ll ନବାଙ୍କ ବେଶ ଓ ନବାଙ୍କ ବେଢା଼ ll
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପବିତ୍ର ନବାଙ୍କ ବେଶ ସହ ଚାଉଳ ମେଲଣ ଓ ଫୁଲ ମେଲଣ ଉତ୍ସବ ଅନୁଷ୍ଠିତ ହେବ l ପ୍ରତ୍ୟକ ବର୍ଷ ମକର ସଂକ୍ରାନ୍ତି ର ପୂର୍ବଦିନ ମାସାନ୍ତରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଲାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ l ଏହି ଦିନ ସଂନ୍ଧ୍ୟା ଆଳତୀ ବେଶରେ ମାଳଚୂଳ ମାନ ଖୁଣ୍ଟିଆ ଓ ପୁଷ୍ଫାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଲାଗି କରାଯାଇଥାଏ l ଏହି ଦିନ ବଡସିଂହାର ବେଶରେ ସୋଲ ଓ ଜରି , କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ , ଚକ୍ର, ହଳ, ମୂଷଳ, କୁଣ୍ତଳ, ତଡଗୀ, ଇତ୍ୟାଦି ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର,ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ l ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଯଥାକ୍ରମେ ସୋଲନିର୍ମିତ ମକର କୁଣ୍ତଳ ଓ ଶଙ୍ଖ ଚକ୍ର ହଳ ମୂଷଳ ଇତ୍ୟାଦି ଧାରଣ କରିଥାନ୍ତି l ଏହି ବେଶ ନବାଙ୍କବେଶ ରୂପେ ପରିଚିତ l ପୂର୍ବେ ଏହି ବେଶ ସାମଗ୍ରୀ ଦକ୍ଷିଣପାର୍ଶ୍ୱ ମଠ (ଶ୍ରୀରାମ ଦାସ ମଠ) ଯୋଗାଇ ଆସୁଥିଲେ l ଗତ କିଛି ବର୍ଷ ଧରି ସମ୍ପୃକ୍ତ ମଠ ବେଶ ସାମଗ୍ରୀ ଯୋଗାଉ ନଥିବା ଜଣାପଡେ l ତେଣୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ବେଶର ସମସ୍ତ ଖର୍ଚ୍ଚ ନିର୍ବାହ କରାଯାଉଅଛି l
ll ମହାପ୍ରଭୁଙ୍କ ନବାଙ୍କ ଫୁଲ ମେଲାଣ ll
ଏହି ନବାଙ୍କ ଦିନ ଫୁଲ ମେଲାଣ ନିମନ୍ତେ ମାଳି ମାନେ ବାଘମୁହାଁ ବାନ୍ଧି ମାଳ ଚୁଳ ଜଳ କବରମାନ ଘେନି ଭିତରସେବକ ଙ୍କ ପଟୁଆର ରେ ଘଣ୍ଟ ,ଛତା ,କାହାଳାଦି ସହ ବଡ଼ଦେଉଳକୁ ବେଢାଏ ବୁଲି ବେହେରଣଠାରେ ବେଶ ନିମନ୍ତେ ପାଳିଆ ସେବକ ମାନଙ୍କୁ ଦେଇଥାନ୍ତିl ଉକ୍ତ ମାଳ ଚୁଳ ମାନ ସନ୍ଧ୍ୟା ଆଳତୀ ବେଶ ରେ ଲାଗି ହୋଇଥାଏl ନବାଙ୍କ ବେଶ ନିମନ୍ତେ ବଡ଼ଓଡିଆ ମଠ ରେ ମହାପ୍ରଭୁଙ୍କ ନିମନ୍ତେ ଗେଣ୍ଡୁ ପୁଷ୍ପ ଅଳଙ୍କାର ପ୍ରସ୍ତୁତ ହେଉଛି l
“ମାସାନ୍ତଦିବସେ ଚୈବ ନବୀନାଙ୍କୋତ୍ସବୋଭବେତ୍।
କୃଷ୍ଣସ୍ୟ ସର୍ବଦାକୁର୍ଯ୍ୟାନ୍ନକୁର୍ଯ୍ୟା ସଂକ୍ରମେ ଅହନି।।”
ମକରସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଶ୍ରୀମନ୍ଦିର ରେ ପୂର୍ବ ରୀତିମତେ ସମ୍ପର୍ଣ୍ଣ ହୋଇଥାଏ l ନବାଙ୍କ ର ପୂର୍ବଦିନ ଦୁଧ ମେଲାଣ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ଆଳତୀ ସନ୍ଧ୍ୟା ଧୂପ ବଢିବା ପରେ ଚନ୍ଦନଲାଗି ବଢା ଆଗରୁ ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥାଏl ଭଦ୍ରାସନ ଉପରେ ମୁରୁଜ ପଡି ତିନିଗୋଟି ବାଉଁଶିଆ ରେ ଚାଉଳ ପୁରାଇ ରଖାଯାଏ l ତାହାପରେ ସେଥିରେ ଫୁଲ ଚନ୍ଦନ ଚେମେଡିପତନୀ ଦିଆଯାଇ ଅଧିବାସ କରାଯିବା ପରେ ଦୁଆର ମାନ ମୁଦ ଦିଆଯାଏ l ସେହିପରି ନବାଙ୍କ ଦିନ ସଂଧ୍ୟା ଆଳତି ବଢ଼ିଲା ପରେ ଚାଉଳ ମେଲାଣ ନୀତି ଅନୁଷ୍ଠିତ ହୋଇଥାଏ l ଉକ୍ତ ନୀତି ନିମନ୍ତେ ସିଂହଦ୍ୱାର ଚକଡ଼ା ରେ ପାହାଡା ପଡିବାପରେ ବେରଭୋଇ ପ୍ରଧାନ ଧାନଘର ଠାରୁ ଚାଉଳ ବିଜେ କରିଥିଅନ୍ତି l ଏଠାରେ ପ୍ରଧାନ ଭୋଇ ବାଘମୁହାଁ ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆର ରେ ବଡ଼ଦେଉଳ କୁ ବେଢାଏ ବୁଲି ଚାଉଳ ଭାରମାନଙ୍କୁ ଇନ୍ଦ୍ରାଣୀ ମନ୍ଦିର ବେଢା ରେ ରଖିବାରେ ଚାଉଳ ମେଲାଣ ହୋଇଥାଏ l ବେଶ ବଢି ପାଣି ପଡିଲେ ଭୋଗ ଡକାଯାଇ ଭୋଗ ଆସିଲା ଉତ୍ତାରେ ଦକ୍ଷିଣଘରୁ ମଦନମୋହନ ଭିତର ସିଂହାସନ କୁ ବିଜେ କରନ୍ତି l ପଞ୍ଚପଚାର ରେ ମଣୋହି ହେବାବେଳେ ଟେରା ପଡି ଭିତରେ ଭୋଗ ସରି ପାଣି ପଡିଲେ ମଦନମୋହନ ଙ୍କୁ ଶ୍ରୀଅଙ୍ଗ ରୁ ଆଜ୍ଞାମାଳ ଦିଆଯାଏ l ଏହାପରେ ମଦନମୋହନ ହାତ ରେ ବିଜେ ହୋଇ ସିଂହାସନ କୁ ସାଢ଼େଚାରି ଘେରା ବୁଲିବା ପରେ ବଟ ମୂଳେ ଥିବା ବିମାନ କୁ ବିଜେ କରି ଘଣ୍ଟ ଛତା କାହାଳୀ ପଟୁଆର ରେ ସାଢେ ଚାରି ଘେରା ବେଢା କରନ୍ତି ଓ ପ୍ରତ୍ୟେକ ବେଢା ସମୟ ରେ କାହାଳୀ ଦିଆଯାଏ l ବେଢା ସରିବା ପରେ ପୁନଶ୍ଚ ବଟମୂଳ ରେ ବିମାନ ରଖାଯାଏ ଓ ରୁନ୍ଧା ଫିଟି ହାତ ରେ ଜୟବିଜୟ ଦ୍ୱାର ନଣ୍ଡାବର୍ତ୍ କୁ ହାତରେ ବିଜେ କରାଯାଏ l ଏହିଠାରେ ପ୍ରସଦଲାଗି ଓ ବନ୍ଦାପନା ବଢିଥାଏ।ଏ ଉତ୍ତାରୁ ଠାକୁର ପୁନଶ୍ଚ ଦକ୍ଷିଣଘରକୁ ବିଜେ କରନ୍ତି l
ll ନବାଙ୍କ ବେଶ ll
ଏହି ଦିନ ବଡ଼ ସିଂହାର ବେଶରେ ସୋଲ , ଜରି ଓ କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ , ଚକ୍ର , ହଳ, ମୁଷଳ ,କୁଣ୍ଡଳ , ତଦଗି ଇତ୍ୟାଦି ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଲାଗି ହୋଇଥାଏ l ଏହି ବେଶ ଏକ ଗେଣ୍ଡୁଫୁଲର ବେଶ l ବଡ଼ ସିଂହାର ବେଶ ରେ ଶ୍ରୀଜୀଉ ମାନ ଙ୍କୁ ଅଳଙ୍କୃତ କରୁଥିବା ଅଳକା , ଗୁଣା , କରପଲ୍ଲବ, ଅଧର ମାଳ ଓ ଶ୍ରୀପୟର ମାଳ ମଧ୍ୟ ଗେଣ୍ଡୁ ରେ ହୋଇଥାଏ l ସାଧାରଣ ଦିନ ମାନଙ୍କ ରେ ଚାରି ପାଞ୍ଚ ଟି ମାଳ ଲାଗୁଥିଲେ ମଧ୍ୟ ନବାଙ୍କ ବେଶରେ ପ୍ରାୟ ଦଶ ପନ୍ଦର ଟି ମାଳ ଲାଗି ହୋଇଥାଏ l ବେଶ ରେ ଲାଗୁଥିବା ଟୋପର ଗୁଡିକ ମଧ୍ୟ ତୁଳସୀ ଏବଂ ଗେଣ୍ଡୁ ଫୁଲର ମାଳ ରେ ହୋଇଥାଏ l
ll ନିଳାଦ୍ରୀ ମହୋଦୟ ଅନୁସାରେ ll
ଏହିଦିନ ପ୍ରଭୁଙ୍କର ଅଷ୍ଟାଦଶ ଚିହ୍ନ ଦର୍ଶନ କରି ଭକ୍ତ ମନରେ ନବ ନୂତନ ଭକ୍ତିଭାବ ଜାଗ୍ରତ କରାଇଥାଏ l ଯେହେତୁ ଭଗବାନ ଶ୍ରୀକୃଷ୍ଣଙ୍କ ପାଦରେ ଅଷ୍ଟାଦଶ ଚିହ୍ନ ଥାଏ l ତେଣୁ ୟେ ବେଢ଼ା ପରିକ୍ରମା ଯେଉଁ ଜନ ଦର୍ଶନ କରନ୍ତି, ତାଙ୍କ ଶରୀରରେ ନବ(୯) ନବ(୯) ବା ନୂଆ ନୂଆ ହୋଇ ରହିଯାନ୍ତି l ତେଣୁ ଏହା ନବାଙ୍କ ବେଢା଼ ନାମରେ ଖ୍ୟାତ l
*ଇନ୍ଦ୍ରଦ୍ୟୁମ୍ନ ଉବାଚ*
ଉତ୍ତରାୟଣେ ତଦ୍ଽବିଷ୍ଣୋଃ କୀଦୃଶଂ ପୂଜନଂ ଭବେତ୍ ।
ଯାତ୍ରା ବା କୀଦୃଶୀ ବ୍ରହ୍ମାନ୍ ତତ୍ସର୍ବଂ ବକ୍ତୁମର୍ହସି ।। ୧ ।।
ଇନ୍ଦ୍ରଦ୍ୟୁମ୍ନ ପଚାରିଲେ – ହେ ବ୍ରହ୍ମଦେବ ! ଉତ୍ତରାୟଣ ହେଲେ ବିଷ୍ଣୁଙ୍କର କି କି ପୂଜା କେଉଁ ବା ଯାତ୍ରା ଅନୁଷ୍ଠିତ ହୁଏ ।ତାହାସବୁ ତୁମ୍ଭେ ଆମ୍ଭଙ୍କୁ ବୁଝାଇ କୁହ ।
*ବ୍ରହ୍ମୋବାଚ*
ନୀଳାଚଳପତେର୍ବିଷ୍ଣୋର୍ନାନାଲୀଳାଳୟସ୍ୟ ଚ ।
ସମ୍ୟକ୍ ବକ୍ତୁଂ ଚ କଃ ଶକ୍ତସ୍ତଲ୍ଲୀଳାକୌତୁକଂ ନୃପ ।।୨।।
ବ୍ରହ୍ମା କହିଲେ – ହେ ରାଜା ! ଭଗବାନ୍ ନୀଳାଚଳପତି ମହାବିଷ୍ଣୁ ଜଗନ୍ନାଥ ନାନା ଲୀଳାର ଆଳୟ ଅଟନ୍ତି । ତାଙ୍କ ଲୀଳାର କୌତୁକ ବିଳାସ ବିଷୟରେ କିଏ ବା ଠିକ୍ ଭାବରେ କହିବାକୁ ସମର୍ଥ ?
ତସ୍ମାତ୍ସମାସତୋ ବଚମି ସାବଧାନତୟା ଶୃଣୁ ।
ନାରାୟଣପ୍ରୀତିକରେ ସଂପ୍ରାପ୍ତେ ଚୋତ୍ତରାୟଣେ ।। ୩।।
ମକରସ୍ୟ ଚ ସଂକ୍ରାନ୍ତ୍ୟାଃ ପୂର୍ବେଦ୍ୟୁଃ କେଶବସ୍ୟ ଚ ।
ସାନ୍ଧ୍ୟପୂଜାବସାନେଽଥ ନାନାପୁଷ୍ପୈର୍ମନୋହରୈଃ ।।୪ ।।
ତଥାପି ମୁଁ ଅତି ସଂକ୍ଷେପରେ କହୁଅଛି । ତୁମ୍ଭେ ସାବଧାନ ହୋଇ ଶୁଶ ।ଉତ୍ତରାୟଣ ନାରାୟଣଙ୍କର ଅତ୍ୟନ୍ତ ଆନନ୍ଦପ୍ରଦ । ଏହି ଉତ୍ତରାୟଣ ହେଲେ ମକର ସଂକ୍ରାନ୍ତିର ପୂର୍ବଦିନ ସନ୍ଧ୍ୟା ପୂଜା ସମାପ୍ତି ପରେ ନାନା ପ୍ରକାରର ମନୋହର ପୁଷ୍ପଦ୍ଵାରା ପରମେଶ୍ବରଙ୍କୁ ( ଜଗନ୍ନାଥଙ୍କୁ ) ଭୂଷିତ କରିବ ।
ଭୂଷୟେତ୍ପରମେଶ୍ଵରଂ ତଂ ପ୍ରତ୍ୟର୍ଚାତତ୍ସମୀପକମ୍ ।
ନୀତ୍ୱା ଚତୁର୍ଥଯଜନଂ କୃତ୍ୱା ସଂପ୍ରାର୍ଥୟେଦ୍ଧରିମ୍ ।।୫ ।।
ତାହାପରେ ଚଳନ୍ତୀ ପ୍ରତିମାଙ୍କୁ ତାଙ୍କ ନିକଟକୁ ନେଇ ଚତୁର୍ଥ ପୂଜା ସାରି ଜଗନ୍ନାଥ ( ହରି )ଙ୍କୁ ପ୍ରାର୍ଥନା କରିବ ।
ଦେବଦେବ ଜଗନ୍ନାଥ ପ୍ରସୀଦ ପରମେଶ୍ଵର ।
ପ୍ରାସାଦ ଭ୍ରମଣାର୍ଥଂ ବୈ ଭ୍ରମଣାୟ ତବ ପ୍ରଭୋ ।। ୬ ।।
ଆଜ୍ଞାପୟ ମହାବାହୋ ପ୍ରତ୍ୟର୍ଚ୍ଚାଂ ଚାରୁଶୋଭନାମ୍ ।
ଇତ୍ୟୁକ୍ତ୍ୱାଙ୍ଗାଦ୍ଧରେର୍ମାଲ୍ୟ ପ୍ରତ୍ୟର୍ଚାୟ ସମର୍ପୟେତ୍ ।।୭।।
ହେ ଦେବ ଦେବ ଜଗନ୍ନାଥ ! ହେ ପରମେଶ୍ବର ! ମୋ ପ୍ରତି ଅନୁଗ୍ରହ କର । ହେ ପ୍ରଭୁ ! ହେ ମହାବାହୁ ! ତୁମ୍ଭ ମନ୍ଦିରକୁ ଭ୍ରମଣ କରିବା ନିମନ୍ତେ ପ୍ରତିମାମାନଙ୍କୁ ଆଜ୍ଞା ଦିଅନ୍ତୁ । ଏହା କହି ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ପ୍ରତିମାଙ୍କୁ ସମର୍ପଣ କରିବ ।
ପ୍ରତ୍ୟର୍ଚ୍ଚାଂ ଭ୍ରାମୟେତ୍ତାବଦ୍ଽବିଷ୍ଣୁମବ୍ୟୟରୂପିଣମ୍ ।
ବାରତ୍ରୟଂ ତତୋ ଦିବ୍ୟେ ବିମାନେ ଚାରୁମଣ୍ଡନେ ।।୮ ।।
ସୁଶୋଭିତ ଦିବ୍ୟ ବିମାନରେ ଚଳନ୍ତୀପ୍ରତିମାମାନଙ୍କୁ ବିଜେ କରାଇ ତିନିଥର ଭ୍ରମଣ କରାଇବା ।
ବାସୟିତ୍ୱା ମନୋରମ୍ୟାଂ ପ୍ରତ୍ୟର୍ଚ୍ଚାଂ ପରିଭୂଷିତାମ୍ ।
ଛତ୍ରଚାମରଘଣ୍ଟାଦିକାହାଳମର୍ଦ୍ଦଳାଦିଭିଃ ।।୯ ।।
ବାଦ୍ୟୈର୍ନାନାବିଧୈଃ ଶଙ୍ଖୈର୍ମହୋତ୍ସବତୟା ନୃପ ।
ଗୀତନୃତ୍ୟାଦିଭିସ୍ତାବଚ୍ଚତୁର୍ବାରଂ ଶନୈଃ ଶନୈଃ ।।୧୦ ।।
ପ୍ରାସାଦ ଭ୍ରାମୟେଦ୍ଽଭୂୟଃ ସର୍ବୋପଦ୍ରବଶାନ୍ତୟେ ।
ମନୋରମ ପ୍ରତିମାଙ୍କୁ ବିଭୂଷିତ କରାଇ ବିମାନରେ ବସାଇ ଛତ୍ର , ଚାମର , ଘଣ୍ଟା , କାହାଳୀ , ମର୍ଦ୍ଦଳ ପ୍ରଭୃତି ନାନାବିଧ ବାଦ୍ୟ ତଥା ଶଙ୍ଖ ଧ୍ବନି ମଧ୍ୟରେ ଗୀତ - ନୃତ୍ୟ ମହୋତ୍ସବ ଗହଣରେ ସକଳ ଉପଦ୍ରବ ଶାନ୍ତି ନିମନ୍ତେ ଧୀରେ ଧୀରେ ପ୍ରାସାଦ ( ମନ୍ଦିର ) ରେ ୪ ଥର ଭ୍ରମଣ କରାଇବ ।
ଏତନ୍ନବାଙ୍କଭ୍ରମଣେ ପ୍ରଥମଭ୍ରମଣଂ ଚ ଯଃ ।। ୧୧ ।।
ପଶ୍ୟେତ୍ପଞ୍ଚମହାପାପାତ୍ ପ୍ରମୁକ୍ତଃ ସ୍ୟାନ୍ନ ସଂଶୟଃ ।
ତଥୋପପାତକୈର୍ମୁକ୍ତୋ ଦ୍ବିତୀୟଭ୍ରମଣେକ୍ଷଣାତ୍ ।।୧୨।।
ନବାଙ୍କ ବେଢାର ଏହି ପ୍ରଥମ ଭ୍ରମଣ ଯେ ଦର୍ଶନ କରନ୍ତି ସେ ପଞ୍ଚମହାପାତକରୁ ମୁକ୍ତ ହୁଅନ୍ତି ଏଥିରେ ସଂଶୟ ନାହିଁ । ଦ୍ଵିତୀୟବାର ଭ୍ରମଣ ଦର୍ଶନ କଲେ ଉପପାତକରୁ ମୁକ୍ତ ହୁଅନ୍ତି ।
ତୃତୀୟେ ସର୍ବଯଜ୍ଞାନାଂ ଫଳଂ ପ୍ରପ୍ନୋତି ମାନବଃ ।
ବିଷ୍ଣୁପ୍ରୀତତରଶ୍ଚ ସ୍ୟାଚ୍ଚତୁର୍ଥଭ୍ରମଣେକ୍ଷଣାତ୍ ।। ୧୩ ।।
ତୃତୀୟ ଭ୍ରମଣ ଦର୍ଶନ କଲେ ମନୁଷ୍ୟ ସକଳ ଯଜ୍ଞାନୁଷ୍ଠାନର ଫଳଲାଭ କରେ । ଚତୁର୍ଥଭ୍ରମଣ ଦର୍ଶନ କରିବା ଦ୍ବାରା ଜଗନ୍ନାଥ ତାଙ୍କଠାରେ ଅତ୍ୟନ୍ତ ପୀତ ହୁଅନ୍ତି ।
କୁର୍ବତାଂ ଭ୍ରମଣେ ବିଷ୍ଣୋର୍ମୁକ୍ତଃ ସ୍ୟାଚ୍ ଛାଶ୍ଵତୀ ଶୁଭା ।
ତତ୍ଽପ୍ରଦକ୍ଷିଣଂ ପ୍ରତ୍ୟହଂ ପ୍ରତ୍ୟାର୍ଚ୍ଚସଙ୍ଗତୋ ନୃପ ।।୧୪।।
କୁର୍ବନ୍ତି ଭକ୍ତ୍ୟା ଯେ ମର୍ତ୍ତ୍ୟାଂ ପଶ୍ୟନ୍ତି ଚ ମୁହୁର୍ମୁଦା ।
ତେ ସର୍ବେ ସୁଖମୈଶ୍ଚର୍ଯ୍ୟଂ ଭୁକ୍ତ୍ୱା ଭୂମିତଳେଽଖିଳମ୍ ।।୧୫।।
ହେ ରାଜା ! ଠାକୁର ( ବିଷ୍ଣୁ ) ଙ୍କ ସହିତ ଯେଉଁମାନେ ଭ୍ରମଣରେ ଯାଆନ୍ତି ସେମାନେ ନିରନ୍ତର ମୁକ୍ତି ଲାଭ କରନ୍ତି । ପ୍ରତିମାଙ୍କ ସଙ୍ଗରେ ଯେଉଁମାନେ ପ୍ରତ୍ୟେକଦିନ ଭକ୍ତି ସହକାରେ ପ୍ରଦକ୍ଷିଣ କରନ୍ତି ଏବଂ ଭଗବାନଙ୍କୁ ଦର୍ଶନ କରନ୍ତି ସେମାନେ ସଂସାରରେ ସକଳ ସୁଖ ଓ ଐଶ୍ଚର୍ଯ୍ୟ ଲାଭ କରନ୍ତି ।
ପିତୃ ନୁଦ୍ଧୃତ୍ୟ ନରକାନ୍ ପ୍ରାପୟନ୍ତି ହରେଃ ପଦମ୍ ।
ଗଚ୍ଛନ୍ତି ପୁନରାବୃତ୍ତିରହିତଂ ସୁରଦୁର୍ଲ୍ଲଭମ୍ ।।୧୬ ।।
ସେମାନେ ନିଜ ପିତୃମାନଙ୍କୁ ନରକରୁ ଉଦ୍ଧାରକରି ବୈକୁଣ୍ଠପ୍ରାପ୍ତି କରାନ୍ତି । ନିଜେ ଦେବଦୁର୍ଲଭ ମୁକ୍ତି ପଥର ଯାତ୍ରୀ ହୁଅନ୍ତି ।
ସପୁତ୍ରକୋଽପି ବଂଶେ ସ୍ୟାତ୍ କ୍ଷେତ୍ରେ ଶ୍ରୀପୁରୁଷୋତ୍ତମେ ।
ଏତତ୍ ପ୍ରଦକ୍ଷିଣଂ କୁର୍ଯ୍ୟାତ୍ପଶ୍ୟେଦ୍ ବା ସୁମାହିତଃ ।।୧୭ ।।
ତତ୍ ପ୍ରସାଦାଦ୍ ଗମିଷ୍ୟାମୋ ବିଷ୍ଣୋସ୍ତତ୍ପଦମବ୍ୟୟମ୍ ।
ବାଞ୍ଚନ୍ତି ପିତରୋ ନୂନମିତ୍ୟେବଂ ତେ ପରସ୍ପରମ୍ ।।୧୮।।
ପିତୃଲୋକେ ଆଶା କରନ୍ତି ଯେ , ଆମ ବଂଶରେ କେହି ଜଣେ ଉତ୍ତମପୁତ୍ର ଜାତ ହୁଅନ୍ତା କି ? ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମକର ସଂକ୍ରାନ୍ତରେ ନବାଙ୍କ ବେଢାରେ ଶ୍ରୀମନ୍ଦିର ପ୍ରଦକ୍ଷିଣ କରନ୍ତା କିମ୍ବା ସୁସଂଯତ ହୋଇ ପ୍ରଭୁଙ୍କୁ ଦର୍ଶନ କରନ୍ତା , ତା ’ ଅନୁଗ୍ରହରୁ ଆମ୍ଭେ ବୈକୁଣ୍ଠକୁ ଯାଆନ୍ତୁ ।
ଏତଦ୍ ଭ୍ରମଣମାନନ୍ଦାନ୍ନୋ ପଶ୍ୟକ୍ତି ଜନାଶ୍ଚ ଯେ ।
କ୍ଷେତ୍ରେ ସ୍ଥିତ୍ବାପି ତେଷାଂ ବୈ ସୁଖଲେଶୋ ନ ବିଦ୍ୟତେ।। ୧୯।।
ଯେଉଁଲୋକେ ଏହି କ୍ଷେତ୍ରରେ ଥାଇ ମଧ୍ୟ ନବାଙ୍କ ବେଢା କରନ୍ତି ନାହିଁ କିମ୍ବା ଆନନ୍ଦମନରେ ଭଗବାନଙ୍କୁ ଦର୍ଶନ କରନ୍ତି ନାହିଁ ସେମାନଙ୍କୁ କିଞ୍ଚିତ୍ ହେଲେ ସୁଖ ମିଳେ ନାହିଁ।
ସନ୍ତତିଶ୍ଚ କ୍ଷୟଂ ଯାତି ପଶ୍ୟତି ପିତରଶ୍ଚ ତାନ୍ ।
ପଶ୍ୟତାଂ ଭ୍ରମଣଂ ବାପି ଶରୀରେଷୁ ହରେର୍ଯତଃ ।।୨୦।।
ଅଷ୍ଟାଦଶାନି ଚିହ୍ନାନି ନିବସନ୍ତି ନବଂ ନବମ୍ ।
ତସ୍ମାନବାଙ୍କନାମ୍ନୀୟଂ ଯାତ୍ରା ତଦ୍ଗଦିତା ନୃପ ।।୨୧।।
ସନ୍ତାନ ବର୍ଗଙ୍କର କ୍ଷୟ ହୁଏ । ଏହା ପିତୃମାନେ ନିଜ ଆଖିରେ ଦେଖନ୍ତି । ହେ ରାଜା ! ଯେହେତୁ ଭଗବାନଙ୍କ ଶରୀରରେ ଥିବା ଅଠରଟି ଚିହ୍ନ ବେଢା ଦର୍ଶନ କରୁଥିବା ଲୋକମାନଙ୍କ ଶରୀରରେ ନବ ( ନୂଆ ) ନବ ( ନୂଆ ) ଭାବରେ ରହିଯାଆନ୍ତି ତେଣୁ ଏହି ଯାତ୍ରା ନବାଙ୍କବେଢା ନାମରେ ଖ୍ୟାତ ।
ଏତଦ୍ ଭ୍ରମଣକାଳେ ତୁ କଳ୍ପଦ୍ରୁମବରାନ୍ନରଃ ।
ପତ୍ରମାନୀୟ ବଧ୍ନୀୟାତ୍କରେ ଭକ୍ତ୍ଯା ସମନ୍ୱିତଃ ।।୨୨ ।।
ଏହି ବେଢା ସମୟରେ କଳ୍ପବୃକ୍ଷରୁ ପତ୍ରଟିଏ ଆଣି ଭକ୍ତି ସହକାରେ ହାତରେ ବାନ୍ଧିଲେ ସକଳ କାମନା ପୂର୍ଣ୍ଣ ହୁଏ । ପୁତ୍ର ପୌତ୍ରମାନେ ସୁଖରେ ରହନ୍ତି ।
ସର୍ବାନ୍ କାମାନବାପ୍ନୋତି ପୁତ୍ରପୌତ୍ରୈଶ୍ଚ ମୋଦତେ ।
ଏତତ୍ ସପ୍ତଭ୍ରମାନ୍ତେ ତାଂ ପ୍ରତ୍ୟର୍ଚ୍ଚାଂ ସ୍ବପଦେ ନ୍ୟସେତ୍ ।।୨୩।।
ଏହିପରି ଭାବରେ ସାତବାର ଭ୍ରମଣ କରାଇ ଚଳନ୍ତୀ ପ୍ରତିମାଙ୍କୁ ନିଜସ୍ଥାନରେ ବିଜେ କରାଇବ ।












Leave a Reply