ବିଲୁପ୍ତ ହୋଇଗଲାଣି ଶିଆଳି ପତ୍ରର ଖଲି ଓ ଦନା
ମାଲକାନଗିରି। ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ଦିନ ଥିଲା ମାଲକାନଗିରି ଜିଲ୍ଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ବିଭିନ୍ନ ଅଞ୍ଚଳରେ ଯେ କୌଣସି ପୂଜା ପର୍ବ ଏବଂ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ ହେଲେ ଭୋଜି ଭାତ
ପାଇଁ ପ୍ରଥମେ ଖୋଜା ପଡୁଥିଲା ଶିଆଳି ପତ୍ରରେ ତିଆରି ହୋଇଥିବା ଖଲି ପତ୍ର ଏବଂ ଦନା। ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା,ଗାଁ ମାନଙ୍କରେ ହେଉଥିବା ବିଭିନ୍ନ ପ୍ରକାର ପୂଜା ପର୍ବାଣୀ ଓ ଅନ୍ୟାନ୍ୟ ସାମାଜିକ
କାର୍ଯ୍ୟକ୍ରମରେ ଶିଆଳି ପତ୍ରରେ ନିର୍ମିତ ଖଲି ପତ୍ର ଓ ଦନାକୁ ବାଦ ଦେଇ କୌଣସି କାର୍ଯ୍ୟକ୍ରମ କରା ଯାଉନଥିଲା।ହେଲେ ସମୟର ପରିବର୍ତନ ସହିତ ଅନେକ କିଛି ପରିବର୍ତ୍ତନ ହୋଇଯାଇଛି।ବର୍ତ୍ତମାନ ଯୁଗରେ ବଜାରରେ ପ୍ଲାଷ୍ଟିକ ଖଲି, ସୋଲ ଦନା,ସୋଲ ପ୍ଲେଟ, ପ୍ଲାଷ୍ଟିକ ଗ୍ଳାସ, ପେପର ଖଲି ଭଲି ସାମଗ୍ରୀ ସହଜରେ ମିଳୁ ଥିବାରୁ ଲୋକେ ଏହି ସାମଗ୍ରୀ ଗୁଡିକୁ ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି।ଏହି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଯାଇ ଶିଆଳି ପତ୍ର ସଂଗ୍ରହ କରି ଘରକୁ ଆଣୁଥିଲେ।ଉକ୍ତ ଶିଆଳି ପତ୍ରରେ ଖଲି ଓ ଦନା ତିଆରି କରି ଆଖ ପାଖରେ ଥିବା ହାଟ ଓ ବଜାରରେ ବିକ୍ରୀ କରୁଥିଲେ।ଏହାକୁ ବିକ୍ରୀ କରି ବେଶ ଅର୍ଥ ରୋଜଗାର କରି ସେଥିରେ ପରିବାର ପୋଷଣ କରୁଥିଲେ।ହେଲେ ବଜାରରେ ମିଳୁଥିବା ଅତ୍ୟାଧୁନିକ ପ୍ଲାଷ୍ଟିକ ଖଲି, ସୋଲ ଖଲି ଓ ଦନାର ବହୁଳ ବ୍ୟବହାର ଏମାନଙ୍କ ଜୀବନ ଓ ଜୀବିକାରେ ପ୍ରତିବନ୍ଧକ ସାଜିଛି।ଫଳରେ ଗ୍ରାମାଞ୍ଚଳର ଲୋକମାନେ ଆଉ ପୂର୍ବପରି ଜଙ୍ଗଲକୁ ଯାଇ ଶିଆଳି ପତ୍ର ଆଣୁନାହାନ୍ତି କି ଖଲି ଆଉ ଦନା ତିଆରି କରିବା ବନ୍ଦ କରିଦେଇଛନ୍ତି।ଏବେବି କିଛି ଗ୍ରାମର ଲୋକେ ଏହି କୌଶଳ ବା ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରୀ ରଖିଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରୁକୋଣ୍ଡା ବ୍ଲକ ଅଧିନସ୍ତ ସୋମନାଥ ପୁର ଗ୍ରାମରେ। ଏହି ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲରୁ କିଛି ପରିମାଣର ଶିଆଳି ପତ୍ର ସଂଗ୍ରହ କରି ଘରକୁ ଫେରିବା ରାସ୍ତାରେ ଆମ୍ଭେ ସେମାନଙ୍କୁ ସାକ୍ଷାତ କରିଥିଲୁ। ସେମାନେ କହିଥିଲେ ଯେ, ଏହି ମାସରେ ଆମର ପରମ୍ପରା ଅନୁଯାୟୀ
ପୁଷପୁନେଇ ପାଳନ କରାଯିବ। ସେହି ପୂଜାରେ ଶିଆଳି ପତ୍ରର ଖଲି ଓ ଦନା ନିତ୍ୟାନ୍ତ ଆବଶ୍ୟକ ଥିବାରୁ ଆମେ ଶିଆଳି ପତ୍ର ଆଣିବାକୁ ଜଙ୍ଗଲକୁ ଯାଇଥିଲୁ ବୋଲି ସେମାନେ କହିଥିଲେ।ଗ୍ରାମାଞ୍ଚଳରେ ଶିଆଳି ପତ୍ରର ଯେତିକି ବ୍ୟବହାର ହୁଏ ଶିଆଳି ଦଉଡିର ମଧ୍ୟ୍ୟ ସେତିକି ବ୍ୟବହାର ହୋଇଥାଏ।ହେଲେ ସମୟର ପରିବର୍ତ୍ତନ ଏବଂ ପ୍ରୋତ୍ସାହନ ଅଭାବରୁ ଶିଆଳି ପତ୍ର ଏବଂ ଦଉଡିରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀର ବ୍ୟବହାର ମଧ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି।ତେବେ ଶିଆଳି ପତ୍ରରେ ଖଲି ଓ ଦନା ତିଆରି କରୁଥିବା ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ଖଲି ସିଲେଇ ବାବଦରେ ତାଲିମ ପ୍ରଦାନ ସହ ଋଣ ପ୍ରଦାନ କରାଗଲେ ଆଗାମୀ ଦିନରେ ସେମାନେ ଏହି ଖଲି ବ୍ୟବସାୟ କରି ରୋଜଗାରକ୍ଷମ ହୋଇ ପାରିବେ ବୋଲି ଆଶା କରାଯାଉଛି।ଜିଲ୍ଲା ପ୍ରଶାସନ ଏହି ଖଲି କାରିଗର ମାନଙ୍କୁ ସହାୟତା ପ୍ରଦାନ କଲେ ଏହା ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷପ ହେବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।












Leave a Reply