ରାଉରକେଲା // କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉନ୍ନୟନ କମିଶନର

Spread the love

କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉନ୍ନୟନ କମିଶନର

ରାଉରକେଲା, ୧୭ ଡିସେମ୍ବର ୨୦୨୫: ଦର୍ଶନ ସମୀକ୍ଷା ରାଜ୍ଯ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ସେଗୁଡିକର ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସୁଶ୍ରୀ ଦୀନା ଦସ୍ତଗୀର୍ ପ୍ରମୁଖ ଉପସ୍ଥିତ ଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପ୍ରଥମେ ଛେଣ୍ଡ ସ୍ଥିତ ବାୟୋ ମାଇନିଂ ସ୍ଥଳ ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ପ୍ରକ୍ରିୟାକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଖୁବ୍ ଶୀଘ୍ର ପ୍ରକ୍ରିୟାକରଣ କାର୍ଯ୍ୟକୁ ସାରିବା ପରେ ଉକ୍ତ ଜାଗାର ପୁନଃରୁଦ୍ଧାର ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ଏହା ପରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରିବା ସହ ସେଠାକାର ପରିଚାଳନା ବାବଦରେ ଉପସ୍ଥିତ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ। ଦର୍ଶକଙ୍କୁ ଆକର୍ଷିତ କରିବା ଭଳି ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିବା ସ୍ଵରୂପ ଷ୍ଟାଡିୟମରେ ଏକ ସ୍ଵତନ୍ତ୍ର ହକି ଗ୍ୟାଲେରୀ ସ୍ଥାନିତ କରିବାକୁ ପରାମର୍ଶ ଦେଇଥିଲେ। ବିଶ୍ୱକପ ସମୟର ସ୍ମରଣୀୟ ମୁହୂର୍ତ୍ତର ଫଟୋଚିତ୍ର ଗୁଡିକୁ ମଧ୍ୟ ଉକ୍ତ ଗ୍ୟାଲେରୀରେ ସାମିଲ୍ କରିବାକୁ କହିବା ସହ ମାସ୍କଟ ଓଲିର ଏକ ପ୍ରତିକୃତି ଷ୍ଟାଡିୟମରେ ତିଆରି କରିବାକୁ ପରାମର୍ଶ ଦେଇଥିଲେ।

ଏଥିସହ ସେ ଛେଣ୍ଡ ସ୍ଥିତ ସୁଲଭ ବାସଗୃହ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ସେଠାରେ ଲୋକଙ୍କ ପାଇଁ ଉପଲବ୍ଧ ସୁବିଧାର ସମୀକ୍ଷା କରିଥିଲେ। ଜନସାଧାରଣଙ୍କ ସୁବିଧା ଲାଗି ପ୍ରକଳ୍ପ ସ୍ଥଳରେ ପ୍ରାଥମିକ ଚିକିତ୍ସା ସୁବିଧା ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି, କମ୍ୟୁନିଟି ସେଣ୍ଟର, ଆଲୋକୀକରଣ ବ୍ୟବସ୍ଥା, ଖୋଲା ସ୍ଥାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଥିବା ଜାଣି ଖୁସି ହୋଇଥିଲେ। ଏଥିସହ ୧୫୦୦ ରୁ ଅଧିକ ଗୃହର ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେଉଥିବା ଜାଣି ଖୁସି ହେବା ସହ ଏହା ଆଗାମୀ ଦିନରେ ଆର୍ଥିକ ଅନଗ୍ରସର ତଥା ଗରିବ ଶ୍ରେଣୀର ଲୋକମାନଙ୍କ ସୁରକ୍ଷିତ ରହଣି ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ।

ଟିସ୍କୋ ପୋଖରୀର ପୁନଃରୁଦ୍ଧାର ଲାଗି ରାଉରକେଲା ମହାନଗର ନିଗମ ଯୋଜନା କରିଥିବା ବେଳେ ଏହାର କାର୍ଯ୍ୟ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ଉନ୍ନୟନ କମିଶନର ଓ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉକ୍ତ ସ୍ଥଳ ପରିଦର୍ଶନ କରିବା ସହ ଏହାକୁ ଏକ ପ୍ରମୁଖ ପିକନିକ ସ୍ଥଳ ଭାବେ ତିଆରି କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଏକ ସ୍ଵତନ୍ତ୍ର କମିଟି ଗଠନ କରିବାକୁ କହିବା ସହ ନିର୍ମାଣ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଗୁଡିକର ଯେପରି କ୍ଷତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଏଥିସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଯଥେଷ୍ଟ ଧ୍ୟାନରେ ରଖି ସ୍ଥାନେ ସ୍ଥାନେ ସୂଚନା ଫଳକ ମାରିବାକୁ ପରାମର୍ଶ ଦେଇଥିଲେ।

ଏଥିସହ ସେ ଉଦିତ ନଗର ଠାରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିବା ସହ ସେଠାରେ ଭୋଜନ କରିଥିଲେ। ଏହି ଅବସରରେ ସେ ପରିଚାଳନା ଦାୟିତ୍ଵରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ବ୍ୟବସାୟ ସମ୍ବନ୍ଧରେ ପଚାରି ବୁଝିବା ସହ ଏହାର ପରିବେଶ ଦେଖି ଖୁସି ହୋଇଥିଲେ।

ଏହା ସହ ନିର୍ମାଣାଧୀନ କୋଏଲ ନଗର ସ୍ଥିତ ବୃହତ୍ ମନୋରଞ୍ଜନ ଉଦ୍ୟାନ (ବିଗ୍ ରିକ୍ରିଏସନାଲ ପାର୍କ) ପରିଦର୍ଶନ କରିବା କାଳରେ ସେଠାରେ ଉପଲବ୍ଧ ଥିବା ସୁବିଧାର ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ରାଉରକେଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ ବୋଲି ମତ ଦେଇଥିଲେ।

ଏହା ପରେ ସେ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ପରିଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଖେଳାଳିଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେମାନଙ୍କର ଲକ୍ଷ୍ୟ ବିଷୟରେ ପଚାରି ବୁଝିବା ସହ ଉତ୍ତମ ପ୍ରଶିକ୍ଷଣ ସହ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ତାରକା ଖେଳାଳି ଭାବେ ଉଭା ହେବା ପାଇଁ ଶୁଭକାମନା ଜଣାଇ ଥିଲେ।

ବାଲୁଘାଟ ଠାରେ ବାୟୋ-ମାସ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇ ସେଥିରୁ ଜାଳେଣୀ ଉତ୍ପାଦନ କରାଯାଉଥିବା ବେଳେ ଉକ୍ତ ସ୍ଥାନ ପରିଦର୍ଶନ କରି ପ୍ରସ୍ତୁତି ପ୍ରଣାଳୀ ଓ ସାମଗ୍ରୀର ବିକ୍ରିବଟା ବାବଦରେ ମଧ୍ୟ ପଚାରିଥିଲେ। ସେଠାରେ ଉପସ୍ଥିତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରରେ କାର୍ଯ୍ୟରତ ଏସଏଚଜି ମହିଳାଙ୍କ ସହ ଆଲୋଚନା କରିବା କାଳରେ ସମସ୍ତଙ୍କୁ ଗରିମା ଯୋଜନାରେ ସାମିଲ ହେବା ପାଇଁ ଆହ୍ଵାନ ଦେଇଥିଲେ।

ପୁରାଣ ପ୍ରସିଦ୍ଧ ବେଦବ୍ୟାସ ମନ୍ଦିର ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ସେ ତାହାର ପ୍ରଶଂସା କରିଥିଲେ।

ଏହା ପରେ ରାଉରକେଲା ୱାନ ଠାରେ ନିର୍ମାଣାଧୀନ ଜନଜାତି ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସେ ସଂଗ୍ରହାଳୟରେ ନିର୍ମିତ ବିଭିନ୍ନ ପ୍ରକୋଷ୍ଠ ଯେପରିକି ଜନଜାତିଙ୍କ କୁଟୀର ପ୍ରକୋଷ୍ଠ, କଳାକୃତି ଗ୍ୟାଲେରୀ, ପ୍ରୋଜେକ୍ସନ ମ୍ୟାପିଂ ହଲ୍, ସଫଳ ଜନଜାତି ବ୍ୟକ୍ତିଙ୍କ କାହାଣୀ ବଖାଣୁଥିବା ପ୍ରକୋଷ୍ଠ ଓ ଟେରାକୋଟା ଗ୍ୟାଲେରୀ ବୁଲି ଦେଖି ନିର୍ମାଣ କାର୍ଯ୍ୟର ପ୍ରଶଂସା କରିଥିଲେ। ଏଥିସହ ଉପସ୍ଥିତ କାରିଗରଙ୍କ ସହ ଭାବ ବିନିମୟ କରିବା ସହିତ ସେମାନଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ।

ଏଥିସହ ସମନ୍ଵିତ ରାଉରକେଲା ୱାନ ଠାରେ ନିର୍ମାଣାଧୀନ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କକ୍ଷ (ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର) ପରିଦର୍ଶନ କରିବା ସହ ଏହା ସହରର ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ ତଥା ସୁବ୍ୟବସ୍ଥିତ କରିବା ସହ ଅପରାଧ ନିୟନ୍ତ୍ରଣରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ।

ଏହା ପରେ ରାଜ୍ୟ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏଥିସହ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣକୁ ମଧ୍ୟ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ। ବର୍ଷ ବର୍ଷ ଧରି ଅଟକି ରହୁଥିବା ପ୍ରକଳ୍ପ ଗୁଡିକୁ ତ୍ଵରିତ ସାରିବା ଓ ନୂତନ ପ୍ରକଳ୍ପ ଗୁଡିକର ତ୍ଵରିତ ଆରମ୍ଭ ସହ ପ୍ରକଳ୍ପ ଗୁଡ଼ିକରୁ ଅଧିକରୁ ଅଧିକ ରାଜସ୍ଵ ଯେପରି ସ୍ରୁଷ୍ଟି ହୋଇ ପାରିବ ସେ ଦିଗରେ ଧ୍ୟାନ ଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଉପସ୍ଥିତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ବାଣିଜ୍ଯ ଓ ପରିବହନ ବିଭାଗର ସଚିବ ଶ୍ରୀମତୀ ଉଷା ପାଢୀ ରାଉରକେଲା ସହରରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ। ଏହି ଅବସରରେ ସେ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବା ନେଇ ସୂଚନା ଦେବା ସହ ଏହାକୁ ଏକ ବଡ଼ ବିମାନ ବନ୍ଦର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ପ୍ରକାଶ କରିଥିଲେ।

ଏହା କିପରି ସଫଳ ଭାବେ କାର୍ଯ୍ୟକାରୀ ହୋଇ ପାରିବ ସେ ନେଇ ରାଉରକେଲା ଇସ୍ପାତ କାରଖାନାର ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ନେଇ କହିବା ସହ ବିଭିନ୍ନ ସହରକୁ ସଂଯୋଗ କରିବା ପାଇଁ ଇଣ୍ଡିଗୋ ସଂସ୍ଥା ସହ ଆଲୋଚନା ହୋଇଥିବା ସୂଚନା ଦେଇଥିଲେ। ଏଥିସହ ରାଉରକେଲାର ବିକାଶକୁ ଶିଖରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏହାକୁ ସମୃଦ୍ଧ ସହର ଭାବେ ଗଢ଼ି ତୋଳିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ତାହାକୁ ସଫଳ କରିବା ଆମର ପ୍ରାରମ୍ଭିକ ଲକ୍ଷ୍ୟ ବୋଲି ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *