ନିୟନ୍ତ୍ରଣ ବାହାରେ ମାଛ, ମାଂସ ଦର
ଧାର୍ଯ୍ୟ କରୁନି ପ୍ରଶାସନ
ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ : ନିର୍ବାହୀ ଅଧିକାରୀ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଦିନକୁ ଦିନ ମାଛ,ମାଂସ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି।ଜାନୁୟାରୀ ୧ରୁ ବାଲିମେଳା ସହର ସମେତ କୋରୁକୋଣ୍ଡାରେ କେତେକ ଆମିଷ ବେପାରୀ ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ଏବଂ ସ୍ଥାନୀୟ ବଣିକ ସଙ୍ଘ ସହ କୌଣସି ଆଲୋଚନା ନ କରି ମନ ଇଚ୍ଛା ମାଛ, ମାଂସ ଦର ବୃଦ୍ଧି କରି ପୂର୍ବରୁ ବିକ୍ରୀ ହେଉଥିବା ଦର ଠାରୁ ଅଧିକ ଟଙ୍କାରେ ବିକ୍ରୀ କରୁଥିବାରୁ ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ମୁଖ୍ୟତଃ ଖାସି ମାଂସ ଯେଉଁ ଦରରେ ବିକ୍ରି ହେଇଛି ସେହି ଦରରେ ଅନ୍ୟ ଛେଳି ମାଂସ ବିକ୍ରୀ କରାଯାଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ବାଲିମେଳା ଓ କୋରୁକୋଣ୍ଡା ସଦର ମହକୁମା ସମେତ ବ୍ଲକ ଅଧୀନ ବିଭିନ୍ନ ଅଞ୍ଚଳରେ ହେଉଥିବା ଧାର୍ଯ୍ୟ ବାରରେ
ହେଉଥିବା ସାପ୍ତାହିକ ହାଟରେ ରୋହି, ଭାକୁର, ମିରକାଳି,କର୍ପୁ, ଗ୍ଲାସକପ, ଚିଙ୍ଗୁଡ଼ି, ଫଳି ଆଦି ବିଭିନ୍ନ ମାଛର
ଦର ପୂର୍ବରୁ ଯେତିକିଥିଲା ବର୍ତ୍ତମାନ ତା’ ଠାରୁ ୫୦ରୁ ୧୦୦ ଟଙ୍କା ଅଧିକ ଦରରେ ବିକ୍ରୀ କରୁଥିବା ନେଇ ଅଞ୍ଚଳର ଖାଉଟିମାନେ ଅଭିଯୋଗ କରିଛନ୍ତି।ମାଛ କି.ଗ୍ରା ପ୍ରତି ୨୦୦ ଟଙ୍କାରେ ପୂର୍ବରୁ ବିକ୍ରୀ କରୁଥିବା ବେଳେ ବର୍ତ୍ତମାନ କେତେଜଣ ବେପାରୀ ଏହାକୁ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି କରୁଛନ୍ତି।ଚିତ୍ରକୋଣ୍ଡା ଡ୍ୟାମ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଆସୁଥିବା କଟା ମାଛରେ ଅହେତୁକ ଭାବେ ଦର ବୃଦ୍ଧିପାଇଛି।ବର୍ତ୍ତମାନ ବଜାରରେ କଟା ମାଛ ୩୦୦ରୁ ଅଧିକ ଦରରେ ବିକ୍ରୀ ହେଉଛି।କଣ୍ଟିଆ, ପବତା, ବାଉଁଶପତ୍ରୀ, କରାଣ୍ଡି,
ମାଗୁର, ମାଉରାଳୀ, ଛୋଟ ଚିଙ୍ଗୁଡ଼ି
ଭଳି ଛୋଟ ମାଛର ଦର ବର୍ତ୍ତମାନ କଟାମାଛ ଦରଠାରୁ ବହୁ ଅଧିକ ଟଙ୍କାରେ ବିକ୍ରୀ କରାଯାଉଛି।ଖାସି ମାଂସ ଦର କିଲୋ ପିଛା ୮୦୦ ଟଙ୍କାରେ ବିକ୍ରୀ କରାଯାଉଛି।ଫଳରେ ଗରିବ ଓ ମଧ୍ୟମ ଶ୍ରେଣୀର ଖାଉଟିମାନେ ବହୁ ଅସୁବିଧାର ସମ୍ମୁଖୀନ ହେଇଛନ୍ତି।ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଉପରୋକ୍ତ ଅଞ୍ଚଳରେ ବିକ୍ରୀ ହେଉଥିବା ଆମିଷ ଓ ପନିପରିବା ଦର ଧାର୍ଯ୍ୟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ଅନ୍ୟ ପକ୍ଷରେ ପନିପରିବା ଓ ମାଛ,ମାଂସ
ବିକ୍ରୀ କରିବା ପାଇଁ ବ୍ୟବସାୟୀ ମାନଙ୍କର ସୁବିଧା ନିମନ୍ତେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦୈନିକ ବଜାରରେ ବହୁ ଭେଣ୍ଡିଂ ଜୋନ ଓ ଦୋକାନ ଗୃହ ନିର୍ମାଣ କରାଯାଇଛି।କିନ୍ତୁ ବହୁ ବ୍ୟବସାୟୀ ପ୍ରଶାସନର ନିୟମକୁ ମାନି ଦୈନିକ ବଜାରରେ ବ୍ୟବସାୟ କରୁଥିବା ବେଳେ ଆଉ କେତେଜଣ ବେପାରୀ ନିୟମକୁ ଅବମାନନା କରି ସହରର ବିଭିନ୍ନ ଅଞ୍ଚଳର ରାସ୍ତା କଡ଼, ତଥା ସ୍କୁଲ ପାଖରେ ମାଛ, ମାଂସ ବିକ୍ରୀ କରୁଛନ୍ତି।ତେବେ ପ୍ରଶାସନ ପକ୍ଷରୁ ଏହି ବ୍ୟବସାୟୀ ମାନଙ୍କୁ ତୁରନ୍ତ ଦୈନିକ ବଜାରକୁ ସ୍ଥାନାନ୍ତରିତ କରିବାକୁ ଜନ ସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ ବାଲିମେଳା ଏନଏସିର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ଆମିଷ ବେପାରୀମାନେ ମାଛ ମାଂସ ଦର ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ କୌଣସି ଅନୁମତି ନେଇନାହାନ୍ତି।ଏନଏସି କତୃପକ୍ଷଙ୍କ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଦୋରା କହିଛନ୍ତି।












Leave a Reply