ଓଡିଶାରେ ବୃଦ୍ଧି ପାଉଛି ଖ୍ରୀଷ୍ଟିଆନ ବିରୋଧୀ ହିଂସା: ଜନ ଆୟୋଗ ନାଗରିକ ସମାଜ ଚେତାଇଲା
ପ୍ରଦୀପ କୁମାର ପଣ୍ଡା (ଦର୍ଶନ ସମୀକ୍ଷା) ଭୁବନେଶ୍ୱର
ଭାରତର ଅନେକ ରାଜ୍ୟରେ ଖ୍ରୀଷ୍ଟିଆନ ବିରୋଧୀ ଭେଦଭାବ ଏବଂ ହିଂସାର ବର୍ଦ୍ଧିତ ଘଟଣାଗୁଡ଼ିକର ତଦନ୍ତ କରିବା ପାଇଁ କାରୱାଁ-ଏ-ମୋହବତ୍ ସଂଗଠନ ଏବଂ ସଚେତନ ନାଗରିକ ମାନଙ୍କ ଏକ ଗୋଷ୍ଠୀ ଦ୍ୱାରା ଗଠିତ ହୋଇଥିବା ଜନ ଆୟୋଗ ( Peoples Tribunal) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଏବଂ ନାଗରିକ ସମାଜ ସହ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଓଡିଶାରେ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ, ବିଶେଷକରି ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟ ମାନଙ୍କ ଉପରେ ହିଂସାର ଦୁର୍ଭାଗ୍ୟଜନକ ଦୀର୍ଘ ଇତିହାସ ରହିଛି ବୋଲି ଜନ ଆୟୋଗର ସଦସ୍ୟମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।ସାମ୍ବାଦିକ ସମ୍ମିଳନୀ ଓ ନାଗରିକ ସମାଜ ସହ ଆଲୋଚନା ସଂପର୍କରେ ସାମାଜିକ କର୍ମୀ ଆଡଭୋକେଟ୍ ନରେନ୍ଦ୍ର ମହାନ୍ତି ଏବଂ କାରୱାଁ-ଏ-ମୋହବତ୍ ର ଓମାର ଖାନ୍ ଙ୍କ ସୂଚନା ପରେ ଜନ ଆୟୋଗ ( Peoples Tribunal) ର ସଦସ୍ୟ ସର୍ବଶ୍ରୀ ହର୍ଷ ମନ୍ଦେର, ଆକାର ପଟେଲ୍, ଡଃ ଜନ୍ ଦୟାଲ୍ ଏବଂ ବିଦ୍ୟା ଦିନକର୍ ସାମ୍ବାଦିକ ସମ୍ମିଳନୀ ଏବଂ ପରେ ନାଗରିକ ସମାଜକୁ ସମ୍ବୋଧିତ କରିଥିଲେ।ଗତ ୨ ମେ ରୁ ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ହିଂସା ପ୍ରବଣ ଅଞ୍ଚଳ ଯଥା ନବରଙ୍ଗପୁର, ଜୟପୁର, ବାଲେଶ୍ୱର ଜିଲ୍ଲାକୁ ଯାତ୍ରା କରିଥିଲେ। ଏତଦ୍ ବ୍ୟତୀତ ବିଭିନ୍ନ ବୈଠକରେ ସେମାନେ ବାରିପଦା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ବାଲେଶ୍ୱର, କେଉଁଝର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ରାୟଗଡ଼ା, ଖୋର୍ଦ୍ଧା ଏବଂ ଯାଜପୁରର ପ୍ରାୟ ୩୦୦ ମହିଳା ଏବଂ ପୁରୁଷଙ୍କ ସହ ସାକ୍ଷାତ କରିଥିଲେ।ଜନ ଆୟୋଗ (Peoples Tribunal)ର ତଥ୍ୟ ସଂଗ୍ରହ ସମୟରେ ଯେଉଁ ସମସ୍ତ ଲୋକଙ୍କଠାରୁ ସେମାନେ ସାକ୍ଷ୍ୟ ଗ୍ରହଣ କରିଥିଲେ, ତାହା ଅତ୍ୟନ୍ତ ଦୁଃଖଦ ଏବଂ ଚିନ୍ତାଜନକ ବୋଲି ପ୍ରକାଶ କରିଥିଲେ। ଓଡିଶାରେ ରାଜ୍ୟ ସରକାର ଏହାର ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ , ମୁଖ୍ୟତଃ ଆଦିବାସୀ ଏବଂ ଦଳିତ ନାଗରିକଙ୍କ ମୌଳିକ ଅଧିକାରର ଲଜ୍ଜା ଜନକ ତଥା ନିରନ୍ତର ଉଲ୍ଲଂଘନକୁ ରୋକିବା ପାଇଁ ଅତ୍ୟନ୍ତ କମ୍ କାର୍ଯ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ପ୍ରଥମତଃ ସମ୍ବିଧାନର ଧାରା ୨୫ ଅନୁଯାୟୀ ସଂଖ୍ୟାଲଘୁ ମାନଙ୍କର ବିବେକ ଏବଂ ବିଶ୍ୱାସର ସ୍ୱାଧୀନତା, ଯାହା ସେମାନଙ୍କ ମୌଳିକ ଅଧିକାର, ତାହା ଉପରେ ଆକ୍ରମଣ କରାଯାଉଛି। ସେମାନଙ୍କୁ ସେମାନଙ୍କର ଜୀବନ ଏବଂ ଜୀବିକାର ସୁରକ୍ଷା , ସେମାନେ କେଉଁଠାରେ ରହିବେ ଏବଂ କଣ କାମ କରିବେ, ତାହା ବାଛିବାର ସ୍ୱାଧୀନତା ମଧ୍ୟ ପ୍ରଦାନ କରାଯାଉନାହିଁ ବୋଲି ଜନ ଆୟୋଗର ସଦସ୍ୟ ମାନେ ପ୍ରକାଶ କରିଥିଲେ।ଶାସକ ବିଜେପି ଦଳ ଏବଂ ଏହାର ଆଦର୍ଶଗତ ପରାମର୍ଶଦାତା, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (RSS) ସହିତ ଘନିଷ୍ଠ ଭାବରେ ଜଡିତ ଥିବା ସଂଗଠିତ ସଂଗଠନ ଦ୍ୱାରା ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି । ଏହି ଆକ୍ରମଣ ଅପେକ୍ଷା ପୋଲିସ, ନାଗରିକ ପ୍ରଶାସନ, ନିର୍ବାଚିତ ପ୍ରତିନିଧି ଏବଂ ରାଜ୍ୟ କ୍ୟାବିନେଟର ସଦସ୍ୟଙ୍କ ଭୂମିକା ଅଧିକ ଚିନ୍ତାଜନକ, ଯେଉଁମାନେ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନା ଏବଂ ସେମାନଙ୍କର ମୌଳିକ ଅଧିକାରକୁ ପ୍ରତ୍ୟାଖ୍ୟାନ କରିବା ଦିଗରେ ଆକ୍ରମଣକାରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେଥିରେ ଅଂଶଗ୍ରହଣ କରିଥିଲେ ବୋଲି ଆୟୋଗର ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ। ଏପରିକି ସବୁଠାରୁ ଖରାପ୍ ଖ୍ରୀଷ୍ଟିଆନ୍ ବିରୋଧୀ ହିଂସା ଦେଖିଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ଗୋଟିଏରେ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରତିନିଧିତ୍ୱ କରାଯାଇଥିବା ନିର୍ବାଚନମଣ୍ଡଳୀ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସେମାନେ ସୂଚନା ଦେଇଥିଲେ।ଏହି ଜନ ଆୟୋଗ ( Peoples Tribunal), ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ମାନଙ୍କୁ ଟାର୍ଗେଟ୍ କରି ହୋଇଥିବା ଚାରିଟି ମୁଖ୍ୟ ହିଂସାର ପ୍ରମାଣ ଶୁଣିଥିଲେ।ଏଥିମଧ୍ୟରୁ ପ୍ରଥମଟି ହେଉଛି ଚ୍ୟାପେଲ ଏବଂ ଚର୍ଚ୍ଚ ଗୃହ, ପାଷ୍ଟର ଏବଂ ପାଦ୍ରୀମାନଙ୍କ ସମେତ ଖ୍ରୀଷ୍ଟିଆନ ମାନଙ୍କ ଉପାସନା ସ୍ଥଳ ଉପରେ ଶାରୀରିକ ଆକ୍ରମଣ; ପ୍ରାର୍ଥନା ସଭା ଏବଂ ସାମୂହିକ ଉପାସନା ସମୟରେ ବଳପୂର୍ବକ ବାଧା ସୃଷ୍ଟି ଏବଂ ସେମାନଙ୍କୁ ଅବରୋଧ କରି ରଖିବା; ସର୍ବୋପରି ଧର୍ମଯାଜକ (ପାଦ୍ରୀ) ମାନଙ୍କ ଉପରେ ବେଆଇନ ଧର୍ମାନ୍ତରୀକରଣର ମିଥ୍ୟା ଆରୋପ ଏବଂ ସେମାନଙ୍କୁ ପୋଲିସ ଷ୍ଟେସନ ତଥା ଜେଲରେ ବନ୍ଦୀ କରିବାର ଅଭିଯୋଗ ଠୁଳ କରିବା।ଦ୍ୱିତୀୟ ଚିନ୍ତାଜନକ ଉଦାହରଣ ହେଉଛି ଖ୍ରୀଷ୍ଟିଆନ ଧର୍ମ ବିଶ୍ୱାସରେ ବିଶ୍ୱାସ କରୁଥିବା ଲୋକଙ୍କୁ ସାମାଜିକ ଏବଂ ଆର୍ଥିକ ବର୍ଜନ କରିବା ଏବଂ କେତେକ କ୍ଷେତ୍ରରେ ସେମାନଙ୍କୁ ସେମାନଙ୍କ ଗାଁରୁ ଜୋରଜବରଦସ୍ତ ବହିଷ୍କାର କରିବା। ସେଠିକାର ଅଣ- ଖ୍ରୀଷ୍ଟିଆନ ବାସିନ୍ଦାମାନେ ବର୍ଜନ କରାଯାଇଥିବା ଖ୍ରୀଷ୍ଟିଆନ ମାନଙ୍କ ସହିତ କୌଣସି ପ୍ରକାରେ ଯୋଗାଯୋଗ କରିନଥିଲେ, ସେମାନଙ୍କ ସହିତ ବ୍ୟବସାୟ କରିନଥିଲେ, ସେମାନଙ୍କୁ ନିଯୁକ୍ତି ଦେଇନଥିଲେ କିମ୍ବା ସେମାନଙ୍କୁ ଆଶ୍ରୟ ଦେଇନଥିଲେ ବୋଲି ଜନ ଆୟୋଗର ସଦସ୍ୟ ମାନେ ପ୍ରକାଶ କରିଥିଲେ। ତୃତୀୟ ଘଟଣା ହେଉଛି ଗ୍ରାମ କବରସ୍ଥାନ କିମ୍ବା ଖ୍ରୀଷ୍ଟିଆନଙ୍କ ମାଲିକାନାରେ ଥିବା ବ୍ୟକ୍ତିଗତ ଜମି ମଧ୍ୟରେ ମୃତ୍ୟୁବରଣ କରିଥିବା ଖ୍ରୀଷ୍ଟିଆନଙ୍କ କବରକୁ ବଳପୂର୍ବକ ବିରୋଧ କରିବାର ଭୟଙ୍କର କାହାଣୀ। ଏହି ବିରୋଧ କାରଣରୁ କବର ଦେବା ସମାପ୍ତ ହେବା ପୂର୍ବରୁ କେତେକଙ୍କ ମୃତଦେହ ପଚିଯାଏ ଏବଂ କିଛି କବର ଗାଁ ସୀମା ବାହାରେ ଜଙ୍ଗଲ ଜମିରେ କରିବାକୁ ବାଧ୍ୟ କରାଯାଏ, ଏପରିକି ଶବଦାହ ସମୟରେ ପ୍ରାର୍ଥନାକୁ ମଧ୍ୟ ବଳପୂର୍ବକ ବାଧା ଦିଆଯାଏ। ଚତୁର୍ଥତଃ ଏହି ସଂଖ୍ୟାଲଘୁ ବିରୋଧୀ ହିଂସା ଏପରି ଅନେକ ଲାଲ ରେଖାକୁ ମଧ୍ୟ ଅତିକ୍ରମ କରି ଖ୍ରୀଷ୍ଟିଆନ ପରିଚୟ ଥିବା ଲୋକଙ୍କ ଉପରେ ଶାରୀରିକ ଆକ୍ରମଣର ରୂପ ନେଉଛି। କେତେକ ସମୟରେ, ଏପରି ହିଂସାରେ ସେମାନଙ୍କୁ ଗଛରେ ବାନ୍ଧି ପିଟିବା କିମ୍ବା ବସ୍ତା ମଧ୍ୟରେ ରଖିବା ଭଳି ଶାରୀରିକ ଆକ୍ରମଣର ରୂପ ନେଇଥାଏ; ଏବଂ ଯୌନ ନିର୍ଯାତନା , ହିଂସା ଏବଂ ଜୀବନ୍ତ ଜାଳି ଦେବାର କିଛି ଘଟଣା, ଯାହା କେବଳ ଶେଷ ମୁହୂର୍ତ୍ତରେ ବନ୍ଦ ହୋଇପାରିଥିଲା ବୋଲି ସେମାନେ ଏହି ଅବସରରେ ସୂଚନା ଦେଇଥିଲେ।ଶେଷରେ ପୋଲିସ୍ ହିନ୍ଦୁତ୍ୱ ସଂଗଠନ ଗୁଡ଼ିକରେ ଯୋଗଦାନ କରି ସେମାନଙ୍କୁ “ଆପୋଷ” ଚୁକ୍ତିନାମା ସ୍ୱାକ୍ଷର କରିବାକୁ ବାଧ୍ୟ କରିଥିଲା , ଯେଉଁଥିରେ ସେମାନେ ସେମାନଙ୍କର ବିଶ୍ୱାସ ଏବଂ ସାମୂହିକ ଉପାସନା ପରିତ୍ୟାଗ କରିବାକୁ ଶପଥ ନିଅନ୍ତି ବୋଲି ଜନ ଆୟୋଗର ସଦସ୍ୟ ମାନେ ଜାଣିବାକୁ ପାଇଥିଲେ। ହିଂସାର ଅଧିକାଂଶ ମାମଲାରେ ପୋଲିସ୍ , ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ବିରୁଦ୍ଧରେ ଗୁରୁତର ଅପରାଧିକ ଅଭିଯୋଗ ପଞ୍ଜୀକୃତ କରେ, ତା’ପରେ ସେମାନଙ୍କୁ ଥାନା ଏବଂ ଜେଲରେ ଅଟକ ରଖାଯାଏ। ଏପରିକି କେତେକ ସ୍ଥାନରେ ପୋଲିସ ଖ୍ରୀଷ୍ଟିଆନ ସଂଖ୍ୟାଲଘୁଙ୍କୁ ଭୟଭୀତ କରିବା ସହିତ ହିଂସାରେ ସିଧାସଳଖ ଭୂମିକା ଗ୍ରହଣ କରିଥିଲା ବୋଲି ଜନ ଆୟୋଗର ତଦନ୍ତ ତଥା ତଥ୍ୟାନୁସନ୍ଧାନରୁ ଜାଣିବାକୁ ପାଇଥିଲେ।ଖ୍ରୀଷ୍ଟିଆନ ସଂଖ୍ୟାଲଘୁଙ୍କ ସୁରକ୍ଷା ସମ୍ପର୍କରେ ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଛି ବୋଲି ସେମାନେ ଅଭିଯୋଗ କରିଥିଲେ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଧର୍ମ, ଜାତି କିମ୍ବା ବର୍ଣର ଭେଦଭାବ ବିନା ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଧାର୍ମିକ ଅଧିକାର ସମେତ ସାମ୍ବିଧାନିକ ଅଧିକାରକୁ ବଜାୟ ରଖିବା ଏବଂ ତା’ର ସୁରକ୍ଷା ପାଇଁ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସେମାନେ ଏହି ଖୋଲା ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି।












Leave a Reply