ବିଦ୍ୟାଧର ନାୟକ , ବରିଷ୍ଠ ପୂର୍ବ ନୌସୈନିକ
ଅଧ୍ୟକ୍ଷ, ଭେଟେରାନ୍ସ୍ କ୍ଲବ୍ ଓଡ଼ିଶା ,
ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ନେତାଙ୍କ ଅପମାନ
- ବ୍ୟାନର–ପୋଷ୍ଟରରେ ଢାଙ୍କି ଦେବା ବିରୋଧରେ ସଚେତନ ନାଗରିକଙ୍କ ଅସନ୍ତୋଷ ।
ଭୁବନେଶ୍ଵର, ୧/୧ : ଦର୍ଶନ ସମୀକ୍ଷା bhubaneswsr ଆଜି ଓଡ଼ିଶା ପ୍ରଦେଶ ରାଜଧାନୀ ଭୁବନେଶ୍ଵରର ଝାରପଡ଼ା ଛକ ଉପରେ ଅବସ୍ଥିତ ଦେଶର ଗରିମାମୟ ଜାତୀୟ ପ୍ରତୀକ ‘ଅଶୋକ ସ୍ତମ୍ଭ’କୁ ଘେରି ଅନେକ ନେତାଙ୍କ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ଏହା ଫଳରେ ଜାତୀୟ ଚିହ୍ନଟି ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଛି ଯାହା ଗଭୀର କ୍ଷୋଭ ଓ ଚିନ୍ତାର ବିଷୟ ।
ଅଶୋକ ସ୍ତମ୍ଭ କେବଳ ଗୋଟିଏ ଭାସ୍କର୍ଯ୍ୟ ନୁହେଁ, ଏହା ଭାରତର ସଂବିଧାନ, ସାର୍ବଭୌମତ୍ୱ, ଆଇନର ଶାସନ ଓ ଜାତୀୟ ଗରିମାର ପ୍ରତୀକ । ଏପରି ଏକ ପବିତ୍ର ଓ ଗରିମାମୟ ଜାତୀୟ ଚିହ୍ନକୁ ରାଜନୈତିକ ପ୍ରଚାରର ବ୍ୟାନର – ପୋଷ୍ଟର ଦ୍ୱାରା ଢାଙ୍କି ଦେବା ଦୁଃଖଦ ଓ ଅଶୋଭନୀୟ। ଏହା କେବଳ ଜାତୀୟ ମର୍ଯ୍ୟାଦାର ଅବମାନନା ନୁହେଁ ବରଂ ଜନସାଧାରଣଙ୍କ ମନରେ ଭୁଲ୍ ସନ୍ଦେଶ ପ୍ରେରଣ କରୁଛି । ରାଜନୈତିକ ଦଳ ଓ ନେତାମାନେ ଲୋକତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଜାତୀୟ ପ୍ରତୀକମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ତାଙ୍କର ନୈତିକ ଦାୟିତ୍ୱ । ଭୁବନେଶ୍ୱର ମହାନଗର ନିଗମ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଏପରି ବ୍ୟାନର–ପୋଷ୍ଟର ହଟାଇବା ସହ ଭବିଷ୍ୟତରେ ଏପରି କାର୍ଯ୍ୟର ପୁନରାବୃତ୍ତି ନ ହେବା ନେଇ କଠୋର ନିର୍ଦ୍ଦେଶ ଜାରି କରିବା ପାଇଁ ବରିଷ୍ଠ ନୌସୈନିକ ବିଦ୍ୟାଧର ନାୟକ ମେୟରଙ୍କ ନିକଟରେ ଦାବି ରଖିଛନ୍ତି । ଗତ ବର୍ଷ ଏଇ ଅବସରରେ ସମାନ ସମସ୍ୟା ନେଇ ବରିଷ୍ଠ ଐତିହ୍ୟ ଗବେଷକ ଅନୀଲ୍ ଧୀର ମହୋଦୟ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ସେ ପୋଷ୍ଟର ବ୍ୟାନରଗୁଡ଼ିକ ତୁରନ୍ତ ହଟାଯାଇଥିଲା।

ତଥାପି ସ୍ଥାନୀୟ ନେତାମାନେ ସଚେତନ ନ ହେବା ନେଇ ଡଃ ସୁନୀତି ମୁଣ୍ଡ୍ ନିଜର କ୍ଷୋଭ ପ୍ରକାଶ କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ସେ ସ୍ଥାନରେ “ନୋ ବ୍ୟାନର ଜୋନ୍” ଲେଖି ଏକ ସୂଚନା ଫଳକ ସ୍ଥାପିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ତଦନୁରୂପ ରାଜଧାନୀର ଅନ୍ୟ ଯେଉଁ ସ୍ଥାନ ମାନଙ୍କରେ ଜାତୀୟ ପ୍ରତୀକ ବା ଚିହ୍ନ ରହିଛି ସେ ସମସ୍ତ ସ୍ଥାନମାନଙ୍କୁ ପୋଷ୍ଟର ବ୍ୟାନର ମୁକ୍ତ ରଖିବା ପାଇଁ ସମାନ ପଦକ୍ଷେପ ନିଆଯାଉ ବୋଲି ସେ କହିଛନ୍ତି । ଜାତୀୟ ପ୍ରତୀକ ଗୁଡ଼ିକର ସମ୍ମାନ କରିବା ଆମ ସମସ୍ତଙ୍କର ସାମୂହିକ କର୍ତ୍ତବ୍ୟ ଏଵଂ ଆମେ ସମସ୍ତେ ଏ ନେଇ ସଚେତନ ରହିବା ଆବଶ୍ୟକ ବୋଲି କହିଥିଲେ ବରିଷ୍ଠ ପୂର୍ବ ନୌସୈନିକ ସମରେନ୍ଦ୍ର ପରିଜା । ଏହି ଅବସରରେ ଭେଟେରାନ୍ ଦୀନବନ୍ଧୁ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ ।
ଭେଟେରାନ୍ ବିଦ୍ୟାଧର ନାୟକ , ବରିଷ୍ଠ ପୂର୍ବ ନୌସୈନିକ
ଅଧ୍ୟକ୍ଷ, ଭେଟେରାନ୍ସ୍ କ୍ଲବ୍ ଓଡ଼ିଶା ,
ମୋ: 9658859424












Leave a Reply