Spread the love

ବୌଦ୍ଧ : ମଧୁବାବୁ ପେନ୍‌ସନ୍‌ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ..ମାନ୍ୟବର କଣ୍ଟାମାଳ ଓ ବୌଦ୍ଧ ବିଧାୟକଙ୍କ ଦ୍ୱାରା ଭତ୍ତା ବଣ୍ଟନ l

ବୌଦ୍ଧ କୁନା ଦିଗାଲ ଦର୍ଶନ ସମୀକ୍ଷା

ଜିଲ୍ଲାରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ନୂତନ ଭାବେ ସାମିଲ ହୋଇଥିବା ହିତାଧିକାରୀମାନଙ୍କୁ ଆଜି ଭତ୍ତା ପ୍ରଦାନ କରାଯାଇଛି l ବୌଦ୍ଧସ୍ଥିତ ଭିକାରୀ କଳା ମଣ୍ଡପଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ଏବଂ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦେଇ ନୂତନ ହିତାଧିକାରୀଙ୍କୁ ଭତ୍ତା ଓ ପେନ୍‌ସନ୍‌ କାର୍ଡ ପ୍ରଦାନ କରିଥିଲେ।ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଏପିଡି ଯଦୁମଣି ନାୟକ, ସାଂସଦଙ୍କ ପ୍ରତିନିଧି ସୂର୍ଯ୍ୟ ନାରାୟଣ ମହାପାତ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ ଏବଂ ବୌଦ୍ଧ ପୌରପାଳିକା ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୦ ତାରିଖରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରି ରାଜ୍ୟର ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀଙ୍କୁ ଏଥିରେ ସାମିଲ କରିଥିଲେ l ଏହି ପଦକ୍ଷେପ ଦ୍ୱାରା ବୌଦ୍ଧ ଜିଲ୍ଲାର ମୋଟ ୪,୪୮୨ ଜଣ ନୂତନ ହିତାଧିକାରୀ ଉପକୃତ ହେବେ।
ସେମାନଙ୍କ ମଧ୍ୟରୁ ଆଜି ବୌଦ୍ଧ ବ୍ଲକର ୬୫୦ ଜଣ, ହରଭଙ୍ଗା ବ୍ଲକର ୩୫୦ ଜଣ, କଣ୍ଟାମାଳ ବ୍ଲକର ୫୦ ଜଣ ଏବଂ ବୌଦ୍ଧ ପୌରପାଳିକାର ୧୨୩ ଜଣଙ୍କୁ ମିଶାଇ ମୋଟ ୧,୧୭୩ ଜଣ ହିତାଧିକାରୀଙ୍କୁ ଅକ୍ଟୋବର ଓ ନଭେମ୍ବର ଦୁଇ ମାସର ଭତ୍ତା ପ୍ରଦାନ କରାଯାଇଥିଲା l ଏହି ଅବସରରେ ଅତିଥିମାନେ ଓଡ଼ିଶା ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାର ଉଚ୍ଚ ପ୍ରଶଂସା କରିବା ସହିତ ଏହା ବୃଦ୍ଧବୃଦ୍ଧା, ବିଧବା, ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ସହ ସେମାନଙ୍କ ଜୀବନକୁ ଅଧିକ ସ୍ୱାଭିମାନପୂର୍ଣ୍ଣ କରିବାରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ l କାର୍ଯ୍ୟକ୍ରମରେ ବୌଦ୍ଧ ବିଡିଓ ଯୁଗଳ କିଶୋର ବିଶ୍ୱାଳ, ହରଭଙ୍ଗା ବିଡିଓ କର୍ଣ୍ଣସୁନା ଏବଂ କଣ୍ଟାମାଳ ବିଡିଓ ନିରୋଜ କୁମାର ଭତ୍ରା ଉପସ୍ଥିତ ଥିଲେ l ଏଥିସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଏକ ହଜାରରୁ ଊର୍ଦ୍ଧ୍ୱ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ନିଜ ନିଜର ନୂତନ ପେନ୍‌ସନ୍‌ କାର୍ଡ ଆନନ୍ଦ ମନରେ ଗ୍ରହଣ କରିଥିଲେ l ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜିନ୍ଦ୍ର କିଶାନ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ l ହିତାଧିକାରୀମାନେ ମଧୁବାବୁ ପେନ୍‌ସନ୍‌ ଯୋଜନାର ସୁଯୋଗ ନେବା ସହ ନିଜ ଅଞ୍ଚଳରେ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନା ସମ୍ପର୍କରେ ସଚେତନ କରି ଅନ୍ ଲାଇନ୍ ରେ ଆବେଦନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି l