ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ । ଢ଼େଙ୍କାନାଳ, ତା. ୧୨.୧୨.୨୦୨୫- ଦର୍ଶନ ସମୀକ୍ଷା ରତ୍ନାକର ପରିଡା
ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଥର ଓ ବାଲି ଚୋରାଚାଲାଣ ରୋକିବା ନିମନ୍ତେ ନିୟମିତ ଭାବେ ରାତିରେ ଚଢ଼ଉ କରିବାକୁ ଜିଲ୍ଲାପାଳ ତହସିଲଦାରମାନଙ୍କୁ କହିଛନ୍ତି । ଦୁର୍ଘଟଣା ଘଟୁଥିବା କ୍ରସରଗୁଡ଼ିକର ମଧ୍ୟ ଯାଞ୍ଚ କରି ଅନିୟମିତତା ଅବଲମ୍ବନ କରୁଥିବା କ୍ରସରଗୁଡ଼ିକ ଉପରେ ଦୃଢ଼ କାଆର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି । ସ୍କୁଲ ପିଲା ଓ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟି୍ରୁ ଦିନ ବେଳେ ଭାରିଯାନ ଚ଼ଳାଚ଼ଳ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ସେ ଆର.ଟି. ଓ.ଙ୍କୁ ପରାମର୍ଶ ଦେଇଛନ୍ତି । ଜାତୀୟ ରାଜପଥର ଡ଼ିଭାଇଡରକୁ କଟିଂ କରୁଥିବା ସଂସ୍ଥାମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନଗୁଡ଼ିକର ୧୦୦ ମିଟର ମଧ୍ୟରେ କୌଣସି ପ୍ରକାରର ତମ୍ବାଖୁ, ଗୁଟଖା ଆଦି ବିକ୍ରିକୁ ଯାଞ୍ଚ କରି ବନ୍ଦ କରିବାକୁ ଓ ବିଭିନ୍ନ ଔଷଧ ଦୋକାନରେ କଫ୍ ସିରପ୍ ବିକ୍ରି ଯାଞ୍ଚ୍ କରିବାକୁ ସେ ଡ୍ରଗ୍ ଇନ୍ସ୍ପେକ୍ଟରଙ୍କୁ କହିଛନ୍ତି । ଜିଲ୍ଲାରେ ଥିବା ସମସ୍ତ ପିକ୍ନିକ୍ ସ୍ପଟ୍ ରେ ଯେ କେହି ମଦ୍ୟପାନ କରୁଥିଲେ, ଅଶ୍ଲିଳ ବ୍ୟବହାର କରୁଥିଲେ ସେମାନଙ୍କୁ ତୁରନ୍ତ ଗିରଫ କରି ମୋକଦ୍ଦମା ରୁଜ୍ଜୁ କରିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ଆରକ୍ଷୀ ଅଧିକାରୀଙ୍କୁ କହିଛନ୍ତି | କେହି ଗଞ୍ଜେଇ, ବ୍ରାଉନ ସୁଗାର ଆଦି ବ୍ୟବହାର କରୁଥିବା ଦେଖିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ସେ ସେ ପରାମର୍ଶ ଦେଇଛନ୍ତି । ନିଶା ସେବନ ଠାରୁ ଦୂରେଇରହିବାକୁ ସ୍କୁଲ,କଲେଜର ପିଲାମାନଙ୍କୁ ସଚ଼େତନ କରାଇବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ଅବୈଧ ଭାବେ ଦେଶୀ ମଦ ତିଆରି ଏବଂ ଗଞ୍ଜେଇ ଚାଷ ସମ୍ପର୍କରେ କୌଣସି ଅଧିକାରୀ, କର୍ମଚାରୀ ଜାଣିଲେ ପୋଲିସକୁ ସୂଚନା ଦେବାକୁ କହିଛନ୍ତି । ଜମିଜମା ଅଥବା କୌଣସି କାରଣରୁ ଗଣ୍ଡଗୋଳର ଆଶଙ୍କାର ସୁଚ଼ନା ପାଇଲେ ତତ୍କାଳ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଆରକ୍ଷୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ବଣଭୋଜି ସମୟରେ ପ୍ଲାଷ୍ଟିକ ଓ ପଲିଥିନ ଆଦି ବ୍ୟବହାର ବନ୍ଦ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର କହିଛନ୍ତି । ବିଭିନ୍ନ ପିକନିକ୍ ସ୍ପଟ୍ ରେ ଥିବା ଜଳାଶୟ, କେନାଲ ଆଦିରେ ଦୁର୍ଘଟଣା ରୋକିବା ପାଇଁ ଅଗ୍ନିଶମ ବିଭାଗପକ୍ଷରୁ ବିହିତ ବ୍ୟବସ୍ଥା କରାଯିବ ସେ କହିଛନ୍ତି । ବିଭିନ୍ନ ଖଣି ଖଦାନରେ ୧୭୮ ଟି ରେଡ୍ କରାଯାଇ ୧୧୭ ଟି ଗାଡ଼଼ି ଜବତ କରାଯାଇଛି ଏବଂ ୧,୦୭,୭୮,୬୫୭ ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ଜଣା ଯାଇଛି । ଅବୈଧ କାର୍ଯ୍ୟକଳାପ ରୋକିବା ନିମନ୍ତେ ଆବଶ୍ୟକ ସରଞ୍ଜାମ ଓ ସାହାଯ୍ୟ-ସହଯୋଗ ପାଇଁ ପୋଲିସ ପ୍ରଶାସନକୁ ଜଣାଇବାକୁ ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ (ସାଧାରଣ), ଶ୍ରୀ ଲଳିତ ମୋହନ ବେହେରା (ରାଜସ୍ଵ), ସମସ୍ତ ଉପ ଜିଲ୍ଲାପାଳ, ତହସିଲଦାର, ଥାନା ଅଧିକାରୀ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।












Leave a Reply