Spread the love

ବିଶ୍ୱ ଶିଶୁ ନିର୍ଯାତନା ନିବାରଣ ଦିବସ
ଶିଶୁ ଶ୍ରମ ବିରୋଧ ରେ ପଦଯାତ୍ରା
ଭୁବନେଶ୍ୱର ୧୯/୧୧: ଦର୍ଶନ ସମୀକ୍ଷା

ସାରା ବିଶ୍ୱରେ ୧୯ ନଭେମ୍ବରକୁ “ବିଶ୍ୱ ଶିଶୁ ନିର୍ଯାତନା ନିବାରଣ ଦିବସ” ଭାବରେ ପାଳନ କରାଯାଉଛି। ଏହି ଅବସରରେ ଓଡିଶା ସରକାରଙ୍କର ଶ୍ରମ କମିଶନରଙ୍କ କାର୍ଯ୍ୟ।ଳୟ, ଶ୍ରମ ବିଭାଗ ଓ ରାଜ୍ୟରେ ଶିଶୁ ଅଧିକାର ପାଇଁ କାର୍ଯ୍ୟରତ ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ପକ୍ଷରୁ ଶିଶୁ ଶୋଷଣ ଓ ନିର୍ଯ୍ୟାତନା ପ୍ରତିରୋଧ କରିବା ପାଇଁ ଶିଶୁ ଶ୍ରମପ୍ରଥା ବିରୁଦ୍ଧରେ ଏକ ପଦଯାତ୍ରା ଏକାମ୍ରହାଟରୁ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାର ପର୍ଯ୍ୟନ୍ତ ଆୟୋଜନ କରଯାଇଥିଲା । ଏଥିସହିତ ଏକାମ୍ରହାଟ ପରିସରରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମର ଆରମ୍ଭରେ ଏକାମ୍ରହାଟର ଆମ୍ଫିଥିଏଟରରେ ଏକ ଯୁବ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଶ୍ରମ ବିଭାଗର କମିଶନର ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠି, ଆଇଏସ କହିଲେ ଯେ ଶିଶୁ ଶ୍ରମ ହେଉଛି ଶିଶୁ ନିର୍ଯାତନାର ଏକ ଗମ୍ଭୀର ରୂପ, ଯାହା ଶିଶୁଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହା ପିଲାମାନଙ୍କୁ ସେମାନଙ୍କ ଲକ୍ଷ୍ୟରୁ ବିଚ୍ୟୁତ କରେ ଏବଂ ସେମାନଙ୍କୁ ସେମାନଙ୍କ ଶୈଶବରୁ ବଞ୍ଚିତ କରେ। ତେଣୁ ଶିଶୁ ଶ୍ରମର ଉଚ୍ଛେଦ ପାଇଁ ଆମେ ସମସ୍ତେ ମିଶି କାର୍ଯ୍ୟ କରିବା ଉଚିତ ଓ ପ୍ରତ୍ଯେକ ଶିଶୁ ଯେପରି ପାଠ ପଢିବେ ତାହା ସୁନିଶ୍ଚିତ କରିବା ଉଚିତ ବୋଲି ଶ୍ରୀଯୁକ୍ତ ତ୍ରିପାଠୀ ଗୁରୁତ୍ତ୍ଵାରୋପ କରିଥିଲେ । ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଚନ୍ଦନା ଦାସ କହିଲେ ଶିଶୁ ଶ୍ରମ ରୋକିବା ପାଇଁ ପିଲାମାନଙ୍କର ଶିକ୍ଷାକୁ ପ୍ରାଥମିକତା ଦେବା ଅତ୍ୟନ୍ତ ଜରୁରୀ । ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଏଥିରେ ସ୍ଵାଗତ ଭାଷଣ ଦେଇ ଏହି ଅଭିଯାନ ର ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହିତ କହିଲେ ବ୍ୟାପକ ସଚେତନତା ସହିତ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଶିଶୁ ଶ୍ରମ ଦୂର କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ। ଅନ୍ୟମାନଙ୍କ ମଧ୍ୟରେ ଶ୍ରମବିଭାଗର ବରିଷ୍ଠ ବୈଷୟିକ ପରାମର୍ଶଦାତା ଡଃ ଭକ୍ତ ବନ୍ଧୁ ଆଚାର୍ଯ୍ୟ, ଯୁଗ୍ମ ଶ୍ରମ କମିଶନର ବିଘ୍ନଜିତ ମହନ୍ତ ମହାପାତ୍ର, ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଲ, ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା, ସିନେ କଳାକାର ଏବଂ ପିକକ୍ ର ଶିଶୁ ଅଧିକାର ପ୍ରଚାର ପାଇଁ ଗୁଡୱିଲ ଆମ୍ବାସଡର ସୁହାନା କର, ଓ ତାପସ କୁମାର ସଢଙ୍ଗୀ ଏହି ଅବସରରେ ବକ୍ତବ୍ୟ ରଖିଥିଲେ। ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଯୁବକମାନେ ଶିଶୁ ଶ୍ରମ ବିରୋଧରେ ଅଭିଯାନ ଚଳାଇବା ଓ ଏକ ଶିଶୁ ଶ୍ରମ ମୁକ୍ତ ଓଡିଶା ଗଠନ ପାଇଁ ପ୍ରତିଜ୍ଞା ନେଇଥିଲେ। ସଭା ପରେ ଦସ୍ତଖତ ଅଭିଯାନ କରାଯାଇଥିଲା ଏବଂ ତା’ପରେ ସମ୍ମାନିତ ଅତିଥିମାନେ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବକ୍ତାମାନେ ନିଜ ଗାଁ, ସହର, ଓ ଅଞ୍ଚଳକୁ ଶିଶୁ ଶ୍ରମ ମୁକ୍ତ କରି ପିଲାମାନଙ୍କ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟିକରିବା ସହ ଓଡିଶାକୁ ଶିଶୁଶ୍ରମ ମୁକ୍ତ କରି ବିକଶିତ ଓଡିଶା ଗଠନ ପାଇଁ ସମସ୍ତ ସଚେତନ ନାଗରିକଙ୍କୁ ଆହ୍ଵାନ ଦେଇଥିଲେ ।
ଉତ୍ସାହୀ ଯୁବକମାନେ ଶକ୍ତିଶାଳୀ ସଚେତନତା ବାର୍ତ୍ତା ଥିବା ରଙ୍ଗୀନ ପ୍ଲାକାର୍ଡ ଧରି ଆଗକୁ ବଢ଼ିଥିଲେ । ବନ୍ଦେ ମାତରମ୍ ଗୋଷ୍ଠୀର ବିଜୟ ଏବଂ ପ୍ରହଲ୍ଲାଦ ପ୍ରଭାବଶାଳୀ ଶିଶୁ-ଶ୍ରମିକ ଥିମ୍ ରେ ନିଜକୁ ସଜେଇ ସଚେତନତାର ବାର୍ତ୍ତା ଦେଇଥିଲେ । ଶୋଭାଯାତ୍ରାର ନେତୃତ୍ୱ ନେଇ, ପ୍ରେରଣାଦାୟକ ବାର୍ତ୍ତା ସହିତ ଦୁଇଟି ଜୀବନ୍ତ ମାସ୍କଟ୍ ସମଗ୍ର ପଦଯାତ୍ରା ପାଇଁ ଏକ ଆକର୍ଷଣୀୟ ଏବଂ ପ୍ରଭାବଶାଳୀ ସ୍ୱର ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମକୁ ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ପୂଜା ପଣ୍ଡା, ଉପମା ମହାନ୍ତି, ବିଷ୍ଣୁପ୍ରିୟ ମହାପାତ୍ର, ରାକେଶ କୁମାର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *