ଷ ମଧ୍ୟ କୋର୍ଟରେ ରଖନାହାନ୍ତି। ଜାଣିଶୁଣି ନିଯୁକ୍ତି ପ୍ରକ୍ରିୟାକୁ ବିଳମ୍ବ କରିବା ସହ କୋର୍ଟଙ୍କ ସମୟ ଅପଚୟ କରୁଛନ୍ତି। ଯଦି ସରକାର ନିଜର ପକ୍ଷ ରଖୁ ନାହାନ୍ତି, ତାହେଲେ କୋର୍ଟରେ ମାମଲା ଥିବା କହି କାହିଁକି ପରୀକ୍ଷା ଟାଳୁଛନ୍ତି ବୋଲି ଆଶାୟୀମାନେ ପ୍ରଶ୍ନ କରିଛନ୍ତି।
    ରାଜ୍ୟରେ କନେଷ୍ଟବଳ ନିଯୁକ୍ତି, ଏଏସ୍‌ଓ, ପିଇଓ ଓ ଡିଇଓ ପଦରେ ନିଯୁକ୍ତି କରିବାକୁ ବିଜ୍ଞପ୍ତି ପ୍ରକାଶ କରିବାରେ ମଧ୍ୟ ସରକାର ବ୍ୟାପକ ବିଳମ୍ବ କରୁଛନ୍ତି। ଯାହା ମେଧାବୀ ଛାତ୍ରଛାତ୍ରୀଙ୍କ ହତୋତ୍ସାହିତ କରୁଛି। ସରକାର ତୁରନ୍ତ ସମସ୍ତ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ ନ କଲେ ବ୍ୟାପକ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଶିକ୍ଷିତ ଯୁବକ ଯୁବତୀମାନେ ନିଜକୁ ଅସରପା ସହ ତୁଳନା କରି କହିଛନ୍ତି ଯେ, ଅସରପା ଯେମିତି ସବୁ ଖାଇଯାଏ, ଠିକ୍ ସେହିପରି ରାଜ୍ୟର ବେରୋଜଗାରୀ ମେଧାବୀ ଅସରପାମାନେ ସରକାରଙ୍କୁ ଖାଇଯିବେ। ଆସରପା ଯେମିତି କାନ୍ଥ ଉପରେ ଚଢ଼େ, ଠିକ୍ ସେମିତି ରାଜ୍ୟର ଶିକ୍ଷିତ ଯୁବକମାନେ ବିଧାନସଭା ସମେତ ସଚିବାଳୟ ଓ ମୁଖ୍ୟମନ୍ତ୍ରୀ ନିବାସ କାନ୍ଥକୁ ଚଢ଼ିଯିବେ। ଶିକ୍ଷକ ଯୁବକଙ୍କୁ ସରକାର ନିଯୁକ୍ତି ନ ଦେଲେ, ସରକାର ପରିବର୍ତ୍ତନ କରିବା ପାଇଁ ସେମାନେ ସକ୍ଷମ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *